ବିଧାନସଭାରେ ହାଜତ ମୃତ୍ୟୁ ତାତି


ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ
ବିଧାନସଭାରେ ଉଠିଛି ହାଜତ ମୃତ୍ୟୁ ତାତି। ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ନେଇ ଆଜି ଉଠିଛି ପଡ଼ିଛି ବିଧାନସଭା। ପୁରୀର କେ. ରମେଶ, ବୀରମିତ୍ରପୁରର ତାରିକ୍ ସଲିମ୍‌ଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ହୋହଲ୍ଲା ସମେତ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗୃହରେ ଅଚଳାବସ୍ଥାକୁ ଏଡ଼ାଇବା ପାଇଁ ବାଚସ୍ପତି ଏବଂ ଉପବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ। ଏଥିସହ ହାଜର ମୃତ୍ୟୁ ତାତି ମଧ୍ୟ ବିଧାନସଭା ବାହରେ ଦେଖିବାକୁ ମିଳିଥିଲା। ବିଜେପି ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ବିଧାନସଭାର ପ୍ରଥମ ଦିନ ଅପରାହ୍ନ ଅଧିବେଶନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମାରେ କମ୍ପିଥିଲା ଗୃହ। ସ୍ୱାଭାବିକ କରିବାକୁ ବାଚସ୍ପତି ବାରମ୍ବାର ଗୃହ ମୁଲତବୀ କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ବି ନିର୍ଯ୍ୟାସ ବାହାରି ପାରି ନ ଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। ବାଚସ୍ପତି ଏହାର ସୁଯୋଗ ନ ଦେବାରୁ ଏହାର ପ୍ରତିବାଦରେ ସେମାନେ ହୋହଲ୍ଲା କରିବା ସହ ସେମାନେ ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୋଡିୟମକୁ ବାଡେଇବା, ମାଇକ ଛଡେଇବାକୁ ଚେଷ୍ଟା କରିବା ପରିଲକ୍ଷିତ ହୋଇଥିଲା।

ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡ଼ାଇବା ପାଇଁ ବାଚସ୍ପତି ଏକ ସର୍ବଦଳୀୟ କମିଟି ବୈଠକ ତାଙ୍କ ଚ୍ୟାମ୍ବରରେ ଡାକିଥିଲେ। ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଏହାକୁ ପ୍ରତିବାଦ କରି କହିଥିଲେ, କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ବିରୋଧୀ ଦଳକୁ ଯେଉଁ ମାନ୍ୟତା ମିଳିବା କଥା ତାହା ଦିଆଯାଉ ନାହିଁ। ତେଣୁ ଏହି ବୈଠକରେ ସେ ଯୋଗଦେବେ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ୍‌ ଆଜି ହତ୍ୟାକାରୀ ପାଲଟିଛି। ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ୍‌ ପିଟିପିଟି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ଅନ୍ୟପଟେ ମୃତ କେ ରମେଶଙ୍କ ପରିବାରକୁ ସରକାର ୧ କୋଟି ଟଙ୍କା କ୍ଷତିପୂରଣ ଦେବା ସହ ଅସଲ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ନାୟକ ଦାବି କରିଥିଲେ। ତୁରନ୍ତ ପୁରୀ ଏସ୍‌ପି ଓ ସମ୍ପୃକ୍ତ ଆଇଆଇସିଙ୍କୁ ବହିସ୍କାର କରାଯାଉ ବୋଲି ଦାବି ହେବା ସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଥିଲେ ଉଭୟ ଦଳର ନେତା।

ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ବୈଠକ ଚାଲିଥିଲେ ହେଁ ସମାଧାନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରି ନ ଥିଲା। ବୈଠକ ଚାଲିଥିବା ବେଳେ ବାଚସ୍ପତି ଗୃହକୁ ୩.୧୦ରୁ ୩.୨୫ ଯାଏ ପ୍ରଥମ ଥର ପାଇଁ ୩.୨୮ରୁ ୩.୫୮ ଯାଏ ୩୦ ମିନିଟ ଯାଏ ମୁଲତବୀ ରଖିଥିଲେ। ପରେ ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ୩.୫୮ରୁ ୪.୧୩ରୁ ଓ ୪.୧୩ରୁ ୪.୧୮ ଯାଏ ମୁଲତବୀ ରଖିଥିଲେ। ପରିସ୍ଥିତିରେ ଉନ୍ନତି ଘଟି ନ ଥିଲା। ବାଚସ୍ପତି ଗୃହର କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଗୃହର କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିବା ତିନୋଟି ଅଧ୍ୟାଦେଶ ଉପସ୍ଥାପନା ପାଇଁ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଡାକିଥିଲେ। ସେମାନେ ଅଧ୍ୟାଦେଶ ଉପସ୍ଥାପନ କରିବା ପରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଗତ ବିଧାନସଭାରେ ପାରିତ ହୋଇଥିବା ସମସ୍ତ ବିଲ ଗୁଡିକର ମିଳିଥିବା ସମ୍ମତି ଉପସ୍ଥାପନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ