ଆଉ ୬ କେନ୍ଦ୍ରରେ କୋରୋନା ଟେଷ୍ଟ୍‌ ଖୁବ୍‌ଶୀଘ୍ର


ଭୁବନେଶ୍ବର: ରାଜ୍ୟରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ରାଜ୍ୟରେ ଆଉ ୬ଟି ପରୀକ୍ଷାଗାର କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବ୍‌ଶୀଘ୍ର ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ରେ କୋରୋନା ଟେଷ୍ଟିଂ ଲ୍ୟାବ କାର୍ଯ୍ୟକାରୀ ହେବ। ଏଥିସହ ରାଜ୍ୟର ସ୍ୱୀକୃତ କ୍ଲିନିକାଲ୍ ପରୀକ୍ଷାଗାର ମାନଙ୍କରେ କୋଭିଡ୍ ଟେଷ୍ଟ କ୍ଷମତା ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଭିଡ଼ିଓ କନ୍‌ଫେରେନସିଂ ମାଧ୍ୟମରେ ଜିଲ୍ଲାୱାରୀ ଟେଷ୍ଟି ଦକ୍ଷତାର ସମୀକ୍ଷା କରି ଟେଷ୍ଟିଂ ଦକ୍ଷତା ଆହୁରି ଅଧିକ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାର ଓ ମେଡିକାଲ କଲେଜ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ରାଜ୍ୟରେ ଆରଟିପିସିଆର୍‌ ଟ୍ରୁନାଣ୍ଟ, ସିବିନାଟ୍ ଓ ରାପିଡ୍ ଆଣ୍ଟିଜେନ୍‌ ଆଦି ଆଧୁନିକ ଟେଷ୍ଟ୍‌ ମାଧ୍ୟମରେ ଦୈନିକ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ସାମ୍ପୁଲ୍ ଟେଷ୍ଟର ଦକ୍ଷତା ସୃଷ୍ଟି କରାଯାଇଛି। ଆବଶ୍ୟକତା ଅନୁସାରେ ଏହି ଟେଷ୍ଟ କ୍ଷମତା ଆହୁରି ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୪ ଟି ଆର୍ଟିଫିସିଆଲ୍‌ ଟେଷ୍ଟ୍‌ ପରୀକ୍ଷାଗାର କାର୍ଯ୍ୟ କରୁଛି। ଏହାଛଡା ଆଣ୍ଟିଜେନ୍ ଟେଷ୍ଟ୍‌ ସବୁ ଜିଲ୍ଲା ଲାବୋରାଟୋରୀରେ ହୋଇପାରୁଛି। ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୬ଟି ପରୀକ୍ଷାଗାର କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ଏହି ପରୀକ୍ଷାଗାର ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଥିଲା।

ଅଧିକ ସାମ୍ପୁଲ୍ ସଂଗ୍ରହ, ସମୟାନୁବନ୍ଧିତ ଭାବେ ସେଗୁଡିକର ପରୀକ୍ଷା ଏବଂ ‘ରିଅଲ୍ ଟାଇମ୍ ରିପୋଟିଂ’ ଉପରେ ବୈଠକରେ ଗୁରୁତ୍ୱ ଅରୋପ କରାଯାଇଥିଲା। ସମସ୍ତ ପରୀକ୍ଷାର ଫଳାଫଳ ସିଧାସଳଖ ଆଇସିଏମ୍‌ଆର୍ ପୋର୍ଟାଲ୍‌ରେ ଅପଲୋର୍ଡ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତ୍ ଙ୍କ ସମେତ ବିଭିନ୍ନ ପରୀକ୍ଷାଗାର ଏବଂ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ