ଏଥର ଫିକା ପଡ଼ିପାରେ ପୂଜା ବଜାର, ଜାଣନ୍ତୁ କାହିଁକି


ସୋମବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର କୋର୍ଟପେଟା ସାହି ପୂଜାକମିଟି ଦଶହରା ପୂଜାର ଅନୁମତି ପ୍ରସଙ୍ଗ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ କହିବା କଥା ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରୁ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ଓ ନୂଆ ସଂକ୍ରମିତଙ୍କ ସଂଖ୍ୟା ଢେର କମିଛି। ସେମାନଙ୍କୁ ଏଥର ପୂଜା ପାଇଁ ଅନୁମତି ମିଳୁ। ଉପଜିଲାପାଳ ସେମାନଙ୍କ ଆବେଦନ ରଖିଛନ୍ତି। ନିଷ୍ପତ୍ତି ଶୁଣାଇ ନାହାନ୍ତି। କେବଳ କୋର୍ଟପେଟା ନୁହେଁ, କିମ୍ବା ବ୍ରହ୍ମପୁର ସହର କି ଗଞ୍ଜାମ ଜିଲା ନୁହେଁ,ସାରା ଦେଶରେ ଚଳିତ ବର୍ଷ ଦଶହରା, ଦୀପାବଳି, କୁମାର ପୂର୍ଣ୍ଣମୀ ପାଳିତ ହେବ କି ନାହିଁ ତାକୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଲୋକଙ୍କ ଉତ୍ସାହ କମିଯାଇଛି।

ମୁମ୍ବାଇରେ ଦେଶର ବହୁଚର୍ଚ୍ଚିତ ଗଣେଶ ପୂଜା ବିନା ଉତ୍ସାହ, ଆକର୍ଷଣ ଓ ସାଜସଜ୍ଜାରେ ଘରମାନଙ୍କରେ ହେଲା। ସାର୍ବଜନୀନ ମଣ୍ଡପ ଗୁଡ଼ିକରେ ବିରାଜି ନ ଥିଲେ ଗଣନାୟକ। ଗଣେଶ ପୂଜା ପାଇଁ ୧୦ ଦିନ ଚଳଚଞ୍ଚଳ ରହୁଥିବା ମୁମ୍ବାଇର ସଡ଼କରେ ପୂର୍ବ ବର୍ଷମାନଙ୍କ ଭଳି ଭିଡ଼ ନ ଥିଲା। ଲାଉଡ ସ୍କିକର ନିରବି ଯାଇଥିଲା। ତୋରଣ ନ ଥିଲା। ମେଲୋଡ଼ିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନ ଥିଲା। ସମୁଦ୍ର କୂଳରେ ମନୋଜ୍ଞ ବିସର୍ଜନ ମଧ୍ୟ ଦେଖିବାକୁ ମିଳି ନ ଥିଲା। ମୂର୍ତ୍ତି ନିର୍ମାତା, ଶ୍ରମିକ, ଟେଣ୍ଟ ଲଗାଉଥିବା ଠିକାଦାର, ଦୋକାନୀ, ମେଲୋଡ଼ି କଳାକାର, କଣ୍ଠଶିଳ୍ପୀ, ମିଠା ବଜାରର ରୋଜଗାରକୁ ଛଡ଼ାଇ ନେଇଛି କୋରୋନା ମହାମାରୀ ପାଇଁ ଲାଗିଥିବା କଟକଣା।

ଗଣେଶ ଚତୁର୍ଥୀ ଏବଂ ଓନମ ପରେ ଆଗକୁ ଆସୁଛି ବିଶ୍ବକର୍ମା ପୂଜା, ନବରାତ୍ରି, ଦଶହରା, କୁମାର ପୂର୍ଣ୍ଣିମା, ଦୀପାବଳି। ଏସବୁ ପର୍ବରେ ନୂଆ ନୂଆ ଘରକରଣା, ଗାଡ଼ିମଟର, ଟିଭି ଫ୍ରିଜ, ମିଠା ଓ ସୁନା ଅଳଙ୍କାର ଆଦିରେ ଦୁଇ ପଇସା ଖର୍ଚ୍ଚ ହୁଏ। ଭିଡ଼ ହୁଏ ବଜାରରେ। ଗତବର୍ଷ ଦୁଇଚକିଆ ଯାନର ୩୦ ପ୍ରତିଶତ ଅଧିକ ବିକ୍ରି ପୂଜା ଋତୁରେ ହିଁ ହୋଇଥିଲା। ରେଟିଂ ଏଜେନ୍ସି କ୍ରସିଲ ପଏଣ୍ଟରୁ ମିଳିଛି ଏଭଳି ତଥ୍ୟ। ଏହା ବ୍ୟତିରେକ ବିଭିନ୍ନ ଘରକରଣା ଦ୍ରବ୍ୟର ୩୫ରୁ ୪୦ ପ୍ରତିଶତ ବିକ୍ରି ସେପ୍ଟେମ୍ବରରୁ ନଭେମ୍ବରର ପୂଜା ଋତୁରେ ହିଁ ହୋଇଥାଏ। ପାର୍ବଣ ଋତୁରେ ଲୋକେ ଘରୁ ବାହାରକୁ ଆସିଥାନ୍ତି ଆଉ ମନ ଖୋଲି ଖର୍ଚ୍ଚ କରିଥାନ୍ତି। ବର୍ଷ ବର୍ଷର ଭାରତୀୟ ପାରମ୍ପରିକ ଧାରା ଉପରେ ନଜର ପକାଇଲେ ଏଇକଥା ଦେଖିବାକୁ ମିଳେ। ଫ୍ୟାଶନ, ରିଟେଲର ଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ ଯାଏ ବିଭିନ୍ନ କ୍ଷେତ୍ରରେ ଅଂଶୀଦାରମାନେ ପୂଜା ବଜାରକୁ ଅପେକ୍ଷା କରିଥାନ୍ତି।

କିନ୍ତୁ କୋରୋନା ମହାମାରୀର ସଂକ୍ରମଣ ବ୍ୟାପୁଥିବାରୁ ଚଳିତ ବର୍ଷର ପାର୍ବଣ ଋତୁରେ ଉପଭୋକ୍ତା ବଜାରରେ ବହୁଳ ସଂଖ୍ୟାରେ ଦେଖିବାକୁ ମିଳି ନ ପାରେ। କିନ୍ତୁ କିଣାବିକା ଓ ବଜାରରେ ଗହଳି ଚହଳି ଏପ୍ରିଲରୁ ଜୁନ ଏବଂ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଯାହା ଥିଲା ତା’ ଠାରୁ ଢେର ଭଲ ରହିବ। କିନ୍ତୁ ଏଥର ପାର୍ବଣ ଋତୁରେ ଗ୍ରାହକ ଦେଖିଚାହିଁ ଖର୍ଚ୍ଚ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଉପଭୋକ୍ତାମାନେ ଖର୍ଚ୍ଚ କମାଇଛନ୍ତି। ଘରୋଇ ବ୍ୟବହାର ଖର୍ଚ୍ଚ ଏପ୍ରିଲ-ଜୁନ ପ୍ରଥମ ତ୍ରୟମାସିକ ଜିଡିପି ରିପୋର୍ଟରେ ୨୬,.୭ ପ୍ରତିଶତ ହ୍ରାସ ପାଇଛି। ବ୍ୟକ୍ତିଗତ ଘରୋଇ ଖର୍ଚ୍ଚରେ ଏଭଳି ଏକ ଚତୁର୍ଥାଂଶ ହ୍ରାସ ପରବର୍ତ୍ତୀ ତିନିମାସରେ ଯେ ଭରଣା କରିହେବ, ତା’ର ନିଶ୍ଚିତତା ନାହିଁ।

ସଙ୍କଟରେ ଜୀବିକା: ଲୋକେ ଖର୍ଚ୍ଚକୁ ଡରୁଛନ୍ତି
ସିଏମଆଇଇର ଗ୍ରାହକ ପିରାମିଡ ହାଉସ ପୁଲ ସର୍ଭେ ଅନୁଯାୟୀ ମାର୍ଚ୍ଚରୁ ଜୁନ ମଧ୍ୟରେ ୮୫ ମିଲିଅନ ଲୋକ ଚାକିରି ହରାଇଛନ୍ତି। ଏମଏସଏମଇ କ୍ଷେତ୍ରରେ ଏବେ ଏକ ତ୍‌ତୀୟାଂଶ ଚାକିରି ବିପଦସଙ୍କୁଳ ସ୍ଥିତିରେ। କେବେ ଯେ ହଜିଯିବ କହିହେଉନି। ଯେଉଁମାନଙ୍କର ଚାକିରି ରହିଯାଇଛି, ସେମାନଙ୍କର ଦରମା କଟାଯାଉଛି। ଅନେକଙ୍କୁ ଛୁଟିରେ ପଠାଯାଇଛି। କାମ ନାହିଁ ତ ଦରମା ନାହିଁ କୁହାଯାଇଛି। ସେମାନେ ପୂଜା ବଜାରକୁ କିଭଳି ଦେଖିବେ, ତାହା ବଡ଼ ପ୍ରଶ୍ନ। ତେଣେ ଟାଟା ଗ୍ରୁପ, ବଜାଜ ଅଟୋ, ହିରୋ ମୋଟୋକର୍ପ, ମାରୁତି ସୁଜୁକି, ଆପୋଲୋ ଟାୟାର ଏବଂ ଗଡରେଜ କଞ୍ଜ୍ୟୁମର ପ୍ରଡକ୍ଟରେ କାରବାର ଫିକା। କୋରୋନା ବ୍ୟାପିବା ସହିତ ଲକଡାଉନ, ଶଟଡାଉନ ଘୋଷଣା ଫଳରେ ବଜାରରେ ତାଲା ଝୁଲିଲା। ସଦ୍ୟ ପ୍ରକାଶିତ ଜିଡିପି ରିପୋର୍ଟରେ ଏହାର ପରିଣାମ ପ୍ରତିଫଳିତ ହୋଇଛି। ଖର୍ଚ୍ଚ କରିବାରେ ଲୋକଙ୍କ ବିମୁଖତା ଆଗାମୀ କିଛି ମାସ ରହିପାରେ।

ସେପଟେ ଲୋକଙ୍କ ସଞ୍ଚୟ ବଢ଼ିଛି। ମାର୍ଚ୍ଚ ୨୭ରୁ ଅଗଷ୍ଟ ୧୪ ମଧ୍ୟରେ ନିର୍ଦ୍ଦିଷ୍ଟ ଅବଧି ଜମା ଓ ଫିକ୍ସଡ ଡିପୋଜିଟ ୬.୭ ଟ୍ରିଲିଅନକୁ କୁଦା ମାରିଛି। ଗତବର୍ଷ ଠିକ ଏହି ଅବଧିରେ ୩ ଟ୍ରିଲିଅନ ସଞ୍ଚୟ ଥିଲା। ଚଳିତ ବର୍ଷ ୪୫ ପ୍ରତିଶତ ଅଧିକ ସଞ୍ଚୟ ବଢ଼ିଛି। ଅପରପକ୍ଷେ ଲୋକେ ନିଜର ପୁରୁଣା ଋଣ ସୁଝିବା ସହିତ ନୂଆ ଋଣ ନେଇ ନାହାନ୍ତି। ସାରା ଦେଶର ସ୍ଥିତିକୁ ଦେଖିଲେ, ଲୋକେ ଅଧିକ ସଞ୍ଚୟ କରିଛନ୍ତି ଓ କମ ଋଣ କରିଛନ୍ତି।

ଭିଡ଼ ମାନସିକତା
ଯେଉଁ ସମୟରେ ଭିଡ଼ ହୁଏ, ସେ ସମୟରେ ବେଶି କିଣାବିକା ହୁଏ। ଘରୁ ବାହାରକୁ ଆସିଥିବା ଲୋକେ କିଣାକିଣି କରନ୍ତି। ପରିବହନ ବ୍ୟବସ୍ଥା, ଆତିଥେୟତା, ମନୋରଞ୍ଜନ, ସାଂସ୍କ୍‌ତିକ କାର୍ଯ୍ୟକ୍ରମ ଉପରେ କଟକଣା ଯୋଗୁ ଲୋକେ ଚାହୁଁଥିବା ସ୍ଥାନକୁ ଯାଇପାରନ୍ତିନି। ଦୁର୍ଗାପୂଜାରେ ବର୍ଷ ବର୍ଷର ବୁଲିଯିବା ଧାରାରେ ଚଳିତବର୍ଷ ଟ୍ରେକ ଲାଗିଥିବାରୁ ନିଶ୍ଚିତ ବଜାରରେ ଭିଡ଼ ହେବନି। କିଣାବିକା କମିବ। ଅନଲାଇନରେ ନୂଆ ଟ୍ରେଣ୍ଡ ଦେଖିବାର ଆଶା କରାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ