ମନୀଷ ପାଣ୍ଡେଙ୍କ ବିସ୍ଫୋରକ ଇନିଂସ: ହାଇଦ୍ରାବାଦର ସହଜ ବିଜୟ


ଆଇପିଏଲର ୪୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ମନୀଷ ପାଣ୍ଡେଙ୍କ ବିସ୍ଫୋରକ ୮୩ ରନ ବଳରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ଦଶମ ମ୍ୟାଚରେ ୪ର୍ଥ ବିଜୟ ହାସଲ କରିଥିଲା ବେଳେ ରାଜସ୍ଥାନ ରୟାଲ୍ସ ଏକାଦଶ ମ୍ୟାଚରେ ୭ମ ପରାଜୟ ବରଣ କରିଛି। ଉଭୟ ଦଳର ପଏଣ୍ଟ ସମାନ ୮ ରହିଥିଲେ ବି ଉନ୍ନତ ରନ ହାରରେ ହାଇଦ୍ରାବାଦ ପଞ୍ଚମ ସ୍ଥାନରେ ରହିଛି। ରାଜସ୍ଥାନ ସପ୍ତମ ସ୍ଥାନକୁ ଖସି ଯାଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ପାଇଁ ମନୀଷ ପାଣ୍ଡେ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ପାଇଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବେନ ଷ୍ଟୋକ୍ସଙ୍କ ସହ ରବିନ ଉଥପ୍ପାଙ୍କୁ ଇନିଂସ ଓପନ କରାଇଥିଲା। ଉଥପ୍ପା ୧୩ଟି ବଲରୁ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୧୯ ରନ କରି ଆଉଟ ହୋଇଥିଲେ। ଏହାପରେ ବେନ ଷ୍ଟୋକ୍ସଙ୍କ ସହ ଯୋଗ ଦେଇ ସଞ୍ଜୁ ସାମସନ ଦଳକୁ ୮୬ ରନ ପର୍ଯ୍ୟନ୍ତ ନେଇ ଯାଇଥିଲେ। ସାମସନ ୨୬ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୬ ରନ କରି ଆଉଟ ହେବା ପରେ ଯୋଡ଼ି ଭାଙ୍ଗିଥିଲା। ଏହାପରେ ବେନ ଷ୍ଟୋକ୍ସ ମଧ୍ୟ ୩୨ ବଲରୁ ୩୦ ରନ କରି ଆଉଟ ହୋଇଥିଲେ। ଜୋସ ବଟଲର ୯, ଷ୍ଟିଭ ସ୍ମିଥ ୧୯ ଓ ରିୟନ ପରାଗ ୨୦ ରନ କରିଥିଲେ ବି ରାଜସ୍ଥାନ ୬ ୱିକେଟ ହରାଇ ମାତ୍ର ୧୫୪ ରନ ପର୍ଯ୍ୟନ୍ତ ଯାଇପାରିଥିଲା। ହାଇଦ୍ରାବାଦ ପକ୍ଷରୁ ଜେସନ ହୋଲ୍ଡର ସଫଳ ବୋଲର ଭାବେ ୩୩ ରନ ଦେଇ ୩ଟି ୱିକେଟ ନେଇଥିଲେ।

ଏହାର ଜବାବରେ ରାଜସ୍ଥାନର ଦ୍ରୁତ ବୋଲର ଜୋଫ୍ରା୍ ଆର୍ଚର ହାଇଦ୍ରାବାଦର ଦୁଇ ଓପନରଙ୍କୁ ଆଉଟ କରି ଦଳ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ହେଲେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ରାଜସ୍ଥାନକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟୀ କରାଇଥିଲେ। ବିଶେଷକରି ପାଣ୍ଡେ ଧୂଆଁଧାର ବ୍ୟାଟିଂ କରି ୪୭ଟି ବଲରୁ ୪ଟି ଚୌକା ଓ ୮ଟି ଛକା ଜରିଆରେ ଅପରାଜିତ ୮୩ ରନ କରି ଦଳକୁ ୧୮.୧ ଓଭର ସୁଦ୍ଧା ୧୫୬ ରନରେ ପହଞ୍ଚାଇ ବିଜୟୀ କରାଇଥିଲେ। ବିଜୟ ଶଙ୍କର ୫୧ଟି ବଲରୁ ୬ଟି ଚୌକା ଜରିଆରେ ୫୨ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ