ସିରାଜ ଓ ଚହଲଙ୍କ ଚମତ୍କାରିତା: ବାଙ୍ଗାଲୋରର ସପ୍ତମ ବିଜୟ


ଆଇପିଏଲରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ମହମ୍ମଦ ସିରାଜଙ୍କ ୩/୮ ଓ ୟୁଜଭେନ୍ଦ୍ର ଚହଲଙ୍କ ୨/୧୫ ବୋଲିଂ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଳୋର ୮ ୱିକେଟରେ କୋଲାକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ଦଶମ ମ୍ୟାଚରେ ବାଙ୍ଗାଲୋର ସପ୍ତମ ବିଜୟ ସହ ୧୪ ପଏଣ୍ଟ ପାଇ ମୁମ୍ବାଇକୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସ ଦଶମ ମ୍ୟାଚରେ ପଞ୍ଚମ ପରାଜୟ ସହ ୧୦ ପଏଣ୍ଟରେ ସ୍ଥିର ରହି ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି। ବାଙ୍ଗାଲୋର ଟିମର ଚମତ୍କାର ବୋଲିଂ ଆଗରେ ହାର ମାନି କୋଲକାତା ମାତ୍ର ୮୪/୮ ରନ କରିବା ପରେ ପ୍ରତିପକ୍ଷ ଦଳ ଏହି ବିଜୟ ଲକ୍ଷ୍ୟକୁ ୧୩.୩ ଓଭରରେ ହାସଲ କରି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କୋଲାକାତା ନାଇଟ ରାଇଡର୍ସ ଦ୍ବିତୀୟ ଓଭରରେ ୨ଟି ୱିକେଟ ହରାଇଥିଲା। ରାହୁଲ ତ୍ରିପାଠୀ ୧ ଓ ପର ବଲରେ ନିତେଶ ରାଣା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୩ୟ ଓଭରରେ ଶୁବମନ ଗିଲ ଓ ଚତୁର୍ଥ ଓଭରରେ ଟମ ବାଣ୍ଟନ ଆଉଟ ହେବାରୁ କୋଲକାତା ୧୪ ରନ ମଧ୍ୟରେ ୪ଟି ୱିକେଟ ହରାଇ ବ୍ୟାକଫୁଟକୁ ଚାଲି ଯାଇଥିଲା। ଅଧିନାୟକ ଏୱିନ ମୋର୍ଗାନ ୩୪ଟି ବଲରୁ ୩୦ ରନ କରିଥିଲା ବେଳେ ଅନ୍ୟ ସମସ୍ତେ ଆଉଟ ସଅଳ ଆଉଟ ହୋଇଥିଲେ। ଦିନେଶ କାର୍ତ୍ତିକ ୪ ଓ ଚଳିତ ଆଇପିଏଲର ସବୁଠୁ ଦାମୀ ବିଦେଶୀ ଖେଳାଳି ପ୍ୟାଟ କମିନ୍ସ ମଧ୍ୟ ୪ ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ ଫର୍ଗୁସନ ୧୯ ରନ କରିବାରୁ କୋଲକାତା ୮ ୱିକେଟ ହରାଇ ୮୪ ରନ ପର୍ଯ୍ୟନ୍ତ ଯାଇପାରିଥିଲା। ମହମ୍ମଦ ସିରାଜ ତାଙ୍କ ୪ ଓଭର ସ୍ପେଲରେ ମାତ୍ର ୮ ରନ ନେଇ ୩ଟି ଓ ୟୁଜଭେନ୍ଦ୍ର ଚହଳ ୧୫ ରନରେ ୨ଟି ୱିକେଟ ନେଇ କୋଲାକାତା ବ୍ୟାଟିଂକୁ ଭୁଶୁଡ଼ାଇ ଦେଇଥିଲେ।

ଏହାର ଜବାବରେ ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପାଡିକାଲ ଓ ଆରୋନ ଫିଞ୍ଚ୍ ଓପନିଂ ଯୋଡ଼ିରେ ୪୬ ରନ ଉଠାଇ ଦଳର ବିଜୟକୁ ସହଜ କରି ଦେଇଥିଲେ। ପାଡିକାଲ ୨୫ ଓ ଫିଞ୍ଚ ୧୬ ରନ କରି ଆଉଟ ହୋଇଥିଲେ। ନମ୍ବର ୩ରେ ଗୁରୁକିରତ ସିଂହ ଓ ପରେ ଅଧିନାୟକ ବିରାଟ କୋହଲି ଆସି କୌଣସି କ୍ଷତି ଘଟିବାକୁ ନ ଦେଇ ଦଳକୁ ୧୩.୩ ଓଭର ସୁଦ୍ଧା ୮୫/୨ରେ ପହଞ୍ଚାଇ ବିଜୟୀ କରାଇଥିଲେ। ଗୁରୁକିରତ ଅପରାଜିତ ୨୧ ଓ ଓ କୋହଲି ଅପରାଜିତ ୧୮ ରନ କରିଥିଲେ। ଏହି ଲୋ ସ୍କୋରକୁ ଡିଫେଣ୍ଡ କରିବା କୋଲକାତା ବୋଲରଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା। ମହମ୍ମଦ ସିରାଜ ତାଙ୍କର ୩/୮ ବୋଲିଂ ସଫଳତା ପାଇଁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ