ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ନିରାଶାରେ ପରିଣତ ହୋଇଛି। ବର୍ତ୍ତମାନ ଦେଶର ସ୍ଥିତି ଯାହା, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ୪୫ତମ ଜିଏସ୍ଟି ପରିଷଦ ବୈଠକରେ ସହମତି ପ୍ରକାଶ ପାଇଛି। ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା ହୋଇଥିଲା। ତେବେ ରାଜ୍ୟମାନେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ରେଳ କୌଶଳ ବିକାଶ ଯୋଜନାର ଉଦ୍ଘାଟନ କରିଛନ୍ତି। ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ ବରିଷ୍ଠ ଅଧିକାରୀଙ୍କ ସହ ରଥ ମରାମତି କର୍ମଶାଳାରେ ଉପସ୍ଥିତ ରହି ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ। ସେହିଭଳି ଅଙ୍ଗୁଲ ଏବଂ ବିଶାଖାପାଟନମ୍ ଇଲେକ୍ଟିକ୍ ଲୋକୋ ଶେଡ୍, ବିଶାଖାପାଟନମ୍ ଡିଜେଲ୍ ଲୋକୋସେଡ୍ ଠାରେ ମଧ୍ୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କେନ୍ଦ୍ର ସରକାର ଆଖୁର ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ତେବେ ବଜାରରେ ଚିନି ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ତେବେ ୫ କୋଟି କୃଷକ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ ବୋଲି ସେ କହିଛନ୍ତି।
ବିଶ୍ୱ ବ୍ୟାଙ୍କ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଇଛି। ଆଫଗାନର ସ୍ଥିତି ଖରାପ ଥିବାରୁ ବିଶ୍ୱବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବିଶେଷକରି ବିଶ୍ବବ୍ୟାଙ୍କ ସହାୟତା ସାଧାରଣତଃ ଲୋକଙ୍କ ଅଭାବ ଦୂର କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ଜରିଆରେ ବ୍ୟବହାର କରାଯାଇଥାଏ। ମାତ୍ର ବର୍ତ୍ତମାନର ତାଲିବାନ ଶାସନ ବ୍ୟବସ୍ଥା ଏହାର ଦୂରୁପଯୋଗ କରି ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଲଗାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବିଶ୍ବ ବ୍ୟାଙ୍କ ମଧ୍ୟ ୱେଟ ଆଣ୍ଡ ୱାଚ ନୀତି ଆପଣାଇ ଅନୁଦାନ ବନ୍ଦ ହେଲା ବୋଲି ଘୋଷଣା କରିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ଅବସ୍ଥାର ସୁଧାର ପାଇଁ ନୂଆ ବ୍ୟବସ୍ଥା ଆପଣାଇଛନ୍ତି। ୨୦୨୫ ସୁଦ୍ଧା ରାଜକୋଷକୁ ୬ ଲକ୍ଷ କୋଟି ଟଙ୍କା ଆଣିବା ପାଇଁ କେତେକ ପ୍ରମୁଖ କ୍ଷେତ୍ରକୁ ଘରୋଇ କମ୍ପାନୀ ହାତରେ ଦେବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ମାତ୍ର ସେ ସ୍ପଷ୍ଟ କରିଛନ୍ତି ଯେ ଏହାର ପରିଚାଳନା ଭାର ଘରୋଇ କମ୍ପାନୀ ହାତକୁ ଗଲେ ବି ମାଲିକାନା କେନ୍ଦ୍ର ସରକାରଙ୍କ ପାଖରେ ରହିବ। ସରକାରୀ ସମ୍ପତ୍ତି ବିକ୍ରି କରିବା ନେଇ ସୀତାରମଣ ଗତ ଫେବ୍ରୁଆରୀରେ ଯେଉଁ ସୂଚନା ଦେଇଥିଲେ, ତାହାକୁ ଜାତୀୟ ବିମୁଦ୍ରୀକରଣ ପାଇପଲାଇନ (ଏନଏମପି) ଜରିଆରେ ଲାଗୁ କରିବା ନେଇ ସୋମବାର ସୂଚନା ଦେଇଛନ୍ତି।
ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସ ପୋର୍ଟାଲରେ କେତେକ ସମସ୍ୟା ରହିଥିଲେ ହେଁ ଏଥିରେ କୌଣସି ପ୍ରକାର ସୁଧାର ହେଉ ନ ଥିବାରୁ ଏବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କମ୍ପାନୀର ପରିଚାଳନା ନିର୍ଦେଶକ ତଥା ସିଇଓ ସଲିଲ୍ ପାରେଖଙ୍କୁ ସମନ୍ କରାଯାଇଛି। କମ୍ପାନୀ ପକ୍ଷରୁ ଦୁଇ ମାସ ତଳେ ଆୟକର ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲେ ମଧ୍ୟ ଏଥିରେ ରହିଥିବା ସମସ୍ୟାର କ’ଣ ପାଇଁ ସମାଧାନ କରାଯାଇନାହିଁ, ସେନେଇ ବିଭାଗୀୟ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଜବାବ ରଖିବାକୁ ପାରେଖଙ୍କୁ କୁହାଯାଇଛି। ଗତ ଅଗଷ୍ଟ ୨୧ ତାରିଖଠାରୁ ଏହି ପୋର୍ଟାଲଟି ମଧ୍ୟ ଉପଲବ୍ଧ ହେଉନାହିଁ। ତେଣୁ କେଉଁ କାରଣ ପାଇଁ କମ୍ପାନୀର ୱେବସାଇଟରେ ଏକାଧିକ ସମସ୍ୟା ସୃଷ୍ଟି ହୋଇଛି ଓ ଏହାକୁ ସମାଧାନ ଦିଗରେ କ’ଣ ପାଇଁ ତତ୍ପରତା ପ୍ରକାଶ ପାଉନାହିଁ, ସେନେଇ ପାରେଖଙ୍କୁ ଉତ୍ତର ରଖିବାକୁ କୁହାଯାଇଛି।
ପେଟ୍ରୋଲ ଓ ଡିଜେଲ୍ ପରି ତୈଳ ଦରକୁ ନେଇ ସାଧାରଣ ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିର ଖବର ମିଳିଛି। ଦୀର୍ଘ ୩୫ ଦିନର ବ୍ୟବଧାନ ପରେ ପେଟ୍ରୋଲ ଓ ଡିଜେଲ୍ ଦରରେ ରବିବାର ସାମାନ୍ୟ ହ୍ରାସ ଘଟିଛି। ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୨୦ ପଇସା କମିଥିବା ବେଳେ ଡିଜେଲ୍ ଦର ୧୮ରୁ ୨୦ ପଇସା ହ୍ରାସ ପାଇଛି। ମାସକ ପରେ ପେଟ୍ରୋଲ ଓ ଡିଜେଲ୍ ଦର ସାମାନ୍ୟ କମିଥିବାରୁ ଲୋକଙ୍କୁ ଏହା କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ନୂଆ ଦର ଲାଗୁ ହେବା ପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୬୪ ପଇସାରେ ଉପଲବ୍ଧ ହେବ। ସେହିପରି ରାଜଧାନୀରେ ଡିଜେଲ୍ ଦର ଲିଟର୍ ପିଛା ୮୯ ଟଙ୍କା ୭ ପଇସାକୁ ହ୍ରାସ ପାଇବ। ସେହିପରି ଭାରତର ବାଣିଜ୍ୟ ନଗରୀ ଭାବେ ପରିଚିତ ଅନ୍ୟତମ ମହାନଗରୀ ମୁମ୍ବାଇରେ ଏବେ ପେଟ୍ରୋଲ୍ ଲିଟର୍ ପିଛା ୧୦୭ ଟଙ୍କା ୬୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୯୬ ଟଙ୍କା ୬୪ ପଇସାରେ ପହଞ୍ଚିଛି।
ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ରାଜ୍ୟରେ ପ୍ରତିଷ୍ଠା ହେବେ ଆଉ ୫ଟି ବଡ଼ ଶିଳ୍ପ। ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରି କହିଛନ୍ତି ଯେ ଓଡ଼ିଶାର ଇସ୍ପାତ ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହି ପ୍ରକଳ୍ପଗୁଡ଼ିକ ବେଶ୍ ସହାୟକ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ୍ ମହାମାରୀ ସତ୍ତ୍ବେ ରାଜ୍ୟ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷିତ କରିପାରିଛି। ଆଜି ଅନୁମୋଦିତ ହୋଇଥିବା ଅତିରିକ୍ତ ପଞ୍ଜିନିବେଶକୁ ମିଶାଇ ଗତବର୍ଷଠାରୁ ଏ ପର୍ଯ୍ୟନ୍ତ ସମୁଦାୟ ୪.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏକ ମନି ଲଣ୍ଡରିଂ ମାମଲାରେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ମାଆ ନାଜିରଙ୍କୁ ସମନ କରିଛି। ଜୁଲାଇ ୧୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନେଇ ସମନ କରିଛି। ସମନ କରାଯିବା କଥା ମେହବୁବା ଟ୍ବିଟ କରି ଜଣାଇଛନ୍ତି। ମେହବୁବା ତାଙ୍କୁ ମାଆଙ୍କୁ ଇଡି ସମନ ନେଇ ଟ୍ବିଟ କରି ଜଣାଇବା ସହ ଏହାର କାରଣ ବଖାଣିବାକୁ ଯାଇ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ଜମ୍ମୁ-କଶ୍ମୀର ସୀମା କମିଶନଙ୍କୁ ପିଡିପି ଭେଟିବ ନାହିଁ ବୋଲି ଘୋଷଣା କରିବା ମାତ୍ରେ ଇଡି ପକ୍ଷରୁ ଏପରି ସମନ କରାଯାଇଛି।
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର। ନିୟମିତ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଚାଲିବା ଫଳରେ ଏହା ଦିନକୁ ଦିନ ଗ୍ରାହକଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି। ଫଳସ୍ବରୂପ ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ଲିଟର ପିଛା ଶହେରୁ ଅଧିକ ହୋଇଛି। ନିକଟରେ ତୈଳ ଦର ବଢ଼ିବା ଫଳରେ ବାଣିଜ୍ୟନଗରୀ ମୁମ୍ବାଇରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଦର ଶହେ ଟଙ୍କା ଅତିକ୍ରମ କରିଥିଲା। ଏବେ ରବିବାର ପୁଣିଥରେ ଦର ବଢ଼ିବାରୁ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ୧୦୧ ଟଙ୍କା ୨୫ ପଇସା ଗ୍ରାହକଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୯୩ ଟଙ୍କା ୩୦ ପଇସା ରହିଥିବା ବେଳେ ଦୁଇ ଦିନ ତଳେ ମୁମ୍ବାଇରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଯଥାକ୍ରମେ ୧୦୧ ଟଙ୍କା ୯୮ ପଇସା ଓ ୯୨ ଟଙ୍କା ୯୯ ପଇସା ଥିଲା। ଗତ ମେ’ ୨୯ ତାରିଖରେ ପ୍ରଥମ ଥର ପାଇଁ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ଶହେ ଟଙ୍କାକୁ ଅତିକ୍ରମ କରିଥିଲା। ସେହିପରି ସଦ୍ୟ ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୫ ଟଙ୍କା ୩ ପଇସାରେ ପହଞ୍ଚିଯାଇଛି।
ଶୁକ୍ରବାର କ୍ରମାଗତ ଭାବେ ୪ ଦିନ ଧରି ଦେଶର ତୈଳ ବିତରଣକାରୀ କମ୍ପାନୀମାନେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବା ଫଳରେ ପେଟ୍ରୋଲ୍ ଲିଟର ପିଛା ଶହେ ଟଙ୍କାକୁ ଟପିଯାଇଛି। ଫଳସ୍ବରୂପ ଗତ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୫ ମଧ୍ୟରେ ତୈଳ ଦର ଯେତିକି ହ୍ରାସ ପାଇଥିଲା, ଶୁକ୍ରବାରର ବୃଦ୍ଧି ପରେ ଯାନବାହନ ଚାଳକଙ୍କ ପକେଟ୍ ଉପରେ ବେଶ୍ ବୋଝ ପଡ଼ିବା ନିଶ୍ଚିତ ହୋଇଛି। ଶୁକ୍ରବାର ପେଟ୍ରୋଲ୍ ଦର ଲିଟର ପିଛା ୨୮ ପଇସା ବଢ଼ିଥିବା ବେଳେ ଡିଜେଲ୍ ଦର ୩୧ ପଇସା ବଢ଼ିଛି। ଏଥିସହ ଗତ ୪ ଦିନ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପାଖାପାଖି ଏକ ଟଙ୍କା ବୃଦ୍ଧି ଘଟିସାରିଛି। ଫଳସ୍ବରୂପ ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ଦର ଶହେ ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ଗାଡ଼ି ଚାଳକମାନଙ୍କୁ ଏକ ଲିଟର ପେଟ୍ରୋଲ୍ ପାଇଁ ୧୦୨ ଟଙ୍କା ୧୫ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ମଧ୍ୟ ପ୍ରଦେଶର ଅନୁପ୍ପୁରଠାରେ ଏହି ଦର ୧୦୧ ଟଙ୍କା ୮୬ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଗୁରୁବାର ୯୦ ଟଙ୍କା ୯୯ ପଇସା ଥିବା ବେଳେ ଏବେ ତାହା ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି। ଏହାଛଡ଼ା ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ୍ ଦର ଲିଟର ପିଛା ୯୭ ଟଙ୍କା ୬୧ ପଇସାରେ ପହଞ୍ଚିଥିବା ବେଳେ ଅନ୍ୟାନ୍ୟ ମେଟ୍ରୋ ସହର କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର ପିଛା ଯଥାକ୍ରମେ ୯୧ ଟଙ୍କା ୪୧ ପଇସା ଓ ଚେନ୍ନାଇରେ ୯୩ ଟଙ୍କା ୧୫ ପଇସାରେ ପହଞ୍ଚିଛି।
ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି୭ ସମ୍ମିଳନୀରେ ଯୋଗ ଦେବା ସକାଶେ ଯାଇଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ଦୁଇ ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ନେତ୍ତ୍ବରେ ଗସ୍ତ କରିଥିବା ବେଳେ ଦୁଇ କୋଭିଡ୍ ସଂକ୍ରମିତ ପ୍ରତିନିଧି ସେଲ୍ଫ-ଆଇସୋଲେସନରେ ଅଛନ୍ତି। ଏହି କାରଣରୁ ଜୟଶଙ୍କରଙ୍କୁ ଉକ୍ତ ବୈଠକରେ ଭର୍ଚୁଆଲ୍ ମୋଡରେ ଯୋଗ ଦେବାକୁ ପଡ଼ିଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ଉକ୍ତ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଦୁଇ ଅଧିକାରୀ କୋଭିଡ୍ ପଜିଟିଭ୍ ବୋଲି ଗତ ମଙ୍ଗଳବାର ସନ୍ଧ୍ୟା ବେଳେ ଜାଣିବାକୁ ମିଳିଲା। ତେଣୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ବରୂପ ଓ ଅନ୍ୟାନ୍ୟ ପ୍ରତିନିଧିଙ୍କ ସ୍ବାସ୍ଥ୍ୟଜନିତ ନିରାପତ୍ତାକୁ ଗୁରୁତ୍ବ ଦେଇ ବୈଠକରେ ଜୟଶଙ୍କର ଭର୍ଚୁଆଲ୍ ମୋଡ଼ରେ ଯୋଗଦେଇଥିବା ଟ୍ବିଟରରେ ଉଲ୍ଲେଖ କରାଯାଇଛି। ତେବେ ଦୁଇ ଜଣ ପ୍ରତିନିଧିଙ୍କ ନମୁନା ପଜିଟିଭ୍ ବାହାରିଥିବା ବେଳେ ଅନ୍ୟାନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି।
ସ୍ବଳ୍ପ ସମୟ ମଧ୍ୟରେ କୋରୋନା ଟିକା ଉତ୍ପାଦନ କରି ଚର୍ଚ୍ଚାରେ ରହିଛି ଭାରତୀୟ ଟିକା ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍ଆଇଆଇ)। ଏବେ ଏହି କମ୍ପାନୀ ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି। ଏଥିପାଇଁ ୨୪୦ ମିଲିୟନ୍ ବ୍ରିଟିଶ୍ ପାଉଣ୍ଡ୍ (ପ୍ରାୟ ୨୪୦୦ କୋଟି ଟଙ୍କା)ଖର୍ଚ୍ଚ ହେବ। କ୍ଲିନିକାଲ ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ଏବଂ ସମ୍ଭବତଃ ଟିକା ଉତ୍ପାଦନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭାରତ-ବ୍ରିଟେନ ବର୍ଦ୍ଧିତ ବାଣିଜ୍ୟ ଯୋଜନାର ଏକ ଅଂଶ ଭାବେ ଏହାକୁ ନିଆଯାଉଛି। ଏହାଦ୍ୱାରା ପ୍ରାୟ ୬,୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଙ୍ଗ ଷ୍ଟ୍ରିଟ ପକ୍ଷରୁ ସୂଚନା ଦିଆଯାଇଛି।
ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ପତ୍ନୀ ମେଲିଣ୍ଡା ଗେଟ୍ସ ସେମାନଙ୍କ ବିବାହର ୨୭ ବର୍ଷ ସମ୍ପର୍କରେ ଡୋରି ବାନ୍ଧିଛନ୍ତି। ଗେଟ୍ସ ଦମ୍ପତି ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ଏ ନେଇ ସୋସାଲ ମିଡିଆ ମାଧ୍ୟମରେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫୋର୍ବସ ଅନୁସାରେ, ବିଶ୍ବର ଚତୁର୍ଥ ବିତ୍ତଶାଳୀ ତଥା ୧୩୦.୫ ବିଲିୟନ ଡଲାର୍ ସମ୍ପତ୍ତିର ମାଲିକ ବିଲ୍ ଓ ମେଲିଣ୍ଡାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ତେବେ ଉଭୟ ଏକତ୍ର ଦାତବ୍ୟ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗେଟ୍ସ ଦମ୍ପତି ଏକ ମିଳିତ ଆବେଦନରେ କହିଛନ୍ତି ଯେ ସେମାନଙ୍କର ଆଇନଗତ ୟୁନିଅନ୍ ଅବିସ୍ମରଣୀୟ ଭାବେ ଭାଙ୍ଗି ଯାଇଛି। ଜୀବନର ଆଗାମୀ ପର୍ଯ୍ୟାୟରେ ଆମେ ସାଙ୍ଗ ହୋଇ ଆଗକୁ ବଢ଼ିପାରିବୁ ନାହିଁ। କିନ୍ତୁ ‘ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ’ କାର୍ଯ୍ୟ ମିଳିତ ଭାବେ ଜାରି ରଖିବୁ। ଉଭୟ ସେମାନଙ୍କ ପାରିବାରିକ ସମ୍ପତ୍ତିକୁ ବାଣ୍ଟିବା ନେଇ ଏକମତ ହୋଇଥିବା କହିଛନ୍ତି।
ତାଳଚେର ସାରକାରଖାନା (ଟିଏଫ୍ଏଲ୍) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ୍ ଗ୍ୟାସିଫିକେସନ୍) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି।
ଅଧିକ ଦେଖନ୍ତୁ