ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିଧାୟକ ପ୍ରଦୀପ ଅମାତଙ୍କୁ କୋରୋନା


ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟୁନ୍ୟ ଏକତୃତୀୟାଂଶ ସଦସ୍ୟ ଏବେ କୋରୋନାରେ କବଳିତ। ସେମାନଙ୍କ ମଧ୍ୟରୁ କେତେକ ନିଜ ଘରେ ଓ ଆଉ କେତେକ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟର ୮ ଜଣ ମନ୍ତ୍ରୀ, ୨୨ ଜଣ ବିଧାୟକ ଓ ୩ ଜଣ ସାଂସଦ କୋରୋନା ସଂକ୍ରମିତ ହୋଇଥିବା ବେଳେ ଆଉ କେତେକ ଅଧିକାରୀ ଓ ନେତା ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏହି କ୍ରମରେ ଏହି ତାଲିକରେ ଯୋଡ଼ି ହୋଇଛନ୍ତି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିଧାୟକ ପ୍ରଦୀପ କୁମାର ଅମାତ। ଏଥିସହ ବିଜେଡି ମୁଖପାତ୍ର ସୁଲତା ଦେଓ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କ ଅବସ୍ଥା ଏବେ ଭଲ ଥିବା ବେଳେ ସମସ୍ତେ ଏବେ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି। ଯେଉଁମାନେ ଏମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି।

ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ପ୍ରଦୀପ ଅମାତ, ଶଶୀଭୂଷଣ ବେହେରା, ସୁଧୀର ସାମଲ, ସରୋଜ ମେହେର ଏବଂ ବିଜେଡି ମୁଖପାତ୍ର ସୁଲତା ଦେଓ କୋଭିଡ ସଂକ୍ରମିତ ହୋଇଥିବା ଜାଣି ଫୋନ୍‌ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ତେବେ ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ଓ ସାଂସଦ କୋରୋନା ସଂକ୍ରମିତ ହୋଇଥିବାରୁ ଏବେ ଛାନିଆରେ ଲୋକେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଭେଟିବା ପାଇଁ ବହୁ ସଂଖ୍ୟାରେ ଆସୁନାହାନ୍ତି । ଫଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ଦପ୍ତର ଓ ଆବାସସ୍ଥଳୀରେ ଏକପ୍ରକାର ନିର୍ଜନତା ରାଜୁତି କରୁଛି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୭ ଜଣ ମନ୍ତ୍ରୀ କୋରୋନା କବଳରେ ପଡ଼ିଛନ୍ତି। ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଓ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କୋରୋନା କବଳରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବେ କୋରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି।

ଏହାଛଡ଼ା ବିଜେପି ବିଧାୟକ ସୁକାନ୍ତ ନାୟକ, ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌମ୍ୟରଞ୍ଜନ ପଟ୍ଟନାୟକ କୋରୋନାରୁ ସୁସ୍ଥ ହୋଇଥିବାବେଳେ ବିଧାୟକ ପ୍ରଭୁ ଜାନି, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁଧାଂଶୁ ଶେଖର ପରିଡ଼ା, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସଞ୍ଜିବ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୀତମ ପାଢ଼ୀ, ସଦାଶିବ ପ୍ରଧାନୀ, ଶଶୀଭୂଷଣ ବେହେରା, ବିକ୍ରମ ପଣ୍ଡା, ବ୍ରଜକିଶୋର ପ୍ରଧାନ,ସୁଧୀର ସାମଲ, ସରୋଜ ମେହେର, ପ୍ରଦୀପ ଅମାତ୍ ଏବେ ଗୃହ ସଙ୍ଗେରୋଧରେ ଚିକିତ୍ସାଧୀନ ଅଛନ୍ତି। ଏମାନଙ୍କ ବ୍ୟତୀତ ବିଜେଡିର ଦୁଇ ସାଂସଦ ରମେଶ ମାଝୀ ଓ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ