ବଡ଼ବୋଲା ଦାମବାବୁ ଜଣେ ବରିଷ୍ଠ ଓ ତୁଣ୍ଡ ହୁଡିଲାବାଲା ନେତା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଜଣାଶୁଣା। ତାଙ୍କ ମୁହଁରୁ ପଦୁଟିଏ କଥା ଖସାଇବାକୁ ଆମ ମିଡିଆବାଲେ ତାଙ୍କ ଦୁଆରେ ଗୁହାରିଆ ଭାବେ ପଡ଼ିଥାନ୍ତି। ଦାମ ତୁଣ୍ଡ ଖୋଲିଲା ମାନେ ସେଥିରୁ କେହି ବାଦ୍ ପଡ଼ନ୍ତିନି। ଅତୀତରେ ବିଜେପିକୁ ବହୁବାର ବଜ୍ରାଘାତ କରିଥିବା ବିଜୁବାବୁଙ୍କ ପଟ୍ଟଶିଷ୍ୟ ଦାମବାବୁ ଆଜି କିନ୍ତୁ ପଦ୍ମ ପ୍ରେମରେ ଉବୁଟୁବୁ। ଏଇ ନିକଟ ଅତୀତରେ ଦିଲ୍ଲୀକୁ ଯାଇ ଗେରୁଆ ଗାମୁଛାକୁ ବେକରେ ପକେଇ ଏବେ ବିଜେପିକି କାନ୍ଧ ନଗେଇକି ଟେକି ଚାଲିଛନନ୍ତି। ବିମାନବନ୍ଦରରୁ ବିରାଟ ପଟୁଆରରେ ହଜାର ହଜାର ସମର୍ଥକଙ୍କୁ ଦେଖି ବାବୁ ପୂରା ଗଦ୍ଗଦ୍। ଶେଷରେ ରାଜ୍ୟ ପଦ୍ମଦଳିଆଙ୍କ କାର୍ଯ୍ୟାଳୟରେ ମୁକୁବାବୁ ଦାମବାବୁଙ୍କୁ ଟୋପି ପିନ୍ଧାଉଥିବା ବେଳେ ମଞ୍ଚତଳେ ଗଣମାଧ୍ୟମ ପ୍ରତିନିଧିମାନେ ଟୁପୁଟାପ ହଉଥେଲେ, ଯାହା ହଉ ପଧାନପୁଅ ବୁଢ଼ାକୁ ପଦ୍ମଟୋପି ପିନ୍ଧେଇଦେଲେ।
ଆପଣମାନେ ଡାଳିମାଙ୍କୁଡ଼ି ଖେଳ କଥା ତ ଶୁଣିଥିବେ। ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଇଁ ଡେଇଁ ମାଙ୍କଡ଼ମାନେ ଖେଳରେ ମାତିଯାଆନ୍ତି। ଆଉ ସେମାନଙ୍କୁ ଦେଖି ଛୋଟପିଲା ଖୁସିରେ ଟେକା ମାରନ୍ତି। ଠିକ୍ ସେଇମିତି ଏବେକା ରାଜନୀତିର ବାତାବରଣ ହେଇଯାଇଛି। ସହଜେ ପୁଣି ନିର୍ବାଚନର ୠତୁ ଆସି ପହଞ୍ଚିଯାଇଛି। ସେଥିପାଇଁ ଏହି ପ୍ରକ୍ରିୟା ଆଶାତୀତ ବୃଦ୍ଧି ପାଇଛି। ସୁବିଧା ସୁଯୋଗ ଦେଖି ବ୍ୟକ୍ତିଗତ ସ୍ବାର୍ଥକୁ ଅସୁଲ କରିବାକୁ ନେତାମାନେ ଦଳ ବଦଳ କରିବାରେ ଲାଗି ପଡ଼ିଛନ୍ତି। ସକାଳେ ଗୋଟେ ଦଳ ପୁଣି ସନ୍ଧ୍ୟାରେ ଆଉ ଗୋଟିଏ ଦଳ। ନେତାଙ୍କ ଓଜନକୁ ତଉଲେଇ ଦଳ ସୁପ୍ରିମୋମାନେ ମଧ୍ୟ ଦଳର ଫାଇଦା ଚିନ୍ତା କରି ସେମାନଙ୍କୁ କୋଳେଇ ନେବାକୁ କ୍ଷେତ୍ର ପ୍ରସ୍ତୁତ କରି ରଖିଛନ୍ତି। ଦେଖାଯାଉ ୨୦୧୯ ନିର୍ବାଚନ ବୈତରଣୀକୁ କିଏ କେମିତି ପାର ହଉଛି।
ଆଜିକାଲି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଜ୍ୟରେ ପ୍ରମୁଖ ତିନୋଟି ଦଳରେ ଚାଲିଛି ଧମାଧମ୍ କାର୍ଯ୍ୟକ୍ରମ। ଭୋଟର୍ଙ୍କୁ ନିଜ ଆଡ଼କୁ ଭିଡ଼ିବାରେ କେହି ଇଞ୍ଚେ ବି ଊଣା କରୁନାହାନ୍ତି। କିଏ କେଉଁ ଗଳା ବାଟରେ ଥୋପେଇ ମନ ତୋଷିବ, ସେନେଇ ଚାଲିଛି ଟଣାଓଟରା। କାହିଁକି ନା, ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଇ ପରିପ୍ରେକ୍ଷୀରେ ଶଙ୍ଖ ଦଳରେ ଏଇ କିଛିଦିନ ତଳେ ଯୋଡ଼ି ହୋଇଥିବା ବାମ ନେତା ସୁବାସ ସିଂହ ବାବୁଙ୍କୁ ଯେଉଁ ଗୁରୁଦାୟିତ୍ବ ଦିଆଯାଇଛି, ବାବୁ ତାକୁ ସୁରୁଖୁରୁରେ ତୁଲେଇ କିମିତି ଆଗକୁ ନିଜର ପାରିବାର ପଣିଆକୁ ଦେଖେଇବେ, ସେ ନେଇ ପୂରା ଆକ୍ସନରେ। ଶ୍ରମିକମାନଙ୍କୁ ପାରିଶ୍ରମିକ ବଢ଼ାଇବା ସହ କୁଶଳୀ ଓ ଅଣକୁଶଳୀଙ୍କୁ ଉପହାର ସ୍ବରୂପ ସାଇକେଲ୍ ଆଉ ଖାଦ୍ୟ ପୁଡ଼ିଆ ଦେଇ ଆପ୍ୟାୟିତ କରିବା ପୁଣି ଖୋଦ୍ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କ ହାତରେ, ଏ କ’ଣ ଛୋଟିଆ କଥା? ଆଉ ଶଶି ବାବୁ ମଧ୍ୟ ନୂଆ ସାଇକେଲ୍କୁ ନିଜ କର କମଳରେ ଘଣ୍ଟି ବଜେଇ ବାଣ୍ଟିବାରେ ବେଶ୍ ଲାଗିପଡ଼ିଛନ୍ତି।
ପ୍ରସାଦ ସିନା ଯୋଗାଡ଼ କରିବାକୁ ପଛଉଥିଲେ, ଇଏ କିନ୍ତୁ ନିରଞ୍ଜନ। ବାବୁ ଆସିଲା ଦିନ ଠାରୁ ଯୋଗାଡ଼ରେ ଅଭାବ ନାହିଁ। କର୍ମୀଙ୍କୁ ତତେଇ ଆଗକୁ ଠେଲିବାକୁ ସବୁ ପ୍ରକାର ବ୍ୟବସ୍ଥା ଅଛି। ସହଜେ ପୁଣି ସିବିଆଇ ଉପରେ ଅଙ୍ଗୁଳି ଉଠାଇବାର ମଉକା ମିଳିଛି। ତାହା ପୁଣି ଉପରୁ, ଏଣୁ ମଉକାରେ ଛକା ମାରିବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ଯାଏ କଳାକନା ବୁଲେଇବାରେ କଂଗ୍ରେସିଆ ହେଳା କରିବେ କେମିତି? ସେପଟେ ଯେତେ ଟାଣିଲେ ମଧ୍ୟ ରାଫେଲ ଇସ୍ୟୁଟା ଜମାଟ ବାନ୍ଧୁନି। ଏଣୁ ତାକୁ ୟା ସହିତ ଯୋଡ଼ି ମୋଟ କରିବାକୁ କଂଗ୍ରେସର ଯେଉଁ ପ୍ରୟାସ, ସେଥିରେ ପିସିସି ମୁଖିଆ ପୂରା ଦମ୍ରେ ପଗଡ଼ି ଭିଡ଼ିଦେଇଛନ୍ତି।
ଯାହା କୁହନ୍ତୁ, ରାଜ୍ୟ ବିଜେପିଟାକୁ ମଜଭୁତ କରିବାକୁ ମୁକୁବାବୁ ପୂରା ମିଶନ୍ରେ ଲାଗିପଡ଼ିଛନ୍ତି। ସଭାସମିତି, ଶୋଭାଯାତ୍ରା ଠାରୁ ଆରମ୍ଭ କରି ମଇଳା ଉଠାଇବା ଯାଏ ସବୁ କାମ ଯେମିତି ସଠିକ୍ ଢଙ୍ଗ ଓ ସୁରୁଖୁରୁରେ ହେବ, ଭାଇ ସେଥିପାଇଁ ଫୁଲ୍ ଦମ୍ରେ ଲାଗିପଡ଼ୁଛନ୍ତି। ସ୍ବଚ୍ଛତାକୁ ଏକ ମିଶନ୍ ଭାବେ ମୋଦି ସରକାର ସାରା ଦେଶରେ କାର୍ଯ୍ୟକ୍ରମ ଚଳାଇଥିବା ବେଳେ ରାଜ୍ୟ ମୁଖିଆ ଦାୟିତ୍ବ ଭାବେ ହିସାବ ହଉଥିବା କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଥିରେ ନିଜକୁ ଫୁର୍ସତ ମିଳିଲେ ସାମିଲ୍ କରିଦେଉଛନ୍ତି। ଏଇ ଦେଖୁନାହାନ୍ତି, ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଭାଇ କେମିତି ଆମର ଅଳିଆକୁ ସାଉଣ୍ଟି ପକଉଛନ୍ତି। ଦେଖାଯାଉ ଭାଇଙ୍କୁ ଲୋକେ କେତେ ଭରସା କରୁଛନ୍ତି।
ଆମେ ତୁମେ ଜାଣିବାକୁ ସେମାନେ ଶତ୍ରୁ। ଆଉ ସେଇ କଥାକୁ ଆମେ ମନ ଭିତରେ ଜାବୁଡ଼ି ଧରି କର୍ମୀ କର୍ମୀ ଭିତରେ ଚିମୁଟା ଚିମୁଟି ହଉଛୁ। ଖାଲି ସେତିକି ନୁହେଁ, ଦରକାର ପଡ଼ିଲେ ବାଡ଼ିଆବାଡ଼ି ହେଇ ଜୀବନ ବି ନେଇଯାଉଛୁ। କିନ୍ତୁ ସେମାନେ ତାଙ୍କ ଭିତରେ ଠିକ୍ ଅଛନ୍ତି। ତାଙ୍କ ଭିତରେ ସବୁକିଛି ଠିକ୍ ଠାକ୍ ଚାଲିଛି। ଏକଥା କେତେବେଳେ ଜଣାପଡ଼ିବ ଜାଣିଛନ୍ତି? ଯେତେବେଳେ ଏମାନେ କୌଣସି ମଞ୍ଚରେ ପାଖାପାଖି ବସିଥାଆନ୍ତି। ଏଇ ଦେଖୁନାହାନ୍ତି, ନିଇତି କାଦୁଅ ଫିଙ୍ଗାଫିଙ୍ଗି ହଉଥିବା କଂଗ୍ରେସ ଓ ବିଜେଡିର ଏଇ ଦୁଇ ତୁଙ୍ଗ ନେତା କେମିତି ଏକ କାର୍ଯ୍ୟକ୍ରମରେ ମୁହଁକୁ ମୁହଁ ଯୋଡ଼ି ଟୁପୁଟାପ ହଉଛନ୍ତି। ଏକଥା କର୍ମୀମାନେ ବୁଝିଲେ ହେଲା।
ନିରଞ୍ଜନ ବାବୁ ଯେବେଠାରୁ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ଆରମ୍ଭ କରିଛନ୍ତି, ସେଇଦିନଠାରୁ ଯେମିତି କଂଗ୍ରେସ ଭବନ ନୂଆ ଜୀବନ ପାଇଛି। ମାଡ଼ି ମାଡ଼ି ପଡ଼ୁଥିବା ପିସିସି କାର୍ଯ୍ୟାଳୟଟା ଚଳଚଞ୍ଚଳ ଲାଗୁଛି। ସବୁଦିନ କିଛି ନା କିଛି କାର୍ଯ୍ୟକ୍ରମ ଚାଲିଛି। ବାଜା ବାଣ ହଉ କିମ୍ବା ବାଇକ୍ ରାଲି ହଉ, ହାତ ଗଣତି କର୍ମୀ ଓ ଦଶ ପଚାଶଟା ଟୋକାଳିଆ ନେତା ପରିବେଶଟାକୁ ପୂରା ଗରମ କରି ରଖିଛନ୍ତି। ବୁଲେଟ୍ ଗାଡ଼ିର ଢୋ ଢୋ ଆବାଜରେ ଢୁଳଉଥିବା କଂଗ୍ରେସ ଭବନଟା ଆଖି ତରାଟି ଚାହିଁଛି। ନିରୁ ନନାଙ୍କ ଆହ୍ବାନ ଅନୁସାରେ ‘ଉଠିବ କଂଗ୍ରେସ ଆଉ ହସିବ ଓଡ଼ିଶା’କୁ ସାକାର କରିବାକୁ ଯେମିତି କର୍ମୀମାନେ ପୂରା ଦମ୍ରେ ଲାଗିପଡ଼ିଛନ୍ତି। ଦେଖାଯାଉ, ୨୦୧୯ରେ କିଏ ଖେଳ କରୁଛି।
ବିରୋଧୀ ଦଳଙ୍କ କାମ ହେଲା ଜିରାରୁ ଶିରା ବାହାର କରି ଶାସକ ଦଳକୁ କେଞ୍ଚା ମାରିବା। ନିକଟରେ ଅଟଳ ବିହାରୀଙ୍କ ବିୟୋଗକୁ କେନ୍ଦ୍ର କରି ସାରା ଦେଶରେ ଯେମିତି ହଟଚମଟ ଚାଲିଲା, ତାହା ତ ସ୍ବାଭାବିକ କଥା। ହେଲେ ତାଙ୍କ ଅସ୍ଥି ବିସର୍ଜନକୁ ନେଇ ବିରୋଧୀ ଏବେ ବାଟବଣା ହୋଇଗଲେଣି। କାଳେ ଶାସକ ଦଳିଆ ଏଥିରୁ ଫାଇଦା ନେଇଯିବେ, ଏଣୁ ବିସର୍ଜନ ଉପରେ ବିରୋଧୀ ତେରେଚ୍ଛା ବାଣ ମାରିବାରେ ଲାଗିଛନ୍ତି। ଅସ୍ଥି ବିସର୍ଜନ ପରେ ଲଣ୍ଡା ହେବାର ବିଧିକୁ ନେଇ ବିରୋଧୀଙ୍କ ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ଶାସକ ଦଳିଆ କେମିତି ବି ସମ୍ଭାଳନ୍ତେ। ଏଣୁ ସେମାନେ ବି ପୂରା ବାଣର ଜବାବ ବୋମାରେ ଦେବାକୁ ଯାଇ ସିଧା ଲଣ୍ଡା ହେଇ ଶୁଦ୍ଧି ହୋଇ ଚାଲିଛନ୍ତି। କହିବାକୁ ଗଲେ ଶ୍ରଦ୍ଧା ଓ ଶ୍ରଦ୍ଧାଞ୍ଜଳି ଯେମିତି ହଉ ପଛେ, ଶାସକ ଓ ବିରୋଧୀଙ୍କ କାଦୁଅ ଫିଙ୍ଗା ଫିଙ୍ଗି ଘଟଣାକ୍ରମକୁ ପୂରା କୌତୁକିଆ କରିଦେଉଛି।
ରାଜରାସ୍ତାରେ ରାହଗିରି ଆମ ଦେଶରେ କୌଣସି ନୂଆକଥା ନୁହେଁ। ଏଠି ନେତାଏ ରାସ୍ତା ଓଗାଳି ସାଧାରଣ ଲୋକଙ୍କୁ ହଇରାଣ କରିବାକୁ ସେମାନଙ୍କ ପତିଆରା ବୋଲି ଭାବନ୍ତି। ପ୍ରାୟୋଜିତ ବ୍ୟବସ୍ଥାରେ ସମର୍ଥକଙ୍କୁ ଯୋଗାଡ଼ କରି ରାଜରାସ୍ତା ଉପରେ ଜିନ୍ଦାବାଦ କରାଇବା ଏମାନଙ୍କ ପରମ୍ପରାଗତ ପ୍ରକୃତି। ଏମିତିକି ଏମାନେ ସମ୍ବେଦନଶୀଳ ଅଞ୍ଚଳ ବିମାନବନ୍ଦରକୁ ବି ଛାଡ଼ନ୍ତି ନାହିଁ। ନିକଟରେ ସରକାରୀ ଦଳର ଜଣେ ବିଧାୟକ ଚିଟ୍ଫଣ୍ଡ ଘଟଣା ଅଭିଯୋଗରେ ଜେଲ୍ ଯାଇ ଅସୁସ୍ଥ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଥିଲା। ଆଉ ଦିଲ୍ଲୀରୁ ଭଲ ହୋଇ ଫେରିଲା ବେଳକୁ ସେ ବିମାନବନ୍ଦରରେ କର୍ମୀଙ୍କୁ ଛାଉଣୀ କରିପକେଇଲେ। ପତିଆରା, କ’ଣ ନା ସମର୍ଥକ ଆପେ ଆପେ ଆସିଛନ୍ତି। ହଇଏ ଆଜିକାଲି ସମର୍ଥକ ପୁଣି ନିଜେ ଖର୍ଚ୍ଚ କରି କଟକରୁ ଆସିଛନ୍ତି! ଏ କଥା କାହାର ବି ହଜମ ହେବନି।
ରାଜନୀତିରେ ଟୋପିର ପତିଆରା ବହୁତ। ଆଉ ଟୋପି ମୁଣ୍ଡେଇବା ମଧ୍ୟ ଗୋଟିଏ ନିହାତି ଆଦର୍ଶବୋଧର କଥା। ଏଇ ଟୋପି ପାଇଁ ଅତୀତରେ ଅନେକ କଟୁ ଆଲୋଚନା ମଧ୍ୟ ହୋଇଯାଇଛି। ତେଣୁ ଟୋପି ପିନ୍ଧିବାଟା ଯେମିତି ଏକ ସୌଭାଗ୍ୟର କଥା। କାହିଁକି ନା ଏହା ପଛରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କୁଆଡ଼େ ହୃଦୟକୁ ସହଜରେ ଜୟ କରିହୁଏ। ସେମିତି ଗୋଟିଏ ମୌସମ ନଗଦରେ ରାଜ୍ୟ କଂଗ୍ରେସ ମୁଣ୍ଡିଆଳ ନିରଞ୍ଜନ ବାବୁଙ୍କ ଭାଗ୍ୟରେ ଜୁଟିଥିଲା। ନନା ମଧ୍ୟ ମିଶ୍ରଣ ପର୍ବରେ ଛାତି କି ଛାତି ମିଶାଇ ଟୋପି ପିନ୍ଧି ପୂରା ଗଦ୍ଗଦ୍ ହେଇଯାଉଥିଲେ। ଆଉ କହୁ କହୁ କହିପକାଇଲେ, କେବଳ କଂଗ୍ରେସ ସରକାର ହିଁ ଆପଣମାନଙ୍କୁ ସୁରକ୍ଷା ଦେଇପାରିବ, ଆଉ ସମସ୍ତେ ତୁମକୁ ଟୋପି ପିନ୍ଧେଇ ଚାଲିଥିବେ।
କଂଗ୍ରେସଟାକୁ ସୁଧାରିବାକୁ କାନ୍ଦି କାନ୍ଦି ପ୍ରସାଦ ବାବୁ ନୟାନ୍ତ ହେଇଗଲେ ପଛେ ସୁଧାରି ପାରିଲେ ନାହିଁ। କେତେବେଳେ କିଏ ଗୋଡ଼ ଟାଣି ନେଇଗଲାଣି ତ ଆଉ କେତେବେଳେ ଦଳେ ଯାଇ ଦିଲ୍ଲୀରେ ଚୁଗୁଲି କଲେଣି। ଶେଷରେ ପଦ ଚାଲିଗଲା ପଛେ କୌଣସି ସୁଧାର ଆସିଲାନି। ଏବେ ପ୍ରସାଦଙ୍କ ପରେ ପଟ୍ଟନାୟକ ବାବୁଙ୍କ ପାଳି। ତେଣୁ କେମିତି ପାହୁଲ ପକେଇବାକୁ ପଡ଼ିବ, ସେକଥା ପ୍ରସାଦ ବାବୁଙ୍କ ଅଳ୍ପ ବହୁତ ଅଭିଜ୍ଞତାରୁ ପିସିସି ଅଧ୍ୟକ୍ଷ ବାବୁ ବୁଝିନବା ଉଚିତ। ରାଜ୍ୟ କଂଗ୍ରେସକୁ ବାଟକୁ ଆଣିବାକୁ ହେଲେ ନିଆଁ ସମୁଦ୍ରରେ ବୁଡ଼ିକି ଯିବା ସହିତ ସମାନ।
କଥାଟା ନିରାଟ ସତ୍ୟ। ଆଉ ଆଗ ଭଳିଆ ଆଣ୍ଟ ନାହିଁ। କିଛି ମାସ ହେଲା ମଣିମା ତାଙ୍କର କାର୍ଯ୍ୟକଳାପ ଚାଲିଚଳଣରେ ବେଶ୍ ପରିବର୍ତ୍ତନ ଆଣି ସାରିଛନ୍ତି। ଦିନବେଳା ବାହାର ଛାଇ ବି ପଡ଼ିପାରୁ ନ ଥିଲା। କିନ୍ତୁ ସମୟ ବଦଳିଛି। ‘ମୁକୁ’ ଭୂତ ଗୋଡ଼େଇଲା ପରଠୁ ଚାପ ଏତେ ବଢ଼ିଯାଇଛି ଯେ ମଣିମା ଏବେ ନିଇତି ଲୋକଙ୍କ ଭିତରକୁ ପଶୁଛନ୍ତି। ନବୀନ ନିବାସ ସମସ୍ତଙ୍କ ପାଇଁ ସାହାଣମେଲା। ହସ ହସ ମୁହଁରେ ହାତ ହଲେଇ ଫୁଲତୋଡ଼ାକୁ ସାଦରେ ଗ୍ରହଣ କରୁଛନ୍ତି। ମନରେ ଯାହା ଥାଉ ନା କାହିଁକି, ଫଟୋ ପାଇଁ ମାନ୍ୟବରଙ୍କୁ ଏକଥା କରିବାକୁ ହିଁ ପଡ଼ୁଛି। ୨୦୧୯ ପୂର୍ବରୁ ନିଜକୁ ସେଇ ଅନୁସାରେ ପ୍ରସ୍ତୁତ ନ କଲେ, ଆଗକୁ ଘାଟା ହୋଇଯିବାର ଆଶଙ୍କାକୁ ଦୂରେଇବାକୁ କୁଆଡ଼େ ଏ ବିଧିବଦ୍ଧ ବ୍ୟବସ୍ଥା ବୋଲି ଲୋକେ ଟୁପୁଟାପ ହେଉଛନ୍ତି।
ଟୋପି ପିନ୍ଧିବା ବା ପିନ୍ଧେଇବା ରାଜନୀତିରେ ନିଶ୍ଚିତ ଭାବେ ଏକ ବଡ଼ ବ୍ୟାପାର। ଏଇ ଟୋପି ପାଇଁ ବେଳେ ବେଳେ ଅନେକ ତୁମ୍ବିତୋଫାନ ହୋଇଯାଇଛି। ଗାଦି ସମ୍ଭାଳିବା ଓ ସବୁ ସମ୍ପ୍ରଦାୟକୁ ନିଜ ଆଡ଼କୁ କୋଳେଇ ରାଜନୀତି ଡଙ୍ଗା ଚଲେଇବା ନିହାତି ଭାବେ ଗୋଟିଏ ସ୍ବତନ୍ତ୍ର କଳା। ଆଉ ଏହି କଳା ସବୁ ନେତାଙ୍କଠି ଦେଖିବାକୁ ମିଳେନି। ଆଉ ଯାହା ପାଖରେ ଏଇ ଜିନିଷଟି ଥାଏ, ସେ ସବୁବେଳେ ସମସ୍ତଙ୍କ ପାଖରେ ସୁରକ୍ଷିତ ଥାଏ ବୋଲି ଧରିନେବାକୁ ପଡ଼ିବ। ରାଜଧାନୀରେ ଆୟୋଜିତ ଇଫ୍ତାର ପାର୍ଟିରେ ବିଜେଡି ସୁପ୍ରିମୋ ଯୋଗଦେଇଥିବା ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ନେତା ମୁନା ଖାଁଙ୍କ ସହିତ ଏକ ବିଶେଷ ମୁହୂର୍ତ୍ତରେ।
ପାଖଉଛି ସାଧାରଣ ନିର୍ବାଚନ। ଆଉ ମାତ୍ର କେଇମାସ ବାକି। ଏଇ ମଉକା ପୁଣି ଦଳ ବଦଳର ପରିବେଶ ସୃଷ୍ଟି କରିଛି। ସୁବିଧାବାଦୀମାନେ ଏବେ ବେଶ୍ ସକ୍ରିୟ ହୋଇଉଠିଛନ୍ତି। ସବୁଦିନ ସବୁ ଦଳରୁ କିଛି ଯିବେ, ଆଉ କିଛି ଆସି ମିଶିବେ। ନେତା ଆଉ କର୍ମୀ ଓ ସଂଗଠନକୁ ହିସାବ କରି ହଉଛି ମୂଲଚାଲ। କିନ୍ତୁ ଏହି ସୁବିଧାବାଦୀ ପ୍ରକ୍ରିୟାର ନାମକରଣ ବଦଳିଯାଇଛି। କେତେବେଳେ ଘରବାହୁଡ଼ା କୁହାଯାଉଛି ତ ଆଉ କେତେବେଳେ ମହାମିଶ୍ରଣ ବୋଲି ଆଖ୍ୟା ଦିଆଯାଉଛି। ତେବେ ୨୦୧୯ରେ ଜଣାପଡ଼ିବ, କିଏ କାହାକୁ କେମିତି ନିର୍ବାଚନ ରଣାଙ୍ଗନ ପାଇଁ ପ୍ରସ୍ତୁତ କରୁଛି।
ସୌମ୍ୟବାବୁ ଯେବେଠୁ ବିଜେଡି ଡଙ୍ଗାକୁ ଡେଇଁଲେଣି, ସେବେଠୁ ଧୀରେ ଧୀରେ ବାବୁଙ୍କ ପତିଆରା ବଢ଼ି ବଢ଼ି ଚାଲିଛି। ଅବଶ୍ୟ ଏକଥାକୁ ଦଳ ଭିତରେ କିଛି ମୁଣ୍ଡିଆଳ ସହଜେ ଗ୍ରହଣ କରିପାରୁ ନ ଥିଲେ ମଧ୍ୟ ମୁହଁ ଖୋଲିବାକୁ ସାହସ ବି ବାନ୍ଧି ପାରୁନାହାନ୍ତି। ସଭା, ସମିତି ହଉ କିମ୍ବା ରାଲି ଧାରଣା ସବୁଠି ଶାନ୍ତ, ସରଳ ଢଙ୍ଗରେ ଭାଷଣ ଜରିଆରେ ତୀର ମାରି ପାରୁଥିବା ସୌମ୍ୟବାବୁଙ୍କୁ ବେଶ୍ ଅଗ୍ରାଧିକାର ମିଳୁଛି। ସେ ମଧ୍ୟ ଛାଡ଼ିବାର ଲୋକ ନୁହନ୍ତି। ପାଣିପାଗକୁ ପରଖି ପ୍ରାଧାନ୍ୟ ବିସ୍ତାର କରିବାରେ ବାବୁ ବେଶ୍ ପୋଖତ। ଦେଖାଯାଉ ଆଗକୁ ପଟ୍ଟନାୟକ ଆଞା କିମିତି ଆହୁଲା ମାରି ଆଗଉଛନ୍ତି।
ଅଧିକ ଦେଖନ୍ତୁ