କୋରୋନା ଟିକା ଖୁବଶୀଘ୍ର: ଚୂଡ଼ାନ୍ତ ପର୍ଯ୍ୟାୟରେ ୪


କୋରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବିଶ୍ବବ୍ୟାପୀ ପ୍ରାୟ ୧୨୦ଟି ଟିକା ଉପରେ ଜୋରଦାର କାମ ଚାଲିଛି। ସେଥିରୁ ୪ଟିକା ଏଭଳି ଟିକା ରହିଛି, ଯାହାକି ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରୁ ଗୋଟିଏ ଆମେରିକା, ଦୁଇଟି ବ୍ରିଟେନ ଏବଂ ଗୋଟିଏ ଚୀନରେ ତିଆରି ହେଉଛି। କେଉଁ ଟିକା କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ତାହାକୁ ନେଇ ପ୍ରତିନିଧିର ଏହି ଆଲେଖ୍ୟ।

ସାରା ବିଶ୍ବକୁ କୋଭିଡ-୧୯ ବା କୋରୋନା ଭୂତାଣୁ ତାର କରାଳ ରୂପ ଦେଖାଇବାରେ ଲାଗିଛି। ୯୫ ଲକ୍ଷ ଲୋକ ଏବେ ଏହି ଭୂତାଣୁରେ ସଂକ୍ରମିତ। ବିଶ୍ବବ୍ୟାପୀ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। କୋଭିଡ-୧୯ ଭୂତାଣୁର ମୁକାବିଲା ପାଇଁ ଏବେ ସାରା ବିଶ୍ବରେ ୧୨୦ରୁ ଅଧିକ ଟିକା ତିଆରି ଚାଲିଛି। ଏଥିରୁ ୧୦ଟି ଟିକାକୁ ମନୁଷ୍ୟ ଦେହରେ ପରୀକ୍ଷଣ କରାଯାଇଛି। କୌଣସି ପ୍ରକାର ଟିକାର ତିଆରି ପାଇଁ ୫ ବର୍ଷରୁ କମ ସମୟ ଲାଗୁ ନ ଥିବା ବେଳେ ଗବେଷକ ଓ ବିଶେଷଜ୍ଞମାନେ ଆଗାମୀ ଜାନୁଆରୀ ୨୦୨୧ ସୁଦ୍ଧା କୋରୋନା ଟିକାର ବଜାର ପ୍ରବେଶ କରାଇ ପାରିବେ ବୋଲି ଆଶା ପ୍ରକଟ କରିଛନ୍ତି। ଯଦି ଏହା ହୋଇପାରିବ, ତେବେ ଏହାକୁ ବିଜ୍ଞାନର ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇ ପାରିବ। ପୂରା ବିଶ୍ବରେ ଟିକାକରଣ ଆରମ୍ଭ କରିବାକୁ ହେଲେ ୧୦ ହଜାର କୋଟି ଟିକାର ଆବଶ୍ୟକତା ରହିଛି।

ଆଗରେ ଅକ୍ସଫୋର୍ଡ
ଟିକା ତିଆରି ଦୌଡ଼ରେ ସବୁଠୁ ଆଗରେ ରହିଛି ବ୍ରିଟେନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା କମ୍ପାନୀ। ଏହାର ଔଷଧ ଏବଂ ଟିକାର ବିଶ୍ବସନୀୟତା ରହିଆସିଛି। ଏଥିପାଇଁ ୟୁରୋପର କେତେକ ଦେଶ ଏହା ସହିତ ମିଶି କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ଏହା ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି ଏବଂ ପାଖାପାଖି ୮୦୦ ଲୋକଙ୍କ ଉପରେ ଟ୍ରାଏଲ କରାଯାଇ ସାରିଛି।

ପରୀକ୍ଷଣ ହେଲା ବ୍ରିଟେନର ଆଉ ଏକ ଟିକା
ଲଣ୍ଡନସ୍ଥିତ ଇମ୍ପେରିଆଲ କଲେଜର ବୈଜ୍ଞାନିକମାନେ ମଧ୍ୟ କୋରୋନା ଟିକା ନିର୍ମାଣରେ ମନୋନିବେଶ କରିଛନ୍ତି। ମଙ୍ଗଳବାର ଏହି ଟିକାର ମନୁଷ୍ୟ ଶରୀର ଉପରେ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହାର ଏକ କ୍ଷୁଦ୍ର ପରିମାଣ ମନୁଷ୍ୟ ଶରୀରରେ ପ୍ରୟୋଗ କରାଯାଇଛି। କଲେଜ ପକ୍ଷରୁ କୁହାଯାଇଛି ଯେ ଯେଉଁ ମନୁଷ୍ୟ ଉପରେ ଏହି ଟିକାର ପ୍ରୟୋଗ କରାଯାଇଛି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ବ୍ରିଟେନ ଏହାର ଉତ୍ପାଦନ ଆରମ୍ଭ କରିବା ଦିଗରେ ସମସ୍ତ ପ୍ରୟାସ ଜାରି ରଖିଛି।

କୋଟିଏରୁ ଊର୍ଦ୍ଧ୍ବ ଟିକା ପାଇଁ ଚୁକ୍ତି
ମନୁଷ୍ୟ ଶରୀରରେ ପ୍ରୟୋଗ ପରେ ଏହାର କ୍ରିୟା ପ୍ରତିକ୍ରିୟା ଆଦିକୁ ନିରୀକ୍ଷଣ କରାଯାଉଛି। ଟିକା ବର୍ତ୍ତମାନ ସୁଦ୍ଧା ଉତ୍ପାଦିତ ହୋଇନାହିଁ। କିନ୍ତୁ ବିଶ୍ବବ୍ୟାପୀ ବିଭିନ୍ନ ଦେଶର ଅର୍ଡରମାନ ଆସି ପହଞ୍ଚିବାରେ ଲାଗିଛି। ବିଶ୍ବବ୍ୟାପୀ ୫୦୦ କୋଟି ୟୁନିଟ ଟିକା ପାଇଁ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି। ଆଷ୍ଟ୍ରାଜେନେକା ଲକ୍ଷାଧିକ ଡୋଜ ବର୍ତ୍ତମାନ ଠାରୁ ତିଆରି କରିସାରିଲାଣି। ଫଳରେ ଟିକାକୁ ଅନୁମତି ମିଳିବା ମାତ୍ରେ ଏହାକୁ ବଜାର ପ୍ରବେଶ କରାଯିବ।

୯୦ ପ୍ରତିଶତ ସଫଳତା ଦାବି କରୁଛି ମଡର୍ଣ୍ଣା

ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଟିକା ତିଆରିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ ବାନସେଲ ଜୁଲାଇ ମାସରେ ଏହାର ମାନବ ଶରୀର ଉପରେ ପରୀକ୍ଷଣ ହେବାର ସୂଚନା ଦେଇଛନ୍ତି। ଏଥିରୁ ୮୦ରୁ୯୦ ପ୍ରତିଶତ ସଫଳତା ମିଳିବ ବୋଲି ଉକ୍ତ କମ୍ପାନୀ ଆଶାବ୍ୟକ୍ତ କରିଛି। ବାନସେଲଙ୍କ କହିବା କଥା ଆମେରିକୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂସ୍ଥା ମଡର୍ଣ୍ଣାକୁ ଖୁବଶୀଘ୍ର ବଜାର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବ। ଜନୈକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ତାଙ୍କ ନିକଟରେ ପ୍ରକ୍‌ତ ଜିନୋମ ଅନୁକ୍ରମ ରହିଛି, ଯାହା ଭୂତାଣୁର ଆଣ୍ଟିବଡ଼ିକୁ ଭାଙ୍ଗିବାରେ ସଫଳ ହୋଇପାରିବ।

ଚୀନ ଟିକାର ଚୂଡ଼ାନ୍ତ ପରୀକ୍ଷଣ
ଚୀନ ନ୍ୟାସନାଲ ବାୟୋଟେକ ଗ୍ରୁପ ଦ୍ବାରା ପ୍ରସ୍ତୁତ ଟିକାକୁ ଚୂଡ଼ାନ୍ତ ପରୀକ୍ଷଣ ପାଇଁ ଅନୁମୋଦନ ମିଳିଛି। ଚୀନରେ କୋରୋନାର ଗୁରୁତର ଲକ୍ଷଣଯୁକ୍ତ ରୋଗୀ ଏବେ ଆଉ ନାହାନ୍ତି। ଏଥିପାଇଁ କମ୍ପାନୀ ଟିକାର ଟ୍ରାଏଲ ୟୁଏଇରେ କରିବାକୁ ଯାଉଛି। ଏହି ଟିକାକୁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ପରୀକ୍ଷଣ ପରେ ଅନୁମତି ମିଳିଯିବ ବୋଲି ଆଶା ବୈଜ୍ଞାନିକମାନେ ବ୍ୟକ୍ତ କରିଛନ୍ତି।

ପରୀକ୍ଷଣ ପରେ ପତଞ୍ଜଳି ଔଷଧକୁ ମିଳିବ ଅନୁମତି

କୋରୋନା ଭୂତାଣୁକୁ ପ୍ରତିହତ ପାଇଁ ଭାରତର ବୈଜ୍ଞାନିକମାନେ ଜୋରଦାର ଉଦ୍ୟମ କରୁଥିବା ବେଳେ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କମ୍ପାନୀ ସାତଦିନରେ ଶତ ପ୍ରତିଶତ ସଫଳତା ଦେବା ଭଳି ଔଷଧ ତିଆରି କରିଥିବା ଦାବି କରିଛନ୍ତି। ଆୟୁଷ ମନ୍ତ୍ରାଳୟ କମ୍ପାନୀ ଠାରୁ ଔଷଧ ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରମାଣ ମାଗିଛି। ପତଞ୍ଜଳି ପ୍ରସ୍ତୁତ ଔଷଧର ପ୍ରଭାବକୁ ନେଇ ପରୀକ୍ଷଣ ହେବ। ସିଏସଆଇଆର ଏବଂ ଆଇସିଏମଆରର ବୈଜ୍ଞାନିକମାନେ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଅନୁମତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ପତଞ୍ଜଳିର ଏହି ଔଷଧ ବିକ୍ରି କରାଯାଇ ପାରିବ ନାହିଁ ଓ ବିଜ୍ଞାପନ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ