ଦିଲ୍ଲୀ ଦଙ୍ଗା ମାମଲା: ଷଡ଼ଯନ୍ତ୍ରକାରୀ ସୂଚୀରେ ୟେଚୁରୀ ଓ ଯାଦବଙ୍କ ନାମ


ଗତ ଫେବ୍ରୁଆରୀରେ ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ଦଙ୍ଗା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଆପ୍ ନେତା ତାହିର୍ ହୁସେନଙ୍କୁ ଗିରଫ କରାଯାଇସାରିଥିବା ବେଳେ ଶନିବାର ପୋଲିସ୍ ଚାର୍ଜଶିଟ୍ ଦାଖଲ କରିଛି। ଏହି ଚାର୍ଜଶିଟରେ ଅନେକ ପ୍ରମୁଖ ନେତାଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ଅର୍ଥାତ୍ ଏହି ନେତାମାନେ ଦିଲ୍ଲୀ ଦଙ୍ଗା ସୃଷ୍ଟି କରିବା ପଛରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ନେତାଙ୍କ ମଧ୍ୟରେ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ, ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର ତଥା ସାମାଜିକ କର୍ମୀ ଅପୂର୍ବାନନ୍ଦ, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ରାହୁଲ୍ ରୟ ପ୍ରମୁଖ। ଏହି ନେତା ଓ ସାମାଜିକ କର୍ମୀମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀମାନଙ୍କୁ ହିଂସାତ୍ମକ ଆଚରଣ ପାଇଁ ଉସୁକାଇଥିଲେ। ସିଏଏ ଓ ଏନଆରସିକୁ ମୁସଲିମ୍ ବିରୋଧୀ ବୋଲି ଦର୍ଶାଇବା ସହ ଏହି ନେତାମାନେ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ସକାଶେ ସରକାରୀ ନୀତିର ବିରୋଧ ଆଳରେ ହିଂସା ସୃଷ୍ଟି କରିଥିଲେ ବୋଲି ଉକ୍ତ ଚାର୍ଜଶିଟରେ ଦର୍ଶାଯାଇଛି।

ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଫେବ୍ରୁଆରୀ ୨୩ରୁ ୨୬ ତାରିଖ ମଧ୍ୟରେ ଉତ୍ତର-ପୂର୍ବ ଦିଲ୍ଲୀ ଅଞ୍ଚଳରେ ଘଟିଥିବା ଏହି ଦଙ୍ଗାରେ ୫୩ ଜଣଙ୍କ ଜୀବନ ଯାଇଥିବା ବେଳେ ୫୮୧ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୭ ଜଣ ପୋଲିସ ଗୁଳିରେ ଆହତ ହୋଇଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ୍ ପକ୍ଷରୁ କୋର୍ଟରେ ଦାଖଲ ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ଏହି ନେତା ଓ ସାମାଜିକ କର୍ମୀଙ୍କ ନାମ ସ୍ଥାନ ପାଇଛି। ଦିଲ୍ଲୀ ଦଙ୍ଗା ମାମଲାରେ ପୋଲିସ୍ ତିନି ଜଣ ଛାତ୍ରୀ ପିଞ୍ଜରା ତୋଡ୍ ସଦସ୍ୟ ଓ ଜବାହରଲାଲ୍ ନେହରୁ ୟୁନିଭର୍ସିଟି (ଜେଏନୟୁ) ବିଦ୍ୟାର୍ଥୀ ଦେବାଙ୍ଗନା କାଲିତା ଓ ନତାଶା ନରୱଲଙ୍କୁ ପଚରାଉଚରା କରିବା ସମୟରେ ସେମାନେ ଏହି ନେତା ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ନାମ ନେଇଥିବା କୁହାଯାଇଛି। ଏହାଛଡ଼ା ପୋଲିସ୍ ମଧ୍ୟ ତାମିଆ ମିଲିଆ ଇସଲାମିଆ ଛାତ୍ରୀ ଗୁଲଫିଶା ଫାତିମାଙ୍କୁ ଜାଫରାବାଦ ହିଂସାକାଣ୍ଡ ମାମଲାରେ ପଚରାଉଚରା କରିଥିଲା। ଜାଫରାବାଦରେ ହିଂସାକାଣ୍ଡ ଘଟିବା ପରେ ଏହା ଉତ୍ତର-ପୂର୍ବ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ପୋଲିସର ପଚରାଉଚରା ବେଳେ କାଲିତା ଓ ନରୱଲ୍ ଘୋଷ, ଅପୂର୍ବାନନ୍ଦ ଓ ରୟଙ୍କୁ ସେମାନଙ୍କ ମେଣ୍ଟର ଭାବେ ଦର୍ଶାଇଛନ୍ତି। ଏହି ତିନି ଜଣ ପ୍ରମୁଖ ବ୍ୟକ୍ତିବିଶେଷ ସିଏଏ ଓ ଏନଆରସି ବିରୋଧୀ ଆନ୍ଦୋଳନରେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇବାକୁ ଏକରକମ ଲାଇସେନ୍ସ ଦେଇଦେଇଥିଲେ ବୋଲି ଉପରୋକ୍ତ ତିନି ଜଣ ଅଭିଯୁକ୍ତ ଦର୍ଶାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ