ଦୁବେ ଏନକାଉଣ୍ଟରକୁ ଷଡ଼ଯନ୍ତ୍ର କହିଲେ ବିରୋଧୀ, ପିଠି ଥାପୁଡ଼ାଇଲା ଶିବସେନା


କାନପୁର: ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ଗୁଳିରେ ନିହତ ହୋଇଛି। ଗିରଫ ପରେ ଦୁବେକୁ ଉଜ୍ଜୟିନୀରୁ କାନପୁର ଅଣାଯାଉଥିବା ବେଳେ ବାଟରେ ପୋଲିସ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ସୁଯୋଗ ନେଇ ଏହି ଗ୍ୟାଙ୍ଗଷ୍ଟର୍ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳି କରିଥିଲା। ଏଥିରେ ୪ ଜଣ ଉତ୍ତର ପ୍ରଦେଶ ଏସଟିଏଫର କର୍ମଚାରୀ ଆହତ ବି ହୋଇଛନ୍ତି। ତେବେ ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ଏହି ୬୦ଟି ମାମଲାର ଅପରାଧିକୁ ପୋଲିସ୍ ଏନକାଉଣ୍ଟର୍ କରିବା ଘଟଣାକୁ ବିରୋଧୀଦଳମାନେ ହଜମ କରିପାରିନାହାନ୍ତି। ସେମାନେ ଏହା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଶିବସେନା ପୋଲିସର ଏପରି କାରନାମକୁ ପ୍ରଶଂସା କରିବା ସହ ଏସଟିଏଫର ପିଠି ଥାପୁଡ଼ାଇଛି। ଏଥିସହ ବିରୋଧୀଦଳଗୁଡ଼ିକ ଏହି ଏନକାଉଣ୍ଟରର ବିଧିବଦ୍ଧ ଯାଞ୍ଚ୍ ପାଇଁ ମଧ୍ୟ ଦାବି କରିଛନ୍ତି। ଦୁବେ ଗିରଫ ହେବା ପରେ ଉତ୍ତର ପ୍ରଦେଶର ଅନେକ ରାଜନେତା ଓ ବଡ଼ବଡ଼ିଆଙ୍କର ଏହି ମାମଲାରେ ସଂଶ୍ଳିଷ୍ଟତା ଥିବା ସନ୍ଦେହ କରି ଯୋଗୀ ସରକାର ଜାଣିଶୁଣି ଦୁବେକୁ ଏନକାଉଣ୍ଟରରେ ହତ୍ୟା କରିଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟ୍ବିଟ୍ କରି କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାର ନିଜର କଳାକାରନାମା ପଦାରେ ପଡ଼ିଯିବା ଭୟରେ ଏପରି ଏକ କାଣ୍ଡ ଭିଆଇଛି। ବାସ୍ତବରେ ପୋଲିସ୍ ଗାଡ଼ିଟି ଆଦୌ ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ମୁହଁରୁ ଅସଲ ମୁଖା ଉଠିଯିବାର ଭୟ ଦୂର ହୋଇଛି। ପୋଲିସ୍ ଗାଡ଼ି ଓଲଟି ପଡ଼ିନାହିଁ, ବରଂ ଉତ୍ତର ପ୍ରଦେଶ ସରକାର ଗଡ଼ିବାରୁ ରକ୍ଷା ପାଇଯାଇଛି। ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁବେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର୍ କରାଯାଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। କିନ୍ତୁ ଏହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ। କାରଣ ଯଦି ପଳାୟନ କରିବାର ଥିଲା, ତା’ହେଲେ ଦୁବେ ପୋଲିସ୍ ନିକଟରେ ଆତ୍ମସମର୍ପଣ କାହିଁକି କରିଥିଲା ବୋଲି ଯାଦବ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଦୁବେକୁ ଗିରଫ କରାଯିବା ପରେ ସେ କାହା ଛତ୍ରଛାୟା ତଳେ ରହି ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିଲା, ତା’ର ଖୁଲାସା ହେବା କଥା। କିନ୍ତୁ ତା’ର ନିରାପତ୍ତା ସୁନିଶ୍ଚିତ ନ କରି ପୋଲିସ୍ ଏନକାଉଣ୍ଟର୍ କରିବା ପରେ ଆମର ଆଶଙ୍କା ସତ୍ୟ ସାବ୍ୟସ୍ତ ହୋଇଛି ବୋଲି ସିଂହ କହିଛନ୍ତି। ଏଥିସହ ସେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଅନୁରୋଧ କରିଛନ୍ତି।

ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ ପୋଲିସ୍ ସିନା ଦୁବେକୁ ଏନକାଉଣ୍ଟର୍ କରିଦେଲା। କିନ୍ତୁ ତାକୁ ସାହାଯ୍ୟ କରିଥିବା ନେତାମାନଙ୍କର କ’ଣ ହେବ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ଏହାଛଡ଼ା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଏହି ଏନକାଉଣ୍ଟରର ତଦନ୍ତ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବାକୁ ଦାବି କରିଛନ୍ତି। ଏହାଦ୍ବାରା ଉତ୍ତର ପ୍ରଦେଶରେ ରାଜନେତା-ପୋଲିସ୍ ଓ ଅପରାଧୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଉପରୁ ପରଦା ଉଠିପାରିବ ବୋଲି ଟ୍ବିଟ୍ କରି ମାୟାବତୀ କହିଛନ୍ତି। କିନ୍ତୁ ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ପୋଲିସର ପଦକ୍ଷେପକୁ ପ୍ରଶଂସା କରିଛି। ଦୁବେ ପରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର୍ କରାଯିବା ଉପରେ କେହି ବି ପ୍ରଶ୍ନ କରିବା ଅନୁଚିତ। ଦୁବେ ପରି ଅପରାଧୀ ଦେଶର ଆଇନଶୃଙ୍ଖଳା ପ୍ରତି ବିପଦ ହୋଇଥିବାରୁ ପୋଲିସର ପଦକ୍ଷେପ ପ୍ରଶଂସନୀୟ ବୋଲି ଦଳ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ