ଏଣିକି କଶ୍ମୀର ଓ ଲଦାଖରେ କିଣିହେବ ଜମି, ବିଜ୍ଞପ୍ତି ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ


ନୂଆଦିଲ୍ଲୀ: ଗତ ବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା-୩୭୦କୁ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ଜମ୍ମୁ-କଶ୍ମୀରର ଅଂଶବିଶେଷ ଥିବା ଲଦାଖ୍‌କୁ ପ୍ରଥମ ଥର ପାଇଁ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଏହି ଉପତ୍ୟକା ପାଇଁ ମଙ୍ଗଳବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ, ଏଣିକି କଶ୍ମୀର ଓ ଲଦାଖ୍‌ରେ ଭାରତର ଯେ କୌଣସି ବାସିନ୍ଦା ଜମି ଖରିଦ୍ କରିପାରିବେ।  ଗତ ୨୦୧୬ ମସିହାରେ ଲାଗୁ ହୋଇଥିବା ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଏଣ୍ଡ ଡେଭଲପମେଣ୍ଟ୍) ଆଇନ ତତ୍କାଳୀନ ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ଜମ୍ମୁ-କଶ୍ମୀର ଓ ଲଦାଖ୍‌ରେ ଜମି କିଣାବିକା ବାହାର ଲୋକଙ୍କ ପାଇଁ ମଧ୍ୟ ସମ୍ଭବପର ହୋଇପାରିବ।

ପୂର୍ବରୁ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହୋଇଥିବା ଧାରା ୩୭୦ ଅନୁସାରେ, ଏହି ସ୍ବତନ୍ତ୍ର ରାଜ୍ୟରେ ଭାରତର ଅନ୍ୟାନ୍ୟ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ କୌଣସି ପ୍ରକାର ଜାଗା ଖରିଦ୍ କରିବାର ଅଧିକାରରୁ ବଞ୍ଚିତ ହେଉଥିଲେ। ଏଠାରେ କେବଳ ଏଠାକାର ସ୍ଥାୟୀ ବାସିନ୍ଦାମାନେ ହିଁ ଜମି କିଣାବିକା କରିପାରୁଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ୍ ସରକାର ଜମି କିଣାବିକା ନେଇ ନିଜସ୍ବ ଆଇନ ମଧ୍ୟ ପ୍ରଣୟନ କରିପାରିବେ। ଏହାଦ୍ବାରା ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସ୍ବଚ୍ଛତା, ଉତ୍ତରଦାୟୀ ଓ ଆର୍ଥିକ ଶୃଙ୍ଖଳା ସୁନିଶ୍ଚିତ କରାଯାଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ବିଜ୍ଞପ୍ତି ଜରିଆରେ କେନ୍ଦ୍ର ସରକାର ରାଜ୍ୟର ୨୬ଟି ଆଇନକୁ ମଧ୍ୟ ବଦଳାଇ ଦେଇଛନ୍ତି। ତେବେ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତିକୁ ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଜମି ଆଇନରେ ହୋଇଥିବା ସଂଶୋଧନ କୌଣସି ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ। ଏବେ ଜମ୍ମୁ-କଶ୍ମୀରକୁ ବିକ୍ରି ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ନୂଆ ନିୟମ ଦ୍ୱାରା ଗରିବ ଓ ଛୋଟ ଜମି ମାଲିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ