ବାହାଘରର ପ୍ରାରମ୍ଭିକ ଦିନରେ କରନ୍ତୁନି ଏସବୁ ଭୁଲ, ଛାଡ଼ପତ୍ର ଯାଏ ପହଞ୍ଚିପାରେ କଥା


ଯେତେବେଳେ ଦୁଇ ଜଣ ବିବାହ କରନ୍ତି, ସେତେବେଳେ ଦୁଇଟି ପରିବାର ଏକ ହୋଇଥାନ୍ତି ଓ ବିବାହିତ ଯୋଡ଼ି ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି। ଭାରତୀୟ ପରମ୍ପରାରେ ବାହାଘରକୁ ଗୁରୁତ୍ବ ଦିଅଯାଏ। ବିବାହ କେବଳ କିଛି ଦିନର ସାଥୀ ନୁହେଁ, ବରଂ ସାତ ଜନ୍ମର ସମ୍ପର୍କ ଭାବେ ଗ୍ରହଣ କରାଯାଏ। ଜଣେ ଝିଅ ଓ ପୁଅ ପାଇଁ ବାହାଘର ଏକ ନୂଆ ବନ୍ଧନ ହୋଇଥାଏ। କିନ୍ତୁ ଝିଅମାନଙ୍କ ପାଇଁ ଏହି ଅନୁଭବ କିଛି ମାତ୍ରାରେ ନିଆରା ହୋଇଥାଏ। କାରଣ ବାହାଘର ପରେ ଝିଅଙ୍କୁ ହିଁ ଘର ଛାଡ଼ି ଶାଶୂ ଘରକୁ ଯିବାକୁ ପଡ଼ିଥାଏ। ସେଠାରେ ସେ ଏକ ନୂଆ ପରମ୍ପରାକୁ ଆପଣାଇବାକୁ ଚେଷ୍ଟା କରିଥାନ୍ତି। ବାହାଘରର ପ୍ରାରମ୍ଭିକ ଅବସ୍ଥାରେ ଦମ୍ପତିମାନେ କେତେକ ଭୁଲ କରିବା ସ୍ବାଭାବିକ କଥା। କିନ୍ତୁ ଅନେକ ସମୟରେ ଏହି ଭୁଲ ପାଇଁ ଛାଡ଼ପତ୍ର ଯାଏ ବି କଥା ପହଞ୍ଚି ଯାଏ। ଚାଲନ୍ତୁ ଜାଣିବା ବାହାଘରର ପ୍ରାରମ୍ଭିକ ଅବସ୍ଥାରେ ଦମ୍ପତିମାନେ କେଉଁସବୁ ଭୁଲ ନ କରିବା ଉଚିତ।

ବଦଳିବା ଉପରେ ଜୋର ଦିଅନ୍ତୁନି

ବାହାଘର ପୂର୍ବରୁ ପୁଅ ଝିଅ ସିଙ୍ଗଲ ଥିବାରୁ ନିଜ ମନର ରାଜା ନିଜେ ହୋଇଥାନ୍ତି। ଜୀବନ ବଞ୍ଚିବାର ଶୈଳୀ ଅଲଗା ହୋଇଥାଏ। ତେବେ ବାହାଘର ପରେ ଉଭୟେ ପରସ୍ପରର ଜୀବନଶୈଳୀରେ ନିଜକୁ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏପରି କରିବା ଠିକ ନୁହେଁ। କାରଣ କାହାରି ବି ଅଭ୍ୟାସ ରାତାରାତି ବଦଳି ଯାଏ ନାହିଁ। ଦମ୍ପତିମାନଙ୍କୁ ସବୁବେଳେ ପରସ୍ପରର ପସନ୍ଦ, ନାପସନ୍ଦ ଓ ବ୍ୟକ୍ତିଗତ ରୁଚି ଉପରେ ଧ୍ୟାନ ଦେବା ଉଚିତ। କେବେ ବି ପାର୍ଟନର ଉପରେ ନିଜର ଇଛା ଲଦି ଦେବା ଉଚିତ ନୁହେଁ। କିମ୍ବା ତାଙ୍କୁ ନିଜ ପସନ୍ଦ ଅନୁସାରେ ଚଳିବାକୁ ବାଧ୍ୟ କରନ୍ତୁନି। ଏପରି କରିବା ବନ୍ଦ ନ କଲେ ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇଯିବ।

ଅର୍ଥ ସମସ୍ୟା ନ ହେଉ

ଆଗରୁ ପୁରୁଷମାନେ କାମ କରୁଥିଲେ ଓ ମହିଳାମାନେ ଘର ସମ୍ଭାଳୁ ଥିଲେ। କିନ୍ତୁ ଏବେ ସମୟ ବଦଳି ଯାଇଛି। ଏବେ ପୁରୁଷ ଓ ମହିଳା ଉଭୟେ କାମ କରୁଛନ୍ତି। ବାହାଘର ପରେ ଟଙ୍କା ପଇସାକୁ ନେଇ ସାଧାରଣତଃ ସମ୍ପର୍କରେ ତିକ୍ତତା ଆସିପାରେ। ତେଣୁ ବାହାଘର ପୂର୍ବରୁ କିମ୍ବା ପରେ ଆର୍ଥିକ କଥାକୁ ନେଇ ପରସ୍ପର ମଧ୍ୟରେ ଆଲୋଚନା କରିଦେବା ଉଚିତ। ଏପରି କରିବା ଦ୍ବାରା ଆପଣ ନିଜ ଲାଇଫଷ୍ଟାଇଲକୁ ଆରାମରେ ମେଣ୍ଟେନ କରିପାରିବେ ଓ ସମ୍ପର୍କରେ ମଧୁରତା ରହିବ।

ବର୍ଦ୍ଧିତ କାମର ବୋଝ
ବର୍ତ୍ତମାନ ସମୟରେ ମହିଳାମାନେ ଯଦିଓ ଅଫିସରେ କାମ କରିବାରେ ଲାଗିଲେଣି, କିନ୍ତୁ ଏବେ ବି ଅନେକ ପୁରୁଷ ଭାବନ୍ତି ଘର କାମ କେବଳ ମହିଳାଙ୍କର। ଏପରିସ୍ଥଳେ ପତି ପତ୍ନୀଙ୍କ ଉପରେ ଅଫିସ କାମ ସହିତ ଘର କାମ ମଧ୍ୟ ଲଦି ଦିଅନ୍ତି। ଫଳରେ ନବବଧୂ ଉପରେ ପୂରା ଦାୟିତ୍ବ ମାଡ଼ିପଡ଼େ। ତେଣୁ ସମ୍ପର୍କରେ ତାଙ୍କୁ ଅଣନିଃଶ୍ବାସୀ ଅନୁଭବ ହୁଏ। ଏପରି କରନ୍ତୁ ନାହିଁ। ଘର କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତୁ। ଫଳରେ ତାଙ୍କ ସହିତ ସମ୍ପର୍କ ଖରାପ ହେବ ନାହିଁ।

କଥା ବୁଝିବାକୁ ଚେଷ୍ଟା ନ କରିବା

ବାହାଘର ପରେ ପାର୍ଟନର ପରସ୍ପରଙ୍କ ସହିତ କିମ୍ବା ପରିବାର ସମ୍ମୁଖରେ ଖୋଲାଖୋଲି କିଛି କହିପାରି ନ ଥାନ୍ତି। ଏହି ସମସ୍ୟା ଝିଅମାନଙ୍କ ସହିତ ଅଧିକ ହୋଇଥାଏ। କାରଣ ସେ ଏକ ନୂଆ ପରିବାରକୁ ଆସିଥାନ୍ତି। କିନ୍ତୁ ଧ୍ୟାନରେ ରଖନ୍ତୁ କିଛି କଥା ମନରେ ରଖି ରହିବା ଠିକ ନୁହେଁ। ଯେ କୌଣସି କଥା ପରିବାର କିମ୍ବା ପାର୍ଟନରଙ୍କ ସାମ୍ନାରେ ଖୋଲାଖୋଲି କହିବା ଉଚିତ। ଏପରି ନ ହେଲେ ଆଗକୁ ଯାଇ ସମ୍ପର୍କ ଖରାପ ହୋଇଯାଇପାରେ।

ପରସ୍ପରଙ୍କୁ ବୁଝନ୍ତୁ
ଗୃହସ୍ଥୀ ଜୀବନରେ ପରସ୍ପରକୁ ବୁଝିବାକୁ ସମୟ ଲାଗିଥାଏ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଯାଏ। ତେବେ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଆପଣଙ୍କ ବ୍ୟକ୍ତିଗତ ଜୀବନ ନଷ୍ଟ ହୋଇଥାଏ। ଆପଣଙ୍କ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇଯାଏ। ତେଣୁ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ