ଦିଲ୍ଲୀରେ ସାଇବର ଅପରାଧୀଙ୍କୁ ସୁହାଉଛି ଲକଡାଉନ: ୧୨୫ ଗୁଣା ବଢ଼ିଛି ଅପରାଧ


କୋରୋନା ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଜାରି ରହିଥିବା ଲକଡାଉନ ସମୟରେ ରାଜଧାନୀ ଦିଲ୍ଲୀରେ ସାଇବର ଅପରାଧ ସଂଖ୍ୟା ଗୁଣିତକ ଭାବେ ବ୍‌ଦ୍ଧି ପାଇଛି। ଲକଡାଉନ କାରଣରୁ ଲୋକେ ଅନଲାଇନ ଜରିଆରେ ନେଣଦେଣ ବଢ଼ାଇବା ମାତ୍ରେ ସାଇବର ଅପରାଧୀମାନେ ଏହି ବ୍ୟବସ୍ଥାକୁ ନିଜର ଅସ୍ତ୍ର କରିବାରେ ଲାଗିଲେ। ପରିଣାମସ୍ବରୂପ ଦିଲ୍ଲୀରେ ସାଇବର ଅପରାଧ ହାର ପାଖାପାଖି ୧୨୫ ପ୍ରତିଶତ ବଢ଼ିଛି।

କେବଳ ଏତିକି ନୁହେଁ, ସାଇବର ଅପରାଧର ପରିସଂଖ୍ୟାନ ଉପରେ ଦ୍‌ଷ୍ଟି ପକାଇଲେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୪୯ ପ୍ରତିଶତ ବ୍‌ଦ୍ଧି ସାମ୍ନାକୁ ଆସିଛି। ଦିଲ୍ଲୀରେ ମୁଖ୍ୟତଃ ଆର୍ଥିକ ଠକେଇ ଏବଂ ଅନଲାଇନ ଉତ୍ପୀଡ଼ନ ଭଳି ମାମଲା ବଢ଼ିବାରେ ଲାଗିଛି। ନକଲି ପ୍ରୋଫାଇଲ, ଅନଲାଇନରେ ଅଶ୍ଳୀଳ ମନ୍ତବ୍ୟ, ଯୌନୋଦ୍ଦୀପକ ଛବି ଓ ଶବ୍ଦର ସଂଯୋଜନା, ପରିଚୟକୁ ଚୋରି କରି ପ୍ରୋଫାଇଲ ହ୍ୟାକିଂ, ଉତ୍ତେଜକ ଅନଲାଇନ ସାମଗ୍ରୀ ସମ୍ପର୍କିତ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ଜାନୁଆରୀରୁ ମାର୍ଚ୍ଚ ୨୪ ମଧ୍ୟରେ ମୋଟ ୪୦୦୯ଟି ଏଭଳି ଅଭିଯୋଗ ଆସିଥିବା ବେଳେ ଜୁନ ୧୫ ସୁଦ୍ଧା ୮୯୯୦ଟି ଅଭିଯୋଗ ଦାଏର ହୋଇଛି। ଗତବର୍ଷ ତୁଳନାରେ ୪୯ ପ୍ରତିଶତ ଅଧିକ ଏଭଳି ମାମଲା ସମ୍ପର୍କରେ ଅଭିଯୋଗ ହୋଇଥିବା ବେଳେ ୭୦ ପ୍ରତିଶତ ପୋଲିସ ନିକଟରେ ଅଭିଯୋନ ଅନଲାଇନ ମାଧ୍ୟମରେ ହୋଇଛି। ଅନଲାଇନରେ ଲୋକଙ୍କ ଅଧିକ ସକ୍ରିୟତା ବଢ଼ିବା ଫଳରେ ସାଇବର ଅପରାଧ ମଧ୍ୟ ସମତାଳରେ ବଢ଼ିଛି। ସାଇବର ବିଶେଷଜ୍ଞଙ୍କ ମତ ହେଲା ଅନଲାଇନରେ ନେଣଦେଣ କାରଣରୁ ସକ୍ରିୟ ରହୁଥିବା ଉପଭୋକ୍ତାମାନେ ସୁରକ୍ଷା ବାବଦରେ ଆଦୌ ସଚେତନ ନୁହନ୍ତି। ଏହି କାରଣରୁ ଅପରାଧୀମାନେ ‘କଙ୍କଡ଼ାକୁ ଗୋଳିପାଣି ସୁହାଏ’ ନୀତିରେ କମ୍ପ୍ୟୁଟର ଓ ଅନଲାଇନ କାରବାରରେ ପ୍ରବୀଣ ନ ଥିବା ବ୍ୟକ୍ତିମାନଙ୍କୁ ଟାର୍ଗେଟ କରିନେଉଛନ୍ତି। ଯେଉଁମାନେ ଡିଜିଟାଲ ପ୍ଲାଟଫର୍ମକୁ ଆସୁଛନ୍ତି ସେମାନଙ୍କୁ ଡିଜିଟାଲ ସତର୍କତା ଅବଲମ୍ବନ କରିବାକୁ ହେବ। ଅନ୍ୟଥା ଠକାମିର ଶିକାର ହେବାକୁ ହିଁ ପଡ଼ିବ।

ପୋଲିସର ପରାମର୍ଶ
କୌଣସି ପ୍ରକାର ପରିସ୍ଥିତିରେ ମଧ୍ୟ ସନ୍ଦେହଜନକ ବା ଜାଣି ନ ଥିବା ବ୍ୟକ୍ତି ବା ସଂସ୍ଥା ଠାରୁ ଆସିଥିବା ଇ-ମେଲ ଖୋଲନ୍ତୁ ନାହିଁ। ହ୍ବାଟସଆପ ବା ଅନ୍ୟ ସୋସାଲ ମେସେଜିଂ ଆପ ଗୁଡ଼ିକରେ ଆସିଥିବା ସୂଚନା ଏବଂ ଲିଙ୍କକୁ ଭଲଭାବେ ଅନୁସନ୍ଧାନ ନ କରି ଖୋଲନ୍ତୁ ନାହିଁ। ଲିଙ୍କ ଉପରେ କ୍ଲିକ କରିବା ପୂର୍ବରୁ ପଢ଼ନ୍ତୁ କେଉଁ ଉତ୍ସରୁ ଆସିଛି। ସୋସାଲ ମିଡିଆ ଏବଂ ଅନଲାଇନ ବ୍ୟାଙ୍କିଙ୍ଗ ନେଣଦେଣ ପାଇଁ କଡ଼ା ପାସୱାର୍ଡ ଦିଅନ୍ତୁ। କୌଣସି ଅଜ୍ଞାତ ଲୋକ ସବିଶେଷ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଆଣ୍ଟିଭାଇରସ ସମେତ ନିଜର ସମସ୍ତ ସଫ୍ଟୱେରକୁ ଅପଡେଟ ରଖନ୍ତୁ। ଅନଲାଇନ ସୁରକ୍ଷା ବାବଦରେ ନିଜର ପରିବାର ଓ ବିଶେଷକରି ନିଜର ପିଲାମାନଙ୍କୁ ପ୍ରଶିକ୍ଷିତ କରାନ୍ତୁ। ସହାୟତା ନାମରେ ଯଦି କୌଣସି ଠକ ସଂସ୍ଥାକୁ ଟଙ୍କା ଦାନ କରିବାକୁ ଚାହାନ୍ତି, ତେବେ ସମ୍ପ୍‌କ୍ତ ସଂସ୍ଥା ବାବଦରେ ସବିଶେଷ ଜାଣନ୍ତୁ। କୌଣସି ଇମେଲ ଲିଙ୍କ, ୱେବସାଇଟ ବା ଫୋନକଲ ଉପରେ ସନ୍ଦେହ ହେବା ମାତ୍ରେ ଦିଲ୍ଲୀ ପୋଲିସକୁ ସୂଚିତ କରାନ୍ତୁ।

ଲକଡାଉନ ପୂର୍ବରୁ ଅର୍ଥାତ ଜାନୁଆରୀ ମାସରେ ଦିଲ୍ଲୀ ପୋଲିସ ନିକଟରେ ୧୨୬୦ଟି ସାଇବର ଅପରାଧ ଅଭିଯୋଗ ହୋଇଥିବା ବେଳେ ଫେବ୍ରୁଆରୀରେ ତାହା ୧୮୪୯ରେ ପହଞ୍ଚିଥିଲା। ମାର୍ଚ୍ଚ ୨୪ ସୁଦ୍ଧା ଏଥିରେ ୯୦୦ ଯୋଡ଼ି ହୋଇ ମୋଟ ୪୦୦୯ ଥିଲା। ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେଲା। ମାର୍ଚ୍ଚ ୨୫ରୁ ଏପ୍ରିଲ ୩୦ ମଧ୍ୟରେ ୩୮୫୮ଟି ମାମଲା ସାମ୍ନାକୁ ଆସିଛି। ମେ ମାସରେ ଏହି ସଂଖ୍ୟା ୩୪୩୦ ଓ ଜୁନ ୧୫ ସୁଦ୍ଧା ୧୭୦୨ ସାଇବର ଅପରାଧ ପଞ୍ଜୀକ୍‌ତ ହୋଇଛି। ଏଭଳି ଭାବେ ଲକଡାଉନ ସମୟରେ ମୋଟ ୮୯୯୦ଟି ମାମଲା ପଞ୍ଜୀକ୍‌ତ ହୋଇଛି।

ସୂଚନାଯୋଗ୍ୟ ସାଇବର ଅପରାଧ ସହ ଜଡ଼ିତ ଅଭିଯୋଗ ମଧ୍ୟରୁ ୭୦ ପ୍ରତିଶତ ଅଭିଯୋଗ ଅନଲାଇନ ମାଧ୍ୟମରେ ପୋଲିସ ନିକଟକୁ ଆସିଛି। ପୋଲିସ ଥାନାକୁ ଆସି ଅଭିଯୋଗ କରିବା ବଦଳରେ ଲୋକେ ଫୋନ, ଇମେଲ ଆଦି ଜରିଆରେ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ଅନଲାଇନ ଜରିଆରେ ଅଭିଯୋଗ କରିବା ଉପରେ ପ୍ରାଥମିକତା ଦେଇଛି।

୫ ଦିନରେ ଚୀନ ହ୍ୟାକର କରିଛନ୍ତି ୪୦ ହଜାର ହ୍ୟାକ ଉଦ୍ୟମ
କୋରୋନା ସଙ୍କଟ ବେଳେ ଦେଶ ଭିତରେ ସାଇବର ଅପରାଧୀମାନେ ଲୋକଙ୍କୁ ଲୁଟୁଥିବା ବେଳେ ପଡ଼ୋଶୀ ଚୀନ ଭାରତର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରାଳୟ, ଟେଲିକମ, ଔଷଧ କମ୍ପାନୀ, ଗଣମାଧ୍ୟମ, ଫୋନ ନିର୍ମାତା, ଜିଓ ୱେବସାଇଟ ଆଦି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ୪୦,୩୦୦ ୱେବସାଇଟକୁ ହ୍ୟାକ ଉଦ୍ୟମ କରିଥିବା ସିଙ୍ଗାପୁରର ସାଇବର ସୁରକ୍ଷା ଗୁଇନ୍ଦା ସଂସ୍ଥା ସିଫିମା ରିସର୍ଚ୍ଚ ସୂଚାଇଛି। ପାକିସ୍ତାନୀ ହ୍ୟାକରମାନେ ଏଭଳି କାମରେ ଚୀନକୁ ସହଯୋଗ କରୁଛନ୍ତି। ୫ ଦିନ ହେଲା ସାଇବର ଅପରାଧୀମାନେ ବ୍ୟାଙ୍କ, ଭିତ୍ତିଭୂମି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ୱେବସାଇଟକୁ ଟାର୍ଗେଟ କରିଛନ୍ତି। ହନିଟ୍ରାପ ମାଧ୍ୟମରେ ସେନା ସୂଚନା ହାସଲ କରୁଛନ୍ତି। ସାଇବର ବ୍ୟବହାରକାରୀ ସତର୍କ ନ ରହିଲେ ବିପଦ ଘନେଇ ଆସିବା ନିଶ୍ଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ