ନିକଟରେ ଭାରତର ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ନେତୃତ୍ବ ନେବାକୁ ଅକ୍ଷମ ଥିବା କଥା ପ୍ରକାଶ କରିବା ସହ ଆଗାମୀ ଟି-୨୦ ବିଶ୍ବକପ୍ ପରେ କ୍ଷୁଦ୍ର ଫର୍ମାଟରେ ନେତୃତ୍ବ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବା ତାଙ୍କର ଏପରି ନିଷ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ବେଳେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ଉପଅଧିନାୟକ ରହିଥିବା ରୋହିତ ଶର୍ମା ନେବା ଏକରକମ ଥୟ। ସେହିପରି ଦଳର ମୁଖ୍ୟ କୋଚ୍ ରହିଥିବା ରବି ଶାସ୍ତ୍ରୀ ମଧ୍ୟ ଟି-୨୦ ବିଶ୍ବକପ୍ ପରେ ଏହି ପଦବୀ ଛାଡ଼ିବେ। ତେଣୁ ତାଙ୍କ ସ୍ଥାନରେ ପୁଣିଥରେ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେ ଏହି ଦାୟିତ୍ବକୁ ଫେରିବାର ସମ୍ଭାବନା ରହିଛି ବୋଲି ବିସିସିଆଇ ପ୍ରକାଶ ସମ୍ଭାବନା ପ୍ରକାଶ ପାଇଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ତାଙ୍କୁ ଓ ପୂର୍ବତନ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ପଦ ସକାଶେ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି। କୁମ୍ବଲେ ପୂର୍ବରୁ ୨୦୧୬-୧୭ ସିଜନରେ ପାଖାପାଖି ବର୍ଷ ଭାରତୀୟ ଟିମର କୋଚ୍ ରହିସାରିଛନ୍ତି। ସେତେବେଳେ ସଚିନ୍ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ତାଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ମତଭେଦ କାରଣରୁ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।
ଆସନ୍ତା ଟି-୨୦ ବିଶ୍ବକପ ପରେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦରୁ ଓହରିଯିବାକୁ ଘୋଷଣା କରିବା ପରେ ପରବର୍ତ୍ତୀ ଅଧିନାୟକ କିଏ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ରୋହିତ ଶର୍ମା ଦୌଡ଼ରେ ଆଗୁଆ ଥିଲେ ବି ୩୪ ବର୍ଷରେ ପଦାର୍ପଣ କରି ସାରିଥିବାରୁ ତାଙ୍କ ବଦଳରେ ଜଣେ ୟଙ୍ଗ ଅଧିନାୟକ ସପକ୍ଷରେ ବିସିସିଆଇ ସଭାପତି ଓ ସମ୍ପାଦକ ଥିବା ସୂଚନା ମିଳିଛି। ଏପରି ହେଲେ ରୋହିତ ମଧ୍ୟ ଅଧିନାୟକ ପଦ ନ ପାଇ ପାରନ୍ତି। କାରଣ ୩୪ ବର୍ଷୀୟ ରୋହିତ ଆସନ୍ତା ଏପ୍ରିଲ ମାସରେ ୩୫ ବର୍ଷରେ ପଦାର୍ପଣ କରିବେ। ବୟସ ଦୃଷ୍ଟିରୁ ରୋହିତ ଶର୍ମା ଲମ୍ବା ସମୟ ଧରି ଟି -୨୦ ଫର୍ମାଟର ଅଧିନାୟକତ୍ବ କରି ନ ପାରନ୍ତି।
ଅନ୍ତର୍ଜାତୀୟ କ୍ରିକେଟର ପାକିସ୍ତାନର ଛବି ମଳିନ ହୋଇଛି। ପାକିସ୍ତାନରେ ଏବେ ବି ଅର୍ନ୍ତଜାତୀୟ ମ୍ୟାଚ ଖେଳିବା ସୁରକ୍ଷିତ ନୁହେଁ ବୋଲି ଯେଉଁ ଆଶଙ୍କା ଥିଲା, ତାହାର ପୁନରାବୃତ୍ତି ଘଟିଛି। ନ୍ୟୁଜିଲାଣ୍ଡ ସରକାର ସୁରକ୍ଷାର ଦ୍ବାହି ଦେଇ ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜକୁ ବାତିଲ କରିଛନ୍ତି। ଶୁକ୍ରବାର ମ୍ୟାଚ ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ପଡ଼ିଆକୁ ନ ଓହ୍ଲାଇବା ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପାକିସ୍ତାନ ପାଇଁ ଶକ୍ତ ଧକ୍କାର କରଣ ହୋଇଛି। ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ହସ୍ତକ୍ଷେପ କରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ସିରିଜ ବାତିଲ ନ କରିବା ପାଇଁ ଅନୁରୋଧ କରିଥିଲେ ବି ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
ବିରାଟ କୋହଲି ଭାରତୀୟ ଟି-୨୦ ଦଳର ଅଧିନାୟକ ପଦରୁ ଓହରିଯିବାକୁ ଘୋଷଣା କରିଛନ୍ତି। ଆସନ୍ତା ଟି-୨୦ ବିଶ୍ବକପ ତାଙ୍କ ପାଇଁ ଶେଷ ଟି-୨୦ ନେତୃତ୍ବ ବୋଲି ସେ ଟ୍ବିଟ କରି ସୂଚନା ଦେଇଛନ୍ତି। ଦିନିକିଆ ଓ ଟେଷ୍ଟ କ୍ରିକେଟ ଉପରେ ଅଧିକ ଧ୍ୟାନ ଦେବା ଓ ନେତୃତ୍ବ ସମ୍ଭାଳିବା ଲକ୍ଷ୍ୟରେ ସେ ଟି-୨୦ ଅଧିନାୟକ ପଦ ଛାଡୁଥିବା ସୂଚନା ଦେଇଛନ୍ତି। ସେ ଟି-୨୦ ନେତୃତ୍ବ ଛାଡ଼ିଲେ ବି ଜଣେ ଖେଳାଳି ଭାବେ ଏହି ଫର୍ମାଟରେ ଖେଳ ଜାରି ରଖିବାକୁ ସୂଚନା ଦେଇଛନ୍ତି। କୋହଲିଙ୍କ ଏହି ନିଷ୍ପତ୍ତି ବିସିସିଆଇ ସଭାପତି ଓ ସମ୍ପାଦକ ମଧ୍ୟ ଗ୍ରହଣ କରି ନେଇଛନ୍ତି। କୋହଲିଙ୍କ ଅବଦାନ ସମସ୍ତ ୩ଟି ଯାକ ଫର୍ମାଟରେ ବେଶ ପ୍ରଶଂସନୀୟ। ତେଣୁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବୋର୍ଡ ସମ୍ମାନ କରେ ବୋଲି ଉଭୟ ସଭାପତି ଓ ସମ୍ପାଦକ ଟ୍ବିଟ କରି ସୂଚନା ଦେଇଛନ୍ତି। ଏପରି ସ୍ଥିତିରେ ରୋହିତ ଶର୍ମା ଟି-୨୦ ଫର୍ମାଟରେ ପରବର୍ତ୍ତୀ କ୍ୟାପଟେନ ହେବା ଆଶା ଉଜ୍ଜ୍ବଳ ହୋଇଛି।
ଆଗାମୀ ଟି-୨୦ ବିଶ୍ବକପ୍ ପରେ ଭାରତୀୟ ଦଳ ସହ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସମ୍ପର୍କ ଛିନ୍ନ ହେବ। ବିଶ୍ବକପ୍ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା ବେଳେ ବିସିସିଆଇ ନୂଆ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନରେ ରହିଛି। ଶାସ୍ତ୍ରୀଙ୍କ ସ୍ଥାନରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଅର୍ପଣ କରିବାକୁ ବିସିସିଆଇ ଯୋଜନା କରିଥିଲା ବେଳେ ଏହି ଦୌଡ଼ରେ ନ୍ୟାସ୍ନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ରାହୁଲ ଦ୍ରାବିଡ୍ଙ୍କ ନାମ ଆଲୋଚନାକୁ ଆସିଛି। ଦ୍ରାବିଡ୍ ସମ୍ଭବତଃ ମୁଖ୍ୟ ପ୍ରଶିକ୍ଷକ ଭାବେ ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସାକ୍ଷାତକାର ଅବସରରେ ପ୍ରଶ୍ନଉତ୍ତର ସେସନ୍ରେ ଗାଙ୍ଗୁଲି କହିଥିଲେ, ଏହା ପୂର୍ବରୁ ଦ୍ରାବିଡ୍ଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ସମ୍ଭାଳିବାକୁ କୁହାଯାଇଥିଲା। ହେଲେ ସେ ସ୍ଥାୟୀ ପଦରେ ରହିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ।
ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସାଲ ମିଡିଆ ଜରିଆରେ ଅବସର ନେଇ ସେ ସୂଚନା ଦେଇଛନ୍ତି। ଫଳରେ କ୍ରିକେଟପ୍ରେମୀ ଆଉ ଜଣେ ଚାମ୍ପିଅନ କ୍ରିକେଟରଙ୍କୁ ଆଉ କ୍ରିକେଟ ପଡ଼ିଆରେ ଦେଖିବାର ସୁଯୋଗରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଏଥିସହ ମାଲିଙ୍ଗାଙ୍କର ୧୭ ବର୍ଷର କ୍ରିକେଟ କ୍ୟାରିଅରର ଅବସାନ ଘଟିଛି। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଅଲବିଦା କରିସାରିଥିବା ମାଲିଙ୍ଗା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବାକୁ ଘୋଷଣା କରିଛନ୍ତି। ୩୮ ବର୍ଷୀୟ ମାଲିଙ୍ଗା ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ ନେଇଛନ୍ତି। ସେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଓ ଟି-୨୦ ଫର୍ମାଟରେ ୧୦୭ ୱିକେଟ ନେବାର ସୌଭଭ୍ୟଲାଭ କରିଛନ୍ତି।
ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ରୋହିତ ଶର୍ମା ଭାରତର ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବେ ବୋଲି ସୋମବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିରାଟ କୋହଲି କେବଳ ଟେଷ୍ଟ କ୍ରିକେଟ୍ରେ ଭାରତର ଅଧିନାୟକ ରହିବେ ଏବଂ ତାଙ୍କ ବ୍ୟାଟିଂ ଉପରେ ମନୋନିବେଶ କରିବେ। ହେଲେ ଏହି ଖବରକୁ ଖଣ୍ଡନ କରିଛନ୍ତି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ୍। ବିରାଟ କୋହଲି କ୍ରିକେଟ୍ର ୩ଟିଯାକ ବର୍ଗରେ ଭାରତର ଅଧିନାୟକ ରହିବେ। ଧଳା ବଲ୍ କ୍ରିକେଟ୍ରେ ରୋହିତ ଅଧିନାୟକ ହେବେ ବୋଲି ଖବରରେ କୌଣସି ସତ୍ୟତା ନାହିଁ ବୋଲି ଅରୁଣ ଧୁମଲ ଜୋର୍ଦେଇ କହିଛନ୍ତି।
ଚଳିତ ୟୁଏସ୍ ଓପନ୍ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଥିବା ବେଳେ ଏଥିରେ ରୁଷିଆର ଦ୍ବିତୀୟ ସିଡ୍ ଖେଳାଳି ଡାନିଲ୍ ମେଡଭେଡେଭ୍ ଚାମ୍ପିଅନ୍ ହୋଇଛନ୍ତି। ପୂର୍ବରୁ ଚଳିତ ବର୍ଷର ତିନିଟିଯାକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ସହ ବିଶ୍ବର ଏକ ନମ୍ବର ଖେଳାଳି ସର୍ବିୟା ତାରକା ନୋଭାକ୍ ଜୋକୋଭିଚ୍ ଗତ ଟୋକିଓ ଅଲିମ୍ପିକ୍ସରେ ବି ସ୍ବର୍ଣ୍ଣପଦକ ଜିତିଥିଲେ। ତା’ଛଡ଼ା ଏଠାରେ କ୍ରମାଗତ ଭାବେ ବିଜୟ ସହ ଆଗେଇ ଚାଲିଥିବା ଜୋକୋଭିଚ୍ କ୍ୟାରିୟର୍ ଗ୍ରାଣ୍ଡସ୍ଲାମ୍ ହାସଲ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଥିଲା। ଏପରିକି ୧୯୮୮ ମସିହା ପରେ ଜର୍ମାନୀର ତାରକା ମହିଳା ଟେନିସ୍ ଖେଳାଳି ଷ୍ଟେଫି ଗ୍ରାଫଙ୍କ ପରେ ଜୋକୋଭିଚଙ୍କ ପାଖରେ କ୍ୟାରିୟର୍ ଗୋଲ୍ଡ ଗ୍ରାଣ୍ଡସ୍ଲାମ୍ ଜିତିବାର ସୁଯୋଗ ମଧ୍ୟ ରହିଥିଲା। କିନ୍ତୁ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମେଡଭେଡେଭ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋକୋଭିଚଙ୍କ ସମସ୍ତ ସ୍ବପ୍ନକୁ ଧୂଳିସାତ୍ କରିଦେଇଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ଯଦିଓ ଜୋକୋଭିଚ୍ ଫେବରିଟ୍ ଥିଲେ, କିନ୍ତୁ ପ୍ରାରମ୍ଭରୁ ମେଡଭେଡେଭ୍ ଚମତ୍କାର ପ୍ରଦର୍ଶନ ପୂର୍ବକ ମ୍ୟାଚ୍କୁ ୬-୪,୬-୪,୬-୪ରେ ଜିତିନେଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହୋଇଥିବା ବେଳେ ନିଜ ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଏହା ତାଙ୍କର ଭେଟି ବୋଲି ଟ୍ରଫି ଗ୍ରହଣ ଅବସରରେ ମେଡଭେଡେଭ୍ କହିଛନ୍ତି।
ଗତ ଶୁକ୍ରବାର ଏଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚଟି କୋଭିଡ୍ ସଂକ୍ରମଣ ଆଶଙ୍କା କାରଣରୁ ରଦ୍ଦ ହୋଇଯାଇଛି। ତେବେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ୩ ଜଣ ସପୋର୍ଟ କୋଭିଡ୍ ପଜିଟିଭ୍ ବାହାରିବା ପରେ ଦଳର ସିନିୟର୍ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବାକୁ ଅରାଜି ହୋଇଥିଲେ। ତେଣୁ ମ୍ୟାଚଟିକୁ ବର୍ତ୍ତମାନ ସମୟ ପାଇଁ ରଦ୍ଦ କରାଯାଇଥିଲା। ମ୍ୟାଚଟି ଆସନ୍ତା ବର୍ଷ ଜୁଲାଇରେ ହେବାକୁ ଥିବା ଭାରତର ଇଂଲଣ୍ଡ ଗସ୍ତ ସମୟରେ ଖେଳାଯିବାର ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଆଲୋଚ୍ୟ ଟେଷ୍ଟ୍ ସିରିଜର ଫଳାଫଳ ଘୋଷଣା କରିବା ସକାଶେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ରବିବାର ଆଇସିସିକୁ ଏକ ଚିଠି ଲେଖାଯାଇଛି। ଉଭୟ ବିସିସିଆଇ ଓ ଇସିବି ମଧ୍ୟରେ ଏହି ସିରିଜର ଭାଗ୍ୟ ନିର୍ଦ୍ଧାରଣ ଆପୋସ ବୁଝାମଣା ମାଧ୍ୟମରେ ସମ୍ଭବପର ନୁହେଁ ବୋଲି ଅନୁଭବ କରି ଇସିବି ଆଇସିସିକୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଚିଠି ଲେଖିଥିବା ବୋର୍ଡର ମୁଖପାତ୍ର ସ୍ବୀକାର ମଧ୍ୟ କରିଛନ୍ତି।
ଚଳିତ ୟୁଏସ୍ ଓପନର ମହିଳା ସିଙ୍ଗଲ୍ସ ଫାଇନାଲ୍ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଟିନଏଜରଙ୍କ ମଧ୍ୟରେ ଖେଳାଯାଇଛି। ଏଥିରେ ବ୍ରିଟେନର କ୍ବାଲିଫାୟର୍ ଏମ୍ମା ରାଡୁକାନୁ କାନାଡାର ଅନ୍ୟତମ ଟିଏନଜର୍ ତଥା ୭୩ତମ ରାଙ୍କ୍ ଖେଳାଳି ୧୯ ବର୍ଷୀୟା ଲିଲାହ ଫର୍ଣ୍ଣାଣ୍ଡେଜଙ୍କୁ ୬-୪, ୬-୩ ସିଧାସଳଖ ସେଟରେ ପରାସ୍ତ କରି ଚାମ୍ପିଅନ୍ ହେବା ସହ ପୁରସ୍କାର ରାଶି ବାବଦରେ ୨.୫ ନିୟୁତ ଟଙ୍କା ଅର୍ଥ ୨.୧ ନିୟୁତ ୟୁରୋ ହାସଲ କରିଛନ୍ତି। ସେ ପ୍ରଥମ କ୍ବାଲିଫାୟର୍ ଭାବେ କୌଣସି ଗ୍ରାଣ୍ଡସ୍ଲାମରେ ଟାଇଟଲ୍ ହାସଲ କରିବାର ଗୌରବ ମଧ୍ୟ ପାଇଛନ୍ତି। ଏଥିସହ ୧୮ ବର୍ଷୀୟା ରାଡୁକାନୁ ଦେଶ ପକ୍ଷରୁ ଦୀର୍ଘ ୪୪ ବର୍ଷ ପରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଦେଢ଼ ଶହ ଉପରେ ରହିଥିବା ରାଡୁକାନୁ ଗତ ଦୁଇ ସପ୍ତାହ ଧରି ଚମତ୍କାର ପ୍ରଦର୍ଶନ କରିବା ସହ ୩ ଜଣ ଟପ୍ ୫ ଖେଳାଳିଙ୍କୁ ବିଦାୟ ପଥ ଦେଖାଇଥିଲେ। ତିନିଟି କ୍ବାଲିଫାଇଙ୍ଗ୍ ମ୍ୟାଚରେ ଗୋଟିଏ ବି ସେଟରେ ପରାସ୍ତ ହୋଇ ନ ଥିବା ରାଡୁକାନୁ କ୍ରମାଗତ ଭାବେ ୭ଟି ମୁଖ୍ୟ ଡ୍ର’ ମ୍ୟାଚ୍ ଜିତି ଚାମ୍ପିଅନ୍ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ୧୯୭୭ ମସିହାରେ ଭର୍ଜିଅନିଆ ୱେଡ୍ ୱିମ୍ବଲଡନ ଓପନରେ ଚାମ୍ପିଅନ୍ ହୋଇଥିଲେ। ଏହାପରେ ୧୯୬୮ରେ ସେ ୟୁଏସ୍ ଓପନରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ। ତେଣୁ ଦୀର୍ଘ ୫୨ ବର୍ଷ ପରେ ରାଡୁକାନୁ ପ୍ରଥମ ବ୍ରିଟିଶ୍ ମହିଳା ଖେଳାଳି ଭାବେ ଦେଶ ପକ୍ଷରୁ ୟୁଏସ୍ ଓପନରେ ଚାମ୍ପିଅନ୍ ହୋଇପାରିଛନ୍ତି।
ବିଦେଶରେ ଭାରତର ଟେକ ରଖିଥିବା ପାରାଲିମ୍ପିକ୍ସ ଖେଳାଳିଙ୍କୁ ଶନିବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ କଥା ହୋଇଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିବା ସହ ସବୁବେଳେ ସକରାତ୍ମକ ଭାବନା ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। ଏହାସହ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ତୁମମାନଙ୍କ କଠିନ ପରିଶ୍ରମ ଯୋଗୁ ତୁମେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛ। ତୁମର ସଫଳତା ସହିତ ତୁମେ ଏକ ପରାଜୟବାଦୀ ମାନସିକତାକୁ ପରାସ୍ତ କରିଛ। ମୁଁ ତୁମମାନଙ୍କ ସହ ସର୍ବଦା ରହିଛି।
ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ୟୁଏସ୍ ଓପନ୍ ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ବର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍। ସେ ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଜର୍ମାନୀର ଆଲେକଜାଣ୍ଡର୍ ଜ୍ବେରେଭଙ୍କୁ ୪-୬, ୬-୨, ୬-୪, ୪-୬, ୬-୨ରେ ପରାସ୍ତ କରି ୩୧ତମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚିବାର ଗୌରବ ପାଇଛନ୍ତି। ଏଥିସହ ସେ ସ୍ବିଜରଲାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର୍ ଫେଡେରରଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଚଳିତ ବର୍ଷ କ୍ୟାଲେଣ୍ଡର୍ ଗ୍ରାଣ୍ଡସ୍ଲାମ୍ ଜିତିବା ସମ୍ଭାବନା ରଖୁଥିବା ଜୋକୋଭିଚ୍ ରବିବାର ଫାଇନାଲରେ ବିଜୟୀ ହେଲେ, ରେକର୍ଡ ନବମ ଥର ପାଇଁ ୟୁଏସ୍ ଓପନ ଜିତିପାରିବେ। ଏଥିସହ ସେ ଶୀର୍ଷ ୩ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବାର ଗୌରବ ପାଇବେ। ପୂର୍ବରୁ ୨୦ଟି ଟାଇଟଲ୍ ଜିତିସାରି ଜୋକୋଭିଚ୍ ସ୍ପେନର ରାଫେଲ୍ ନାଡାଲ୍ ଓ ଫେଡେରରଙ୍କ ସହ ଯୁଗ୍ମ ଭାବେ ଏକ ନମ୍ବରରେ ଅଛନ୍ତି। ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବାରେ ସେ ରବିବାର ଏକ ନମ୍ବର ସ୍ଥାନ ହାସଲ କରିବାର ସମ୍ଭାବନା ରହିଛି।
ଚଳିତ ୟୁଏସ୍ ଓପନ୍ରେ ମହିଳା ସିଙ୍ଗଲ୍ସରେ ଟିନଏଜରଙ୍କ ଦବଦବା ଦେଖିବାକୁ ମିଳିଛି। ପ୍ରଥମ କ୍ୱାଲିଫାୟର୍ ଭାବେ ବ୍ରିଟେନ୍ର ଏମ୍ମା ରାଡୁକାନୁ ଫାଇନାଲରେ ପ୍ରବେଶ କରିଛନ୍ତି। ଏହାଛଡ଼ା କାନାଡାର ଅନ୍ୟତମ ଟିନଏଜର୍ ଲିଲାହ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳସ୍ବରୂପ ଶନିବାର ହେବାକୁ ଥିବା ମହିଳା ସିଙ୍ଗଲ୍ସ ଫାଇନାଲ୍ ଓପନ୍ ଏରାରେ ଅଷ୍ଟମ ଥର ପାଇଁ ଦୁଇ ଜଣ ଟିନଏଜରଙ୍କ ମଧ୍ୟରେ ଖେଳାଯିବ। ଏଥିସହ ୨୨ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ଦୁଇ ଜଣ ଟିଏନଜରଙ୍କୁ ଦେଖିବାକୁ ମିଳିବ। ୧୮ବର୍ଷୀୟା ବ୍ରିଟିଶ୍ କ୍ୱାଲିଫାୟର୍ ରାଡୁକାନୁ ସପ୍ତଦଶ ସିଡ୍ ଗ୍ରୀସର ମାରିଆ ସାକ୍କାରିଙ୍କୁ ୬-୧, ୬-୪ରେ ପରାସ୍ତ କରି ପ୍ରଥମ କ୍ୱାଲିଫାୟର୍ ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ପହଞ୍ଚିଛନ୍ତି। ତା’ଛଡ଼ା ୧୭ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ରେ ଏପରି ଘଟଣା ଦେଖିବାକୁ ମିଳିଛି। ସେମିଫାଇନାଲରେ ବିଜୟୀ ହେବା ପରେ ସେ ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଏହାକୁ ସେ ବିଶ୍ୱାସ କରିପାରୁନାହାନ୍ତି ବୋଲି ରାଡୁକାନୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।
ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ସୁନା ପୁଅ ପ୍ରମୋଦ ଭଗତ ଓଡ଼ିଶା ଫେରିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ରାଶିର ଚେକ୍ ପ୍ରଦାନ କରିଛନ୍ତି। ପୁରସ୍କାର ସହ ତାଙ୍କୁ ଗ୍ରୁପ ଏ ସ୍ତରର ଚାକିରି ବି ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରା ବ୍ୟାଡମିଣ୍ଟନ୍ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ।
ଆସନ୍ତା ମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍ ନିମନ୍ତେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନିଜ ପ୍ରତିକ୍ରିୟାରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଧୋନିଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଛି। ତାଙ୍କ ନେତୃତ୍ବରେ ଭାରତୀୟ ଦଳ ବିଶ୍ବକପ୍ ଜିତିଛି। ତେଣୁ ଧୋନି ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହେବା ଖୁସିର କଥା। ଏହା ଦଳ ପାଇଁ ବେଶ୍ ସହାୟକ ହେବ।
ଅଧିକ ଦେଖନ୍ତୁ