କେମିତି ହେବ କୋରୋନା ଭ୍ୟାକସିନ୍ ପରବର୍ତ୍ତୀ ଜୀବନ ?

ମାସ୍କ ସଂସ୍କ୍‌ତିକୁ ଆପଣାଇବ ଆମେରିକା, ପୃଥିବୀ ଛାଡ଼ିବନି ଭୂତାଣୁ

ୱାଶିଂଟନ୍: ସାମ୍ପ୍ରତିକ ସମୟରେ କୋରୋନା ଭୂତାଣୁ ୨ ଶହରୁ ଊର୍ଦ୍ଧ୍ବ ଦେଶରେ ପାଖାପାଖି ସାଢ଼େ ୭ ଲକ୍ଷ ଲୋକଙ୍କ ଜୀବନ ନେବା ସହ ପାଖାପାଖି ୨ କୋଟି ଲୋକ ସଂକ୍ରମିତ ସୂଚୀରେ ସ୍ଥାନ ପାଇସାରିଛନ୍ତି। ଏହି ଭୂତାଣୁର ନିପାତ ପାଇଁ ଅଦ୍ୟାବଧି କୌଣସି ଭ୍ୟାକସିନ୍ ବାହାରି ନ ଥିବାରୁ ମାନବ ସମାଜ ଏକରକମ ତ୍ରାହି ତ୍ରାହି ଡାକୁଛି ବୋଲି କହିଲେ ଚଳେ। ସାମାଜିକ ଜୀବନକୁ ଛିନଛତ୍ର କରିଦେଇଥିବା ଏହି ଭୂତାଣୁ ସମାଜର ସଂଜ୍ଞାକୁ ବଦଳାଇ ଦେବା ଦିଗରେ ଅଗ୍ରସର ହେଉଛି। ଅବଶ୍ୟ ବିଶ୍ବର ହଜାର ହଜାର ଗବେଷକ ଭୂତାଣୁ କବଳରୁ ମଣିଷକୁ ବଞ୍ଚାଇବା ସକାଶେ ଭ୍ୟାକସିନ୍ ପ୍ରସ୍ତୁତି ପାଇଁ ଦିନରାତି ଏକ କରିଦେଇଛନ୍ତି। କିଛି ମାସ ଭିତରେ ଏହି ଭ୍ୟାକସିନ୍ ସଂକ୍ରମିତଙ୍କ ଚିକିତ୍ସାରେ ଉପଯୋଗ ହୋଇପାରେ, ଏପରି ଏକ ସମ୍ଭାବନା ମଧ୍ୟ ପ୍ରକାଶ ପାଇସାରିଲାଣି। କିନ୍ତୁ ଭ୍ୟାକସିନ୍ ଆସିବା ପରେ ବି ମାନବ ସମାଜ ତା’ର ପୂର୍ବାବସ୍ଥା ଫେରିପାଇବ କି ନାହିଁ, ସେନେଇ କେହି ବି ଗ୍ୟାରେଣ୍ଟି ଦେଇ ପାରୁନାହାନ୍ତି। ଏପରି ସ୍ଥିତିରେ କୋରୋନା ପରବର୍ତ୍ତୀ ଜୀବନ କିପରି ରହିବ, ତାହା ଉପରେ ଗବେଷକମାନେ ନାନାଦି ଟିପ୍ପଣୀ ଦେଇଛନ୍ତି। ସେମାନଙ୍କ ଟିପ୍ପଣୀକୁ ଗ୍ରହଣ କଲେ, ମଣିଷର ସାମାଜିକ ଜୀବନ କୋରୋନା ପରବର୍ତ୍ତୀ ସମୟରେ ଯେ ପୂର୍ବାବସ୍ଥାକୁ ଫେରିବନି, ଏହା ଏକରକମ ନିଶ୍ଚିତ ବୋଲି କୁହାଯାଇପାରେ। ଏନେଇ ନିମ୍ନରେ ଆଲୋଚନା କରିବା।

ମାସ୍କପିନ୍ଧା ସଂସ୍କ୍‌ତିକୁ ଆପଣାଇବ ଆମେରିକା
ୱାଶିଂଟନ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ ଡିନ୍ ହିଲାରୀ ଗଡୱିନ୍‌ଙ୍କ ଅନୁସାରେ, କୋରୋନା ଭୂତାଣୁକୁ ରୋକିବା ସକାଶେ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରାଯାଇଛି। କୋରୋନା ଭୂତାଣୁର ନିରାକରଣ ପାଇଁ ଭ୍ୟାକସିନ ଆସିବା ପରେ ଯେ ପରିସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ଘଟିବ ବୋଲି ଗଡୱିନ୍ ଭାବିପାରିନାହାନ୍ତି। ଅର୍ଥାତ୍ କୋରୋନା ପରବର୍ତ୍ତୀ ପାଖାପାଖି ବର୍ଷେ କିମ୍ବା ପରବର୍ତ୍ତୀ ସମୟରେ ସର୍ବାଧିକ ପ୍ରଭାବିତ ଆମେରିକାରେ ମାସ୍କପିନ୍ଧା ସଂସ୍କ୍‌ତିକୁ ସମସ୍ତେ ଆପଣାଇବେ। ବିଶେଷକରି କୋଭିଡ୍-୧୯ ପାଇଁ ସମ୍ବେଦନଶୀଳ ବ୍ୟକ୍ତିବିଶେଷଙ୍କ ମୁହଁରୁ ମାସ୍କ ହଟିବା ସମ୍ଭାବନା ନାହିଁ କହିଲେ ଚଳେ। ଏସୀୟ ଦେଶଗୁଡ଼ିକରେ ମଧ୍ୟ ସମାନ ପରମ୍ପରା ଆପଣାଯିବ ବୋଲି ମଧ୍ୟ ଗଡୱିନ୍ ଆଶା ପ୍ରକାଶ କରିଛନ୍ତି।

ଭ୍ୟାକସିନର କ୍ଷମତା ଉପରେ ଅଧିକ ଗବେଷଣା ଆବଶ୍ୟକ ହେବ
ବର୍ତ୍ତମାନ ସମୟରେ କୋରୋନା ତା’ର ଘାତକ ରୂପକୁ କ୍ରମଶଃ ବ୍ୟାପକ କରୁଥିବାରୁ ଗବେଷକମାନେ ଯୁଦ୍ଧକାଳୀନ ଭିତ୍ତିରେ ଭ୍ୟାକସିନ୍ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରକାଶ ପାଇଥିବା ବ୍ୟସ୍ତତା ସ୍ବାସ୍ଥ୍ୟସେବା ସହ ଜଡ଼ିତ ପେସାଦାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। ଗବେଷକମାନେ ଦ୍ରୁତ ଗତିରେ ଭ୍ୟାକସିନ୍ ପ୍ରସ୍ତୁତି ଦିଗରେ ଅଗ୍ରସର ହେଉଥିବାରୁ ଆଗାମୀ ଦିନରେ ଏହା ସଂକ୍ରମିତଙ୍କୁ ନିରୋଗ କରିବାରେ କେତେଦୂର ସକ୍ଷମ ହେବ, ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଗଡୱିନ୍। ସେହିପରି ଜେଫରସନ୍ ୟୁନିଭର୍ସିଟିରେ ନର୍ସ ସାଇଣ୍ଟିଷ୍ଟ୍ ଭାବେ କାର୍ଯ୍ୟ କରୁଥିବା ଅପର୍ଣ୍ଣା କୁମାରଙ୍କ କହିବାନୁସାରେ, ଯେପରି ଦ୍ରୁତ ବେଗରେ ଭ୍ୟାକସିନ୍ ପ୍ରସ୍ତୁତି ଜାରି ରହିଛି, ତାହା ପୂର୍ବରୁ କଦାପି ଦେଖାଯାଇ ନ ଥିଲା। ଅବଶ୍ୟ ଗବେଷକମାନଙ୍କ ମଧ୍ୟରେ ପ୍ରକାଶ ପାଇଥିବା ବ୍ୟଗ୍ରତା କେତେକ ଦ୍‌ଷ୍ଟିକୋଣରୁ ସ୍ବାଗତଯୋଗ୍ୟ। କିନ୍ତୁ ଏହା ଭ୍ୟାକସିନର ଶତପ୍ରତିଶତ ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଅପର୍ଣ୍ଣା କହିଛନ୍ତି। ଏପରିକି ଭ୍ୟାକସିନ୍ ଏହି ଭୂତାଣୁକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବାର ଦକ୍ଷତା ମଧ୍ୟ ରଖିବ ନାହିଁ, ଏପରି ଏକ ଭାବନା ମଧ୍ୟ ଅପର୍ଣ୍ଣା ପ୍ରକାଶ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଭ୍ୟାକସିନ୍ ଭଲ କାମ କରିବ। କିନ୍ତୁ କ୍ରମଶଃ ଏହାର ସଠିକତା ୪୦ରୁ ୬୦ ପ୍ରତିଶତ ଭିତରେ ରହିବ। ତା’ଛଡ଼ା ଏହା ମଧ୍ୟ କୋରୋନା ଭୂତାଣୁର ସବଳତା ଉପରେ ନିର୍ଭର କରିବ ବୋଲି ଡିୟର୍ ପାନଡେମିକରେ ମୁଖ୍ୟ କମ୍ୟୁନିଟି ଅଫିସର୍ ଭାବେ କାର୍ଯ୍ୟ କରୁଥିବା ଅପର୍ଣ୍ଣା କହିଛନ୍ତି।

ଏପରିକି ତ୍ବରାନ୍ବିତ ବେଗରେ ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍ ଯଦିଓ ସଂକ୍ରମିତମାନଙ୍କୁ  ଗୁରୁତର ହେବାରୁ ରୋକିପାରିବ, କିନ୍ତୁ ଏହା ସିଂହଭାଗ ଲୋକଙ୍କୁ ଅସୁସ୍ଥ କରିଦେବାର ଆଶଙ୍କା ମଧ୍ୟ ରହିଛି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଯେ ପର୍ଯ୍ୟନ୍ତ ଭ୍ୟାକସିନ୍ ସଂକ୍ରମିତଙ୍କ ଶରୀରରେ ପ୍ରୟୋଗ ନ ହୋଇଛି, ସେ ପର୍ଯ୍ୟନ୍ତ ତା’ର କାର୍ଯ୍ୟଦକ୍ଷତା ଅନୁମାନ କରିବା କଷ୍ଟକର। ଅର୍ଥାତ୍ ସାଧାରଣ ସଂକ୍ରମିତଙ୍କଠାରେ ଏହି ଭ୍ୟାକସିନର ଉପଯୋଗ ନ ହେବା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହାର ଦକ୍ଷତା କଳନା କରିବା ସମ୍ଭବପର ନୁହେଁ ବୋଲି ଅପର୍ଣ୍ଣା କହିଛନ୍ତି।

ଭ୍ୟାକସିନର ସୁଷମ ବଣ୍ଟନକୁ ନେଇ ଗବେଷକଙ୍କ ଚିନ୍ତା ପ୍ରକଟ
ଭ୍ୟାକସିନ ପ୍ରସ୍ତୁତି ପାଇଁ ବ୍ୟାପକ ଉଦ୍ୟମ ଚାଲିଛି, ଏହା ସତ। ଏହି ଭ୍ୟାକସିନ୍ ଆସିବା ପରେ କୋରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରିତ ହେବା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶାବାଦୀ। କିନ୍ତୁ ଭ୍ୟାକସିନ୍ ପ୍ରସ୍ତୁତି ହେବା ପରେ କେତେଦୂର ଏହାର ସୁଷମ ବଣ୍ଟନ ହୋଇପାରିବ, ତାକୁ ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକଟ କରିଛନ୍ତି। ଡ୍ୟୁକ୍ ୟୁନିଭର୍ସିଟିରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଟୋନି ମୁଡି କହିଛନ୍ତି ଯେ ବ୍ୟାପକ ମାତ୍ରାରେ ଭ୍ୟାକସିନର ଉତ୍ପାଦନ କରିବା କିଛି ବଡ଼ କଥା ନୁହେଁ। ଏହା ବେଶ୍ ସହଜରେ ହୋଇପାରିବ। କିନ୍ତୁ କୌଣସି ନୂଆ ଉତ୍ପାଦର ତ୍ବରିତ ବଣ୍ଟନ ସବୁବେଳେ ଏକ ଚାଲେଞ୍ଜ୍ ସୃଷ୍ଟି କରିଆସିଥିବା ବେଳେ କୋଭିଡ୍-୧୯ ଭ୍ୟାକସିନ୍ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ରହିବା ନିଶ୍ଚିତ ବୋଲି ମୁଡି କହିଛନ୍ତି। ଆହୁରି ମଧ୍ୟ ଏହି ଭ୍ୟାକସିନ କାଚ ଶିଶିରେ ରହିବାକୁ ଥିବା ବେଳେ ଏହାକୁ ଗଚ୍ଛିତ ରଖାଯିବା ମଧ୍ୟ ଆହୁରି ଏକ ଚିନ୍ତାର ବିଷୟ ହେବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି।

କମିବ ବ୍ୟବସାୟିକ ଟ୍ରିପ୍, ବଢ଼ିବ ୱାର୍କ ଫ୍ରମ୍ ହୋମ୍ ସିଷ୍ଟମ୍
କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ସମସ୍ତ ପ୍ରଭାବିତ ଦେଶ କୌଣସି ପ୍ରକାର ଯାତ୍ରା ଉପରେ କଟକଣା ଲଗାଇଥିଲେ। ତା’ଛଡ଼ା ପେସାଦାରମାନଙ୍କୁ ସେମାନଙ୍କ କମ୍ପାନୀମାନେ ‘ୱାର୍କ ଫ୍ରମ୍ ହୋମ୍’ ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ, ଏପରିକି ଏହା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ସେହିପରି କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ବିଦେଶ ଗସ୍ତରେ ପଠାଇବା ପୂର୍ବରୁ ଏକାଧିକ ବାର ବିଚାର କରିବେ ବୋଲି ଗଡୱିନ୍ କହିଛନ୍ତି। ସେ କହିଛନ୍ତି ଯେ ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳରେ ଉନ୍ନତି ଘଟୁଥିବାରୁ ଭର୍ଚୁଆଲ୍ ବୈଠକ ବେଶ୍ ସହଜ ହୋଇପାରିଛି। ଜୁମ୍ ପରି ସ୍ବତନ୍ତ୍ର ଭିଡିଓ ଚାଟିଂ ବ୍ୟବସ୍ଥା ଏହାକୁ ସୁଗମ କରିପାରିଛି। ଆଗାମୀ ଦିନରେ କମ୍ପାନୀମାନେ କର୍ମଚାରୀଙ୍କୁ ବିଦେଶ ନ ପଠାଇ ନିଜର ଖର୍ଚ୍ଚକାଟ କରିବା ସହ କର୍ମଚାରୀଙ୍କ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ମଧ୍ୟ ସୁନିଶ୍ଚିତ କରିପାରିବେ ବୋଲି ଗଡୱିନ୍ କହିଛନ୍ତି।

ସାମାଜିକ କାର୍ଯ୍ୟ ଓ ସ୍ପୋର୍ଟିଂ ଇଭେଣ୍ଟର ସାମୂହିକ ମଜା ନେବା ସାତ ସପନ
କୋରୋନା ଭୂତାଣୁକୁ ନିପାତ କରିବା ସକାଶେ ଭ୍ୟାକସିନ ପ୍ରସ୍ତୁତି ଦିଗରେ ବ୍ୟାପକ ଉଦ୍ୟମ ଚାଲିଥିଲେ ହେଁ ଆଗାମୀ ଦିନରେ ସାମାଜିକ କାର୍ଯ୍ୟ ବା କୌଣସି କ୍ରୀଡ଼ା ଇଭେଣ୍ଟରେ ବ୍ୟାପକ ଜନସମାଗମ ହେବା ବର୍ତ୍ତମାନ ସମୟରେ ସାତ ସପନ ପରି ଲାଗୁଛି। ହଜାର ହଜାର ସଂଖ୍ୟାରେ କୌଣସି ସେଲିବ୍ରିଟିଙ୍କ କାର୍ଯ୍ୟକ୍ରମ ହେଉ ଅବା ସହସ୍ରାଧିକ କ୍ରୀଡ଼ାପ୍ରେମୀ ନିଜର ପ୍ରିୟ ଖେଳାଳିଙ୍କୁ ଚିୟରଅପ୍ କରିବା ପାଇଁ ଷ୍ଟାଡିୟମରେ ଏକାଠି ହେବା ହେଉ, ଆଗାମୀ କିଛି ବର୍ଷ ଏପରି ଦୃଶ୍ୟ ସମ୍ଭବତଃ ଦେଖିବାକୁ ମିଳିବ ନାହିଁ। କାରଣ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଥିବା ସମୟ ପରେ ଅଚାନକ ସମସ୍ତେ ଭିଡ଼ରେ ଏକାଠି ହେବାକୁ ଆଦୌ ସାହସ ସଞ୍ଚୟ କରିପାରିବେ ନାହିଁ। ଗବେଷକମାନେ ମଧ୍ୟ ସେମାନଙ୍କଠାରେ ପୂର୍ବ ଭାବନା ପୁନଃଜାଗ୍ରତ କରାଇବାରେ ସକ୍ଷମ ହେବେ, ସେପରି ଧାରଣା ମଧ୍ୟ ନାହିଁ ବୋଲି ମୁଡି କହିଛନ୍ତି। ତେଣୁ ଆଗାମୀ ଦିନରେ ସ୍ବଳ୍ପ ସଂଖ୍ୟାରେ ଜନଗହଳି ଦେଖାଯାଇପାରେ, କିନ୍ତୁ ହଜାର ହଜାର ଦର୍ଶକ ଏକାଠି ହେବାର ଦୃଶ୍ୟ ସମ୍ଭବତଃ ପରିଲକ୍ଷିତ ହେବା କଷ୍ଟକର ବୋଲି ସେ କହିଛନ୍ତି।

ତାଙ୍କ କହିବା କଥା ଯେ କୌଣସି ସେଲିବ୍ରିଟିଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ ଏକାଠି ହେଉଥିଲେ। ତା’ଛଡ଼ା କ୍ରୀଡ଼ା ଇଭେଣ୍ଟ୍ ମଧ୍ୟ ହଜାର ହଜାର ଦର୍ଶକଙ୍କୁ ଟାଣିପାରୁଥିଲା। କିନ୍ତୁ କୋରୋନା ପରବର୍ତ୍ତୀ ସମୟରେ ଏପରି ଭିଡ଼ ହେବ, ଏପରି ସମ୍ଭାବନା ନାହିଁ। ଯଦି ସାମାଜିକ ଦୂରତା ବଜାୟ ରଖିବା ସକାଶେ କ୍ଷମତାର ୫୦ ପ୍ରତିଶତ ଦର୍ଶକ ଆସିବେ, ତା’ହେଲେ ଆୟୋଜକଙ୍କୁ ଟିକେଟ୍ ଦାମ୍ ମଧ୍ୟ ଦ୍ବିଗୁଣିତ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଦର୍ଶକ ଆର୍ଥିକ ବୋଝ ଲାଘବ କରିବା ସକାଶେ ଉକ୍ତ କାର୍ଯ୍ୟକ୍ରମଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ତେଣୁ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମର ଆୟୋଜକଙ୍କ ସକାଶେ କଷ୍ଟକର ସମୟ ଆସୁଛି ବୋଲି ମୁଡି କହିଛନ୍ତି। ଏପରି ସ୍ଥିତିରେ କୌଣସି ବନ୍ଦ ଅଡିଟୋରିୟମ୍ ବା କ୍ରୀଡ଼ାସ୍ଥଳ ତୁଳନାରେ ବାହ୍ୟ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମକୁ ଦର୍ଶକମାନେ ଅପେକ୍ଷାକୃତ ନିରାପଦ ମଣିବେ ବୋଲି ସେ କହିଛନ୍ତି।

ମାନବ ସମାଜକୁ ସହଜେ ଛାଡ଼ି ଯିବନି କୋରୋନା
କୋଭିଡ୍-୧୯ ଭୂତାଣୁଠାରୁ ମଣିଷ ସମାଜକୁ ଦୂରେଇ ରଖିବା ସକାଶେ ଗବେଷକମାନେ ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିନ୍ତୁ ଆମେରିକା ପରି କେତେକ ଦେଶରେ ଏହି ଭ୍ୟାକସିନ ପ୍ରସ୍ତୁତିକୁ ମଧ୍ୟ କେତେକ ବିରୋଧ କରିଛନ୍ତି। ସେମାନେ ଭ୍ୟାକସିନ୍ ପରିବର୍ତ୍ତେ ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ବ ଦେଉଛନ୍ତି। ମଣିଷ ଶରୀରରେ ଏହି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ କେତେଦୂର ସଫଳତା ମିଳିବ, ତାହା କହିବା କଷ୍ଟକର। ତେଣୁ ଭ୍ୟାକସିନକୁ ବିରୋଧ କରୁଥିବା ଲୋକଙ୍କ ମାଧ୍ୟମରେ କୋରୋନା ଭୂତାଣୁ ମଣିଷ ସମାଜ ସହ ସବୁଦିନ ରହିଯିବ, ଏପରି ଏକ ସମ୍ଭାବନା ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଗଡୱିନ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ