ଏବିଡିଙ୍କ ଧୂଆଁଧାର ଇନିଂସରେ ବାଙ୍ଗାଲୋରର ଷଷ୍ଠ ବିଜୟ


ଦୁବାଇ: ଶନିବାର ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣର ୩୩ତମ ମ୍ୟାଚ୍ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି। ଏଥିରେ ବାଙ୍ଗାଲୋରର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିଅର୍ସ (ଏବିଡି)ଙ୍କ ବିସ୍ଫୋରକ ଇନିଂସରେ ପ୍ରତିପକ୍ଷ ରାଜସ୍ଥାନ ଟିମ୍ ଛତ୍ରଭଙ୍ଗ ଦେଇଛି। ବାଙ୍ଗାଲୋର୍ ଧାର୍ଯ୍ୟ ୧୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୪ ଓଭର୍‌ରେ ହାତରେ ୩ଟି ଓ୍ୱିକେଟ୍ ଥାଇ ହାସଲ କରିନେବା ଫଳରେ ସଂସ୍କରଣରେ ଦଳ ତା’ର ଷଷ୍ଠ ବିଜୟ ହାସଲ କରିଛି। ମାତ୍ର ୨୨ଟି ବଲ୍‌ରେ ଅପରାଜିତ ୫୫ ରନ୍ କରିଥିବା ଏବିଡିଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୬ ଓ୍ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଦଳ ପକ୍ଷରୁ ଇନିଂସ ଆରମ୍ଭ କରିବାର ସୁଯୋଗ ପାଇଥିବା ରବିନ୍ ଉଥାପ୍ପା ୨୨ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ୪୧ ରନ୍ କରିଥିବା ବେଳେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୫୭ ରନ୍ କରିଥିଲେ। ତାଙ୍କ ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ରହିଥିଲା। ସେ ମଧ୍ୟ ଚତୁର୍ଥ ଓ୍ୱିକେଟରେ ଜୋସ୍ ବଟଲରଙ୍କ ସହ ୪୮ ରନ୍ ଯୋଡ଼ିଥିଲେ। ବଟଲର୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୨୪  ଏବଂ ରାହୁଲ୍ ଟେଓ୍ୱଟିଆ ମଧ୍ୟ ଗୋଟିଏ ଛକା ଓ ଚୌକା ଜରିଆରେ ୧୯ ରନ୍ କରିଥିଲେ। ବାଙ୍ଗାଲୋର୍ ପକ୍ଷରୁ କ୍ରିସ୍ ମୋରିସ୍ ୪ଟି ଓ ୟୁଜବେନ୍ଦ୍ର ଚହଲ୍ ୨ ଟି ଓ୍ୱିକେଟ୍ ନେଇଥିଲେ।

ଜବାବରେ ବାଙ୍ଗାଲୋର୍ ଟିମ୍ ଓପନର ଆରୋନ୍ ଫିଞ୍ଚ୍‌ଙ୍କୁ ଦଳୀୟ ସ୍କୋର୍ ୨୩ ଥିବା ବେଳେ ହରାଇଥିଲା। କିନ୍ତୁ ଦ୍ୱିତୀୟ ଓ୍ୱିକେଟରେ ଅନ୍ୟତମ ଓପନର ତଥା ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ୍‌ଙ୍କ ସହ ଅଧିନାୟକ ବିରାଟ କୋହଲି ୩୯ ରନ୍ ଯୋଡ଼ିବା ଫଳରେ ଦଳ ଶହେ ରନ୍ ପୂରଣ କରିଥିଲା। ୨ଟି ଚୌକା ସହ ପାଡିକଲ୍ ୩୫ ରନ୍ କରି ବିଦାୟ ନେବାର ପରବର୍ତ୍ତୀ ବଲରେ କୋହଲି ମଧ୍ୟ ଗୋଟିଏ ଚୌକା ଓ ୨ଟି ଛକା ସହ ୪୩ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଏହି ସମୟରେ ଏବିଡିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆଇପିଏଲ୍‌ର ୨୫ କିମ୍ବା ତା’ଠାରୁ କମ୍ ବଲରେ ଦ୍ୱାଦଶ ଥର ପାଇଁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏଥିସହ ଚତୁର୍ଥ ଓ୍ୱିକେଟ୍‌ରେ ସେ ଗୁରକିରତ୍ ସିଂ ମାନ୍‌ଙ୍କ ସହ ଅବିଭାଜିତ ୭୭ ରନ୍ ମଧ୍ୟ ଯୋଡ଼ିଥିଲେ। ଏହି ପାର୍ଟନର୍‌ସିପ୍‌ରେ ମାନ୍ ମାତ୍ର ୧୭ ରନ୍ କରିଥିବା ବେଳେ ଏବିଡିଙ୍କ ଇନିଂସରେ ଗୋଟିଏ ଚୌକା ଓ ୬ଟି ଛକା ରହିଥିଲା। ରାଜସ୍ଥାନ ପକ୍ଷରୁ ଶ୍ରେୟସ୍ ଗୋପାଲ୍ ଓ ରାହୁଲ୍ ଟେଓ୍ୱଟିଆ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ