ଫଟୋ ଗ୍ୟାଲେରୀ

ଫଟୋ ଫିଚର



|   16 Aug 2021

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।