ସର୍ପାଘାତ କରୁଛି ସର୍ବନାଶ: ୨୦ ବର୍ଷରେ ନେଲାଣି ୧୨ ଲକ୍ଷ ଜୀବନ


ବିଗତ ୨୦ ବର୍ଷ ମଧ୍ୟରେ ଦେଶର ୧୨ ଲକ୍ଷ ଲୋକଙ୍କ ଜୀବନ ସର୍ପାଘାତରେ ଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମ୍‌ତ୍ୟୁବରଣକାରୀଙ୍କ ମଧ୍ୟରେ ୫୦ ପ୍ରତିଶତ ହେଉଛନ୍ତି ୩୦ ବର୍ଷରୁ ୬୯ ବର୍ଷ ବୟସର ବୋଲି ଜଣାଯାଇଛି। ଏଥିରୁ ଏକ ଚତୁର୍ଥାଂଶ ହେଉଛନ୍ତି ଛୋଟ ଶିଶୁ। ସର୍ପ ଦଂଶନରେ ହେଉଥିବା ଅଧିକ ମ୍‌ତ୍ୟୁ ପାଇଁ ଚିତି, ବୋଡ଼ା ଓ ନାଗ ପ୍ରଜାତିର ସାପ ଅଧିକ ଦାୟୀ ଥିବା କୁହାଯାଇଛି। ସାପମାନଙ୍କ ମଧ୍ୟରୁ ଏଭଳି ୧୨ଟି ପ୍ରଜାତି ଅଛନ୍ତି ଯେଉଁମାନଙ୍କ ପାଇଁ ମ୍‌ତ୍ୟୁ ଘଟଣା ବଢ଼ିଯାଇଛି। ଆମ ଦେଶରେ ଯେଉଁ ସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ନାହିଁ, ସେଠାରେ ସର୍ପାଘାତ ଜନିତ ମ୍‌ତ୍ୟୁ ଅଧିକ। ସର୍ପାଘାତ ପରେ ଲୋକଙ୍କ ମନରେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବା ଅପେକ୍ଷା କଳାଯାଦୁ ବା ଅନ୍ଧବିଶ୍ବାସ ଜନିତ ଅଭ୍ୟାସ କରାଯିବା ଭଳି ପରମ୍ପରା ଦେଖିବାକୁ ମିଳୁଛି।

ବର୍ଷାଋତୁରେ ଅଧିକ ହୁଏ ସର୍ପାଘାତ
ସର୍ପ ଦଂଶନ ଜନିତ ଅଧା ଘଟଣା ମୌସୁମୀ ଋତୁରେ ଦେଖାଯାଏ। ଜୁନ ମାସ ଠାରୁ ସେପ୍ଟେମ୍ବର ମଧ୍ୟରେ ଦେଶର ଜଙ୍ଗଲ ଆଖପାଖ ତଥା ଉପକୂଳ ଅଞ୍ଚଳରେ ସର୍ପାଘାତ ଜନିତ ଘଟଣା ବେଶି ମାତ୍ରାରେ ଦେଖାଯାଏ। ବର୍ଷାଦିନେ ବର୍ଷାପାଣି ସାପଙ୍କ ଗାତ ଭିତରେ ପଶିଯିବାରୁ ସେମାନେ ବାହାରି ଆସୁଥିବାରୁ ସର୍ପାଘାତ ଅଧିକ ହୁଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭାରତ ଏବଂ ଦକ୍ଷିଣ ଏସିଆର ବିସ୍ତ୍‌ତ ଅଞ୍ଚଳରେ ଦେଖାଯାଉଥିବା ରସେଲ୍ସ ୱାଇପର (ରଣା ସାପ) ଏକ ବିପଜ୍ଜନକ ପ୍ରଜାତି ଭାବେ ଜଣାଶୁଣା। ଏହି ସାପ ମୂଷା, ବେଙ୍ଗ ଆଦି ଖାଇ ନିଜ ପେଟ ପୂରାଇଥାଏ। ମାନବ ଜନବସତି ଆଖପାଖରେ ଖାଦ୍ୟ ମିଳୁଥିବାରୁ ସେଠାରେ ଏହା ରହିବାକୁ ଭଲପାଏ।

ସ୍ବାସ୍ଥ୍ୟ ସହାୟତା ଆବଶ୍ୟକ
ଭାରତର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ଚିତି ସାପ ବା କଉଡ଼ିଆ ଚିତା ଦିନବେଳେ ଶାନ୍ତ ଥିବା ବେଳେ ଅନ୍ଧାର ହେବା ମାତ୍ରେ ତାର ଅସଲ ରାଗ ଦେଖାଏ। ୫ ଫୁଟ ଯାଏ ଲମ୍ବାରେ ବଢ଼ୁଥିବା ଏହି ସାପ ଅତ୍ୟନ୍ତ ବିପଜ୍ଜନକ। ଏହା ଦଂଶନ କରିବା ମାତ୍ରେ ଅନ୍ତରୀଣ ରକ୍ତସ୍ରାବ ହେବାର ସମ୍ଭାବନା ଥାଏ। ଫଳରେ ଜରୁରୀ ମେଡିକାଲ ସହାୟତା ଲୋଡ଼ା ପଡ଼େ। ୨୦୦୧ରୁ ୨୦୧୪ ମଧ୍ୟରେ ୭୦ ପ୍ରତିଶତ ସର୍ପ ଦଂଶନ ମାମଲାରେ ଏହି ସାପର ଅଧିକ ଭୂମିକା ଥିଲା। ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଓଡ଼ିଶା, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ ଏହି ସାପ ଦଂଶନର ଅଧିକ ସଂଖ୍ୟା ସାମ୍ନାକୁ ଆସିଥାଏ। ଅଧ୍ୟୟନ ଅନୁଯାୟୀ ୭୦ ବର୍ଷରୁ କମ ବୟସର ଲୋକଙ୍କ କ୍ଷେତ୍ରରେ ସର୍ପାଘାତ ଜନିତ ମ୍‌ତ୍ୟୁ ପ୍ରତି ୨୫୦ ଲୋକ ମଧ୍ୟରୁ ଜଣକର ହେଉଥିବା ବେଳେ କେତେକ ଅଞ୍ଚଳରେ ପ୍ରତି ୧୦୦ ସର୍ପାଘାତ ଜନିତ ମାମଲାରେ ଜଣେ ଲୋକର ମ୍‌ତ୍ୟୁ ଘଟିଥାଏ।

ବିଶ୍ବରେ ବର୍ଷକେ ମରୁଛନ୍ତି ଲକ୍ଷେରୁ ଊର୍ଦ୍ଧ୍ବ
ବିଶେଷଜ୍ଞଙ୍କ ମତରେ ବର୍ଷାଦିନେ ବିଲବାଡ଼ିରେ ଚାଷ କାମ କରୁଥିବା ଲୋକମାନଙ୍କ କ୍ଷେତ୍ରରେ ସର୍ପାଘାତ ଜନିତ ବିପଦ ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ସାପ ସମ୍ପର୍କରେ ଆବଶ୍ୟକ ସଚେତନତା ଓ ସୁରକ୍ଷା ଉପାୟ ଗୁଡ଼ିକ ବାବଦରେ ଶିକ୍ଷା ଦିଆଯିବା ଉଚିତ। ସୁରକ୍ଷା ଉପକରଣ ଓ ଔଷଧ, ଟିକା ବାବଦରେ ଧାରଣା ଦେବା ଅପରିହାର୍ଯ୍ୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସର୍ପାଘାତ ଏବେ ଏକ ବୈଶ୍ବିକ ସ୍ବାସ୍ଥ୍ୟ ପ୍ରାଥମିକତା ଅଟେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରଦତ୍ତ ସୂଚନା ଅନୁଯାୟୀ ବିଶ୍ବରେ ପ୍ରତିବର୍ଷ ସର୍ପାଘାତରେ ୮୧ ହଜାରରୁ ୧,୩୮,୦୦୦ ଲୋକଙ୍କ ଜୀବନ ଯାଇଥାଏ। ମ୍‌ତ୍ୟୁସଂଖ୍ୟା ଠାରୁ ଅଧିକ ୩ ଗୁଣା ଏଥିରେ ଆହତ ହୋଇ ବଞ୍ଚିଯାଉଥିଲେ ହେଁ କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିଥାନ୍ତି।

ସବୁ ସାପ ବିଷାକ୍ତ ନୁହନ୍ତି
ଆମ ଦେଶରେ ଅନେକ ପ୍ରକାରର ସାପ ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଷାକ୍ତ ହୋଇଥିବା ବେଳେ ଆଉ କେତେକ ପ୍ରଜାତିଙ୍କ ଠାରେ ବିଷ ନ ଥାଏ। ଭାରତରେ ମାତ୍ର ୬ ପ୍ରକାର ସାପ ବିଷଧାରୀ ଓ ପ୍ରାଣଘାତୀ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଇଣ୍ଡିଆନ କୋବ୍ରା (ନାଗ), ଇଣ୍ଡିଆନ କ୍ରେଟ (ଚିତି), ରସେଲ ୱାଇପର (ରଣା), କରେଡ (ବୋଡ଼ା) ଏବଂ କିଙ୍ଗ କୋବ୍ରା (ଅହିରାଜ) ସବୁଠୁ ବିପଜ୍ଜନକ ଓ ଭୟଙ୍କର। ନାଗସାପ ଦେଶ ସାରା ଦେଖାଯାଏ। ଥରେ ଦଂଶନ କଲେ ବଞ୍ଚିବା ମୁସ୍କିଲ ହୋଇଥାଏ। ସେହିପରି ଚିତି ସାପ ଦିନ ସାରା ଶାନ୍ତ ରହେ। ରାତିରେ ଶିକାର ପାଇଁ ବାହାରେ। ଥରକେ ଯେତିକି ବିଷ ବାହାର କରେ, ସେଥିରେ ୨୦ ଜଣଙ୍କ ଜୀବନ ଚାଲିଯିବା ପାଇଁ ଯଥେଷ୍ଟ। ଅହିରାଜ ସାରା ବିଶ୍ବର ସବୁଠୁ ଲମ୍ବା ସାପ। ୧୩ରୁ ୧୫ ଫୁଟ ଲମ୍ବର ଏହି ସାପ ଭୟଙ୍କର ଭାବେ ଗର୍ଜନ କରେ। ଏହାର ଗୋଟିଏ ବୁନ୍ଦା ବିଷରେ ୫୦ ଜଣଙ୍କ ଜୀବନ ଚାଲିଯିବାର କ୍ଷମତା ଥାଏ। ଦେଶରେ ୨୭୬ ପ୍ରଜାତିର ସାପ ଦେଖାଯାଇଥାନ୍ତି। ଅନେକ ପ୍ରଜାତି ନିରୀହ। ଏମାନେ ମଣିଷଙ୍କୁ ଡରନ୍ତି। ଢମଣା ଭଳି ଅନେକ ପ୍ରଜାତି ମଣିଷର କୌଣସି କ୍ଷତି କରନ୍ତିନି। କିନ୍ତୁ ମଣିଷ ସେମାନଙ୍କୁ ଦେଖିଲେ ଡରେ।

ଦେଶରେ ବର୍ଷକୁ ସର୍ପାଘାତରେ ମରନ୍ତି ୫୦ ହଜାର
ଦେଶରେ ବର୍ଷକୁ ୫୦ ହଜାର ଲୋକ ସର୍ପାଘାତରେ ପ୍ରାଣ ହରାନ୍ତି। ଏଥିରୁ ୯୭ ପ୍ରତିଶତ ମ୍‌ତ୍ୟୁ ଗ୍ରାମୀଣ ଭାରତରେ ହୋଇଥାଏ। ଅନେକ ଲୋକ ସର୍ପାଘାତ ଯୋଗୁ ଦିବ୍ୟାଙ୍ଗ ମଧ୍ୟ ହୋଇଯାଆନ୍ତି। ସେମାନଙ୍କ ପରିବାରରେ ଆୟ କମିଯାଏ। ଏଭଳି ଭାବେ ସର୍ପାଘାତ ଧନ ଓ ଜୀବନ ନଷ୍ଟର କାରଣ ହୋଇଥାଏ। ସାପ ମନୁଷ୍ୟକୁ ଡରେ। କିନ୍ତୁ ସେ ଯେତେବେଳେ ତାର ଜୀବନ ପ୍ରତି ଭୟ ଅଛି ବୋଲି ମନେକରେ, ସେତେବେଳେ ସେ ଆକ୍ରମଣ କରେ। ସାପ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ମୂଷାକୁ ନିୟନ୍ତ୍ରଣ କରନ୍ତୁ। ବିନା ଟର୍ଚ୍ଚରେ ଅନ୍ଧାରରେ ଯାଆନ୍ତୁ ନାହିଁ। ବର୍ଷାଦିନେ ଘରର ବାରଣ୍ଡା ବା ଘର ଭିତର ଚଟାଣ ଉପରେ ଶୁଅନ୍ତୁ ନାହିଁ। ଶୁଖିଲା ପତ୍ର ଡାଳ ଉପରେ ଚାଲନ୍ତୁ ନାହିଁ। ଘାସ ବା ପତ୍ର ଆଣିବା ବେଳେ ଭଲଭାବେ ଦେଖି ଆଣନ୍ତୁ। ତଥାପି ଯଦି ସର୍ପାଘାତ ହୁଏ, ତେବେ ତୁରନ୍ତ ମେଡିକାଲ ସହାୟତା ଲୋଡ଼ନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ