କମିବନି ଆଇପିଏଲ୍ କ୍ରେଜ୍: ଭର୍ଚୁଆଲ୍ ଭର୍ସନ୍ ବି ହେବ ମଜାଦାର

ମୁମ୍ବାଇକୁ ସର୍ବାଧିକ ଟାଇଟଲ୍, ଚେନ୍ନାଇ ସବୁଠାରୁ ସଫଳ ଦଳ

ଦିନକ ପରେ ଅର୍ଥାତ୍ ଆସନ୍ତା ଶନିବାରଠାରୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ୍ ଧମାକା। ଅର୍ଥାତ୍ ପାଖାପାଖି ୬ ମାସ ବିଳମ୍ବ ପରେ ଚଳିତ ବର୍ଷର ଆଇପିଏଲ୍ ଆୟୋଜିତ ହେଉଛି। ଗତ ମାର୍ଚ୍ଚ ୧୯ରେ ଏହି ଲୋକପ୍ରିୟ ଟି-୨୦ ଲିଗ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ କୋରୋନା ସଂକ୍ରମଣ କାରଣରୁ ଏହା ଏପ୍ରିଲ୍ ୧୫କୁ ଘୁଞ୍ଚିଥିଲା। କିନ୍ତୁ ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ୍ କରାଯାଇଥିଲା। କିନ୍ତୁ ଆଇସିସି ଟି-୨୦ ବିଶ୍ବକପକୁ ଆସନ୍ତା ବର୍ଷକୁ ଘୁଞ୍ଚାଇଦେବା ଫଳରେ ଆଇପିଏଲର ତ୍ରୟୋଦଶ ସଂସ୍କରଣ ସମ୍ଭବପର ହୋଇପାରିଛି। ସୁଦୂର ୟୁଏଇରେ ଏହି ମୁକାବିଲା ୩ଟି ଭେନ୍ୟୁରେ ଆୟୋଜିତ ହେବ। କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ସବୁକିଛି ଭର୍ଚୁଆଲରେ ଚାଲିଥିବା ବେଳେ ଆଇପିଏଲ-୧୩ ମଧ୍ୟ ଏଥିରୁ ବାଦ୍ ପଡ଼ିବ ନାହିଁ। କାରଣ ସଂକ୍ରମଣ ରୋକିବା ସକାଶେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ତେଣୁ ଖେଳାଳିମାନେ ସେମାନଙ୍କ ଦର୍ଶକଙ୍କୁ ନିଶ୍ଚିତ ଭାବେ ମିସ୍ କରିବେ। କିନ୍ତୁ ଦର୍ଶକମାନେ କଦାପି ସେମାନଙ୍କ ପ୍ରିୟ କ୍ରିକେଟରଙ୍କ ଲାଇଭ୍ ଆକ୍ସନ ଦେଖିବାରୁ ବଞ୍ଚିତ ହେବେ ନାହିଁ। ଘରେ ବସି ପପକର୍ଣ୍ଣ ସହ ପରିବାର ଲୋକଙ୍କ ଗହଣରେ ଏହି ଫଟାଫଟ୍ କ୍ରିକେଟର ଭରପୂର ମଜା ଉଠାଇବେ। ତା’ଛଡ଼ା କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଭିନ୍ନ ଏକ କ୍ରିକେଟର ମଜା ମଧ୍ୟ ମିଳିପାରିବ। ଏମିତି ବି ପୂର୍ବ ଆଇପିଏଲ ସଂସ୍କରଣଗୁଡ଼ିକରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କଠାରୁ ବହୁ ଅଧିକ ସଂଖ୍ୟକ କ୍ରିକେଟପ୍ରେମୀ ଏହାର ମଜା ଟିଭି ମାଧ୍ୟମରେ ନେଇଥାନ୍ତି। ତେଣୁ ଭର୍ଚୁଆଲ୍ ଭର୍ସନ୍ ହେଲେ ବି ଆଇପିଏଲର କ୍ରେଜ୍ ଆଦୌ କମିବ ନାହିଁ, ଏହା ନିଶ୍ଚିତ। ଏହି ଦାମୀ ଲିଗର ସାମ୍ପ୍ରତିକ ଭର୍ସନ୍ ସହ ଇତିହାସ ଉପରେ ଟିକେ ନଜର ବୁଲାଇ ଆଣିବା।

ପୁରୁଣା ଫର୍ମାଟ୍, ନୂଆ କଟକଣା
ଆଇପିଏଲ୍ ୨୦୦୮ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଏହାର ଫର୍ମାଟ୍ ଅପରିବର୍ତ୍ତିତ ରହିଛି। ଲିଗ୍ ପର୍ଯ୍ୟାୟରେ ଟିମଗୁଡ଼ିକ ପରସ୍ପର ସହ ଦୁଇ ରାଉଣ୍ଡ୍ ଲେଖାଏଁ ମ୍ୟାଚ୍ (ହୋମ୍ ଓ ଆୱେ ଭିତ୍ତିରେ) ଖେଳିବେ। ଏହି ପର୍ଯ୍ୟାୟ ପରେ ୪ଟି ଶୀର୍ଷ ଟିମ୍ ପ୍ଲେଅଫ୍‌କୁ ଉନ୍ନୀତ ହେବା ପରେ ପ୍ରଥମ ଦୁଇଟି ଟିମ୍ ମଧ୍ୟରେ ପ୍ରଥମ କ୍ବାଲିଫାଇଙ୍ଗ୍ ଓ ଶେଷ ଦୁଇ ଟିମ୍ ମଧ୍ୟରେ ଏଲିମିନେଟର୍ ଖେଳାଯାଇଥାଏ। ଏହାପରେ ପ୍ରଥମ କ୍ବାଲିଫାୟର୍ ବିଜେତା ଟିମ୍ ସିଧାସଳଖ ଫାଇନାଲରେ ପ୍ରବେଶ କରୁଥିବା ବେଳେ ପରାଜିତ ଦଳ ପୁଣିଥରେ ସୁଯୋଗ ପାଇଥାଏ। ୩ୟ ଓ ଚତୁର୍ଥ ଦଳ ଏଲିମିନେଟର୍‌ରେ ପରସ୍ପର ସହ ମୁକାବିଲା କରିବା ପରେ ଏହାର ବିଜେତା ସହ ପ୍ରଥମ କ୍ବାଲିଫାୟରର ପରାଜିତ ଦଳ ଲଢ଼େଇ କରିଥାଏ। ପରେ ଏହି ମ୍ୟାଚ୍‌ର ବିଜେତା ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଥାଏ।

ତେବେ ଚଳିତ ବର୍ଷ ପୁରୁଣା ଫର୍ମାଟରେ ଖେଳାଯାଉଥିଲେ ମଧ୍ୟ ମୁକାବିଲାରେ ଅନେକ ନୂଆ କଟକଣା ରହିଛି। କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ମୁକାବିଲାଟି ଦ୍ବିତୀୟ ଥର ପାଇଁ ୟୁଏଇରେ ଖେଳାଯାଉଛି। ଖେଳାଳିମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ସକାଶେ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ୍ ପକ୍ଷରୁ ଏସଓପି ଜାରି କରାଯାଇଛି। ଖେଳାଳି ଓ ସପୋର୍ଟ ଷ୍ଟାଫମାନେ ୟୁଏଇରେ ପହଞ୍ଚିବା ପରେ ଅତି କମରେ ୬ ଦିନ କ୍ବାରେଣ୍ଟାଇନରେ ରହିଛନ୍ତି ଓ ସମସ୍ତଙ୍କ ନମୁନା ନେଗେଟିଭ୍ ଆସିବା ପରେ ହିଁ ସେମାନଙ୍କୁ ଅଭ୍ୟାସ ସକାଶେ ଅନୁମତି ମିଳିଛି। ସମସ୍ତ ଟିମର ସଦସ୍ୟମାନେ କୋଭିଡ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ)ର ଦୁଇ ଜଣ ଖେଳାଳି ଋତୁରାଜ ଗାଏକ୍ବାଡ୍ ଓ ଦୀପକ ଚହର୍ ଏବଂ ୧୧ ଜଣ ସପୋର୍ଟ ଷ୍ଟାଫ୍ କୋରୋନା ସଂକ୍ରମିତ ହେବା ପରେ ସେମାନଙ୍କୁ ଅତିରିକ୍ତ ସମୟ ପାଇଁ କ୍ବାରେଣ୍ଟାଇନ୍ ଓ ଆଇସୋଲେସନରେ ରହିବାକୁ ପଡ଼ିଥିଲା। କିନ୍ତୁ ମୁକାବିଲା ଆରମ୍ଭ ପୂର୍ବରୁ ସବୁକିଛି ସକାରାତ୍ମକ ରହିଛି ଓ ଗତବର୍ଷର ରନର୍ସଅପ୍ ଇତିମଧ୍ୟରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇସାରିଛି।

ଏହାଛଡ଼ା ଯାତ୍ରାଜନିତ କଟକଣା ରହିଥିବାରୁ ଅଧିକାଂଶ ଭାରତୀୟ ଅମ୍ପାୟାରଙ୍କୁ ଏହି ସଂସ୍କରଣରେ ମ୍ୟାଚ୍ ପରିଚାଳନା ପାଇଁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ଆଇସିସି ଏଲିଟ୍ ଅମ୍ପାୟାର୍ ଭାବେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ, ଅଷ୍ଟ୍ରେଲିଆର ପଲ୍ ରାଇଫଲ୍ ଓ ନ୍ୟୁଜିଲାଣ୍ଡର କ୍ରିଷ୍ଟୋଫର୍ ଗାଫାନି ରହିଛନ୍ତି। ଏହାଛଡ଼ା ଭାରତର ଅନୀଲ ଚୌଧୁରୀ, ସି. ଶାମସୁଦ୍ଦିନ୍, ବୀରେନ୍ଦର ଶର୍ମା, କେଏନ୍ ଅନନ୍ତପଦ୍ମନାଭନ୍, ନୀତିନ୍ ମେନନ୍, ଏସ. ରବି, ବିନୀତ୍ କୁଲକର୍ଣ୍ଣି, ଯଶୱନ୍ତ ବାର୍ଡେ, ଉଲ୍ଲାସ ଗାନ୍ଧେ, ଅନୀଲ ଦାଣ୍ଡେକର, କେ. ଶ୍ରୀନିବାସନ୍ ଓ ପଶ୍ଚିମ ପାଠକ ରହିଛନ୍ତି। ତିନି ଭେନ୍ୟୁ ମଧ୍ୟରୁ ଅବୁ ଧାବୀରେ କୋଭିଡ୍ ପ୍ରୋଟୋକଲ୍ ସବୁଠାରୁ ଅଧିକ କଡ଼ାକଡ଼ି ଥିବାରୁ ସେଠାରେ ଖେଳାଯିବା ସକାଶେ ଥିବା ମ୍ୟାଚ୍ ପାଇଁ କେତେକ ଅମ୍ପାୟାର୍ ଓ ରେଫରିଙ୍କୁ ସ୍ଥାୟୀ ଭାବେ ସେଠାରେ ରହିବାକୁ ପଡ଼ିବ। ସେହିପରି ଦୁବାଇ ଓ ଶାରଜାହରେ କୌଣସି ପ୍ରକାର ଯାତ୍ରାଜନିତ କଟକଣା ନ ଥିବାରୁ ଉଭୟ ଭେନ୍ୟୁର ମ୍ୟାଚ ପରିଚାଳନା ସକାଶେ ଅମ୍ପାୟାର୍ ଓ ରେଫରିମାନଙ୍କୁ ଦୁବାଇରେ ରଖାଯିବ। ଇତିମଧ୍ୟରେ ସମସ୍ତ ଅମ୍ପାୟାର୍ ଓ ରେଫରି ସେମାନଙ୍କ କ୍ବାରେଣ୍ଟାଇନ୍ ପିରିୟଡ୍ ଶେଷ କରିସାରିଛନ୍ତି ଓ ସମସ୍ତଙ୍କ ନମୁନା ନେଗେଟିଭ୍ ରହିଛି।

ପୁରସ୍କାର ରାଶି ୫ ଶହ ନିୟୁତ ଆମେରିକୀୟ ଡଲାର୍, ଚାମ୍ପିଅନ୍‌କୁ ୨୦୦ ନିୟୁତ
ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ସର୍ବମୋଟ ୫ ଶହ ନିୟୁତ ଆମେରିକୀୟ ଡଲାରର ପୁରସ୍କାର ବ୍ୟବସ୍ଥା ରହିଥିବା ବେଳେ ଚାମ୍ପିଅନ୍ ଟିମକୁ ୨ ଶହ ନିୟୁତ ଏବଂ ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍ ଟିମ୍‌କୁ ଯଥାକ୍ରମେ ୧୨୫ ନିୟୁତ ଓ ୮୭.୫ ନିୟୁତ ଆମେରିକୀୟ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାଛଡ଼ା ଚତୁର୍ଥ ସ୍ଥାନରେ ଥିବା ଟିକୁ ମଧ୍ୟ ୮୭.୫ ନିୟୁତ ଡଲାର୍ ପୁରସ୍କାର ରାଶି ମିଳିବ। ଆଇପିଏଲରେ ଭାଗ ନେଉଥିବା ଅନ୍ୟାନ୍ୟ କୌଣସି ସ୍ଥାନର ଟିମକୁ ପୁରସ୍କାର ରାଶି ମିଳିବାର ବ୍ୟବସ୍ଥା ନାହିଁ। ଆଇପିଏଲର ନିୟମ ଅନୁସାରେ, ପୁରସ୍କାର ରାଶିର ୫୦ ପ୍ରତିଶତ ଖେଳାଳିମାନଙ୍କ ମଧ୍ୟରେ ବଣ୍ଟାଯିବ।

ମୁମ୍ବାଇ ସର୍ବାଧିକ ଥର ଚାମ୍ପିଅନ୍, ସିଏସକେ ସବୁଠୁ ସଫଳ
ଆଇପିଏଲରେ ଶେଷ ହୋଇସାରିଥିବା ୧୨ଟି ସଂସ୍କରଣ ମଧ୍ୟରୁ ୪ଟିରେ ମୁମ୍ବାଇ ଚାମ୍ପିଅନ୍ ହୋଇ ସର୍ବାଧିକ ଟାଇଟଲ୍ ହାସଲ କରିଛି। ସେହିପରି ସିଏସକେ ୩ ଥର ଚାମ୍ପିଅନ୍ ହେବା ସହ ୫ ଥର ରନର୍ସଅପ୍ ହୋଇଛି। ଏହାଛଡ଼ା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୨ ଥର ଚାମ୍ପିଅନ୍ ହୋଇଛି। ଆହୁରି ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଓ ଦ୍ବିତୀୟ ସଂସ୍କରଣରେ ଡେକାନ୍ ଚାର୍ଜର୍ସ ଟାଇଟଲ୍ ଜିତିଥିଲେ। ସେହିପରି ସନରାଇଜର୍ସ ହାଇଦ୍ରାବାଦ ଗତ ୨୦୧୬ରେ ଚାମ୍ପିଅନ୍ ହୋଇଥିବା ବେଳେ ଅଦ୍ୟାବଧି ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍, କିଙ୍ଗ୍ସ ଏକାଦଶ ପଞ୍ଜାବ ଆଦୌ ଟାଇଟଲ୍ ଜିତିବାର ସ୍ବାଦ ଚାଖିପାରିନାହାନ୍ତି।

୩ ଭେନ୍ୟୁ, ୫୩ ଦିନରେ ୬୦ ମ୍ୟାଚ୍
ଆଇପିଏଲର ଚଳିତ ସଂସ୍କରଣରେ ୫୩ ଦିନରେ ୬୦ଟି ମ୍ୟାଚ୍ ୩ଟି ଭେନ୍ୟୁରେ ଖେଳାଯିବ। ଏଥି ମଧ୍ୟରୁ ଅବୁ ଧାବୀରେ ଉଦଘାଟନୀ ସହ ୨୦ଟି ମ୍ୟାଚ୍, ଦୁବାଇରେ ୨୪ଟି ଓ ଶାରଜାହରେ ୧୨ଟି ମ୍ୟାଚ୍ ଖେଳାଯିବ। ପ୍ଲେଅଫରେ ଖେଳାଯିବାକୁ ଥିବା ୪ଟି ମ୍ୟାଚର ଭେନ୍ୟୁ ଘୋଷଣା କରାଯାଇନାହିଁ।

ଅଧଘଣ୍ଟା ପୂର୍ବରୁ ମ୍ୟାଚ୍
ଚଳିତ ବର୍ଷ ପ୍ରଥମ ଥର ପାଇଁ ମ୍ୟାଚଗୁଡ଼ିକ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ଖେଳାଯିବ। ପୂର୍ବରୁ ରାତି ମ୍ୟାଚ୍ ୮ଟା ବେଳେ ଓ ଡବଲ୍ ହେଡର୍ ଦିନର ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟାରୁ ଆରମ୍ଭ ହେଉଥିଲା। କିନ୍ତୁ ଚଳିତ ବର୍ଷ ଦିନର ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟା ଓ ରାତିର ମ୍ୟାଚ୍ ରାତି ସାଢ଼େ ୭ଟାରୁ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ଭିଭୋ ଆଉଟ, ଡ୍ରିମ୧୧ ଇନ
ଚୀନ୍ ବିରୋଧରେ ଭାରତରେ ଚାଲିଥିବା ଅସନ୍ତୋଷ ପରିପ୍ରେକ୍ଷୀରେ ଚୀନ୍ ମୋବାଇଲ୍ କମ୍ପାନୀ ଭିଭୋ ଚଳିତ ବର୍ଷ ଟାଇଟଲ୍ ପ୍ରାୟୋଜକରୁ ଓହରିଯାଇଛି। ତେଣୁ ଏହା ସ୍ଥାନରେ ଆଇପିଏଲର ନୂଆ ଟାଇଟଲ୍ ପ୍ରାୟୋଜକ ଦାୟିତ୍ବ ଫାଣ୍ଟାସୀ କ୍ରିକେଟ୍ ପ୍ଲାଟଫର୍ମ ଡ୍ରିମ୍୧୧କୁ ମିଳିଛି।

ରୈନା ଓ ଭଜିଙ୍କୁ ମିସ୍ କରିବେ ଦର୍ଶକ
ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା ସୁରେଶ ରୈନା ଓ ଭେଟେରାନ୍ ସିଏସକେ ସ୍ପିନର୍ ହରଭଜନ ସିଂହଙ୍କୁ ନିଶ୍ଚିତ ଭାବେ କ୍ରିକେଟ୍ ପ୍ରେମୀ ମିସ୍ କରିବେ। କାରଣ ଉଭୟ ଚଳିତ ସଂସ୍କରଣରେ ଖେଳିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ବର୍ଷେ ପରେ ଫେରିବେ ମାହି
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଗତବର୍ଷ ଆଇସିସି ବିଶ୍ବକପରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମହେନ୍ଦ୍ର ସିଂହ ଧୋନି ବର୍ଷେ ପରେ ପଡ଼ିଆକୁ ଓହ୍ଲାଇବେ। ସିଏସକେର ଅଧିନାୟକ ପଦ ବଜାୟ ରଖିଥିବା ଧୋନି ଉଦଘାଟନୀ ମ୍ୟାଚରେ ଦର୍ଶକଙ୍କ ନିକଟକୁ ତାଙ୍କର ପୁରୁଣା ଆକ୍ସନ୍ ସହ ଫେରିବେ। ଗତ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ଫଳରେ ଧୋନିଙ୍କ ଫ୍ୟାନମାନେ ନିରାଶ ହୋଇଥିଲେ। କିନ୍ତୁ ସେମାନେ ଉଦଘାଟନୀ ମ୍ୟାଚ୍‌କୁ ଅପଲକ ନୟନରେ ଅପେକ୍ଷା କରିବା ସହ ମାହିଙ୍କ ଜବରଦସ୍ତ ବ୍ୟାଟିଂ ଓ ଚପଳ ୱିକେଟକିପିଙ୍ଗ୍ ପୁଣିଥରେ ଦେଖିବେ ବୋଲି ଆଶା ବାନ୍ଧିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ