ଓଡ଼ିଶା ବାହାରେ ୩ଟି ଓଜେଇଇ ପରୀକ୍ଷା କେନ୍ଦ୍ର


ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗତବର୍ଷ ମାତ୍ର ୮ଟି ସହରର ୨୪ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ମାତ୍ର ଚଳିତ ବର୍ଷ ରାଜ୍ୟ ଭିତରେ ୨୧ଟି ସହର ଓ ରାଜ୍ୟ ବାହାରେ ୩ଟି ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ରାଜ୍ୟ ବାହାରେ ରାଞ୍ଚି, ପାଟଣା ଓ କୋଲକତାରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି।  ସେହିପରି ରାଜ୍ୟରେ ଆଉ କେତେକ ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆବେଦନକାରୀ ଅନଲାଇନ ଯୋଗେ ନିଜ ପରୀକ୍ଷା କେନ୍ଦ୍ର ବଦଳାଇ ପାରିବେ।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି, କୋଭିଡ୍‌-୧୯ ସମୟରେ ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହାକୁ ଦୃଷ୍ଟିରେ ରଖି ଅଧିକ ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଜେଇଇରୁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ବାଦ୍‌ ପଡ଼ିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ବାହାରେ ପରୀକ୍ଷା କେନ୍ଦ୍ର କରାଯାଉଛି। ପରୀକ୍ଷା ତାରିଖ ‌ସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ପୂର୍ବରୁ ଅନୁଗୁଳ, ବାଲେଶ୍ବର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଜୟପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ରାଉରକେଲା, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ବଲାଙ୍ଗିର, ପାରଳାଖେମୁଣ୍ଡି(ଗଜପତି), ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼, ଫୁଲବାଣୀ(କନ୍ଧମାଳ) ସହରରେ ବି ପରୀକ୍ଷା କେନ୍ଦ୍ର କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଥିବେ, ସେମାନେ ଅଗଷ୍ଟ ୧୩ରୁ ୧୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ପୋର୍ଟାଲରେ ଆବେଦନ କରିପାରିବେ ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ