କେତେ ସତ ଟିଆରପି ଦୁର୍ନୀତି?


ଟଙ୍କା ଦେଇ ଚୋରି ହେଉଛି ଟିଆରପି। ତଦନ୍ତ ନିର୍ଦ୍ଦିଷ୍ଟ ମୋଡ଼ରେ ନ ପହଞ୍ଚୁଣୁ ମୁମ୍ବାଇ ପୋଲିସ କମିଶନର ଅତ୍ୟନ୍ତ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ତଥ୍ୟ ଦେଇ କାହା ପାଇଁ ନାୟକ ତ କାହା ପାଇଁ ଖଳନାୟକ ପାଲଟି ଯାଇଛନ୍ତି। ପୋଲିସ କମିଶନର ପରମବୀର ସିଂ ଟିଆରପି ଚୋରି ହେଉଥିବା ନେଇ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ତା’ର ଠୋସ ପ୍ରମାଣ ଅଛି ନା କାହାର ଶୁଣାକଥା ଆଧାରରେ କହିଛନ୍ତି, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଗୁରୁବାର ମୁମ୍ବାଇ ପୋଲିସ କମିଶନର ପରମବୀର ଟିଆରପି ଷଡ଼ଯନ୍ତ୍ରରେ ଫକ୍ସ ମରାଠୀ, ବକ୍ସ ସିନେମା ଓ ରିପବ୍ଲିକ ମିଡିଆ ନେଟୱାର୍କ ସମ୍ପ୍‌କ୍ତ ଥିବା କହିଛନ୍ତି। ସେ କହିଛନ୍ତି ଯେ ବ୍ରଡକାଷ୍ଟିଂ ଅଡିଆନ୍ସ ରିସର୍ଚ୍ଚ କାଉନସିଲ (ବିଏଆରସି) ଏକ ସରକାରୀ ସଂସ୍ଥା। ଏହା ନିର୍ଦ୍ଦିଷ୍ଟ ଟେଲିଭିଜନ ଦର୍ଶକଙ୍କ ପରିବାରରେ ବାରୋମିଟର ବା ପିପଲ୍ସ ମିଟର ଲଗାଇ ଚାନେଲ ଗୁଡ଼ିକରେ ଦର୍ଶକ କେତେ ସମୟ ଯୋଡ଼ି ହୋଇ ରହୁଛନ୍ତି, ତାହା ମାପେ। ଅର୍ଥାତ ଯେଉଁ ପରିବାର ଗୁଡ଼ିକରେ ବାରୋମିଟର ବସାଯାଏ ସେହି ପରିବାର ଗୁଡ଼ିକ କେତେ ସମୟ କେଉଁ ଚାନେଲ ଦେଖିଲେ ତାହା ବିଏଆରସି ତଦାରଖ କରେ। ବିଏଆରସି ଦେଶରେ ଏଭଳି ୪୪ ହଜାର ପରିବାରରେ ବାରୋମିଟର ଲଗାଇଛି। ମୁମ୍ବାଇରେ କେବଳ ୨ ହଜାର ପରିବାରରେ ଖଞ୍ଜା ଯାଇଛି ବାରୋମିଟର। ଏହା ଅତ୍ୟନ୍ତ ଗୋପନୀୟ ଭାବେ ହୋଇଥିବାରୁ ଅନ୍ୟକିଏ ଜାଣିବା ମୁସ୍କିଲ ବ୍ୟାପାର। ବିଏଆରସି ବାରୋମିଟର ବସାଇବା ପାଇଁ ହଂସା ରିସର୍ଚ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇଥିଲା। ହଂସାର ଜଣେ କର୍ମଚାରୀ ଚାକିରି ଛାଡ଼ିବା ପୂର୍ବରୁ ସଂସ୍ଥାର ଗୋପନୀୟ ତଥ୍ୟକୁ ଚୋରି କରି ଆଣିଥିବା ନେଇ ହଂସା ବମ୍ବେର କାଣ୍ଡିଭଲି ପୋଲିସ ଥାନାରେ ଏଫଆଇଆର ଦରଜ କରିଥିଲା। କ୍ରାଇମବ୍ରାଞ୍ଚର ତଦନ୍ତରୁ ଜଣାଗଲା ଯେ ହଂସାର ଚାକିରି ଛାଡ଼ିଥିବା କର୍ମଚାରୀଙ୍କ ସହ ସଲାସୁତୁରା କରି ବାରୋମିଟର ଲଗାଯାଇଥିବା ପରିବାରର ଠିକଣା ଯୋଗାଡ଼ ସହିତ ସେହି ପରିବାର ଗୁଡ଼ିକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଇ ନିର୍ଦ୍ଦିଷ୍ଟ ଚାନେଲ ଅନ ରଖିବାକୁ କୁହାଯାଇଥିଲା। ରିପବ୍ଲିକ ଏଭଳି ଭାବେ ଟିଆରପି ଜାଲିଆତିରେ ସମ୍ପ୍‌କ୍ତ ବୋଲି ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ଦେଶବ୍ୟାପୀ ବଡ଼ ବିତର୍କ ସ୍‌ଷ୍ଟି ହୋଇଛି।

ମିଥ୍ୟା ସୂଚନା ପାଇଁ ନ୍ୟାୟାଳୟ ଯିବୁ: ଅର୍ଣ୍ଣବ
ପୋଲିସ କମିଶନରଙ୍କ ପ୍ରେସମିଟରେ ରିପବ୍ଲିକ ଟିଭିକୁ କାଠଗଡ଼ାକୁ ଆଣିଥିବାରୁ ଏହାର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ବାମୀ ମୁମ୍ବାଇ ପୋଲିସର ଏଭଳି ଆଚରଣ ପଛର ହୀନ ଉଦ୍ଦେଶ୍ୟକୁ ସୂଚାଇଛନ୍ତି। ଅର୍ଣ୍ଣବ ଏହାର ଉତ୍ତରରେ କହିଛନ୍ତି ଯେ ସୁଶାନ୍ତ ସିଂ ମାମଲାରେ ମୁମ୍ବାଇ ପୋଲିସର ଅସଲ ଚେହେରାକୁ ରିପବ୍ଲିକ ସାମ୍ନାକୁ ଆଣିଥିଲା। ପାଲଘର ସନ୍ଥ ହତ୍ୟା ମାମଲା, କଙ୍ଗନାଙ୍କ କୋଠା ଭଙ୍ଗା ବିବାଦ ଓ ହାଥରସ ଘଟଣାକୁ ଦଙ୍ଗାରେ ପରିଣତ ମସୁଧାକୁ ରପବ୍ଲିକ ଟିଭି ସାମ୍ନାକୁ ଆଣି ଅନେକଙ୍କ ମୁଖା ଖୋଲି ଦେଇଥିବାରୁ ମହାରାଷ୍ଟ୍ର ସରକାର ବିଚଳିତ ହୋଇ ପଡ଼ିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସାରାରେ ମୁମ୍ବାଇ ପୋଲିସ କାର୍ଯ୍ୟ କରୁଛି। ରିପବ୍ଲିକ ଟିଭିକୁ ଅଧିକ ଲୋକ ଦେଖିଲେ ସହିପାରୁ ନାହାନ୍ତି ସରକାର। ଅତୀତରେ ଟିଭିର ସଂଯୋଗ ବନ୍ଦ କରାଇବା, ଜନୈକ ସାମ୍ବାଦିକଙ୍କୁ ଗିରଫ କରି ଜେଲ ପଠାଇଦେବା ପରେ ଏବେ ରିପବ୍ଲିକ ଟିଭିର ଆକାଉଣ୍ଟ ଜବତ କରିବା, ପ୍ରସାରଣ ରୋକିବା ପାଇଁ ଏଭଳି ମିଛ ଅଭିଯୋଗ କାହାଣୀ ତିଆରି କରିଥିବା ଅର୍ଣ୍ଣବ କହିଛନ୍ତି। ପାଲଘର ମାମଲାର ତଦନ୍ତ ଠିକ ଭାବେ ହେଉ ବୋଲି ଦାବି କରିବା ଫଳ କ’ଣ ଏଇଆ ବୋଲି ଟ୍ବିଟରରେ ଟ୍ରେଣ୍ଡ ହେଉଛି।

ସାମ୍ନାକୁ ଆସିବ ତଥ୍ୟ
କୌଣସି ଅପରାଧ ଘଟିଲେ ପୋଲିସ ସବୁ ଦିଗରୁ ସଠିକ ତଦନ୍ତ କରି ସପ୍ରମାଣ ସାମ୍ବାଦିକ ସମ୍ମିଳନୀକୁ ଆସିବା କଥା। କିନ୍ତୁ ଏହି ଘଟଣାରେ ପୋଲିସ କେବଳ ଶୁଣାକଥାକୁ ଆଧାର କରି ୪ ଜଣଙ୍କୁ ଗିରଫ କରିଛି। ଯେଉଁ ପରିବାର ଗୁଡ଼ିକରେ ବାରୋମିଟର ଲାଗିଛି, ସେମାନେ ଚାନେଲ ଦେଖିବାକୁ ନୁହେଁ, ବରଂ ଅତିରିକ୍ତ ବିଜୁଳି ଖର୍ଚ୍ଚ ହେଉଥିବା କହି ପଇସା ନେଉଥିଲେ। ତେବେ ପୋଲିସ କହିବା ପ୍ରକାରେ ୫୦୦ ନୁହେଁ, ବରଂ ୨୦୦ ଟଙ୍କା ବୋଲି ଗଣମାଧ୍ୟମ ନିକଟରେ ବାରୋମିଟର ଲାଗିଥିବା ଲୋକେ କହିଛନ୍ତି। ତଳୁ ଉପର ଯାଏ ଅନେକ ପୋଲିସ ଥିବା ବେଳେ ଖୋଦ କମିଶନର ପ୍ରେସମିଟ କରାଇ ତିନୋଟି ଗଣମାଧ୍ୟମ ମୁଣ୍ଡରେ ଅଠା ବୋଳିଛନ୍ତି। ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁଇ ଚାନେଲର ମୁଖ୍ୟ ଓ ହଂସ ରିସର୍ଚ ପ୍ରାଇଭେଟ ଲିମିଟେଡର ପୂର୍ବତନ କର୍ମଚାରୀଙ୍କୁ ପୋଲିସ ଅକ୍ଟୋବର ୧୩ ଯାଏ ରିମାଣ୍ଡରେ ନେଇଛି। ବାରୋମିଟର ବସାଇଥିବା ପରିବାର ଗୁଡ଼ିକୁ ଗୁଗଲ ପେ ଜରିଆରେ ଲାଞ୍ଚ ଦିଆଯାଇଥିବା କୁହାଯାଉଛି। ବିଏଆରସି ଏତଲାରେ ରିପବ୍ଲିକ ନାଁ ନାହିଁ। ବରଂ ଇଣ୍ଡିଆ ଟୁଡେର ନାମ ରହିଛି। କିନ୍ତୁ ପୋଲିସ ରିପବ୍ଲିକ ଟିଭି ପଛରେ କାହିଁକି ପଡ଼ିଛି, ତାହା ଏବେ ଚର୍ଚ୍ଚା ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ