୨୬/୧୧ ବାର୍ଷିକୀରେ ବଡ଼ ଧରଣର ଆକ୍ରମଣ ଯୋଜନାରେ ଥିଲେ ଜୈଶ୍ ଆତଙ୍କୀ


ନାଗ୍ରୋଟା ଟୋଲ୍ ପ୍ଲାଜା ଆତଙ୍କୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୩ ଶହରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ବାଣିଜ୍ୟ ନଗରୀ ମୁମ୍ବାଇର ଏକାଧିକ ସ୍ଥାନରେ ନରସଂହାର ଘଟାଇଥିଲା। ଆସନ୍ତା ୨୬ ତାରିଖରେ ଏହି ଆକ୍ରମଣକୁ ୧୨ ବର୍ଷ ପୂରିବ। ଏହି ୧୨ ବର୍ଷ ପୂରଣ ଅବସରରେ ଆତଙ୍କୀମାନେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆକ୍ରମଣ ଘଟଣା ଘଟାଇବା ଲକ୍ଷ୍ୟରେ ଥିଲେ ବୋଲି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଗତ ଗୁରୁବାର ଜମ୍ମୁର ନାଗ୍ରୋଟା ଅଞ୍ଚଳରେ ଥିବା ବାନ୍ ଟୋଲ୍ ପ୍ଲାଜା ଦେଇ କେତେକ ଜୈଶ୍-ଏ-ମହମ୍ମଦ ଆତଙ୍କୀ ଖସି ପଳାଉଥିବା ବେଳେ ସେମାନଙ୍କୁ ସିଆରପିଏଫ୍‌ର ଯବାନମାନେ ଅଟକାଇଥିଲେ। ତେବେ ଉକ୍ତ ଟ୍ରକ୍‌ରେ ଥିବା ଆତଙ୍କୀମାନେ ଗ୍ରେନେଡ୍ ମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏନକାଉଣ୍ଟରରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ୍‌ରୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମଧ୍ୟ ଜବତ ହୋଇଥିଲା। ତେବେ ଏହି ଆତଙ୍କୀମାନେ ୨୬/୧୧ ଘଟଣାର ବାର୍ଷିକୀ ଅବସରରେ ସମାନ ଧରଣର ବଡ଼ ଆକ୍ରମଣ ଘଟାଇବା ଲକ୍ଷ୍ୟରେ ଥିଲେ। ତେଣୁ ଭାରତୀୟ ସୁରକ୍ଷାକର୍ମୀମାନେ ସେମାନଙ୍କ ଏହି ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନଏସଏ) ଅଜିତ୍ ଡୋଭାଲ୍, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ଓ ଗୁଇନ୍ଦା ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ କ’ଣସବୁ ଆଲୋଚନା ହୋଇଛି, ସେନେଇ ବିଶେଷ କିଛି ଜଣାପଡ଼ି ନ ଥିଲେ ମଧ୍ୟ ଆତଙ୍କୀମାନଙ୍କ ଷଡ଼ଯନ୍ତ୍ରକୁ ବିଫଳ କରିଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ପ୍ରଶଂସା କରିଥିବା ଜଣାପଡ଼ିଛି। ପୂର୍ବରୁ ଜମ୍ମୁ ଜୋନ୍ ଆଇଜି ମୁକେଶ ସିଂ ମଧ୍ୟ କହିଥିଲେ, ଏହି ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇବା ଯୋଜନାରେ ଥିଲେ। ବିଶେଷକରି ଚଳିତ ମାସ ଶେଷ ଭାଗରେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନକୁ ଭଣ୍ଡୁର କରିବା ସକାଶେ ଯୋଜନା କରିଥିଲେ ବୋଲି ସିଂ କହିଥିଲେ। ତେବେ ସେମାନଙ୍କ ଅସଲ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଜାଣିବା ସକାଶେ ତଦନ୍ତ ଜାରି ରହିଥିବା ମଧ୍ୟ ସିଂ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ