କୋରୋନା ମାଡ଼ରେ ଶିକ୍ଷା ବ୍ୟବସ୍ଥା ବଙ୍କା


କୋରୋନା ପାଇଁ ବନ୍ଦ ରହିଛି ଆମ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ପ୍ରାକ ଶୈଶବ ଶିକ୍ଷା ଠାରୁ ବିଶ୍ବବିଦ୍ୟାଳୟ ସ୍ତର ଯାଏ ଠପ ହୋଇଯାଇଛି ଶିକ୍ଷାଦାନ। ପାଠପଢ଼ା, ପରୀକ୍ଷାଫଳ, କୋଚିଂ, କ୍ୟାମ୍ପସ ଓ କ୍ୟାରିଅରକୁ ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ସରକାର ଠୋସ ପଦକ୍ଷେପ ନେଇପାରୁ ନାହାନ୍ତି। ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ବିନା ପରୀକ୍ଷାରେ ସିବିଏସଇର ପରୀକ୍ଷା ଫଳ ପ୍ରକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ବିନା ପରୀକ୍ଷାରେ ଫଳ ପ୍ରକାଶ ଅସମ୍ଭବ ବୋଲି କେନ୍ଦ୍ର ଉତ୍ତର ଦେଇଛି। ବିଦ୍ୟାର୍ଥୀମାନେ ତ୍ରିଶଙ୍କୁ ସ୍ଥିତିରେ ଥିବା ବେଳେ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ବିଦେଶରେ ଶିକ୍ଷାପ୍ରାପ୍ତିରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଯାଇଛି। ମାର୍ଚ୍ଚ ମାସରେ ରାଜ୍ୟରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ସରକାର ଛୁଟି ଘୋଷଣା କରିଥିଲେ। ପୂର୍ବରୁ କେନ୍ଦ୍ର ଗ୍‌ହମନ୍ତ୍ରାଳୟ ଏକ ନିର୍ଦେଶାବଳୀ ଜରିଆରେ ମେ ୩ ତାରିଖ ଯାଏ ଛୁଟି ଘୋଷଣା ପାଇଁ ନିର୍ଦେଶ ଦେବା ପୂର୍ବରୁ ରାଜ୍ୟ ସରକାର ଜୁନ ୧୭ ଯାଏ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛୁଟି ଘୋଷଣା କରିଥିଲେ।

ଉଚ୍ଚଶିକ୍ଷା ଅଚଳ
ଅନଲାଇନ ଜରିଆରେ ବିଦ୍ୟାଳୟ ଗୁଡ଼ିକ ନିଜ ନିଜର ବିଦ୍ୟାର୍ଥୀମାନଙ୍କୁ ଡିଷ୍ଟାନ୍ସ ଲର୍ଣ୍ଣିଂ, ଇ-ଲର୍ଣ୍ଣିଂ ଆଦି ଶିକ୍ଷାଦାନ ବ୍ୟବସ୍ଥା ତ୍ବରାନ୍ବିତ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ବିଶ୍ବବିଦ୍ୟାଳୟ ଗୁଡ଼ିକୁ କହିଥିଲେ। ଡିଜିଟାଲ ମୋଡରେ ଥିଓରି କିମ୍ବା ପ୍ରାକ୍ଟିକାଲ କ୍ଲାସ ହୋଇପାରିବ ନାହିଁ ବୋଲି ବିଭାଗ ପରାମର୍ଶ ଦେଇଥିଲା। ବିଦ୍ୟାର୍ଥୀମାନେ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହିପାରିବେ ନାହିଁ କି ବିଭାଗୀୟ କାର୍ଯ୍ୟାଳୟ ଗୁଡ଼ିକୁ ବିନା ଅନୁମତିରେ ଆସିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଥିଲା। କ୍ଷେତ୍ରୀୟ ପରିଦର୍ଶନ ପରିଭ୍ରମଣ ଏବଂ ଅନ୍ୟାନ୍ୟ ଶିକ୍ଷାତ୍ମକ ଭ୍ରମଣ ଉପରେ କଟକଣା କରିଦିଆଯାଇଥିଲା। କର୍ମଶାଳା, ସେମିନାର, ସମ୍ମେଳନ, ସାକ୍ଷାତକାର ଆଦିକୁ ଅନଲାଇନରେ କରାଯିବ ବୋଲି କୁହାଗଲା। ପିଏଚଡିର ସାକ୍ଷାତକାରକୁ ମଧ୍ୟ ଅନଲାଇନରେ କରାଯିବା କୁହାଗଲା। କୌଣସି ଜୋନ ସ୍ତରୀୟ ମୂଲ୍ୟାଙ୍କନ କରା ନ ଯିବା ନିଷ୍ପତ୍ତି ନେଇଥିଲା ଉଚ୍ଚଶିକ୍ଷା ବିଭାଗ। ଅପରପକ୍ଷରେ ସମସ୍ତ ଗ୍ରୁପ-ଏ ଶିକ୍ଷକ ଓ ଅଣଶିକ୍ଷକ ନିୟମିତ ଅଫିସ ଆସିବାକୁ କୁହାଗଲା। ଗ୍ରୁପ-ବି, ସି ଏବଂ ଡି କର୍ମଚାରୀମାନଙ୍କ ମଧ୍ୟରୁ ଏକତ୍‌ତୀୟାଂଶ ଅଫିସ ଆସିବାକୁ କୁହାଗଲା। ସାମାଜିକ ଦୂରତା, ହାତଧୁଆ, ସାନିଟାଇଜ ଏବଂ ମାସ୍କର ବାଧ୍ୟତାମୂଳକ ବ୍ୟବହାର କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଗଲା। ଏସବୁ ନିର୍ଦେଶ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବିଶ୍ବବିଦ୍ୟାଳୟ କର୍ମଚାରୀମାନେ କୋଭିଡ ନିୟମ ପାଳନ ନ କରିବାରୁ ଜ୍ୟୋତିବିହାରରୁ ପଜିଟିଭ ଚିହ୍ନଟ ହେଲେ।

ଜୁଲାଇ ୧୫ରୁ ଡିଗ୍ରୀ କଲେଜ ଗୁଡ଼ିକୁ ଅନଲାଇନ କ୍ଲାସ ପାଇଁ ପରାମର୍ଶ ଦିଆଯାଇଛି ସତ ହେଲେ ସବୁ ଡିଗ୍ରୀ କଲେଜର ବିଦ୍ୟାର୍ଥୀମାନେ ଇଣ୍ଟରନେଟ ସେବା ଥିବା ଗାଁରେ ଅଛନ୍ତି କି ନାହିଁ ସରକାର ଜାଣନ୍ତି ନାହିଁ।

ଆଣ୍ଠେଇ ପଡ଼ିଛି ପ୍ରାଥମିକ ଶିକ୍ଷା
ଚକ୍‌ ଓ ଟକ୍‌ ପଦ୍ଧତିରେ ଠପ୍‌ ହୋଇଛି ଶିକ୍ଷାଦାନ। ଓଡ଼ିଶାରେ ୬୦ ଲକ୍ଷ ଛାତ୍ରଛାତ୍ରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇଛନ୍ତି। କୋରୋନା ଆରମ୍ଭରୁ ମାର୍ଚ୍ଚ ମାସରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ସରକାର ମଧୁ ଆପ, ଦୀକ୍ଷା ଆପ ଏବଂ ଶିକ୍ଷା ସଂଯୋଗ ଆପ ଜରିଆରେ ମୋଟ ଛାତ୍ର ସଂଖ୍ୟାର ଅଧା ପିଲାଙ୍କୁ ଅନଲାଇନରେ ପଢ଼ିବାର ସୁଯୋଗ ଦେଇଛନ୍ତି। ରାଜ୍ୟର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢ଼ୁଥିବା ସରକାର କହୁଛନ୍ତି। ବାସ୍ତବ ସ୍ଥିତି ଏହା ଠାରୁ ଭିନ୍ନ। ଆବଶ୍ୟକୀୟ ଭିତ୍ତିଭୂମି, ସମ୍ବଳ ଓ ପ୍ରଯୁକ୍ତି ଜ୍ଞାନର ଅଭାବ ଯୋଗୁ ଶହ ଶହ ପିଲା ଉଭୟ ଅଫଲାଇନ ଓ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।

କମିବ ପାଠ୍ୟକ୍ରମ
ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପିଲାଙ୍କ ପାଠ୍ୟକ୍ରମ କମିବ କି ନାହିଁ ସେ ସମ୍ପର୍କରେ ଅଦ୍ୟାବଧ ଠୋସ ନିଷ୍ପତ୍ତି ସରକାର ନେଇପାରୁ ନାହାନ୍ତି। ସିବିଏସଇ ପକ୍ଷରୁ ନବମରୁ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମ ୩୦ ପ୍ରତିଶତ କମିଛି। ହେଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟକ୍ରମ କମାଇବା ସମ୍ପର୍କରେ ଚୁପ ରହିଛି। ସ୍କୁଲ ଖୋଲିବା ପରେ ଏ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀଙ୍କ ଉତ୍ତର ଛାତ୍ର ଓ ଅଭିଭାବକଙ୍କୁ ସନ୍ତୋଷ ପ୍ରଦାନ କରିପାରି ନାହିଁ। ସ୍କୁଲ ଖୋଲିବା ପୂର୍ବରୁ ପାଠ୍ୟକ୍ରମରୁ କେଉଁ ଅଧ୍ୟାୟ ବାଦ ଦିଆଯିବ ତାହା ପିଲାଙ୍କୁ ଜଣାଇଦେଲେ ପିଲା ଘରେ ପଢ଼ିପାରିଥାନ୍ତେ।

ସ୍ମାର୍ଟଫୋନରେ ସେମିଷ୍ଟର ପରୀକ୍ଷା
ଷ୍ଟେଟ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ ପକ୍ଷରୁ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ଷଷ୍ଠ ସେମିଷ୍ଟର ପରୀକ୍ଷା ସ୍ମାର୍ଟଫୋନ, ଲାପଟପ ଓ କମ୍ପ୍ୟୁଟର ଜରିଆରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କ ନିକଟରେ ଏସବୁ ସାଧନ ନ ଥିବ ସେମାନେ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ତେବେ ବିନା ପାଠପଢ଼ା ଓ ପ୍ରାକ୍ଟିକାଲରେ ପରୀକ୍ଷାକୁ ନେଇ ବିଦ୍ୟାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିପିୟୁଟି ପକ୍ଷରୁ ଫାଇନାଲ ସେମିଷ୍ଟର ପରୀକ୍ଷା ଜୁଲାଇ ୧୩, ୨୫ ଓ ୨୯ ତାରିଖରେ କରାଯିବାକୁ ସ୍ଥିର ହୋଇଛି।

ୟୁନେସ୍କୋ ରିପୋର୍ଟ ଅନୁଯାୟୀ କୋରୋନା ପାଇଁ ୧୨୪ ଦେଶର ୧୨୦ କୋଟି ଛାତ୍ରଛାତ୍ରୀ ସ୍କୁଲ ବାହାରେ ଅଛନ୍ତି। ଆମ ଦେଶର ସ୍ଥିତି ସଙ୍ଗୀନ। ପିଲାଙ୍କ ପାଇଁ ଅନଲାଇନ ଭିତ୍ତିଭୂମି ନାହିଁ। ଶିକ୍ଷା ଉପକରଣ ଓ ବିଷୟକୁ ଅନଲାଇନ ଉପଯୋଗୀ କରାଯାଇ ନାହିଁ। ଭବିଷ୍ୟତ ମେଧା ସ୍‌ଷ୍ଟି କ୍ଷେତ୍ରରେ କୋରୋନା ଦେଶ ତଥା ରାଜ୍ୟରେ ବଡ଼ ବାଧକ ସାଜିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ