କୃଷି ବିଲ୍ ପାରିତ ନେଇ ମୋଦି ସରକାର ଉପରେ ବର୍ଷିଲା ଶିବସେନା


ମୁମ୍ବାଇ: ଶନିବାର ଲୋକସଭାରେ ଏନଡିଏ ସରକାର ପକ୍ଷରୁ କୃଷି ବିଲ୍ ପାରିତ ହୋଇଥିବା ବେଳେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛି ପୂର୍ବତନ ସହଯୋଗୀ ଶିବସେନା। ଗତବର୍ଷ ମହାରାଷ୍ଟ୍ରରେ ବିଜେପି ହାତ ଛାଡ଼ି ବିରୋଧୀ କଂଗ୍ରେସ ଓ ଏନସିପି ସହ ହାତ ମିଳାଇ ସରକାର ଗଠନ କରିବା ପରଠାରୁ ଶିବସେନାର ଏନଡିଏ ସରକାର ବିରୋଧୀ ଆଭିମୁଖ୍ୟ କାଏମ ରହିଆସିଛି। ଏପରି ସ୍ଥିତିରେ ମୋଦି ସରକାର ଲୋକସଭାରେ ବିବାଦୀୟ କୃଷି ବିଲ୍ ପାରିତ କରି ଦେଶର କୃଷକଙ୍କ ଭାଗ୍ୟ ମୁନାଫାଖୋର୍ ବ୍ୟବସାୟୀଙ୍କ ହାତକୁ ଟେକିଦେଇଛନ୍ତି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଉଦ୍ଧବ ଠାକରେଙ୍କ ନେତ୍‌ତ୍ବାଧୀନ ଶିବସେନା ପକ୍ଷରୁ କୁହାଯାଇଛି ଯେ ଲୋକସଭାରେ କୃଷି ବିଲ୍ ଆଗତ କରିବା ପୂର୍ବରୁ ଏନଡିଏ ସରକାର ଏନେଇ କୌଣସି ସହଯୋଗୀ ଦଳର ମତାମତ ଲୋଡ଼ିନାହିଁ। ତା’ଛଡ଼ା କୃଷକଙ୍କ ସ୍ବାର୍ଥ ସହିତ ଜଡ଼ିତ ଥିବାରୁ ଏହି ବିଲ୍ ଆଗତ କରିବା ପୂର୍ବରୁ ମୋଦି ସରକାର କୃଷକ ସଂଗଠନ ଓ ବିରୋଧୀ ଦଳ ସହ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ଥିଲା। କିନ୍ତୁ ମୋଦି ସରକାର ଏପରି କୌଣସି ପ୍ରକାର ଆଲୋଚନା କରିବାକୁ ଉଚିତ ମଣିନାହାନ୍ତି। କେନ୍ଦ୍ର ମନ୍ତ୍ରୀ ପଦରୁ ହରସିମରତ୍ କୌର୍ ବାଦଲ୍ ଇସ୍ତଫା ଦେବା ଏହାର ଜ୍ବଳନ୍ତ ନମୁନା ବୋଲି ଶିବସେନା ପକ୍ଷରୁ ପ୍ରକାଶ ପାଇଆସୁଥିବା ମୁଖପତ୍ର ‘ସାମ୍ନା’ରେ କୁହାଯାଇଛି।

ଏହି ସମ୍ପାଦକୀୟରେ ଆହୁରି ମଧ୍ୟ ଦର୍ଶାଯାଇଛି, ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ପୂର୍ବରୁ ଶାସନ କରିଥିବା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ସରକାରଠାରୁ ଯଥେଷ୍ଟ ଭିନ୍ନ। ସେତେବେଳେ ପ୍ରଧାନମନ୍ତ୍ରୀ ବାଜପେୟୀ ଓ ବରିଷ୍ଠ ନେତା ଏଲକେ ଆଡଭାନୀ କୌଣସି ପ୍ରକାର ନିଷ୍ପତ୍ତି ନେବା ପୂର୍ବରୁ ଏନଡିଏର ସହଯୋଗୀ ଦଳମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ ଓ ପ୍ରତି ବିଷୟରେ ଆଲୋଚନାକୁ ଗୁରୁତ୍ବ ଦେଉଥିଲେ। କିନ୍ତୁ ବର୍ତ୍ତମାନର ମୋଦି ସରକାର ଏପରି ଆଲୋଚନା ଅପ୍ରାସଙ୍ଗିକ ବୋଲି ଧରିନେଇଛନ୍ତି। ଏହି କାରଣରୁ ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ (ଏସଏଡି) ସାଂସଦ ବାଦଲ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ମୋଦି ସରକାର ସଂସଦରେ ଦୁଇଟି କୃଷକବିରୋଧୀ ବିଲ୍ ଆଗତ କରିବା ପ୍ରତିବାଦରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଉକ୍ତ ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ମୋଦି ସରକାରଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଶିବସେନା ଏନଡିଏଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ବର୍ତ୍ତମାନ ଏସଏଡି ମଧ୍ୟ ସମାନ ପଦକ୍ଷେପ ନେଇଛି। ବାଜପେୟୀ ସରକାର ଅମଳରେ ସହଯୋଗୀ ଦଳର ସ୍ବରକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିଲା, କିନ୍ତୁ ମୋଦି ସରକାର ସମ୍ପୂର୍ଣ୍ଣ ବଧିର ହୋଇଯାଇଛି ବୋଲି ଏହି ସମ୍ପାଦକୀୟରେ ପ୍ରକାଶ ପାଇଛି।

ସେହିପରି ମହାରାଷ୍ଟ୍ର ଓ ପଞ୍ଜାବ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ କେନ୍ଦ୍ର ସରକାର କୌଣସି ପ୍ରକାର ବିଲ୍ ଆଗତ କରିବା ପୂର୍ବରୁ ଏହି ଦୁଇ ରାଜ୍ୟ ଓ ଅନ୍ୟାନ୍ୟ ରାଜ୍ୟର କୃଷକ ପ୍ରତିନିଧି ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା ବୋଲି ଶିବସେନା ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ଲୋକସଭାରେ ପାସ୍ କରିଥିବା ବିଲ୍ ଆଇନରେ ପରିଣତ ହେଲେ ମଣ୍ଡି ବାହାରେ ବି ବ୍ୟବସାୟୀମାନେ କୃଷକମାନଙ୍କଠାରୁ ସେମାନଙ୍କ ଉତ୍ପାଦ ଖରିଦ୍ କରିପାରିବେ। ଏହି ବିଲକୁ ସଂସଦରେ କଂଗ୍ରେସ ସହ ଡିଏମକେ ଓ ଟିଏମସି ପକ୍ଷରୁ ବିରୋଧ କରାଯାଇଛି। ଏହା କୃଷକବିରୋଧୀ ବୋଲି ମନେ କରିଥିବାରୁ ଏହି ପ୍ରସଙ୍ଗରେ ସେମାନେ ମୋଦି ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ନିକଟ ଅତୀତରେ କେନ୍ଦ୍ର ସରକାର ବିମାନ ବନ୍ଦର, ରେଳଷ୍ଟେସନ, ବୀମା କମ୍ପାନୀ ଆଦିର ଘରୋଇକରଣ କରିଥିବାରୁ ଏବେ କୃଷକମାନଙ୍କୁ ଘରୋଇ କମ୍ପାନୀ ଓ ମୁନାଫାଖୋର ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ହେବାର ରାସ୍ତା ପରିଷ୍କାର କରିଦେଉଛନ୍ତି ବୋଲି ଶିବସେନା ପକ୍ଷରୁ ଅଭିଯୋଗ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ