ପଣ୍ୟ ପରିବହନ ପାଇଁ ରିହାତି ଭଡ଼ା ଘୋଷଣା କଲା ରେଳବାଇ


ଭୁବନେଶ୍ବର: ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ଭଡ଼ାରେ ରିହାତି ଦେବା ପାଇଁ ଯୋଜନା କରିଛି। କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନ୍‌ର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତା ପାଇଁ ଅନ୍ୟାନ୍ୟ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦ ପ୍ରତିଶତ ରିହାତି କରାଯାଇଥିବା ବେଳେ ୫୧ କିମି ରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପଣ୍ୟ ପରିବହନ ପାଇଁ ୨୫ ପ୍ରତିଶତ ରିହାତି ଏବଂ ୭୬ କିମି ରୁ ୯୦ କିମି ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି। ସେହିପରି ୯୧ କିମିରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମ୍‌ରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡ଼ା ଧାର୍ଯ୍ୟ କରାଯାଇଥିଲା। ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନ୍‌ର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ। ଏହି ରିହାତିକୁ ୨୦୨୦ ଜୁଲାଇ ପହିଲା ଠାରୁ ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହା ବ୍ୟତୀତ ଅନ୍ୟ କୌଣସି ରିହାତି କାର୍ଯ୍ୟକାରୀ କରାଯିବ ନାହିଁ। କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬ ପ୍ରତିଶତ ରିହାତି ଲାଗୁ କରାଯିବ।

ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରାଳୟ ମଧ୍ୟ ରିହାତି ନିୟମାବଳୀ ଜାରି କରିଛି। ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମିରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ୍‌ ପରିବହନ କ୍ଷେତ୍ରରେ ୧୬୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦ ପ୍ରତିଶତ ରିହାତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦କିମିରୁ ଅଧିକ ଦୂରତ୍ୱ ପାଇଁ ୨୦ ପ୍ରତିଶତ ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫ ପ୍ରତିଶତ ରିହାତି ଯୋଜନା କରିଛି। ଏହି ସବୁ ରିହାତି ସାଧାରଣ ଶୁଳ୍କ ଦର (ଏନ୍‌ଟିଆର) ଆଧାରରେ ଟ୍ରେନ୍‌ ବୋଝେଇ ପାଇଁ ଲାଗୁହେବ। ଏଥିପାଇଁ ରେଳବାଇ ମଧ୍ୟ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗ ସହିତ ନିରନ୍ତର ସଂଯୋଜନା ଜାରିରଖି ଅଧିକ ପଣ୍ୟ ପରିବହନ ପାଇଁ ପଦକ୍ଷେପ ନେବା ଏବଂ ଏହା ରେଳବାଇ ବୋର୍ଡ ଦ୍ୱାରା ମଧ୍ୟ ମଝିରେ ମଝିରେ ଦୃଷ୍ଟି ଦିଆଯିବ। ଗ୍ରାହକମାନେ ଏହି ରିହାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ନିକଟସ୍ଥ ରେଳବାଇ ଗୁଡ଼ସସେଡ୍‌ କିମ୍ବା ଷ୍ଟେସନ୍‌ମାନଙ୍କରେ ଯୋଗାଯୋଗ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ