ନିଆଁ ଧୂଆଁ ପରିବା ବଜାର


କୋରୋନା କମାଇ ଦେଇଛି ଅନେକଙ୍କ ଆୟ। ଛଡ଼ାଇ ନେଇଛି ଅନେକଙ୍କ ଜୀବିକା। ଏଭଳି ଏକ ବିଶ୍ବ ମହାମାରୀକୁ ନେଇ ଲଢ଼ୁଥିବା ମଣିଷମାନଙ୍କୁ ଘାଇଲା କଲାଣି ପରିବା ବଜାର। ଏବେ ଏହି ବଜାରରେ ଲାଗିଛି ନିଆଁ। ହୁହୁ ହୋଇ ବଢ଼ିଚାଲିଛି ପରିବାର ଦର। ଏଥିପାଇଁ କିଏ କେନ୍ଦ୍ରକୁ ଦାୟୀ କରୁଛି ତ କିଏ କହୁଛି ରାଜ୍ୟ ଦାୟୀ। କିନ୍ତୁ ଏକଥା ସତ ଯେ ରାଜ୍ୟରେ ଯେଉଁ ପନିପରିବା ଉତ୍ପାଦିତ ହେଉଛି ତାହା ସାଇତି ରଖିବାକୁ ଶୀତଳ ଭଣ୍ଡାର ନାହିଁ କି ମୂଲ୍ୟଯୋଗ କରିବାକୁ ଯଥେଷ୍ଟ ପ୍ରକ୍ରିୟାକରଣ ଶିଳ୍ପ ନାହିଁ। ଏବେ ବଜାରରେ ଯାହା ସ୍ଥିତି, ୫୦୦ ଟଙ୍କାର ପରିବାର କିଣିଲେ ଭର୍ତ୍ତି ହେଉନି ବ୍ୟାଗ। ହିଡ଼ ମୁଣ୍ଡରେ ପ୍ରକ୍‌ତ ମୂଲ୍ୟ ପାଇବାକୁ ଚାଷୀ ସଂଘର୍ଷ କରୁଥିବା ବେଳେ ଚଢ଼ା ଦାମରେ କିଣୁଥିବାରୁ ଖାଉଟି ବି ଚିନ୍ତାରେ। ପରିବା ବଜାରର ଏହି ଅସମ୍ଭାଳ ସ୍ଥିତିକୁ ନେଇ ଆମର ଏ ଆଲେଖ୍ୟ - ନିଆଁ ଧୂଆଁ ପରିବା ବଜାର।

କଲରା ୮୦, ଟମାଟୋ ୬୦
କିଛି ସପ୍ତାହ ତଳେ ଟମାଟୋର କିଗ୍ରା ପ୍ରତି ମୂଲ୍ୟ ୭୦ ଟଙ୍କା ଥିବା ବେଳେ ଏହା ସାମାନ୍ୟ ହ୍ରାସ ପାଇ ୬୦ରେ ପହଞ୍ଚିଛି। ମାର୍ଚ୍ଚ ମାସରେ ଆଳୁର କିଲୋ ପ୍ରତି ମୂଲ୍ୟ ୧୫ ଟଙ୍କା ଥିଲା। ଏବେ ଆଳୁର ଦାମ ୩୫ ଟଙ୍କା। ବଜାରରେ ଆଳୁ, ପିଆଜ, ଟମାଟୋ ସହିତ ଅଧିକାଂଶ ପନିପରିବା ଦର ଏବେ ଆକାଶଛୁଆଁ। ଫୁଲକୋବି ଗୋଟା ପ୍ରତି ୪୦-୫୦ ଟଙ୍କା ତଳକୁ ଖସୁନି। କଲରା ଅତିକ୍ରମ କରିଛି ସବୁ ରେକର୍ଡ। କଲରାର କେଜି ପ୍ରତି ମୂଲ୍ୟ ୮୦ ଟଙ୍କା ଛୁଇଁଛି। ପଶ୍ଚିମବଙ୍ଗରୁ ଜରିରେ ଗୁଡ଼ାହୋଇ ଭୁବନେଶ୍ବର ପହଞ୍ଚୁଥିବା ଲାଉ ଗୋଟା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ଆଗରୁ ଯେଉଁଠି ସଜନା ଛୁଇଁ ବିଡ଼ା ଆକାରରେ ବିକ୍ରି ହେଉଥିଲା, ଏବେ ତାହା କେଜି ଓଜନରେ ବିକ୍ରି ହେଲାଣି। ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚା କଦଳୀ ଓଜନ ହୋଇ କେଜି ହିସାବରେ ବିକ୍ରି ହେଉଛି। କୋରୋନା ଲକଡାଉନ, ଶଟଡାଉନ କଟକଣା ସମୟରୁ ଅନଲକ ଯାଏ ବିଗତ ୭ ମାସ ଧରି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପରି ସାବ୍ୟସ୍ତ ହୋଇଛି ଅହେତୁକ ବଢ଼ିଥିବା ପରିବାର ଦର।

ମିଶନ ଫେଲ

ରାଜ୍ୟରେ ୧୦.୨୧ ଲକ୍ଷ ମେଟ୍ରିକ ଟନ ଆଳୁର ଚାହିଦା ରହିଛି। ଓଡ଼ିଶାରେ ମୋଟ ୧୫ ହଜାର ହେକ୍ଟରରେ ଆଳୁଚାଷ ହୋଇ ହେକ୍ଟର ପ୍ରତି ୧୬ ମେଟ୍ରିକ ଟନ ହିସାବରେ ମୋଟ ୨.୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦିତ ହେଉଛି। ସ୍ପଷ୍ଟ କହିବାକୁ ଗଲେ ରାଜ୍ୟରେ ଚାହିଦାର ୮୦ ପ୍ରତିଶତ ଆଳୁ ପାଇଁ ଆମକୁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଳୁର ନିଅଣ୍ଟିଆ ସଙ୍କଟକୁ ଭରଣା କରିବା ପାଇଁ ରାଜ୍ୟ ସରକାର ଦେଖାଇଥିଲେ ଗୋଲାପି ଚିତ୍ର। ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରାଯାଇ ପଠାଯାଇଥିଲା ପେରୁ। ଆଳୁ ଚାଷ ଜମିର ବିସ୍ତାର, ଚାଷୀମାନଙ୍କ ସଂଗଠନ ଗଠନ, ବିହନ ଯୋଗାଣ, ବଜାର ସୁଯୋଗ, ଶୀତଳଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଘୋଷଣା ସହିତ ବହୁ ଆଡ଼ମ୍ବରରେ ଗଢ଼ାଯାଇଥିଲା ଆଳୁ ମିଶନ। ୫ ଲକ୍ଷ ମେଟ୍ରିକ ଟନ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ୧୧୨ଟି ଶୀତଳ ଭଣ୍ଡାର ପାଇଁ ସରକାର ସ୍ବପ୍ନ ଦେଖାଇଲେ। ହେଲେ ବାସ୍ତବତା ହେଉଛି, ରାଜ୍ୟରେ ୧ ଲକ୍ଷ ମେଟ୍ରିକ ଟନ କ୍ଷମତା ଥାଇ ନିର୍ମିତ ହୋଇଛି ମାତ୍ର ୨୨ଟି ଶୀତଳ ଭଣ୍ଡାର। ତାହା ପୁଣି ୧୮ଟି ଜିଲାରେ।

ଚାଷୀ ବି ହୀନସ୍ତା

ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ଚାଷୀ ମାନେ ଲାଭ ଆଶାରେ ବ୍ୟାପକ ଜମିରେ ବାଇଗଣ ଚାଷ କରିଥିଲେ। କୋରୋନା କଟକଣା ପାଇଁ ବଜାର ବନ୍ଦ ଓ ପରିବହନ କଟକଣା କାରଣରୁ ଚାଷୀମାନେ ଅମଳ ବାଇଗଣକୁ ଚାଷ କ୍ଷେତରେ ଗାତଖୋଳି ପୋତି ଦେଇଛନ୍ତି। ଯେଉଁଠି ମଜୁରି ବି ଉଠିବନି, ସେଠି ବଜାରକୁ ନେବା କଥା ଭାବି ହେଲାନି ବୋଲି କହନ୍ତି ଅନେକ ଚାଷୀ। ସାତଶଙ୍ଖ, ନିଆଳି, ବାଙ୍କି ଅଞ୍ଚଳର ଟମାଟୋ ଓ କୋବି ଚାଷୀମାନେ ଏଭଳି ବିପର୍ଯ୍ୟୟକୁ ଅନେକ ଥର ସାମ୍ନା କରିଥିବା କହିଛନ୍ତି।

ଆଗକୁ କାର୍ତ୍ତିକ, ବଢ଼ିବ ସଙ୍କଟ
ଆଗକୁ କାର୍ତ୍ତିକ ମାସ। ଅଧିକାଂଶ ଲୋକ ନିରାମିଷ ଖାଦ୍ୟକୁ ବାଛିବେ। ସବୁଜ ପରିବା ଉପରେ ବଢ଼ିବ ଚାହିଦା। କିନ୍ତୁ ଓଡ଼ିଶାର ଚାଷୀମାନେ ଯୋଜନାବଦ୍ଧ ଫସଲ ଚକ୍ରକୁ ଗ୍ରହଣ କରିନାହାନ୍ତି। ବର୍ଷା ଦାଉ ସାଧିଛି। ସରକାରଙ୍କ ଅନେକ ଜଳସେଚନ ଫେଲ। ପଶ୍ଚିମବଙ୍ଗରୁ ଆଳୁ, ନାସିକରୁ ପିଆଜ, ଆନ୍ଧ୍ରରୁ ଅଣ୍ଡା ଆଉ ବେଙ୍ଗାଳୁରୁରୁ କୋବି ଆସିଲେ ଆମର ଚୁଲି ଉପରକୁ ଯାଉଛି। ସରକାର ୨୦୦୮ରୁ କ୍‌ଷିନୀତିକୁ ନୂଆ ରୂପ ଦେଇଛନ୍ତି। ସ୍ବତନ୍ତ୍ର କ୍‌ଷି ବଜେଟ କରୁଛନ୍ତି। କିନ୍ତୁ ଓଡ଼ିଶାର ଚାଷୀ ଓ ଖାଉଟି ଉଭୟଙ୍କ ଦୁଃଖ ସରୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ