ବିରଳ ହୋଇଛି ବାଘର ହେଣ୍ଟାଳ

ବିଶ୍ବର ୭୦ ପ୍ରତିଶତ ବାଘଙ୍କ ଘର ଭାରତ, ଓଡ଼ିଶାରେ ବଢ଼ୁନି ସଂଖ୍ୟା

ଦିନେ ଗାଁ ମୁଣ୍ଡରୁ ଶୁଭୁଥିଲା ବାଘର ହେଣ୍ଟାଳ। ଜଙ୍ଗଲ ନିକଟ ଗାଁ ଗୁଡ଼ିକରେ ଜନ-ଜନ୍ତୁ ବିବାଦର କେନ୍ଦ୍ରବିନ୍ଦୁରେ ଥିଲା ବାଘ। କେବେ ବାଘ ଗାଈଗୋରୁ କିମ୍ବା ପୋଢ଼ ଓ ମଇଁଷିଙ୍କୁଶିକାର କରୁଥିଲା ତ କେବେ ମଣିଷ ଉପରକୁ ମାରୁଥିଲା ପଞ୍ଝା। ଏବେ ଆସ୍ତେ ଆସ୍ତେ ଜଙ୍ଗଲର ଘଞ୍ଚତା କମିବା କାରଣରୁ ଏବଂ ବିକାଶ ପ୍ରକଳ୍ପ ପାଇଁ ସଡ଼କ, ରେଳପଥ ଆଦି ବିଛାଯିବା କାରଣରୁ ବାଘର ଆବାସସ୍ଥଳ ସଙ୍କୁଚିତ ହୋଇଛି। କମିଯାଇଛି ବାଘସଂଖ୍ୟା। ୨୦୦୬ ବ୍ୟାଘ୍ର ଗଣନା ଅନୁଯାୟୀ ଓଡ଼ିଶାରେ ୪୫ଟି ବାଘ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ୨୦୧୦ ଗଣନାରେ ଏହି ସଂଖ୍ୟା ୩୨କୁ ଖସିଆସିଥିଲା। ପରବର୍ତ୍ତୀ ୨୦୧୪ ଗଣନାରେ ଏହି ସଂଖ୍ୟା ୨୮କୁ ପହଞ୍ଚିବା ପରେ ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସରକାର ନିଜ ତ୍ରୁଟିକୁ ଖୋଜିବା ପରିବର୍ତ୍ତେ ବାଘ ଗଣନାରେ ତ୍ରୁଟି ହୋଇଥିବ କହି ଯୁକ୍ତି କରିଥିଲେ। ଏବେ ୨୦୧୮ ବାଘ ଗଣନାର ସଦ୍ୟ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଓଡ଼ିଶାରେ ବାଘ ସଂଖ୍ୟା ୨୦୧୪ରେ ଯେତିକି ଥିଲା ଅର୍ଥାତ ସେହି ୨୮ ହିଁ ରହିଛି ବୋଲି ଦର୍ଶାଯାଇଛି। ଓଡ଼ିଶାରେ ୪ ବର୍ଷ ଭିତରେ ଗୋଟିଏ ବାଘ କିଭଳି ବଢ଼ିଲେ ନାହିଁ, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଦେଶରେ ବଢ଼ୁଛି ସଂଖ୍ୟା
ବିଶ୍ବରେ ବାଘ ସଂଖ୍ୟାର ୭୦ ପ୍ରତିଶତ ଆମ ଦେଶରେ ଥିବା ଜଣାଯାଇଛି। ଅର୍ଥାତ ବିଶ୍ବର ୭୦ ପ୍ରତିଶତ ବାଘଙ୍କ ଘର ପାଲଟିଛି ଭାରତ। ଦେଶରେ ଏବେ ବାଘସଂଖ୍ୟା ୨୯୯୭। ସମଗ୍ର ବିଶ୍ବରେ ବାଘଙ୍କ ସଂଖ୍ୟା ୩୯୦୦। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ବିଶ୍ବ ବାଘ ଦିବସ ଜୁଲାଇ ୨୯ର ପୂର୍ବ ସନ୍ଧ୍ୟାରେ ମଙ୍ଗଳବାର ବାଘ ଗଣନା ରିପୋର୍ଟ ୨୦୧୮ ଜାରି କରି ଏ ତଥ୍ୟ ପ୍ରଦାନ କରିଛନ୍ତି। ଦେଶରେ ୨୯୯୭ ବାଘଙ୍କ ସମେତ ୩୦ ହଜାର ହାତୀ, ତିନି ହଜାର ଗଣ୍ଡା ଏବଂ ୫ଶହରୁ ଅଧିକ ସିଂହ ଥିବା ସେ କହିଥିଲେ।

ବାଘ ସଂରକ୍ଷଣ ପ୍ରକଳ୍ପ ବଢ଼ିଛି
୨୯୨୩ ମସିହାରେ ଦେଶରେ ମାତ୍ର ୯ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଥିଲା। ଏବେ ପ୍ରକଳ୍ପ ସଂଖ୍ୟା ୫୦ରେ ପହଞ୍ଚିଛି। ସମସ୍ତ ୫୦ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନନ୍ୟ ଓ ଅନୁପମ। ବିଶ୍ବ ସ୍ତରରେ ମୋଟ ୨.୫ ପ୍ରତିଶତ ଭୂମି, ୪ ପ୍ରତିଶତ ବର୍ଷା, ୧୬ ପ୍ରତିଶତ ଅଞ୍ଚଳ ହୋଇଥିଲେ ହେଁ ଭାରତରେ ବିଶ୍ବର ୮ ପ୍ରତିଶତ ଜୈବ ବିବିଧତା ଅନନ୍ୟ ସମ୍ଭାର ଭାବେ ପ୍ରତିପାଳିତ। ଯେଉଁଥିରେ ବାଘଙ୍କ ୭୦ ପ୍ରତିଶତ ସଂଖ୍ୟା ମଧ୍ୟ ସଂଶ୍ଳିଷ୍ଟ।

ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, କାମ୍ବୋଡ଼ିଆ, ଚୀନ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ରୁଷ, ଥାଇଲାଣ୍ଡ ଏବଂ ଭିଏତନାମରେ ବାଘ ଦେଖାଯାଆନ୍ତି। ଭାରତରେ ୨୦୦୬ରେ ଯେତିକି ବାଘ ଥିଲେ ୨୦୧୮ରେ ତାହା ଦ୍ବିଗୁଣିତ ହୋଇଯାଇଥିବା ଖୁସିର ବିଷୟ।

ମଧ୍ୟ ପ୍ରଦେଶ ଶୀର୍ଷରେ
ବାଘ ଗଣନା ରିପୋର୍ଯ ଅନୁଯାୟୀ ଦେଶରେ ସର୍ବାଧିକ ବାଘ ସଂଖ୍ୟା ମଧ୍ୟ ପ୍ରଦେଶରେ ରହିଛି। ଦେଶର ୮ଟି ରାଜ୍ୟରେ ବାଘ ସଂଖ୍ୟା ୧୦୦ରୁ ଅଧିକ। ଜିମ କର୍ବେଟ ଟାଇଗର ରିଜର୍ଭରେ ସବୁଠୁ ଅଧକ ୨୩୧ ବାଘ ଥିବାବେଳେ ମିଜୋରାମର ଢାପା, ପଶ୍ଚିମବଙ୍ଗର ବୁକ୍ସା ଏବଂ ଝାଡ଼ଖଣ୍ଡର ପଲାମୁ ଟାଇଗର ରିଜର୍ଭରେ ଗୋଟିଏ ବି ବାଘ ନ ଥିବା ଉଦ୍‌ବେଗର ବିଷୟ ହୋଇଛି। ମଧ୍ୟ ପ୍ରଦେଶରେ ୫୨୬, କର୍ଣ୍ଣାଟକରେ ୫୨୪, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୯, ତାମିଲନାଡ଼ୁରେ ୨୬୪, ଆସାମରେ ୧୯୦, କେରଳରେ ୧୯୦ ଓ ଉତ୍ତର ପ୍ରଦେଶରେ ୧୭୩ ବାଘ ଥିବା ଗଣନାରୁ ଜଣାଯାଇଛି। ଗଣନା ପାଇଁ ଉଠାଯାଇଥିଲା ୩.୫ କୋଟି ଫଟୋ।

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ
କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ସୂଚନା ଅନୁଯାୟୀ ବାଘ ଗଣନା ପାଇଁ ଦେଶର ୫୦ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜଙ୍ଗଲରେ ୩୦ ହଜାର କ୍ୟାମେରା ଖଞ୍ଜାଯାଇଥିଲା ଏବଂ ୩.୫ କୋଟିରୁ ଅଧିକ ଫଟୋ ଉଠାଯାଇଥିଲା। ଏଥିରେ ୭୬,୬୬୧ ବାଘଙ୍କ ଫଟୋ ଥିଲା। ଭାରତୀୟ ଜଙ୍ଗଲରେ ଜୀବଜନ୍ତୁଙ୍କ ଏଭଳି ଫଟୋଉଠା କାର୍ଯ୍ୟକ୍ରମକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଛି। ଦେଶରେ ୨୦୦୬ରେ ୧୪୧୧ଟି ବାଘ ଥିଲେ। ୨୦୧୦ରେ ଏହା ୧୭୦୬ରେ ପହଞ୍ଚିଲା। ୨୦୧୪ରେ ୨୨୨୬ ଏବଂ ୨୦୧୮ରେ ୨୯୬୯ରେ ପହଞ୍ଚିଥିବା ସାମ୍ନାକୁ ଆସିଛି।

ଓଡ଼ିଶା ହରାଉଛି ସୁଯୋଗ
୨୭୫୦ ବର୍ଗ କିମି ପରିବ୍ୟାପ୍ତ ଶିମିଳିପାଳ ୧୯୭୩ ମସିହାରୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଆସିଛି। ଏହାର ଘଞ୍ଚତା, ବିସ୍ତ୍‌ତଭୂମି ବାଘଙ୍କ ପାଇଁ ଅନୁକୂଳ ପରିବେଶ ସତ୍ତ୍ବେ ଏଠାରେ ବାଘଙ୍କ ସଂଖ୍ୟା ବଢ଼ିପାରୁ ନାହିଁ। ଗଣନାାରୁ ଯେଉଁ ଚିତ୍ର ଆସୁଛି, ତାହାକୁ ସରକାର ସବୁ ସମୟରେ ମାନୁନାହାନ୍ତି କି ସଠିକ ଭାବେ ନିଜସ୍ବ ପଦ୍ଧତିରେ ଗଣନା କରି ଲୋକଙ୍କୁ ପ୍ରକ୍‌ତ ସଂଖ୍ୟା କହୁନାହାନ୍ତି। ୧୯୯୩ ମସିହା ଠାରୁ ଶିମିଳିପାଳରେ କଳାବାଘକୁ ନେଇ ଅନେକ କଥା ଶୁଣାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏମାନଙ୍କ ସ୍ଥିତିକୁ ସ୍ପଷ୍ଟ କରିପାରୁ ନାହାନ୍ତି। ୧୯୯୬ ପରଠାରୁ ୨୭ ବର୍ଷ ଧରି କଳାବାଘର ଉତ୍କଣ୍ଠାପୂର୍ଣ୍ଣ ଇତିହାସ ଏବେ ମଳିନ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ