ପଛୁଆ ଜାତିର ଆଗୁଆ ନେତା

ବିହାରର ଦୁଇ ନୂଆ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ

ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ତାରକିଶୋର ଓ ରେଣୁଦେବୀ
ମୁଖ୍ୟମନ୍ତ୍ରୀ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ଏବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ରେଣୁ ଦେବୀ ଏବଂ ତାରକିଶୋର ପ୍ରସାଦଙ୍କୁ ସୁଶୀଲ ମୋଦିଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ଭାବେ ବାଛିଛି ବିଜେପି ଏବଂ ସହମତି ପ୍ରକାଶ କରିଛି ଏନଡିଏ। ରେଣୁ ଦେବୀ ଓ ତାରକିଶୋରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯିବା ଖବର ପ୍ରସାରିତ ହେବା ପରେ ବିହାରର ନୋଣିଆ ସମାଜ ଓ ବୈଶ୍ୟ ସମାଜ ପକ୍ଷରୁ ଖୁସି ପ୍ରକାଶ ପାଇଛି। ରେଣୁ ଦେବୀ ବିହାରର ନୋଣିଆ ସମାଜରୁ ପ୍ରତିନିଧିତ୍ବ କରିଥିବାରୁ ନୋଣିଆ ସମାଜ ଯଥେଷ୍ଟ ଉତ୍ସାହିତ ହୋଇପଡ଼ିଛି। ରେଣୁଙ୍କୁ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିବା ପରେ ସର୍ଚ୍ଚ ଇଞ୍ଜିନ ଗୁଗଲରେ ଲୋକେ ନୋଣିଆ ସମ୍ପ୍ରଦାୟଙ୍କ ଉପରେ ଜାଣିବା ପାଇଁ ବିପୁଳ ସଂଖ୍ୟାରେ ଖୋଜିଛନ୍ତି। ନୋଣିଆ ସମାଜ ବାବଦରେ ଜାଣିବା ପାଇଁ ଗୁଗଲରେ ଅଧିକ ସର୍ଚ୍ଚ କରାଯାଇଛି।

ପ୍‌ଥ୍ବୀରାଜ ଚୌହାନଙ୍କ ବଂଶଧର ରେଣୁ ଦେବୀ
ମହାନ ସମ୍ରାଟ ପ୍‌ଥ୍ବୀରାଜ ଚୌହାନଙ୍କୁ ସାରା ବିଶ୍ବ ଜାଣେ। ଯିଏ ଆକ୍ରମଣକାରୀ ମହମ୍ମଦ ଘୋରୀଙ୍କ ବିରୋଧରେ ବୀରତ୍ବର ଲଢ଼େଇ ଲଢ଼ିଥିଲେ। ରେଣୁଙ୍କ ନୋଣିଆ ସମାଜ ନିଜକୁ ଏହି ମହାନ ସମ୍ରାଟର ବଂଶଜ ବୋଲି ଦର୍ଶାନ୍ତି। ଏହି ସମାଜର ଲୋକେ କହନ୍ତି, ସେମାନେ ୮୦୦ରୁ ୧୧୯୨ ଖ୍ରୀଷ୍ଟପୂର୍ବ ସମୟ କାଳରେ ଭାରତବର୍ଷକୁ ମୁସଲିମ ଆକ୍ରମଣକାରୀଙ୍କ ଆଗମନକୁ ରୋକିଥିଲେ। ନୋଣିଆ ସମାଜର କହିବା କଥା ସେମାନେ ମଧ୍ୟ ଉତ୍ତରପଶ୍ଚିମ ଭାରତର ଶାସକ ଥିବା ଆଜମେରର ରାଜା ସୋମେଶ୍ବର ଚୌହାନଙ୍କ ଅଜେୟ ସେନାଙ୍କ ଅଂଶ ଥିଲେ। ସେ ସମୟରେ ୧୩-୧୪ ରାଜବଂଶର କ୍ଷେତ୍ରୀୟ ସେନାରେ ଅଗ୍ନିବେଶୀ, ଚନ୍ଦ୍ରବଂଶୀ, ନାଗବଂଶୀ ଏବଂ ସୂର୍ଯ୍ୟବଂଶୀ ଯୋଦ୍ଧାଙ୍କୁ ଅଣାଯାଉଥିଲା। ଔରଙ୍ଗଜେବଙ୍କ ଶାସନ ବିରୋଧରେ ନୋଣିଆ ସମାଜ ଲମ୍ବା ସମୟ ଧରି ସଂଘର୍ଷ କରିଥିଲେ। ସର୍ବଦା ଯୁଦ୍ଧରେ ନିୟୋଜିତ ଥିବାରୁ ଏହି ସମାଜର ଲୋକଙ୍କ ସ୍ବଭାବ ଉଗ୍ର ଥିଲା। ଇଂରେଜମାନେ ଏହି ସମାଜର ଲୋକଙ୍କ ଉପରେ ଦମନନୀତି ଜାରି କରି ଚାପି ରଖିଥିଲେ। ଲୁଣ ଉତ୍ପାଦନ ଓ ନୀଳ ଚାଷରେ ଏମାନଙ୍କୁ ଲଗାଇଥିଲେ। ଫଳରେ ନୋଣିଆ ସମାଜର ଅର୍ଥନୀତି ବିଗିଡ଼ିବାରେ ଲାଗିଥିଲା। ସ୍ବାଧୀନତା ପରେ ବିହାରରେ ନୋଣିଆ ସମାଜର ହାଲତ ଖରାପରୁ ଖରାପ ଆଡ଼କୁ ଗତି କରିଥିଲା।

ବିହାରରେ ଏହି ଜାତି ପଛୁଆ ଜାତିର ମାନ୍ୟତା ପାଇଛି। ଏହି ସମ୍ପ୍ରଦାୟର ଲୋକେ ଇଟା ଗଢ଼ିବା, ଗାଁ ଗାଁ ବୁଲି ଫେରି ବେପାର କରିବା ଓ କ୍‌ଷି ଶ୍ରମିକ ଭାବେ ନିୟୋଜିତ ହେଉଥିବା ଦେଖାଯାଏ। ବିହାର ନୋଣିଆ କଲ୍ୟାଣ ମହାସମିତିର ସଂସ୍ଥାପକ ତଥା ଅଧ୍ୟକ୍ଷ ବିହାରୀ ଲାଲ ପ୍ରସାଦ ଓରଫ ଲାଲ ଦରୋଗା ମହତୋ ନୋଣିଆଙ୍କ ସମ୍ଭ୍ରାନ୍ତ ଅତୀତ ଓ ରୁଗଣ ବର୍ତ୍ତମାନ ପଛରେ ରାଜନୈତିକ ନେତା ଓ ଶାସକବର୍ଗଙ୍କୁ ଦାୟୀ କରନ୍ତି। ନୋଣିଆ ସମାଜ ବିହାରରେ ନିଜକୁ ଅନୁସୂଚିତ ଜାତି ବର୍ଗରେ ସାମିଲ କରାଇବାର ଦାବି ଦୋହରାଇ ଚାଲିଛି।

ଫାୟାର ବ୍ରାଣ୍ଡ ନେତ୍ରୀର ଛବି
ବିହାର ବିଜେପି ବିଧାୟକ ଦଳର ଉପନେତା ତଥା ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଜଣେ ଅଗ୍ନିବର୍ଷୀ ନେତ୍ରୀ। ମହିଳାଙ୍କ ସମସ୍ୟାକୁ ସେ ଦମଦାର ଢଙ୍ଗରେ ଉଠାନ୍ତି। ରେଣୁ ଦେବୀ ନିଜ ରାଜନୈତିକ କ୍ୟାରିଅର ଦୁର୍ଗା ବାହିନୀରୁ ଆରମ୍ଭ କରିଥିଲେ। ସେ ହିନ୍ଦୀ, ଭୋଜପୁରୀ, ବଙ୍ଗଳା ଏବଂ ଇଂରାଜୀ ଆଦି ୪ଟି ଭାଷାରେ କହିପାରନ୍ତି। ୧୯୮୯ରେ ସେ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ମନୋନୀତ ହୋଇଥିଲେ। ୧୯୯୨ରେ ସେ ଜମ୍ମୁ-କଶ୍ମୀରର ତ୍ରିରଙ୍ଗା ଯାତ୍ରାରେ ସାମିଲ ଥିଲେ। ୨୦୧୪ରେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ।

୫ ଥର ଜିତିଛନ୍ତି ତାରକିଶୋର
୬୪ ବର୍ଷୀୟ ତାର କିଶୋର ପ୍ରସାଦ ୨୦୦୫ ପର ଠାରୁ କଟିହାରର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି। ଚଳିତ ଥର ସେ ଆରଜେଡିର ରାମପ୍ରକାଶ ମହତୋଙ୍କୁ ୧୦ ହଜାର ଭୋଟରେ ପରାଜିତ କରିଛନ୍ତି। ସେ ବୈଶ୍ୟ ସମ୍ପ୍ରଦାୟରୁ ଆସିଛନ୍ତି, ଯାହାକୁ ବିହାରରେ ପଛୁଆ ବର୍ଗର ମାନ୍ୟତା ମିଳିଛି। ତାରକିଶୋରଙ୍କ ପିତା ଜଣେ ଲୁଗା ବ୍ୟବସାୟୀ। ୨୦୦୧ରେ ସେ କଟିହାର ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଥିଲେ। ସହରର ବ୍ୟବସାୟୀ ବର୍ଗ ମଧ୍ୟରେ ତାରକିଶୋରଙ୍କ ବହୁତ ଭଲ ସମ୍ପର୍କ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପରେ କଟିହାରର ବ୍ୟବସାୟୀ ସମାଜରେ ଖୁସିର ଲହରି ଖେଳିଯାଇଛି। ୨୦୦୫ରେ ତାରକିଶୋର ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରାମ ପ୍ରକାଶ ମହତୋଙ୍କୁ ୧୬୫ ଭୋଟରେ ପରାଜିତ କରିଥିଲେ। ଏହାପରେ ୨୦୧୦ ଓ ୨୦୧୫ରେ ସେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ଚଳିତ ଥର କଟିହାରରେ ବନ୍ୟା ବିତ୍ପାତ ଦେଖାଦେଇଥିଲା। ତାରକିଶୋରଙ୍କ ବିରୋଧରେ ଜନମତ ଥିବା ବିରୋଧୀ କହୁଥିଲେ। ଏସବୁ ସତ୍ତ୍ବେ ସେ ୧୦ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି। ଦ୍ବାଦଶ ପାସ କରିଥିବା ତାରକିଶୋର ସୀମାଞ୍ଚଳ ଅଞ୍ଚଳରେ ଜଣେ କଠୋର ହିନ୍ଦୁବାଦୀ ନେତା ଭାବେ ନିଆରା ପରିଚିତି ପାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ