ଶୂନ ରେଜଲ୍ଟ କରିଥିବା ୧୫ କଲେଜକୁ ନୋଟିସ୍‌


ଭୁବନେଶ୍ୱର: ଗତ ୧୨ ତାରିଖ ବୁଧବାର ପ୍ରକାଶ ପାଇଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍‌ ହାର ୭୦.୨୧ ପ୍ରତିଶତ ହୋଇଥିବା ବେଳେ ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ସେହିପରି ୧୫ଟି କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ତେବେ ଶୂନ ରେଜଲ୍ଟ୍‌ କରିଥିବା ଏହି ୧୫ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ। ଆସନ୍ତା ୭ ଦିନ ଭିତରେ ନୋଟିସ୍‌ର ଜବାବ ଦେବାକୁ କୁହାଯାଇଛି।

କାହିଁକି ଶୂନ ଫଳାଫଳ ହେଲା ସେ ବାବଦରେ ୭ ଦିନ ମଧ୍ୟରେ ଜବାବ ରଖିବାକୁ ଏହି ନୋଟିସ୍‌ରେ ନିର୍ଦେଶ ଦିଆଯାଇଛି। ଏଥିସହିତ ଏବର୍ଷ ନାମଲେଖା ଅନୁମତିକୁ କାହିଁକି ରଦ୍ଦ ନ କରାଯିବ ଏବଂ ଉକ୍ତ ବିଦ୍ୟାଳୟମାନଙ୍କରେ ବିଜ୍ଞାନ ପାଠ୍ୟକ୍ରମକୁ ମଧ୍ୟ କାହିଁକି ରଦ୍ଦ ନ କରାଯିବ ସେନେଇ ମଧ୍ୟ କାରଣ ଦର୍ଶାଇବାକୁ ଏହି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।  ୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ନ ଦେଲେ କଲେଜର ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଯେଉଁ ସ୍କୁଲ୍‌ ଗତ ବର୍ଷ ଓ ଚଳିତ ବର୍ଷ ଶୂନ୍ୟ ଫଳାଫଳ ଦେଇଛନ୍ତି, ସେମାନଙ୍କ ସ୍ୱୀକୃତି ତୁରନ୍ତ ପ୍ରତ୍ୟାହାର ହେବ। ୩୧ଟି ସ୍କୁଲ ଯେଉଁଠି ମାଟ୍ରିକ୍‌ ଫଳ ଶୂନ୍ୟ ଆସିଛି, ସେମାନଙ୍କୁ ବି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପାସ୍‌ ହାର ୭୦.୨୧ ପ୍ରତିଶତ ହୋଇଥିଲା। ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍‌ ହାର କମିଛି। ଗତବର୍ଷ ପାସ୍‌ହାର ୭୨ ପ୍ରତିଶତ ଥିଲା। ଚଳିତ ବର୍ଷ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲା, ସେମାନଙ୍କ ମଧ୍ୟରୁ ୬୮ ହଜାର ୩୭୪ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ଚଳିତ ବର୍ଷ ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ସେହିପରି ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ୧୩୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ହାରରେ ନୟାଗଡ଼ ଜିଲ୍ଲା ସର୍ବାଧିକ ୮୬.୫୧ ପ୍ରତିଶତ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ  ୪୦.୭୧ ପ୍ରତିଶତ ରହିଛି। ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା ଯୁକ୍ତ ୨ ବିଜ୍ଞାନ ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ସରସ୍ପତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଟାଙ୍ଗୀ ଟେଟ୍ରାହେଡ୍ରନ୍‌ ସ୍କୁଲ୍‌ର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ