ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର: ମାସ୍କ୍‌ ନ ପିନ୍ଧିଲେ ୫ ହଜାର ଜରିମାନା


ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ନୂଆ ନିର୍ଦେଶନାମା ଜାରି କରିଛନ୍ତି। ଶୁକ୍ରବାରର ସାମ୍ୱାଦିକ ସମ୍ମିଳନୀରେ ଅଗଷ୍ଟ୍‌ ମାସ ପାଇଁ ରାଜ୍ୟରେ ଲାଗୁ ହେବାକୁ ଥିବା କଟକଣା ବିଷୟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। କୋରୋନା ମହାମାରୀରୁ ମାନବ ଜୀବନକୁ ରାକ୍ଷା କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଜୀବିକା ଉପାର୍ଜନକୁ ମଧ୍ୟ ସ୍ୱାଭାବିକ କରିବାକୁ ପଡ଼ିବ। ଏଣୁ ଏହାକୁ ଆଖି ଆଗରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ କଟକଣା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ଅନ୍‌ଲକ୍‌-୩ରେ ରାତ୍ରକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଥିଲେ ହେଁ ଓଡ଼ିଶା ସରକାର କିନ୍ତୁ ଏହି କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଅର୍ଥାତ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।

ଦିନବେଳା ପୂର୍ବ ପରି ସମସ୍ତ ବ୍ୟାବସାୟିକ ଅନୁଷ୍ଠାନ, ସରକାରୀ-ବେସରକାରୀ ଅଫିସ୍‌, ଶିଳ୍ପ ଅନୁଷ୍ଠାନ ଖୋଲା ରହିବ। ରାତିରେ ଜରୁରୀକାଳୀନ ସେବା ପାଇଁ ଅନୁମତି ମିଳିବ। ସ୍ୱାସ୍ଥ୍ୟ ଜନିତ ଯାତାୟତ ପାଇଁ ଯାତାୟତ କରିବାରେ କୌଣସି ଅସୁବିଧା ନାହିଁ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଯାତାୟତ କରିପାରିବେ। ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀ, ବିଦ୍ୟୁତ୍ ଓ ଜଳ ଯୋଗାଣ କର୍ମଚାରୀମାନେ ଯାତାୟତ କରିପାରିବେ। ପ୍ରିଣ୍ଟ୍‌ ଓ ଇଲେକଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ କଟକଣାରୁ ବାଦ୍ ପଡ଼ିବେ। ଜାତୀୟ ରାଜପଥ କଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ୍‌ ଦେଇପାରିବେ। ପେଟ୍ରୋଲ୍‌ ପମ୍ପ ଖୋଲା ରହିବ। ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ। ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ। ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନ୍‌ରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ। ତେବେ ବୋର୍ଡିଂ ପାସ୍‌କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ।ପରିବହନ ସେବା ଜାରି ରହିବ। ବସ୍ ଟର୍ମିନାଲ୍‌, ଷ୍ଟେସନ୍‌, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ।

ସେହିପରି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଅବାଧ ଚଳପ୍ରଚଳ ଉପରେ ରୋକ୍‌ ଲଗାଯାଇଛି। ସେହିପରି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସ୍‌ଜିଦ୍‌ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ।  ସେହିଭଳି ଅନ୍ତର୍ଜାତୀୟ ବିମାନ ମଧ୍ୟ ଚଳାଚଳ କରିବ ନାହିଁ। ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍କୁଲ, କଲେଜ୍‌, କୋଚିଂ ସେଣ୍ଟର, ଅଙ୍ଗନବାଡିଗୁଡିକ ମଧ୍ୟ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ଖାତା ଦେଖା ହୋଇପାରିବ। କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ମୁତାବକ ଅଗଷ୍ଟ ୫ରୁ ଯୋଗ ସେଣ୍ଟର୍‌ ଓ ଜିମ୍ନାସିୟମ୍‌ ଖୋଲା ଯାଇ ପାରିବ। ସେହିପରି କୋଭିଡ୍‌ ନିୟମ ପାଳନ କରି ସେଲୁନ୍‌ ଓ ସ୍ପା ଖୋଲାଯାଇପାରିବ।

ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ। ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ। ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ। ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କାର ଜୋରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିବାହ ସ୍ଥାନକୁ ମଧ୍ୟ ସିଲ୍ କରାଯିବ। ସେହିପରି ସର୍ବସାଧାରଣ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେଲେ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରିବା ପାଇଁ ଜୋରିମାନା ରାଶିକୁ ବୃଦ୍ଧି କରିଛନ୍ତି। ମାସ୍କ୍‌ ନ ପିନ୍ଧି ପ୍ରଥମ ଦୁଇ ଥର ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହାପରେ ବି ମାସ୍କ୍‌ ନ ପିନ୍ଧିଲେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ