ଆଜି ପବିତ୍ର ଜନାଷ୍ଟମୀ: ନିଶାର୍ଦ୍ଧରେ ଜନ୍ମନେବେ କଳାକାହ୍ମୁ


ଆଜି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ପବିତ୍ର ଜନ୍ମାଷ୍ଟମୀ। କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ। ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ। ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ। ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ ରୂପେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏହି ଉତ୍ସବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ। ଏହି ଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି।

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ
ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ସ୍ବତନ୍ତ୍ର ନୀତିକାନ୍ତି କରାଯାଏ। ସନ୍ଧ୍ୟାଧୂପ ପୂଜା ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ। ସୁଦୁସୁଆର ସେବକ ଭଣ୍ଡାର ଦ୍ୱାର ଆଗରେ ପୋଛା ମାରନ୍ତି। ପରେ ପୂଜାପଣ୍ଡା ସେବକ ପାଞ୍ଚ ବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ କାଟିବେ। ପୂଜାପଣ୍ଡା ବସ୍ତ୍ରରେ ଗୃହ ନିର୍ମାଣ କରିବେ ଦ୍ୱାରଦେଶରେ ଦୁଇଜଣ ଦ୍ଵାରପାଳ ମୂଷଳାୟୁଧ ଧାରଣ କରି ଦଣ୍ଡାୟମାନ ଚିତ୍ର କରାଯାଏ। ପୁନଃ ଷଷ୍ଠୀ ଦେବୀ ସେଠାରେ ଅବସ୍ଥାନ କରନ୍ତି। ମଣ୍ଡଳ ନିକଟରେ ଶାଳ କିମ୍ବା ଶ୍ରୀପର୍ଣ୍ଣ କାଠରେ ଗୋଟିଏ ଭଦ୍ର ପୀଠାସନ ରଖାଯାଏ। ସେହି ଆସନ ଉପରେ ଚିତ୍ରପଟ ରଖାଯାଇ ଚିତ୍ରପଟରେ ଗୋଟିଏ ପଦ୍ମ ଅଙ୍କାଯାଇଥାଏ। ଏହାପରେ ଗମ୍ଭୀରା ସମ୍ମୁଖ ଅଞ୍ଚଳରେ ପାଣି ପଡ଼ି ଧୁଆ ହୋଇଥାଏ। ସୁଦୁସୁଆର ମଣ୍ଡଳ ପାଖରେ ପୂଜା କରାଯାଇଥାଏ। ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ଜନ୍ମ ଚକଡ଼ାରେ ବସି ସଂକଳ୍ପ ବାକ୍ଯ କରି କଳସରେ ବରୁଣପୂଜା କରିଥାନ୍ତି। ଏଭଳି ବିଭନ୍ନ ନୀତିକାନ୍ତି ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଶୀତଳ ଭୋଗ ମଣୋହୀ କରିଥାନ୍ତି। ଶଷରେ ଉଗ୍ରସେନଙ୍କ ଦଣ୍ଡପ୍ରଣାମ ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି। ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିଥିଲେ। ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିବେ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ। ଏଠି ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭ ଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ଼ ପ୍ରସାଦ ଲାଗି କରାଯାଇଥାଏ। ଏହାପରେ ନାଭିକଟା ମଣ୍ଡପଠାରେ ମଦନମୋହନ ଓ ରାମକୃଷ୍ଣ ଖଟଶେଯ ଉପରେ ବିଜେ କରାଯାଏ। ଏହାପରେ ମହାଜନ ସେବକ ଠାକୁରଙ୍କୁ ଜଗମୋହନରେ ଲଗାଯାଇଥିବା ଦୋଳିରେ ବିଜେ କରନ୍ତି। ମଦନମୋହନ ରାମକୃଷ୍ଣ ଦୋଳିରେ ବିଜେ କରିବା ପରେ ଶୀତଳ ଭୋଗ ସମ୍ପନ୍ନ ହେବ। ଏହାପରେ ଭିତରେ ପାଣିପଡ଼ି ବଡ଼ସିଂହାର ଭୋଗ ଓ ପହୁଡ଼ ନୀତି ସମ୍ପନ୍ନ ହେବ।

କୃଷ୍ଣ ଜନ୍ମର ପୌରାଣିକ ତତ୍ତ୍ବ
ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଦ୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ। ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

ଜନ୍ମାଷ୍ଟମୀ କେଉଁଠି କେମିତି
ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ। ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି। ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ। ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ। ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶି ଜାଣିଥାନ୍ତି। ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମନାମରେ ଲୋକପ୍ରିୟ। ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ। କୃଷ୍ଣଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି। କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି।

ଜନ୍ମାଷ୍ଟମୀ ପାଇଁ ଶୁଭେଚ୍ଛା
ଜନ୍ମାଷ୍ଟମୀ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ lskରୋନା ମହାମାରୀରୁ ମାନବ ସମାଜକୁ ମୁକ୍ତି ମିଳୁ ଏବଂ ସମସ୍ତଙ୍କ ଜୀବନ ସୁଖମୟ ଓ ଆନନ୍ଦମୟ ହେଉ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ବର୍ତ୍ତମାନର କଠିନ ସମୟ ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ଟ୍ବିଟ୍‌ କରି କହିଛନ୍ତି। ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତ ଦେଶବାସୀଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭକାମନା। ଜୟ ଶ୍ରୀ କୃଷ୍ଣ। ବୋଲି ଟ୍ବିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରୀ, ହେ ନାଥ ନାରାୟଣ ବାସୁଦେବ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେହିପରି ଅନେକ ବ୍ୟକ୍ତି ବିଶେଷ ଏବଂ ରାଜନେତା ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ