ଏକ ଦରଘା ନିକଟରେ ଆପେ ଅଟକିଯାଏ ଶ୍ରୀଜଗନ୍ନାଥଙ୍କ ରଥ


ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପୂର୍ବରୁ ଏକ ମୁସଲମାନ ଦରଘା ପଡ଼ିଥାଏ। ଏହା ଭକ୍ତ ସାଲବେଗଙ୍କ ଦରଘା ଅଟେ। ଏହି ସ୍ଥାନରେ ପହଞ୍ଚିବା ପରେ ଭଗବାନଙ୍କ ରଥ ଆପେ ଆପେ ରୋକିଯାଏ। ବର୍ଷ ବର୍ଷ ଧରି ଏପରି ହୋଇଚାଲିଛି। ଏହାପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି।

କିମ୍ବଦନ୍ତୀ ଅନୁସାରେ ଭାରତରେ ମୋଗଲ ମାନେ ଶାସନ କରୁଥିବାବେଳେ ତାଙ୍କ ସେନାରେ ସାଲବେଗ ନାମକ ଜଣେ ଯୋଦ୍ଧା ଥିଲେ। ତାଙ୍କ ପିତା ଲାଲବେଗ ମଧ୍ୟ ମୋଗଲ ସେନାରେ ଥିଲେ। ଏକଦା ଯୁଦ୍ଧ କରିବା ସମୟରେ ସାଲବେଗଙ୍କ ମଥାରେ ଏକ ଗଭୀର ଆଘାତ ଲାଗିଥିଲା। ଘା’ ନ ଶୁଖିବାରୁ ତାଙ୍କୁ ସେନାରୁ ବାହାର କରି ଦିଆଯାଇଥିଲା। ଏହାପରେ ସାଲବେଗ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ। ସାଲବେଗଙ୍କ ଚିନ୍ତା ଦୂର କରିବା ଲାଗି ତାଙ୍କ ମା’ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଶରଣ ଯିବାକୁ ପରାମର୍ଶ ଦେଇଥିଲେ। ସାଲବେଗ ଶ୍ରୀଜଗନ୍ନାଥଙ୍କ ଦରବାରରେ ପହଞ୍ଚିବା ପରେ ତାଙ୍କ ଭକ୍ତିରେ ଲୀନ ହୋଇଯାଇଥିଲେ। ନିଜ ଭକ୍ତଙ୍କ ବାସ୍ତବ ପ୍ରେମ ଦେଖି ଶ୍ରୀଜଗନ୍ନାଥ ମଧ୍ୟ ଖୁସି ହୋଇଯାଇଥିଲେ। ଏହାପରେ ଶ୍ରୀଜଗନ୍ନାଥ ସାଲବେଗଙ୍କ ସ୍ବପ୍ନରେ ଆସିଥିଲେ ଓ ତାଙ୍କ ଆଘାତ ମଧ୍ୟ ଠିକ୍ ହୋଇଯାଇଥିଲା।

ସାଲବେଗ ନିଦରୁ ଉଠି ଦେଖିଲେ ତାଙ୍କ ଘା’ ଠିକ୍ ହୋଇଯାଇଛି। ଏହା ଦେଖି ସେ ମହାପ୍ରଭୁଙ୍କ ଭକ୍ତିରେ ଉବୁଟୁବୁ ହୋଇ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ଥିଲେ। କିନ୍ତୁ ସେ ହିନ୍ଦୁ ହୋଇ ନ ଥିବାରୁ ମନ୍ଦିରର ପୂଜାରୀ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦେଇ ନ ଥିଲେ। ଏହି ସମୟରେ ସାଲବେଗ କହିଥିଲେ ଯେ ଯଦି ସେ ଶ୍ରୀଜଗନ୍ନାଥଙ୍କ ପ୍ରକୃତ ଭକ୍ତ ହୋଇଥିବେ, ତେବେ ଶ୍ରୀଜଗନ୍ନାଥ ନିଜେ ତାଙ୍କୁ ଦର୍ଶନ ଦେବାକୁ ଆସିବେ। ଏହାପରେ ସାଲବେଗ ସାରା ଜୀବନ ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରିଥିଲେ ଏବଂ ତାଙ୍କ କଥାମତେ ମହାପ୍ରଭୁ ଜଗନ୍ନାଥ ସ୍ବୟଂ ଆସି ତାଙ୍କୁ ଦର୍ଶନ ଦେଇଥିଲେ। ଏପରିକି ଏକ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭକ୍ତ ସାଲବେଗ ବଡ଼ଦାଣ୍ଡକୁ ନ ଆସିବା ଯାଏ ନନ୍ଦିଘୋଷ ଇଞ୍ଚେ ଘୁଞ୍ଚି ନ ଥିଲା। କୁହାଯାଏ, ଯେଉଁ ବର୍ଷ ସାଲବେଗଙ୍କ ମୃତ୍ୟୁ ହେଲା, ସେହି ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ରଥ ଆପେ ଆପେ ସାଲବେଗଙ୍କ ଦରଘା ଆଗରେ ଠିଆ ହୋଇଯାଇଥିଲା। ଲୋକେ ବହୁତ ଚେଷ୍ଟା କରିବା ପରେ ମଧ୍ୟ ରଥ ନିଜ ସ୍ଥାନରୁ ହଲି ନ ଥିଲା। ସେତେବେଳେ କେହି ଜଣେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗଙ୍କ କଥା ସ୍ମରଣ କରାଇଲେ। ଏହାପରେ ସମସ୍ତେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗଙ୍କ ଜୟ ଜୟକାର କରିବା ପରେ ତୁରନ୍ତ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ଗଡ଼ିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସାଲବେଗଙ୍କ ଦରଘା ସମ୍ମୁଖରେ ରଥ ଅଟକିଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ