କିଶୋରଙ୍କ ମୁଣ୍ଡ ଉପରେ ଚାପର ପାହାଡ଼

୮୦ ପ୍ରତିଶତ ପିତାମାତାଙ୍କୁ ଅଜଣା ଏହାର ଉପାୟ

ପ୍ରାୟ ଅଧା ସଂଖ୍ୟକ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ରହିଛି ପରୀକ୍ଷାଜନିତ ଚିନ୍ତା। ୪୯ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ପରୀକ୍ଷାକୁ ନେଇ ଚାପରେ। ୧୨.୮୩ ପ୍ରତିଶତ ବିଦ୍ୟାର୍ଥୀ ନିଜ କ୍ୟାରିଅର ବାଛିବା ଦ୍ବନ୍ଦ୍ବରେ। ସେହିଭଳି ୯.୫୪ ପ୍ରତିଶତ ନିଜ ପାରିବାରିକ ସମସ୍ୟାରେ ଛନ୍ଦି ହୋଇପଡ଼ି ଗୁରୁତର ଚାପଗ୍ରସ୍ତ ଥିବା ବେଳେ ୧୧.୮୯ ପ୍ରତିଶତ ଦୁର୍ବଳ ଅର୍ଥନୀତି ଜନିତ ଚାପକୁ ବୋହି ଚାଲିଥିବା ସଦ୍ୟ ପ୍ରସ୍ତୁତ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଏଭଳି ଚାପକୁ ବିଦ୍ୟାଳୟ, ଅଭିଭାବକ ଓ ଶିକ୍ଷକମାନେ ଜାଣୁଥିଲେ ସୁଦ୍ଧା ଆଖିବୁଜି ଦେଉଥିବାରୁ ଯୁବବର୍ଗ ବିଶେଷକରି ୟଙ୍ଗ ଷ୍ଟୁଡେଣ୍ଟସ ମାନଙ୍କ ମଧ୍ୟରେ ଆତ୍ମହତ୍ୟାର ହାର ବଢ଼ି ଚାଲିଛି। ଦେଶରେ ଦୈନିକ ୬ ଜଣ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ଅନେକ ଛାତ୍ର ସ୍କୁଲ ଯିବା ପ୍ରତି ଆଗ୍ରହ ହରାଉଥିବା ବେଳେ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ବିତ୍‌ଷ୍ଣା ଭାବ ପ୍ରଦର୍ଶନ କରୁଛନ୍ତି। ପରିବାର, ପ୍ରିୟଜନ, ଗୁରୁ ତଥା ସହପାଠୀମାନଙ୍କ ଠାରୁ ଧୀରେ ଧୀରେ ଛାତ୍ରଟି ଦୂରେଇ ଯିବାରେ ଲାଗୁଛି। ଅନେକ ଚାପକୁ ନିୟନ୍ତ୍ରଣ କରି ନ ପାରି ଧୂମପାନରେ ଅଭ୍ୟସ୍ତ ହେବା ସହ କେହି ଅତ୍ୟଧିକ ମଦ୍ୟପାନ ଆଡ଼କୁ ଆକର୍ଷିତ ହେଉଛି। ଚାପଗ୍ରସ୍ତ ଛାତ୍ରଟିଏର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କେହି ଅତ୍ୟଧିକ ଭୋଜନ କରୁଥିବା ବେଳେ କେହି ନିଃସଙ୍ଗ ଭାବେ ଜୀବନ ବିତାଇବାକୁ ଚାହୁଁଛନ୍ତି। କେହି ଅତ୍ୟଧିକ ସମୟ ଶୋଇ ରହୁଥିବା ବେଳେ ଆଉ କେହି ଚାପରୁ ମୁକ୍ତି ଲାଗି ଡ୍ରଗ୍ସ ସେବନରେ ଅଭ୍ୟସ୍ତ ହୋଇ ନିଜର ବାକି ଜୀବନକୁ ଅଧିକ ସଙ୍କଟଜନକ ପରିସ୍ଥିତିରେ ପକାଇବାର ବାଟ ଖୋଲି ଦେଉଛି। ଯେଉଁ ପରିବାରରେ ପିତାମାତା ଏ ଦିଗରେ ସଚେତନ, ସେମାନଙ୍କର ପିଲା ଚାପମୁକ୍ତ ରହିବାର ବାଟ ପାଇଯାଉଛି। ହେଲେ ପରିସଂଖ୍ୟାନରୁ ଜଣାଯାଇଛି ଯେ ସାମ୍ପ୍ରତିକ ସ୍ଥିତିରେ ୯୦ ପ୍ରତିଶତ ପିତାମାତା ନିଜ ଇଚ୍ଛା ଅନୁସାରେ ପିଲାଙ୍କୁ ଗଢ଼ିବାର ସ୍ବପ୍ନ ଦେଖନ୍ତି ଓ ଠିକ ଭାବେ ଗଢ଼ିବା ବଦଳରେ ନିଜ ଅଲକ୍ଷ୍ୟରେ ପିଲାଟିକୁ ଚାପଗ୍ରସ୍ତ କରାଇ ଦିଅନ୍ତି।

କୋରୋନା ସଙ୍କଟ କାଳରେ ମଧ୍ୟ ସମସ୍ତ ପରୀକ୍ଷା ପ୍ରାୟ ସରିଯାଇଛି। ଦଶମ ଓ ଦ୍ବାଦଶର ବହୁ ପ୍ରତୀକ୍ଷିତ ଫଳ ପ୍ରକାଶ ପାଇସାରିଛି। ପରୀକ୍ଷା ଫଳ ଘୋଷଣା ହେବା ପରେ ଅକ୍‌ତକାର୍ଯ୍ୟ ହୋଇଥିବା କେତେକ ଛାତ୍ର ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି। ପ୍ରତିବର୍ଷ ପରୀକ୍ଷା ଫଳ ପ୍ରକାଶ ସମୟରେ ବିଦ୍ୟାର୍ଥୀମାନେ ଏଭଳି ଚାପର ଶିକାର ହୋଇଥାନ୍ତି। ଯୁକ୍ତ ଦୁଇରେ କଳା ନା ବିଜ୍ଞାନ ନେଇ ପଢ଼ିବେ, ତାକୁ ନେଇ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଚିନ୍ତାରେ ଥିବା ବେଳେ ଯୁକ୍ତ ଦୁଇ ପାସ କରିଥିବା ବିଦ୍ୟାର୍ଥୀମାନେ ମଧ୍ୟ କେଉଁଠି କେଉଁ ବିଷୟ ନେଇ ପଢ଼ିବେ, ତାକୁ ନେଇ ଚିନ୍ତାରେ ପଡ଼ିଥାନ୍ତି। ଦଶମ ଓ ଦ୍ବାଦଶ ଶ୍ରେଣୀ ପରେ କ୍ୟାରିଅର ଗଠନ ପାଇଁ ପ୍ରବେଶପଥ ଖୋଲୁଥିବାରୁ କେଉଁ ଲାଇନରେ ଯିବେ, ଯଥା କଳା, ବାଣିଜ୍ୟ ନା ବିଜ୍ଞାନ ନେଇ ପଢ଼ିବେ, ସେ ଚାପ ଥାଏ। ଯୁକ୍ତ ଦୁଇ ପରେ ମଧ୍ୟ ମେଡିକାଲ, ଇଞ୍ଜିନିୟରିଂ ନା ଯୁକ୍ତ ତିନି ପଢ଼ିବେ ଏବଂ ଯଦି ପଢ଼ିବେ ଦୂରରେ ନା ଘର ପାଖରେ ତାକୁ ନେଇ ମଧ୍ୟ ପ୍ରବଳ ଚାପ ପଡ଼େ।

କ୍ଲାସରେ ଭଲ ମାର୍କ ରଖିବା ପାଇଁ ଚାପ ପଡ଼େ। ଭଲ ମାର୍କ ଆଣିଲେ ସୁଦ୍ଧା କ୍ୟାରିଅର ଭଲ ନ ହେଲେ ଚାପ ଅଧିକ ପଡ଼େ। ନିଜ କ୍ୟାରିଅରକୁ ନେଇ ଉଦାସ ରହିବାକୁ ପଡ଼େ। ଯଦି ଜଣେ ଛାତ୍ର ଚାପରେ ରହେ, ତେବେ ତାର ପାଠପଢ଼ାରେ ମଧ୍ୟ ଧ୍ୟାନ ରହେ ନାହିଁ। ଗ୍ରେଡ ଉପରେ ପ୍ରଭାବ ପଡ଼େ। ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଏ। ଏଥିପାଇଁ ଛାତ୍ର ଓ ଅଭିଭାବକ ଉଭୟ ଚାପର କାରଣ ଗୁଡ଼ିକ ଜାଣି ତା’ର ହ୍ରାସ ଦିଗରେ ପଦକ୍ଷେପ ନେବା ଜରୁରୀ।

ଚାପର ଲକ୍ଷଣ

ଚାପରେ ଥିବା ୬୩ ପ୍ରତିଶତ ବିଦ୍ୟାର୍ଥୀ ନିଜ ଅଭିଭାବକଙ୍କୁ ଏ ବିଷୟରେ କୁହନ୍ତି ନାହିଁ। କୌଣସି ସାଙ୍ଗସାଥୀ ମାନଙ୍କ ସହ ସମାଧାନର ରାସ୍ତା ବାବଦରେ ଆଲୋଚନା କରି ନ ଥାନ୍ତି। କେତେକ ଛାତ୍ର ନିଜ ଉପରେ ଥିବା ଚାପର କାରଣ ବାବଦରେ ଜାଣିପାରି ନ ଥାନ୍ତି। ଏଭଳି ପରିସ୍ଥିତିରେ ପିତାମାତା ସମୟ ଦେଇ ପିଲାଟିକୁ ନିରୀକ୍ଷଣ କରି ତାର ଚାପ ଦୂର କରିବାରେ ପଦକ୍ଷେପ ନେବା ଜରୁରୀ। ପିଲାକୁ ଭୋକ ନ ହେବା, ଖେଳ ବା ବୁଲାବୁଲି କରିବାକୁ କୁଆଡ଼େ ନ ଯିବା, ଚିଡ଼ଚିଡ଼ା ସ୍ବଭାବ ବଢ଼ିବା, ନିଦ ଠିକ ଭାବେ ନ ହେବା, ନକାରାତ୍ମକ ବିଚାର ପୋଷଣ କରିବା, ମୁଣ୍ଡବ୍ୟଥା ଲାଗିରହିବା, ଅନ୍ୟକୁ ଦୋଷ ଦେବାର ପ୍ରବ୍‌ତ୍ତି ସହିତ କୌଣସି କାମକୁ ପୂରା କରିବା ଦିଗରେ ଅକ୍ଷମତା ପ୍ରକାଶ କରିବା ହେଉଛି ଚାପର ଲକ୍ଷଣ। ଏଥିପାଇଁ ନିମ୍ନୋକ୍ତ କାରଣ ଗୁଡ଼ିକ ଦାୟୀ ରହିଥାଏ।

ଚାପର କାରଣ

ପରୀକ୍ଷାର ଚାପ, ଶୈକ୍ଷିକ ଚାପ ବା ଅଧିକ ନମ୍ବର ଆଣିବାର ଚାପ, ସାଙ୍ଗସାଥୀମାନଙ୍କ ଚାପ, ସହକର୍ମୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା, ଲମ୍ବା ସମୟ ଧରି ପଢ଼ା ପ୍ରସ୍ତୁତି କରିବାର ଚାପ, ଅବସର ବିନୋଦନ ସମୟର ହ୍ରାସ, ହୋମୱାର୍କର ଚାପ, ଶୋଇବା ସମୟର ଅଭାବ, ପୁଷ୍ଟିକର ଖାଦ୍ୟର ଅଭାବ ଆଦି ମାନସିକ ଚାପକୁ ବଢ଼ାଇବାରେ ଲାଗିଛି। ଧାଁ ଦୌଡ଼ ଜୀବନରେ ବଦଳୁଥିବା ଲାଇଫଷ୍ଟାଇଲ ଛାତ୍ରଟିକୁ ଅଣନିଃଶ୍ବାସୀ କରିପକାଉଛି। ପାଠପଢ଼ାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସହିତ ପଢ଼ିବାର ବୋଝ ତାର ମସ୍ତିଷ୍କରେ ଚାପ ବଢ଼ାଇ ଚାଲିଛି।

ବଢ଼ୁଥିବା ସମସ୍ୟା

ପାଠପଢ଼ାର ବୋଝରେ ଚିନ୍ତିତ ତିନିଜଣ କିଶୋର ଦିଲ୍ଲୀରୁ ହରିଦ୍ବାର ଚାଲିଆସିଥିଲେ। ପଚାରିବାରୁ ସେମାନେ ପରୀକ୍ଷାକୁ ଡରି ଆସିଥିବା କହିଥିଲେ। ଆଉଜଣେ ଛାତ୍ର ପରୀକ୍ଷା ଉତ୍ତର ଖାତାରେ ଆତ୍ମହତ୍ୟାର ଟିପ୍ପଣୀ ଲେଖି ପାଠପଢ଼ିବାକୁ ସେ ଅଯୋଗ୍ୟ ଥିବା ବଖାଣିଥିଲେ। ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ରୀ ଟ୍ରେନ ଆଗକୁ କୁଦି ପଡ଼ିଥିଲେ। ଶିକ୍ଷା ମନୁଷ୍ୟକୁ ସଭ୍ୟ କରିଥାଏ ବୋଲି କୁହାଯାଏ। କିନ୍ତୁ ଏସବୁ ଖବର ଆମକୁ ଆଧୁନିକ ଶିକ୍ଷାପଦ୍ଧତିର ବିଷମ ପରିଣାମ ବୋଲି ପ୍ରତୀତ କରାଇବାକୁ ବାଧ୍ୟ କରିଥାଏ। ପ୍ରାଚୀନ ଗୁରୁକୁଳ ଶିକ୍ଷା ଚାପମୁକ୍ତ ଥିଲା। ଶାରୀରିକ ଶ୍ରମ, ଏକାଠି ସବୁପ୍ରକାର କାମ କରିବା ସହ ଶିଖିବାର ଦକ୍ଷତା ବ୍‌ଦ୍ଧି ଉପରେ ଫୋକସ ଥିଲା। ଏବର ଶିକ୍ଷା ଆହ୍ବାନପୂର୍ଣ୍ଣ ହୋଇଯାଇଛି। ଭଲ ପ୍ରଦର୍ଶନ ପାଇଁ ପ୍ରତି ପରିବାରର ଚାପ ରହିଛି। କେତେକ ଛାତ୍ର ଚାପ ସହିପାରନ୍ତି। ଆଉ କେତେକ ଛାତ୍ର ପିତାମାତାଙ୍କ ପ୍ରତି ଉଗ୍ର ହୋଇଉଠନ୍ତି। ଏଭଳି ସ୍ଥିତିରେ ସେମାନେ ବହୁତ କମ ଖାଆନ୍ତି ବା ବେଶି ଖାଦ୍ୟ ଖାଇଥାନ୍ତି। ଶିକ୍ଷକ ଓ ଅଭିଭାବକ ଛାତ୍ରକୁ ନେଇ ସବୁବେଳେ ଉଚ୍ଚ ଆଶା ଦେଖନ୍ତି। କେବଳ ଦିଲ୍ଲୀରେ ପ୍ରତି ମାସରେ ଏହି କାରଣରୁ ୪ ଜଣ ଛାତ୍ର ଆତ୍ମହତ୍ୟା କରନ୍ତି।

ସମାଧାନର ସରଳ ଉପାୟ
ବିଦ୍ୟାର୍ଥୀଙ୍କ ଚାପ ଦୂର ପାଇଁ ଅନେକ ଗବେଷଣା ସଂସ୍ଥା ଭିନ୍ନ ଭିନ୍ନ ନିଷ୍କର୍ଷରେ ପହଞ୍ଚିଛନ୍ତି। ୱାଶିଂଟନ ଷ୍ଟେଟ ୟୁନିଭରସିଟି ପକ୍ଷରୁ କୁହାଯାଇଛି ଯେ ଚାପରେ ଥିବା ଛାତ୍ରମାନେ ବିଲେଇ ଓ କୁକୁରଙ୍କ ସହ ସମୟ ବିତାନ୍ତୁ। ୧୦ ମିନିଟ ଏଭଳି ସମୟ ବିତାଇଲେ ଅଧିକ ଲାଭ ମିଳିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ୍‌ଜାମ ୱାରିଅର ପୁସ୍ତକର ତଥ୍ୟ ଅନୁଯାୟୀ ପରିବାର ଓ ସାଙ୍ଗସାଥୀମାନଙ୍କ ସହିତ ବାର୍ତ୍ତା ବିନିମୟର ସୁଯୋଗ ସ୍‌ଷ୍ଟି କରିବା ଉଚିତ। ସ୍ବାସ୍ଥ୍ୟ ପ୍ରତି ଦ୍‌ଷ୍ଟି ଦେବାର ଆବଶ୍ୟକତା ରହିଛି। ପରିବାରରେ ଏକ ସକାରାତ୍ମକ ପରିବେଶ ସ୍‌ଷ୍ଟି ହେବା ଦିଗରେ ପ୍ରାଥମିକତା ଦେବା ଉଚିତ। ସଙ୍ଗୀତ, ନ୍‌ତ୍ୟ, ଚିତ୍ରାଙ୍କନ ପ୍ରତି ଆକର୍ଷଣ ବଢ଼ାଇବା ଉଚିତ।

ତାମିଲନାଡ଼ୁର ଜଣେ ୧୯ ବର୍ଷୀୟା ଛାତ୍ରୀ ୧୩ ସେପ୍ଟେମ୍ବର ରବିବାର ଦିନ ଆୟୋଜିତ ନିଟ ପରୀକ୍ଷାର ଚାପ ଯୋଗୁ ଆତ୍ମହତ୍ୟା କରିଛନ୍ତି। ମଦୁରାଇର ଏହି ଛାତ୍ରୀ ପରୀକ୍ଷାକୁ ନେଇ ଚାପରେ ଥିଲେ। ପରିବାର ଉଦ୍ଦେଶ୍ୟରେ ଜ୍ୟୋତିଶ୍ରୀ ନାମ୍ନୀ ଏହି ଛାତ୍ରୀ ଲେଖିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ମୋତେ ନେଇ ଆପଣମାନଙ୍କ ମନରେ ଥିବା ଆକାଂକ୍ଷାକୁ ମୁଁ ପୂରଣ କରିପାରୁ ନାହିଁ। ମୁଁ ଏ ପରୀକ୍ଷାରେ ବିଫଳ ହେଲେ ଆପଣମାନଙ୍କ ସ୍ବପ୍ନ ଧୂଳିସାତ ହୋଇଯିବ। ମୋତେ କ୍ଷମା ଦିଅ। ମୁଁ ଥକି ପଡ଼ିଛି। ଜ୍ୟୋତିଶ୍ରୀଙ୍କ ଏହି ଚିଠି କେତେ ପିତାମାତାଙ୍କୁ ଏଭଳି ନିଜ ସନ୍ତାନମାନଙ୍କ ଉପରେ ଚାପ ନ ପକାଇବାକୁ ପ୍ରେରିତ କରିପାରିବ, ତାହା ଅଜଣା ହେଲେ ଜ୍ୟୋତି ଆଜି ଲିଭିଯାଇଛି ଏହା ସତ୍ୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ