ସମ୍ପାଦକୀୟ

ମତଦାନ ନୁହେଁ ମୃତ୍ୟୁଦାନ

ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ବର ସମାଜରେ ଅସହିଷ୍ଣୁତା ବଢ଼ିଚାଲିଛି। ନିକଟରେ ଏହାକୁ ନେଇ ଭାରତରେ ମଧ୍ୟ ବହୁ ବାକ୍‌ବିତଣ୍ଡା ହୋଇଥିଲା। ଦେଶରେ ଅସହିଷ୍ଣୁତା ବଢ଼ିଥିବା ନେଇ ଯେଉଁମାନେ ମତପୋଷଣ କରିଥିଲେ, ସେମାନଙ୍କୁ କାଠଗଡ଼ାରେ ଠିଆ କରାଯାଇଥିଲା। ହେଲେ ଆମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ବା ପ୍ରକ୍ରିୟା ‘ସାଧାରଣ ନିର୍ବାଚନ-୨୦୧୯’ ପୂର୍ବରୁ ଏଭଳି କିଛି ଝଲକ ଦେଖିବାକୁ ମିଳିଛି, ଯାହା ସଭ୍ୟ ସମାଜର ମୁଣ୍ଡ ନୁଆଁଇଦେବ। କ୍ଷମତାଲିପ୍‌ସୁ ମଣିଷ ନିଜ ସ୍ବାର୍ଥ ହାସଲ ପାଇଁ ଆଉ ଜଣେ ମଣିଷର ଜୀବନ ନେବାକୁ ପଛାଉନାହିଁ। ସାରା ଦେଶରେ ଏପରି ଅନେକ ଖବର ଚର୍ଚ୍ଚାକୁ ଆସିଥିବା ବେଳେ ନିକଟରେ ଓଡ଼ିଶାରେ ଘଟିଥିବା ଦୁଇଟି ସଦ୍ୟତମ ଘଟଣା। ଏହାର ସତ୍ୟାସତ୍ୟ ବୟାନ କରୁଛି। ସାଧାରଣ ନିର୍ବାଚନ ଆରମ୍ଭ ନ ହେଉଣୁ ରାଜ୍ୟରେ ଗଡ଼ିଲାଣି ମୁଣ୍ଡ। ଏହି କ୍ରମରେ ସଂଘଟିତ ପ୍ରାକ୍‌ ନିର୍ବାଚନୀ ହିଂସାରେ କେନ୍ଦୁଝର ଅନ୍ତର୍ଗତ ଘଷିପୁରା ନିର୍ବାଚନମଣ୍ଡଳୀରେ ଜଣେ ପୂର୍ବତନ ସ୍ବାଧୀନ ପ୍ରାର୍ଥୀ ତଥା ବ୍ଲକ ଅଧ୍ୟକ୍ଷଙ୍କୁ ମାରଣାସ୍ତ୍ର ଯୋଗେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ତେନ୍ଦୁଳିମୂଳ ଠାରେ ଜଣେ ୱାର୍ଡମେମ୍ବରଙ୍କ ଦେଢ଼ଶୁର ଉପରକୁ ଆଖିବୁଜା ଗୁଳିବର୍ଷଣ କରାଯିବାରୁ ସେ ଅଧୁନା ଜୀବନ ସହ ସଂଘର୍ଷ କରୁଛନ୍ତି। ନିହିତ ସ୍ବାର୍ଥ ପାଇଁ ମଣିଷ କେତେ ତଳକୁ ଖସିଯାଇପାରେ, ଏହା ତା’ର ଜ୍ବଳନ୍ତ ଉଦାହରଣ। ପ୍ରକୃତ ଅର୍ଥରେ ଏହାକୁ ହିଁ ପାଶବିକ ଆଚରଣ କୁହାଯାଏ।

ସ୍ମାର୍ଟ ସିଟି ଅପରାଧରେ ବି ସ୍ମାର୍ଟ

ଯେବେଠୁ ସ୍ମାର୍ଟ ସିଟି କଥା ଉଠିଲାଣି ଓ ଭୁବନେଶ୍ବର ଏହାର ତାଲିକାଭୁକ୍ତ ହେଲାଣି, ସେବେଠୁ ଚର୍ଚ୍ଚାର ଶିଖର ମଣ୍ଡନ କରିଛି ଏହି ମନ୍ଦିରମାଳନୀ ସହର। ଏପରିକି ବିଭିନ୍ନ ସମୟରେ ପୃଥକ୍‌ ପୃଥକ୍‌ ଭିତ୍ତିଭୂମି ଆଧାରରେ ହୋଇଥିବା କେତେକ ସର୍ବେକ୍ଷଣରେ ଭୁବନେଶ୍ବର ଦେଶର ସ୍ମାର୍ଟ ସିଟିଗୁଡ଼ିକ ମଧ୍ୟରେ ୧ ନମ୍ବର ଏବଂ ବିଶ୍ବରେ ମଧ୍ୟ ଶ୍ରେଷ୍ଠ ୫ଟି ସ୍ମାର୍ଟ ସିଟି ମଧ୍ୟରେ ରହିଥିବା ଦର୍ଶାଯାଇଛି। ତେବେ ପୂର୍ବରୁ ଭୁବନେଶ୍ବର ସମ୍ପର୍କରେ ଯେତିକି ଭଲ ଚର୍ଚ୍ଚା ହୋଇଛି, ପରବର୍ତ୍ତୀ ସମୟରେ ଏହାକୁ ନେଇ ସେତିକି ମନ୍ଦ କଥା ମଧ୍ୟ ଜାଣିବାକୁ ମିଳିଛି। ଗୋଟିଏ ପଟେ ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରି ସାରା ବିଶ୍ବରେ ଭୁବନେଶ୍ବର ଯେଉଁଭଳି ଭାବେ ଶିରୋନାମା ପାଲଟିଥିଲା, ଠିକ୍‌ ସେହିଭଳି ଭାବେ ନିକଟରେ ପ୍ରକାଶିତ କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧ ପରିସଂଖ୍ୟାନ ଅନୁଯାୟୀ ଭୁବନେଶ୍ବରରେ ବଢ଼ି ଚାଲିଥିବା ଅପରାଧ ସହର ପାଇଁ ଦୁର୍ନାମ ଆଣିଦେଇଛି। ଏଥିସହ ଦ୍ବୈତ ନଗରୀର ଅନ୍ୟତମ ସହର କଟକ ଯୋଡ଼ିହୋଇଥିବା ବେଳେ କଟକ ତୁଳନାରେ ମଧ୍ୟ ଭୁବନେଶ୍ବରରେ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଫଳରେ ଅସୁରକ୍ଷିତ ଶବ୍ଦଟି ଏବେ ଭୁବନେଶ୍ବର-କଟକ ସହ ଗୁନ୍ଥି ହୋଇଯାଇଛି।

ଗଣଙ୍କ ପାଇଁ ତନ୍ତ୍ର କାହିଁ ?

ସାରା ବିଶ୍ବରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଥିବା ଭାରତ ଚଳିତ ବର୍ଷ ତା’ର ୭୦ତମ ଗଣତନ୍ତ୍ର ଦିବସ ପାଳନ କରିଛି। ବିଭିନ୍ନତା ଭିତରେ ଏକତାର ଏହି ଦେଶରେ ସମଗ୍ର ଦେଶବାସୀଙ୍କୁ ଶାସନ ବ୍ୟବସ୍ଥା ଯେଉଁ ଡୋରିରେ ବାନ୍ଧିଛି, ତାହାକୁ ଗଣତନ୍ତ୍ର କୁହାଯିବ। ଏଠି ସରକାର ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ ବୋଲି ଧରିନିଆଯାଏ। ଦେଶ ଶାସନର ଦସ୍ତାବିଜ ‘ସମ୍ବିଧାନ’ରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଅଭିହିତ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ ନ୍ୟାୟ, ସ୍ବାଧୀନତା, ସମାନତା ଓ ସମ୍ପ୍ରଦାୟକୁ ସମ୍ମାନ ଆଦି ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରାଯିବା ନିମନ୍ତେ ପ୍ରାବଧାନ ରଖାଯାଇଛି। ବିଭିନ୍ନ ପରିସ୍ଥିତିରେ ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠା ଆଧାରରେ କାୟମନୋବାକ୍ୟରେ ଏହାର ମାନ ରଖାଯାଇ ପାରିଲେ ହିଁ ବ୍ୟବସ୍ଥା ସଠିକ ମାର୍ଗରେ ଚାଲିପାରିବ। ଯଦ୍ଦ୍ବାରା ଦେଶବାସୀ ଗଣତନ୍ତ୍ରର ମହକ ବାରିପାରିବେ। ଅବଶ୍ୟ ଏ କଥା ନୁହେଁ ଯେ ଭାରତ ପଥଭ୍ରଷ୍ଟ ହୋଇଯାଇଛି। କିନ୍ତୁ ଗଣତନ୍ତ୍ରର ଅସଲ ସଂଞାକୁ ହୃଦୟଙ୍ଗମ କରିପାରିଲେ ଓ କରାଯାଇ ପାରିଲେ ହିଁ ସମ୍ବିଧାନ ନିସୃତ ଭାରତର ଅସଲ ମର୍ଯ୍ୟାଦା ରକ୍ଷା କରାଯାଇ ପାରିବ।

ମାଟିକୁ ଭେଟି ଦେବାର ବେଳ

ବିଶ୍ବରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ବିକାଶଶୀଳ ଦେଶ ଭାବେ ପରିଗଣିତ ହେଉଥିବା ଭାରତ ଅନେକ କ୍ଷେତ୍ରରେ ଏବେ ବିକଶିତ ରାଷ୍ଟ୍ର ଠାରୁ ମଧ୍ୟ ଆଗୁଆ। ଶିକ୍ଷା, ଅର୍ଥନୀତି, ରାଜନୀତି, ବିଞାନ ଓ ପ୍ରଯୁକ୍ତି, କ୍ରୀଡ଼ା, କଳା ଓ କାରିଗରୀ ଏବଂ ମନୋରଞ୍ଜନ ଆଦି କ୍ଷେତ୍ରରେ ଦେଶ ଉତ୍କର୍ଷତା ପ୍ରତିପାଦିତ କରିଥିଲେ ହେଁ ମୂଳତଃ ଏହା ଏକ କୃଷିପ୍ରଧାନ ଦେଶ। ଭାରତର କୃଷି କ୍ଷେତ୍ରର ଯଥେଷ୍ଟ ପ୍ରଭାବ ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ରହିଛି। ଏଣୁ ଆମ ଦେଶରେ ଚାଷ ଓ ଚାଷୀଙ୍କ ଗୁରୁତ୍ବ କେତେ ତାହା ସହଜରେ ଅନୁମେୟ। ଏହାର ଜ୍ବଳନ୍ତ ପ୍ରମାଣ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ ଜୟ କିଷାନ’ ନାରା ଠାରୁ ଆରମ୍ଭ କରି ହିନ୍ଦୀ ସିନେମା ଉପକାରର ଗୀତ ‘ମେରେ ଦେଶ କୀ ଧରତୀ ସୋନା ଉଗ୍‌ଲେ, ଉଗ୍‌ଲେ ହୀରେ ମୋତି...’ ସବୁଠି ପ୍ରତୀୟମାନ ହୋଇଥାଏ। ଏପରିସ୍ଥଳେ ଦେଶରେ ଆଜି ଏହି କ୍ଷେତ୍ର ବାଟବଣା ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ୠଣବୋଝ ହେଉ କି ଆବଶ୍ୟକ ସୁବିଧା ସୁଯୋଗର ଅଭାବ, ଏହା ଚାଷୀକୁ ମରଣ ମୁହଁକୁ ଠେଲି ଦେଉଛି। ଫଳରେ ଯେଉଁ ଜନ୍ମମାଟିକୁ ଆମେ ମା’ ବୋଲି କହୁଛେ, ତା’ର ରକ୍ଷଣାବେକ୍ଷଣକାରୀଙ୍କ ସଂଖ୍ୟା କମିବାରେ ଲାଗିଛି। କିଏ ମାଟି ମା’ର ଯତ୍ନ ନେବ, ଏବେ ସେ ପ୍ରଶ୍ନ ଉଙ୍କିମାରୁଛି।

ଜାଗ ଜଗ ଜଗାଅ

ସବୁଦିନ ପରି ଆଜି ପୁଣି ଏକ ନୂଆଦିନ। ତେବେ ଏହାର ଭିନ୍ନତା ମାସ ଓ ବର୍ଷରେ ରହିଛି। ସାରା ବିଶ୍ବରେ ଆଜିର ଦିନକୁ ନବବର୍ଷ ଭାବେ ପାଳନ କରାଯାଉଛି। ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନ। ବିଭିନ୍ନତାର ଦେଶର ଭାରତରେ ଭିନ୍ନ ଭିନ୍ନ ଧର୍ମ, ଜାତି ଓ ସମ୍ପ୍ରଦାୟରେ ନବବର୍ଷର ସ୍ବତନ୍ତ୍ର ପରମ୍ପରା ରହିଥିଲେ ହେଁ ସାରା ବିଶ୍ବରେ ଇଂରାଜୀ ନବବର୍ଷର ପ୍ରଚଳନ ବେଶ୍‌ ପୁରାତନ ଓ ଲୋକପ୍ରିୟ। ଜଗତିକରଣ ଦୃଷ୍ଟିରୁ ଏହାକୁ ବି ଅଣଦେଖା କରାଯାଇ ନ ପାରେ। ସାଧାରଣତଃ ଏହି ଦିନରେ ଲୋକେ ନୂଆବର୍ଷର ପ୍ରାରମ୍ଭରେ କିଛି ନୂଆ କରିବା ପାଇଁ ସଂକଳ୍ପ ନେଇଥାନ୍ତି। କୌଣସି ସୁଅଭ୍ୟାସର ଆରମ୍ଭ କି କୁଅଭ୍ୟାସର ପରିତ୍ୟାଗ ପାଇଁ ନିଆଯାଉଥିବା ଏହି ସଂକଳ୍ପ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରୟାସ ହୁଏ। ନଚେତ୍‌ ଏହା ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହୋଇଥାଏ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?