ଏସବିଆଇ ଜମାକାରୀଙ୍କୁ ଝଟକା: ସ୍ଥାୟୀ ଜମା ଉପରେ କମିଲା ସୁଧ ହାର


ଦେଶର ସର୍ବବୃହତ୍ ଋଣ ପ୍ରଦାନକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରେ ଆପଣ ସ୍ଥାୟୀ ଜମା (ଏଫଡି) କରିବାକୁ ଚାହୁଁଛନ୍ତି କି? ତା’ହେଲେ ଆପଣଙ୍କ ପାଇଁ ଏହି ଖବରଟି ବେଶ୍ ପ୍ରଯୁଜ୍ୟ। କାରଣ ଏସବିଆଇ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ସମୟ ସୀମାର ସ୍ଥାୟୀ ଜମା ଉପରେ ଲାଗୁ ହେଉଥିବା ସୁଧ ହାରକୁ ହ୍ରାସ କରାଯାଇଛି। ସେପ୍ଟେମ୍ବର ୧୦ ତାରିଖଠାରୁ ପିଛିଲା ଭାବେ ଲାଗୁ ହୋଇଥିବା ଏହି ପୂର୍ବରୁ ଚଳିତ ବର୍ଷ ମେ’ ୨୭ ଓ ମେ’ ୧୨ ତାରିଖରେ ଦୁଇ ଥର ବ୍ୟାଙ୍କ୍ ପକ୍ଷରୁ ସ୍ଥାୟୀ ଜମା ଉପରେ ସୁଧ ହାରକୁ ହ୍ରାସ କରାଯାଇଥିଲା। ପରିବର୍ତ୍ତିତ ସୁଧ ହାର ନୂଆ ଜମା ଓ ନବୀକରଣ ହେବାକୁ ଥିବା ଜମା ଉପରେ ଲାଗୁ ହେବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ୍ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ, ୨ କୋଟିରୁ କମ୍ ପରିମାଣର ସ୍ଥାୟୀ ଜମା ଉପରେ ସୁଧ ହାରକୁ ହ୍ରାସ କରାଯାଇଛି।

ବର୍ଷେରୁ ୨ ବର୍ଷ ମଧ୍ୟରେ ହେଉଥିବା ସ୍ଥାୟୀ ଜମା ଉପରେ ପୂର୍ବରୁ ସାଧାରଣ ନାଗରିକଙ୍କୁ ୫ ଟଙ୍କା ୧୦ ପଇସା ସୁଧ ମିଳୁଥିବା ବେଳେ ବର୍ତ୍ତମାନ ଏହା ୪ ଟଙ୍କା ୯୦ ପଇସାକୁ ହ୍ରାସ ପାଇଛି। ସେହିପରି ବରିଷ୍ଠ ନାଗରିକଙ୍କ ସକାଶେ ଉଦ୍ଦିଷ୍ଟ ସ୍ଥାୟୀ ଜମା ଉପରେ ପୂର୍ବାପେକ୍ଷା ୨୦ ପଇସା ସୁଧ ହ୍ରାସ କରାଯାଇଥିବାରୁ ଏବେ ଏହି ଜମା ଉପରେ ୫ ଟଙ୍କା ୪୦ ପଇସାର ସୁଧ ମିଳିବ। ଅନ୍ୟପକ୍ଷରେ ଏସବିଆଇ ପକ୍ଷରୁ ବରିଷ୍ଠ ଜମାକାରୀମାନଙ୍କ ସକାଶେ ଆରମ୍ଭ କରାଯାଇଥିବା ଏସବିଆଇ ୱେବକେୟାର୍ ସ୍କିମର ଅବଧିକୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଏସବିଆଇ ୱେବସାଇଟରେ ଉପଲବ୍ଧ ସୂଚନାରୁ ଜଣାପଡ଼ିଛି। ସେହିପରି ଏସବିଆଇ ଷ୍ଟାଫ୍ ଓ ଏସବିଆଇ ଭତ୍ତାଧାରୀଙ୍କୁ ପୂର୍ବାପେକ୍ଷା ୧ ପ୍ରତିଶତ ଅଧିକ ସୁଧ ମିଳିବ। ଏହାଛଡ଼ା ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବରିଷ୍ଠ ନାଗରିକ ଓ ଏସବିଆଇ ଭତ୍ତାଧାରୀମାନଙ୍କୁ ଜମା ଉପରେ .୫୦ ପ୍ରତିଶତ ଅଧିକ ସୁଧ ମିଳିବ ବୋଲି ବ୍ୟାଙ୍କ୍ ୱେବସାଇଟରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ