୧୫ ଦିନ ପାଇଁ ସିଲ୍‌ ହୋଇଥିଲା, ୭ ଦିନ ପରେ ଖୋଲିଲା

ଛବି ମଳିନ କରିବାକୁ ଅପଚେଷ୍ଟା ହୋଇଥିବା କହିଲେ ଅପରାଜିତା

କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସିଲ୍‌ ହୋଇଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ଖୋଲିଛି। ପଳାସପଲ୍ଲୀରେ ଥିବା ତାଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍‌ କରାଯାଇଥିଲେ ମଧ୍ୟ ସିଲ୍‌ ହେବାର ୭ ଦିନ ପରେ କାର୍ଯ୍ୟାଳୟକୁ ଖୋଲା ଯାଇଛି। ବିଏମ୍‌ସି ଅଧିକାରୀ ଓ ପୋଲିସ୍‌ ଉପସ୍ଥିତିରେ ଅଫିସ୍‌କୁ ଖୋଲାଯାଇଛି। କିନ୍ତୁ ଏହାକୁ ପୁଣିଥରେ ବେଆଇନ ବୋଲି କହିଛନ୍ତି ଅପରାଜିତା। ଏଥିସହ ସେ ବିଏମ୍‌ସି କମିଶନରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ପୂର୍ବରୁ ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ସାଂସଦ ଅପରାଜିତା।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ କରିଥିଲେ। ଯାହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଉକ୍ତ ଭିଡିଓରେ ଅନେକ ମହିଳା କର୍ମୀ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିବା ବେଳେ କେହି ମାସ୍କ୍‌ ପିନ୍ଧି ନ ଥିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରି ନ ଥିବା ଦେଖିବାକୁ ମିଳିଥିଲା। ସାଂସଦଙ୍କ ଏଭଳି ଜନ୍ମଦିନ ପାଳନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନ କୋଭିଡ୍ ଗାଇଡ୍‌ଲାଇନର ଖୋଲା ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି। ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ କେତେକ କୋଭିଡ୍‌ ଯୋଦ୍ଧା। ଏହାପରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳନ କରିବା ଅଭିଯୋଗରେ ଗତ ୧୦ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍ କରିଥିଲା ବିଏମ୍‌ସି। ଏହି କାର୍ଯ୍ୟାଳୟ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସିଲ୍‌ କରାଗଲା ବୋଲି ନୋଟିସ୍‌ ଲଗାଯାଇଛି।

ଏହାପରେ ସେହିଦିନ ଅପରାହ୍ନରେ ସିଲ୍‌ ହୋଇଥିବା ଅଫିସ୍‌ ବାହାରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା। ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡିର କର୍ମୀ ଓ ନେତା କିଭଳି କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି ତାହାର ଖୁଲାସା କରିଥିଲେ। ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ ବିଜେଡି ଅଫିସ୍‌ କେବେ ସିଲ୍ ହେବ ବୋଲି ଖୋଲାଖୋଲି ପ୍ରଶ୍ନ ମଧ୍ୟ କରିଥିଲେ।

ଏହାପରେ ଆଜି ତାଙ୍କ କାର୍ଯ୍ୟାଳୟ ଖୋଲାଯିବା ପରେ ମଧ୍ୟ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ତାଙ୍କୁ କହିବାର ସୁଯୋଗ ନେଇ ଅଫିସକୁ ସିଲ୍‌ କରାଗଲା ବୋଲି କହିଛନ୍ତି ଅପରାଜିତା। ଏଥିସହ କ୍ଷମତା ନଥାଇ କର୍ତ୍ତୁତ୍ୱ ଜାହିର କରିଛି ବିଏମ୍‌ସି। ଏହା ଏକ ଆକ୍ରୋଶ ମୂଳକ ବ୍ୟବହାର ଥିଲା। ଅଫିସ୍ ପରିସରରୁ କୌଣସି ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ୱେ ପୂରା କାର୍ଯ୍ୟାଳୟ କିପରି ସିଲ୍ କରାଗଲା ବୋଲି ସାଂସଦ ପ୍ରଶ୍ନ କରିଥିଲେ। ଏହା ବିଏମ୍‌ସିର ବେଆଇନ୍ ପଦକ୍ଷେପ ବୋଲି ସେ କହିଥିଲେ। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାଯୋଗୁଁ  ତାଙ୍କର ଆର୍ଥିକ କ୍ଷତି ହୋଇଛି। ମାନସିକ ଯନ୍ତ୍ରଣା ଦିଆଯାଇଛି। ଏଭଳି କରି ତାଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ତେଣୁ ସରକାରଙ୍କ ବିରୋଧରେ ମାନହାନି ମକଦ୍ଦମା କରିପାରନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ଅପରାଜିତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ