ଦେଶରେ ସିବିଜି ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ୮ ଏମ୍‌ଓୟୁ ସ୍ୱାକ୍ଷରିତ


ଏମ୍‌ଓୟୁ ସ୍ବାକ୍ଷର ଅବସରରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କମ୍ପ୍ରେସଡ୍ ବାୟୋ ଗ୍ୟାସ୍‌(ସିବିଜି)କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଅଧୀନରେ ୨୦୨୩-୨୪ ସୁଦ୍ଧା ଦେଶରେ ଲକ୍ଷ୍ୟ ରଖାଯାଇଥିବା ୫ ହଜାର ସିବିଜି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଏହି ସିବିଜି ପ୍ଲାଣ୍ଟ୍‌ ଗୁଡ଼ିକରେ ଉତ୍ପାଦନ କ୍ଷମତା ୧୫ ଏମ୍‌ଏମ୍‌ଟି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଦେଶରେ ସିବିଜି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବା ଏବଂ ଏଥିପାଇଁ ଟେକ୍ନିଲୋଜି ସହଯୋଗ ପ୍ରଦାନ କରିବା ପରିପ୍ରେକ୍ଷୀରେ ଗୁରୁବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ପକ୍ଷରୁ ୮ଟି ଏମଓୟୁ ସ୍ୱାକ୍ଷରିତ ହେବା ଅବସରରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି, ସତତ୍ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ୯୦୦ ସିବିଜି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବା ପାଇଁ ଦେଶର ଅଗ୍ରଣୀ ଉର୍ଜା କମ୍ପାନୀ ଜେବିଏମ୍‌ ଗ୍ରୁପ, ଆଦାନୀ ଗ୍ୟାସ୍‌, ଟୋରେଣ୍ଟ୍‌ ଗ୍ୟାସ୍‌ ସହ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେହିପରି ସିବିଜି କ୍ଷେତ୍ରରେ ଟେକ୍ନୋଲୋଜି ଯୋଗାଇ ଦେବା ପାଇଁ ଇଣ୍ଡିଆନ ଅଏଲ୍‌, ପ୍ରାଜ୍ ଇଣ୍ଡଷ୍ଟ୍ରି, ସିଇଆଇଡ଼ି କନ୍‌ସଲଷ୍ଟାଣ୍ଟ୍‌ ଏବଂ ଭାରତ ବାୟୋ ଗ୍ୟାସ୍‌ ଏନର୍ଜି ସହ ବିଭାଗୀୟ ମନ୍ତ୍ରାଳୟ ସହ ଚୁକ୍ତିସ୍ୱାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କେବଳ ଯୋଜନା ଆରମ୍ଭ କରିବା ନୁହେଁ ଯୋଜନାର ସଠିକ୍ କ୍ରିୟାନ୍ୱିୟନ ମଧ୍ୟ କରୁଛନ୍ତି। ଆଜି ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଚୁକ୍ତିସ୍ୱାକ୍ଷର ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଏବଂ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବା ଦିଗରେ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ