ବିରୋଧ ସତ୍ତ୍ବେ ରାଜ୍ୟସଭାରେ କୃଷି ସଂଶୋଧନ ବିଲ୍ ପାରିତ, ଐତିହାସିକ ମୁହୂର୍ତ୍ତ କହିଲେ ମୋଦି


କେନ୍ଦ୍ର ସରକାରଙ୍କ ଦ୍ବାରା ଲୋକସଭାରେ ଆଗତ କୃଷି ସଂଶୋଧନ ବିଲ୍ ପାରିତ ହେବା ପରେ ଏହାକୁ ରାଜ୍ୟସଭାରେ ମଧ୍ୟ ବହୁମତ ମିଳିଛି। ରବିବାର ଏହି ବିଲକୁ ରାଜ୍ୟସଭାରେ ଆଗତ କରାଯିବା ପରେ ବିରୋଧୀ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ପ୍ରବଳ ବିରୋଧ କରିବା ସହ ଏହା ବିରୋଧରେ ସ୍ଲୋଗାନମାନ ଦେଇଥିଲେ। ଶିବସେନା, ଏନସିପି, ଆପ୍, ବିଜେଡି, ଏସଏଡି ଆଦି ବିରୋଧୀ ଦଳ ଏହି ବିଲକୁ ତର୍ଜମା ପାଇଁ ସିଲେକ୍ସନ୍ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଥିଲେ। ତେବେ ବ୍ୟାପକ ବିରୋଧ ସତ୍ତ୍ବେ ଶେଷରେ ଏହି ବିଲ୍ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍ ଏହି ବିଲଟିକୁ ଆଗତ କରିବା ସହ ଏଥିରେ କୃଷକମାନଙ୍କ ସ୍ବାର୍ଥରକ୍ଷା ଉପରେ ସର୍ବାଦୌ ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବିଲ୍ ଉପରେ ଚର୍ଚ୍ଚା ହେବା ସକାଶେ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ପରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସମୟ ବଢ଼ାଇଥିଲେ। ପରେ ଅପରାହ୍ନ ୧ଟା ୪୧ ମିନିଟରେ ରାଜ୍ୟସଭାର ଅଧିବେଶନ ପୁନର୍ବାର ଆରମ୍ଭ ହେବା ପରେ ଏହି ବିଲଟି ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଏହି ବିଲ୍ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଦେଶର କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବାରେ ଯଥେଷ୍ଟ ସହାୟକ ହେବ ଓ ଏହା ଦେଶର କୃଷକମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବ ବୋଲି ଟ୍ବିଟ୍ କରି ମତ ଦେଇଛନ୍ତି। ଏଥିସହ ଏହି ବିଲ୍ ପାରିତ ହେବା ପରେ ଦେଶର କୋଟି କୋଟି କୃଷକଙ୍କୁ ବଧେଇ ଜଣାଇବା ସହ ଏହା ଭାରତୀୟ କୃଷି ଇତିହାସ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇ ରହିବ ବୋଲି ମୋଦି କହିଛନ୍ତି।

ମୋଦି ଟ୍ବିଟ୍ କରି କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ଦେଶର କୃଷକମାନେ ନାନାଦି କଟକଣା କାରଣରୁ ଆର୍ଥିକ ଭାବେ ଶୋଷିତ ହୋଇଆସିଛନ୍ତି। ବିଶେଷକରି ସେମାନଙ୍କ ଉତ୍ପାଦ ବିକ୍ରି କ୍ଷେତ୍ରରେ ଦଲାଲମାନେ ମାଲାମାଲ୍ ହୋଇଛନ୍ତି ଓ ଝାଳ ନିଗାଡ଼ି ପରିଶ୍ରମ କରିଥିବା କୃଷକ କେବଳ ହତାଶ ହୋଇଆସିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ସଂଶୋଧନ ବିଲ୍ ଦେଶର କୃଷକମାନଙ୍କୁ ସ୍ବତନ୍ତ୍ର ବଳ ଯୋଗାଇବ। ଏହା ଦଲାଲମାନଙ୍କ କବଳରୁ କୃଷକମାନଙ୍କୁ ରକ୍ଷା କରିବ। ଏହାଦ୍ବାରା କୃଷକମାନଙ୍କ ଆୟ ଦ୍ବିଗୁଣିତ ହୋଇପାରିବ ଓ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଉଲ୍ଲେଖନୀୟ ଭାବେ ସୁଧୁରିପାରିବ ବୋଲି ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦେଶର କୃଷକମାନେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରିବାର ଆବଶ୍ୟକତା ରହିଛି। ରବିବାର ପାରିତ ହୋଇଥିବା ବିଲ୍ ଦେଶର କୃଷକମାନଙ୍କୁ ସହଜରେ ଅତ୍ୟାଧୁନିକ ଯନ୍ତ୍ରପାତି ହାସଲ କରିବାରେ ସହାୟକ ହେବ। ଏହାଦ୍ବାରା କୃଷି ଉତ୍ପାଦ ପରିମାଣ ବଢ଼ିପାରିବ ବୋଲି ମୋଦି କହିବା ସହ ଏହାକୁ ଏକ ସ୍ବାଗତ ପଦକ୍ଷେପ ବୋଲି ମତ ଦେଇଛନ୍ତି। ସେହିପରି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପୂର୍ବବତ୍ ଜାରି ରହିବ ଓ ସରକାର ମଧ୍ୟ କୃଷକମାନଙ୍କଠାରୁ ସେମାନଙ୍କ ଉତ୍ପାଦ ପୂର୍ବ ପରି ଖରିଦ୍ ପ୍ରକ୍ରିୟା ଜାରି ରଖିବେ। ଏନଡିଏ ସରକାର ଦେଶର କୃଷକମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଆସିଛି ଓ ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ। କୃଷକର ପରବର୍ତ୍ତୀ ପିଢ଼ି କିପରି ଏକ ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ଅତିବାହିତ କରିପାରିବ, ତାହା ଏନଡିଏ ସରକାରର ପ୍ରାଥମିକତା ବୋଲି ମୋଦି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ