ଏସ୍ଏସ୍ଆର ମୃତ୍ୟୁ ମାମଲାରେ ବିଷକନ୍ୟା ଓ କଣ୍ଟ୍ରାକ୍ଟ କିଲର୍ ସାଜିଛନ୍ତି ରିୟା: ହଜାରୀ


ଗତ ଜୁନ୍ ୧୪ ତାରିଖରେ ବଲିଉଡର ଉଦୀୟମାନ ତାରକା ସୁଶାନ୍ତ ସିଂହ ରାଜପୁତ (ଏସ୍ଏସ୍ଆର୍) ଆତ୍ମହତ୍ୟା କରିଥିବା ବୋଲି କୁହାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ଅନେକ ସନ୍ଦେହ ସ୍‌ଷ୍ଟି କରିଛି। ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ଅବା ତାଙ୍କୁ କେହି ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ଏହା ପଛରେ ବଲିଉଡ୍ ସହ ଲିଙ୍କ ଥିବା ମାଫିଆମାନଙ୍କର ମଧ୍ୟ ଭୂମିକା ରହିଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ମଧ୍ୟ ରାଜନେତାମାନଙ୍କର ବୟାନବାଜି ଜାରି ରହିଛି। ଏହି ମାମଲାରେ ବିହାର ପୋଲିସ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଶାସକ ଜେଡିୟୁର ଜଣେ ନେତା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ସହ ତୁଳନା କରିଛନ୍ତି। ନୀତିଶ କୁମାର କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମହେଶ୍ବର ହଜାରୀ ଏହି ମାମଲାରେ ରିୟାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସମ୍ପୂର୍ଣ୍ଣ ଭାବେ ଏକ ବିରାଟ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ହେବାରେ ଲାଗିଛି। ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ହତ୍ୟା ପଛରେ ବହୁତ ବଡ଼ ଗ୍ୟାଙ୍ଗର ହାତ ରହିଛି। ତେଣୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ହଜାରୀ କହିଛନ୍ତି।

ସେ କହିଛନ୍ତି ଯେ ସୁଶାନ୍ତଙ୍କ ହତ୍ୟା ମାମଲାରେ ରିୟା ଜଣେ କଣ୍ଟ୍ରାକ୍ଟ କିଲର୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସୁଶାନ୍ତଙ୍କୁ ପ୍ରେମ ଜାଲରେ ଫସାଇବା ସହ ତାଙ୍କଠାରୁ ପ୍ରଥମେ ଟଙ୍କା ହଡ଼ପ କରି ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ରିୟା ହିଁ ସୁଶାନ୍ତଙ୍କ ଅସଲ ହତ୍ୟାକାରୀ। ରିୟା ଜଣେ ବିଷକନ୍ୟା ଓ ତାଙ୍କ ବିଷଜ୍ବାଳାରେ ସେ ଦେଶର ଜଣେ ପ୍ରତିଭାସମ୍ପନ୍ନ କଳକାରଙ୍କୁ ଜାଳିପୋଡ଼ି ଛାରଖାର କରିଦେଇଛନ୍ତି। ଏହା କଦାପି ଆତ୍ମହତ୍ୟା ନୁହେଁ। ତେଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ହଜାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ସମ୍ପୂର୍ଣ୍ଣ ଭାବେ ଶିଥିଳ ରହିଛି। ତେଣୁ ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରାଯିବା ଦରକାର। ଏହି ମାମଲାରେ ସୁଶାନ୍ତଙ୍କ ପରିବାର ସହ ବିହାର ସରକାର ରହିଛନ୍ତି ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ସକାଶେ ସମସ୍ତ ପ୍ରକାର ସହଯୋଗ କରାଯିବ। ଏପରିକି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ମଧ୍ୟ ସୁଶାନ୍ତଙ୍କ ପରିବାର ନ୍ୟାୟ ପାଆନ୍ତୁ ବୋଲି ଚାହୁଁଥିବା ହଜାରୀ କହିଛନ୍ତି। ଇତିମଧ୍ୟରେ ବିହାର ସରକାର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ଏକ କ୍ୟାଭିଟ୍ ଦାଖଲ କରିଛନ୍ତି। ରିୟାଙ୍କ ଆବେଦନର ଶୁଣାଣି ପୂର୍ବରୁ ଏହି କ୍ୟାଭିଟର ଶୁଣାଣି କରିବା ସକାଶେ ଆବେଦନରେ ନିବେଦନ କରାଯାଇଛି। ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ ଏହି ମାମଲାରେ ବିହାର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ