ପାନାମା ପେପର୍ ଲିକ୍ ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର୍ଯ୍ୟା ଇଡି କାର୍ଯ୍ୟାଳୟରେ ହାଜର ହେବେ। ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଇଡିରେ ହାଜର ହେବାନେଇ ୨ଥର ସମନ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ହେଲେ ଐଶ୍ୱର୍ଯ୍ୟା ଇଡିରେ ହଜର ହୋଇ ନ ଥିଲେ। ତେଣୁ ଆଜି ତାଙ୍କୁ ଦଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ନଭେମ୍ବର ୯, ୨୦୨୧ରେ ଇଡି ଦ୍ୱାରା ଡକାଯାଇଥିଲା। ଏହି ଡାକରା ତାଙ୍କ ମୁମ୍ବାଇ ନିବାସକୁ ପଠାଯାଇଥିଲା। ଅଭିନେତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ କିଛି ଉତ୍ତର ଆସି ନ ଥିଲା।
ଅନେକ ଦିନ ପରେ ବଲିଉଡକୁ ଛୁଇଁଲା କରୋନା। ଗତ କିଛି ଦିନ ହେବ ବଲିଉଡ କଳାକାର କରୋନା ସଂକ୍ରମିତ ହେବାର ଖବର ଆସି ନ ଥିବା ବେଳେ ଏବେ ବଲିଉଡର ଦୁଇ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଆରୋରା କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବରୁ କରିସ୍ମା କପୁରଙ୍କ ସହ କରୀନା କପୁର କରନ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟି ଫିଲ୍ମ ‘କଭି ଖୁସି କଭି ଗମ’ର ୨୦ ବର୍ଷ ପୂର୍ତ୍ତି ଅବସରରେ ରଖାଯାଇଥିଲା। ଖବର ମିଳିବା ପରେ ବିଏମସି କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ କରିବାର ନିର୍ଦ୍ଦେଶ ଦେଇଛନ୍ତି।
କଟକ: ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଦୁନିଆର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ଥିବା ସୂଚନା ହସ୍ତଗତ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା । ବର୍ତ୍ତମାନ ସେ କଟକର ଅଶ୍ୱିନୀ ହସ୍ପିଟାଲର ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତେବେ ବହୁ ଚଳଚିତ୍ର, ଟେଲିଧାରାବାହିକରେ ଅଭିନୟ କରି କୋଟି କୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ। ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁ ମହଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।
ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମା’ ହୋଇଛନ୍ତି । ତାଙ୍କର ଯମଜ ସନ୍ତାନ ହୋଇଥିବା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ପ୍ରୀତି। ସେଥିମଧ୍ୟରେ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନ। ଅଭିନେତ୍ରୀ ପ୍ରୀତି ଓ ତାଙ୍କ ସ୍ୱାମୀ ଜେନି ଗୁଡଏନଫ ସରୋଗାସି ଦ୍ୱାରା ସନ୍ତାନ ସନ୍ତତିଙ୍କର ଜନକ ଜନନୀ ପାଲଟିଛନ୍ତି। ପ୍ରୀତି ତାଙ୍କ ଦୁଇ ନବଜାତକଙ୍କ ନାମକରଣ ମଧ୍ୟ କରିସାରିଛନ୍ତି। ପୁଅର ନାମ ଜୟ ଜିଣ୍ଟା ଗୁଡଏନଫ ଏବଂ ଝିଅର ନାମ ଜିଆ ଜିଣ୍ଟା ଗୁଡଏନଫ ରଖାଯାଇଛି।
ଟିକାକରଣ ପାଇଁ ରାଜି ହେଉ ନ ଥିବା ଲୋକଙ୍କୁ ବୁଝାଇବା ପାଇଁ ମହାରାଷ୍ଟ୍ର ସରକାର ଅଭିନେତା ସଲମାନ ଖାନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ରାଜ୍ୟରେ ବିଶେଷ ଭାବେ ରକ୍ଷଣପନ୍ଥୀ ମୁସଲମାନମାନେ କୋରୋନା ଟିକା ନେଉନାହାନ୍ତି। କିଛି ସାମ୍ପ୍ରଦାୟିକ ଶକ୍ତି ଟିକାକରଣକୁ ରାଜନୈତିକ ରୂପ ଦେଉଛନ୍ତି। ଏହାର ପ୍ରତିକାର ସହ ସମସ୍ତଙ୍କୁ ଟିକାକରଣ ପାଇଁ ରାଜି କରାଇବାକୁ ସରକାର ସଲମାନଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ।
ଦିବଂଗତ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ସମ୍ମାନ ‘କର୍ଣ୍ଣାଟକ ରତ୍ନ’। ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ମଙ୍ଗଳବାର କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୯ ଜଣଙ୍କୁ ଏହି ସମ୍ମାନ ମିଳିଛି। ପୁନୀତ ରାଜ୍ୟର ୧୦ମ ବ୍ୟକ୍ତି ଭାବେ ଏହି ସମ୍ମାନ ପାଇବେ। କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପରେ ପୁନୀତଙ୍କ ପୂର୍ବରୁ ତାଙ୍କ ପିତା ଡ. ରାଜକୁମାରଙ୍କୁ ମଧ୍ୟ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନିତ କରାଯାଇଥିଲା।
ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ବିଶ୍ବ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ଟିଜର୍ ରିଲିଜ୍ ହୋଇଛି। ୟଶରାଜ ଫିଲ୍ମସ୍ ପକ୍ଷରୁ ସୋମବାର ଏହି ଟିଜର୍ ଲଞ୍ଚ୍ କରାଯାଇଛି। ଏହା ହେଉଛି ମାନୁଷୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର।
ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ସୋନୁ ସୁଦ୍ ନୁହନ୍ତି, ବରଂ ତାଙ୍କ ଭଉଣୀ ମାଳବିକା ସୁଦ୍ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆଜି ଅଭିନେତା ସୋନୁ ସୁଦ୍ ଘୋଷଣା କରିଛନ୍ତି। କିନ୍ତୁ ମାଳବିକା କେଉଁ ଦଳରେ ଯୋଗ ଦେବେ ତାହା ସେ କହି ନାହାନ୍ତି। ମାଳବିକାଙ୍କୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି। ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ଲାଗି ମର୍ଯ୍ୟାଦାଜନ କଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଘନଶ୍ୟାମଙ୍କୁ ଜୟଦେବ ସମ୍ମାନ ପାଇଁ ମିଳିବ ୨ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ସେହିପରି ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦେଶକ ନୀଳମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ନୀଳମାଧବଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଁ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଆଜି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି।
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପର୍ ଷ୍ଟାର୍ ରଜନୀକାନ୍ତ ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଏମ. ଭେଙ୍କୈୟା ନାଇଡୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମା ପ୍ରତି ରହିଥିବା ଅତୁଳନୀୟ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଥିଲେ। ତେବେ କୋରୋନା ମହାମାରୀଜନିତ କଟକଣା କାରଣରୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ବିଳମ୍ବରେ ଆୟୋଜିତ ହୋଇଛି। ରଜନୀକାନ୍ତ ଏହି ପୁରସ୍କାର ପାଇବା ପରେ ଏହାକୁ ତାଙ୍କ ଗୁରୁ କେ. ବାଲଚନ୍ଦରଙ୍କ ସମର୍ପଣ କରିଛନ୍ତି। ଦିବଂଗତ ଚଳଚ୍ଚିତ୍ର ନିର୍ଦେଶକ ବାଲଚନ୍ଦର ତାଙ୍କୁ ଚଳଚ୍ଚିତ୍ର ଜଗତ ସହ ଯୋଡ଼ିଥିଲେ।
ବଲିଉଡ୍ ସୁପରଷ୍ଟାର୍ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ନିରାଶ ହୋଇଛନ୍ତି। କ୍ରୁଜରେ ଆୟୋଜିତ ରେଭ୍ ପାର୍ଟିରେ ଡ୍ରଗସ୍ ସେବନ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ୍ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଶୁକ୍ରବାର ସେମାନେ କରିଥିବା ଜାମିନ ଆବେଦନର ମଧ୍ୟ ଶୁଣାଣି କରାଯିବ। ଡ୍ରଗ୍ସ କାରବାରରେ ଫସିଥିବା ଆର୍ଯ୍ୟନଙ୍କୁ ଗୁରୁବାର ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା। ଆର୍ଯ୍ୟନଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆର୍ଯ୍ୟନଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ସୋମବାର ଅର୍ଥାତ୍ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନ୍ସିବି ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ରିମାଣ୍ଡ ଅବଧି ବଢ଼ାଇ ନ ଥିବା ବେଳେ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ବହୁଳ ଲୋକପ୍ରିୟ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ‘ରାମାୟଣ’ ଧାରାବାହିକ ଘରେ ଘରେ ପରିଚିତ। ଏଥିରେ ଅଭିନୟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ସଭିଏଁ ଜାଣନ୍ତି। ରାମାୟଣରେ ‘ରାବଣ’ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଆଉ ନାହାନ୍ତି। ୮୩ ବର୍ଷ ବୟସରେ ଗତକାଲି ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ। ଆଜି ସକାଳେ ମୁମ୍ବାଇର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅରବିନ୍ଦଙ୍କ ପୁତୁରା ଏନେଇ ସୂଚନା ଦେଇଛନ୍ତି।
ମୁମ୍ବାଇ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ‘କର୍ଡେଲିଆ କ୍ରୁଜେସ୍ ଏମ୍ପ୍ରେସ୍’ ବିଳାସପୂର୍ଣ୍ଣ ଜାହାଜରେ ରେଭ୍ ପାର୍ଟି ବେଳେ ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଚଢ଼ାଉରେ ଧରାପଡ଼ିଥିବା ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଶାହରୁଖ ବିବ୍ରତ ହୋଇପଡ଼ିଛନ୍ତି। ସ୍ପେନରେ ଶୁଟିଂ ହେବାକୁ ଥିବା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପଠାନ’ର କାର୍ଯ୍ୟକ୍ରମକୁ ସେ ବାତିଲ କରିଦେଇଥିବା ଜଣାଯାଇଛି।
ମୁମ୍ବାଇ ଉପକୂଳରେ ବିଳାସପୂର୍ଣ୍ଣ ଜାହାଜରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢ଼ାଉ କରି ଏନ୍ସିବି( ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହି ୩ ଜଣଙ୍କୁ ଗିରଫ ପରେ ଏନସିବି ମୁମ୍ବାଇର ଏକ ଅଦାଲତରେ ରବିବାର ସନ୍ଧ୍ୟାରେ ହାଜର କରିଥିଲା। ଏନସିବି ସେମାନଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଲୋଡ଼ିଥିଲା। କିନ୍ତୁ ଅଦାଲତ ଦିନିକିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥାତ୍ ଅକ୍ଟୋବର ୪ ପର୍ଯ୍ୟନ୍ତ ସେମାନେ ରିମାଣ୍ଡରେ ଯାଇଛନ୍ତି। ରିମାଣ୍ଡରେ ଯାଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଅର୍ବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧାମେଚା। ଏହି ମାମଲାରେ ଅଟକ ଥିବା ଅନ୍ୟ ୫ ବ୍ୟକ୍ତିଙ୍କ ସମେତ ଅଧିକ ବ୍ୟକ୍ତି ଗିରଫ ହେବା ସମ୍ଭାବନା ରହିଛି। ହ୍ବାଟ୍ସଆପ୍ ଚାର୍ଟକୁ ଆଧାର କରି ଏହି ଗିରଫ ହେବ ବୋଲି ଜଣାଯାଇଛି। କର୍ଡେଲିଆ କ୍ରୁଜ୍ସ’ ଏମ୍ପ୍ରେସ ଜାହାଜରେ ଏନସିବି ଚଢ଼ାଉ କରିବା ସମୟରେ ନିଷିଦ୍ଧ ନିଶା ସାମଗ୍ରୀ ମଧ୍ୟ ଜବତ କରିଛି। ଏନ୍ଡିପିଏସ୍ ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ସେମାନେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ରେ ମାଦକ ଦ୍ରବ୍ୟ ସେବନ କରି ରେଭ୍ ପାର୍ଟିରେ ମଜ୍ଜି ରହିଥିବା ବେଳେ ଧରା ପଡ଼ିଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଶନିବାର ରାତିରେ ଅଚାନକ ଚଢ଼ାଉ କରି ୮ ଜଣଙ୍କୁ ଧରିଥିଲେ। ସେମାନଙ୍କୁ ମୁମ୍ବାଇ ଅଣାଯାଇ ଅଟକ ରଖାଯିବା ସହ ପଚରା ଉଚରା ଚାଲିଥିଲା। ଅଭିଯୁକ୍ତଙ୍କ ନିକଟରୁ କମ୍ ପରିମାଣର ମାଦକ ଦ୍ରବ୍ୟ ମିଳିଥିଲେ ମଧ୍ୟ ଏନ୍ଡିପିଏସ୍ ଆଇନର ଧାରା ୨୭ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇଛି।
‘କର୍ଡେଲିଆ କ୍ରୁଜେସ୍ ଏମ୍ପ୍ରେସ୍’ ଜାହାଜରେ ରେଭ୍ ପାର୍ଟି ବେଳେ ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଚଢ଼ାଉରେ ଧରାପଡ଼ିଥିବା ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପର୍ଷ୍ଟାର୍ ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ଙ୍କୁ ପଚରା ଉଚୁରା କରୁଛି ଏନ୍ସିବି। ଶନିବାର ରାତିରେ ଉକ୍ତ ଜାହାଜରେ ଚାଲିଥିବା ରେଭ୍ ପାର୍ଟି ସଂକ୍ରାନ୍ତରେ ଏନ୍ସିବି ଆର୍ଯ୍ୟନ୍ଙ୍କୁ ପଚରାଉଚୁରା କରୁଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ଅଭିଯୋଗରେ ବୁକ୍ କିମ୍ବା ଗିରଫ କରାଯାଇ ନ ଥିବା କଥା ଏନ୍ସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖେଡ଼େ କହିଛନ୍ତି। ଉପରୋକ୍ତ ରେଭ୍ ପାର୍ଟିର ଆୟୋଜନ କରିଥିବା ୬ଜଣଙ୍କୁ ମଧ୍ୟ ଏନ୍ସିବି ସମନ୍ ଜାରି କରିଛି।
ଅଧିକ ଦେଖନ୍ତୁ