ଭୁବନେଶ୍ବର: ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବିବାର ରବୀନ୍ଦ୍ର ମଣ୍ଡପରେ ଗୁରୁ ପଙ୍କଜ ଉତ୍ସବ ତଥା ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନ ଓ ମାହାରୀ ସମ୍ମାନ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ନୃତ୍ୟଗୁରୁ ମୀନତି ମିଶ୍ର ଏବଂ ନୃତ୍ୟ ବିଦୂଷୀ ପ୍ରିୟମ୍ବଦା ମହାନ୍ତି ହେଜ୍ମାଦୀଙ୍କୁ ‘ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଗୁରୁବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ସମୟରେ ରାଉରକେଲାର ସମ୍ପର୍କ ପକ୍ଷରୁ ନାଟକ ‘ମୁଁ ବିଜୟାନନ୍ଦ କହୁଛି...’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକର ରଚନା ଓ ନିର୍ଦେଶନା ଭାସ୍କରଚନ୍ଦ୍ର ମହାପାତ୍ର ଦେଇଥିବା ବେଳେ ସଙ୍ଗୀତରେ ଭାସ୍କର ପୁହାଣ, ଅଜୟ ପାଣି, ବିବେକ ପଣ୍ଡା ଓ ପ୍ରଦୀପ ଗୁରୁୱାରା ସହଯୋଗ କରିଥିଲେ। ଏହି ସନ୍ଧ୍ୟାରେ ଅତିଥି ଭାବେ ପ୍ରଶାସକ ଭରତ ଚନ୍ଦ୍ର ବେହେରା, ଗଗନ ବିହାରୀ ଦାସ ଓ ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ମେଳାକୁ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ସ୍ରୀଷ୍ଟି ଥିଏଟର ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ‘ସ୍ରୀଷ୍ଟି ହାସ୍ୟରସାତ୍ମକ ନାଟକ ଓ ସ୍ରୀଷ୍ଟି ଦର୍ଶକବନ୍ଧୁ ପୁରସ୍କାର’ ପ୍ରଦାନ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏହି ଶେଷ ସନ୍ଧ୍ୟାରେ ଉତ୍କଳ ଥିଏଟର ଭୁବନେଶ୍ବର ପକ୍ଷରୁ ମଞ୍ଚସ୍ଥ ହୋଇଛି ନାଟକ ‘ତା’ରି ଲାଗି’। ଡ. ବିଜୟ ମିଶ୍ର ନାଟ୍ୟ ରଚନା କରିଥିବା ବେଳେ ଏହାର ନିର୍ଦେଶନା ଦେଇଥିଲେ କୈଳାସ ମହାପାତ୍ର।
ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଏଥିପାଇଁ ସୋମବାର ମଧ୍ୟ ରାତ୍ରରେ ଶୁଭଲଗ୍ନରେ ସ୍ଥାପିତ ହୋଇଛି ଶୁଭଖୁଣ୍ଟି। ପାରମ୍ପରିକ ଯାତ୍ରା ମା’ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନୀତି ନିୟମ, ପରମ୍ପରା ଅନୁସାରେ ଯାତ୍ରାର ଶୁଭ ମୁହୂର୍ତ୍ତ ଓ ଯାତ୍ରା ଅବଧିର ଦିନ ଧାର୍ଯ୍ୟ ସମ୍ପର୍କରେ ଘୋଷଣା ହୋଇଥିଲା। ଆସନ୍ତା ୨୯ ମାର୍ଚ୍ଚରୁ ୨୯ ଏପ୍ରିଲ୍ ପର୍ଯ୍ୟନ୍ତ ଏକ ମାସ ଧରି ଏହି ଯାତ୍ରା ଚାଲିବ।
ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪ଦିନିଆ ‘ସ୍ରିଷ୍ଟି ହାସ୍ୟରସାତ୍ମକ ନାଟକ ଉତ୍ସବ’ରେ ସୋମବାର ଥିଲା ତୃତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ହାସ୍ୟରସାତ୍ମକ ନାଟକ ‘ଠିଆପାଲା’। ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚରିତ୍ରକୁ ଦେଖିବାକୁ ମିଳିଥିଲା ଏହି ନାଟକରେ। ଶଙ୍କର ତ୍ରିପାଠୀଙ୍କ ନାଟ୍ୟ ରଚନା ଓ ହରେନ୍ ସାହୁଙ୍କ ନିର୍ଦେଶନାରେ ନାଟକଟିକୁ ପରିବେଷଣ କରିଥିଲେ ଭୁବନେଶ୍ବର ପଞ୍ଚମ ବେଦ ନାଟ୍ୟାନୁଷ୍ଠାନର କଳାକାରମାନେ।
ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ରବିବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ଦ୍ଵିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କଥକ ନୃତ୍ୟର ତାଳ-ଲୟ-ଛନ୍ଦ ଓ ରସର ପରଶ ମୁକ୍ତାକାଶର ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରଥମ ପ୍ରସ୍ତୁତିରେ କଥକ ନୃତ୍ୟଶିଳ୍ପୀ ୟୁସ୍ମିନୀ ସିଂ ଓ ସାଥୀ କଳାକାରମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ‘ଦ ଡିଭାଇନ୍ କୃଷ୍ଣ’। ଗୋପାଙ୍ଗନା ପରିବେଷ୍ଟିତ ରାଧା-କୃଷ୍ଣଙ୍କ ରାସ ମାଧ୍ୟମରେ ଜୀବ ଓ ପରମଙ୍କ ମହାର୍ଘ୍ୟ ମିଳନର ଅବତାରଣ ହୋଇଥିଲା ନୃତ୍ୟ ସ୍ତବକ। ପରେ ପ୍ରକୃତି ଓ ପୁରୁଷର ମଳିନ ଆଧାରିତ ସୃଷ୍ଟି ତତ୍ତ୍ବକୁ ନେଇ ଶିବ ଓଁ, ଶକ୍ତିସ୍ବରୂପ ଶିବ ଓ ଶକ୍ତିଙ୍କ ସମ୍ମିଳିତ ଚେତନାର ବିବିଧ ସ୍ବରୂପକୁ ବଖାଣିଥିଲେ ନୃତ୍ୟଶିଳ୍ପୀ। କଥକର ଅନ୍ତିମ ପ୍ରସ୍ତୁତିରେ ଥିଲା ଅନୁଭୂତି। ଯାହା ରାଜପରିବାରର ସୃଷ୍ଟି କଥକର ସ୍ବତନ୍ତ୍ର ବିଭବକୁ ବ୍ୟକ୍ତ କରିଥିଲା।
ପବିତ୍ର ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର। ଏଥିପାଇଁ ସବୁ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼। ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂରା ପରିବେଶ। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବ ଦେବ ମହାଦେବଙ୍କଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥଙ୍କ ପୀଠ ସହ କଟକର ଧବଳେଶ୍ବର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠରେ କାଉଡ଼ିଆମାନେ ଜଳ ଲାଗି କରିଛନ୍ତି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଜଳ ଲାଗି କରିବାର ସୁଯୋଗ ଦେବା ସକାଶେ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି।
ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ପ୍ରମୁଖ ନାଟ୍ୟାନୁଷ୍ଠାନ ‘ଶତାଦ୍ଦୀର କଳାକାର’ ପକ୍ଷରୁ ଭୁବନେଶ୍ବର ବିଜୁ ନାଟ୍ୟ କେନ୍ଦ୍ର ପରିସରରେ ମଞ୍ଚସ୍ଥ ହୋଇଛି ନାଟକ ‘ତନ୍ଦ୍ରାଲୋକର ପ୍ରହରୀ’। ବିଶିଷ୍ଟ କଥାକାର ମନୋଜ ଦାସଙ୍କ ଗବେଷଣାଲବ୍ଧ ଏହି କଥାବସ୍ତୁ ଆଧାରରେ ରଚିତ ଗଳ୍ପକୁ ନେଇ ନାଟ୍ୟାନୁଷ୍ଠାନର କଳାକାରମାନେ ମଞ୍ଚସ୍ଥ କରିଥିଲେ ଏହି ନାଟକ। ଯୁବ ନାଟ୍ୟକାର ଡ. ଆଲୋକ ଅଗ୍ନିବେଶ ଏହି ନାଟକର ନିର୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ପ୍ରତାପ।
ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରମାକାନ୍ତ ରଥଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ରାଶିସ୍ବରୂପ ରଥଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ତାଙ୍କ ସହ ୧୫ ଜଣ ସାରସ୍ୱତ ସାଧକ ଓ ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଯ୍ୟୋଧନ ଦାସ, କୁଞ୍ଜ ବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ଡା. ସରୋଜିନୀ ଷଡଙ୍ଗୀ, ଗିରି ଦଣ୍ଡସେନା, ବ୍ରଜମୋହନ ମିଶ୍ର। ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଆ ସଙ୍ଗୀତ ସହ ଜଡ଼ିତ ଥିବା ବରିଷ୍ଠ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ପ୍ରଥମ ସିକନ୍ଦର ଆଲାମ ମେମୋରିଆଲ ପୁରସ୍କାର। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ଲାଗି ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ପ୍ରଣବଙ୍କୁ ମନୋନୟନ କରାଯାଇଛି। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ତଥା ସଙ୍ଗୀତକୁ ତାଙ୍କର ଅବଦାନ ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ସଚିବାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ଜଣାପଡ଼ିଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିବା ପ୍ରଣବ ଓଡ଼ିଆ ସିନେ ଜଗତର ସମସ୍ତ ସଙ୍ଗୀତ ନିର୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ଓଡ଼ିଶୀରୁ ଆରମ୍ଭ କରି ଲୋକଗୀତ, ଭଜନ, ସେମି କ୍ଲାସିକାଲ୍, ଆଧ୍ୟାତ୍ମିକ, ପାରମ୍ପରିକ ଗୀତ ମଧ୍ୟ ଗାଇଛନ୍ତି ପ୍ରଣବ। ସଙ୍ଗୀତ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପୂର୍ବରୁ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ଭୁବନେଶ୍ବର ଭଞ୍ଜକଳା ମଣ୍ଡପଠାରେ ଆରମ୍ଭ ହୋଇଛି କଳା ଓ ସାହିତ୍ୟର ତ୍ରିଦିବସୀୟ ଉତ୍ସବ ‘ଯୁବାୟନ’। ବିଶିଷ୍ଟ ସିନେ ଅଭିନେତ୍ରୀ ତ୍ରିପୁରା ମିଶ୍ର ଓ ଗୀତିକାର ତଥା ପୂର୍ବତନ ପ୍ରଶାସକ ଦେବଦାସ ଛୋଟରାୟ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ୮ ଜଣ ପ୍ରତିଭାଙ୍କୁ ‘ଟାଇମ୍ପାସ୍’ ସମ୍ମାନରେ ସମ୍ମାନିତ କରିଥିଲେ।
ରଥଯାତ୍ରା ଉପଲକ୍ଷେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି।
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଗୁରୁବାର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୋଳପୂର୍ଣ୍ଣିମା ଉପଲକ୍ଷେ ବୁଧବାର ରାତି ୩ ଟାରୁ ଦ୍ୱାର ଫିଟିବ। ଗୁରୁବାର ଦିନ ୧୦ଟାରୁ ୧୧ଟା ମଧ୍ୟରେ ଦୋଳବେଦୀକୁ ବିଜେ ହେବେ ଦିଅ। ସେହିଦିନ ରାତି ୯ଟାରେ ବାହୁଡ଼ା ଏବଂ ୯ଟା ୩୦ରେ ଶ୍ରୀଜିଉଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଠାକୁରଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ସବୁ ନୀତିକାନ୍ତ ଯେଭଳି ଠିକ୍ ଭାବେ ସମ୍ପନ୍ନ ହେବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ଅଷ୍ଟମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆଓ୍ୱାର୍ଡ। ଏଥିରେ ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ। ଏହା ସହିତ ଆଇକନ ଅଫ୍ ଦି ଇୟର, ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ନିର୍ଦେଶକ ଓ ସଂଗୀତ ନିର୍ଦ୍ଦେଶକ ଭଳି ୨୮ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ।
ଅଧିକ ଦେଖନ୍ତୁ