ଜନସେବାରେ ବ୍ରତୀ ଆଇଏଏସ ପ୍ରିୟଙ୍କା: କଟାକ୍ଷ ବଦଳାଇ ଦେଲା ଜୀବନ

ଜାଣନ୍ତୁ ଡାକ୍ତରୀ ଛାଡ଼ି ଆଇଏଏସ ହୋଇଥିବା ପ୍ରିୟଙ୍କାଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ

ଯେତେବେଳେ ମନରେ କିଛି କରି ଦେଖାଇବାର ଝୁଙ୍କ ଆସିଯାଏ, ସେତେବେଳେ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ସହଜ ମନେହୋଇଥାଏ। ଏପରି ଏକ କାହାଣୀ ହେଉଛି ଡାକ୍ତରରୁ ଆଇଏଏସ୍ ଅଫିସର ହୋଇଥିବା ପ୍ରିୟଙ୍କା ଶୁକ୍ଳାଙ୍କର। ଯିଏ ନିଜ ଝୁଙ୍କ ଓ କଠୋର ପରିଶ୍ରମ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ବୁଦ୍ଧି ଓ ସଫଳତାର ଅଧିକାରୀ ପ୍ରିୟଙ୍କା କେବଳ ସୋସାଲ ମିଡିଆରେ ଲୋକପ୍ରିୟ ନୁହନ୍ତି, ସେ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ପ୍ରେରଣା। ଚାଲନ୍ତୁ ଜାଣିବା ପ୍ରିୟଙ୍କାଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ।

ଡିଏମ୍ କରିବାକୁ ଚାହୁଥିଲେ ବାପା
ପ୍ରିୟଙ୍କା ପିଲାଦିନୁ ପାଠ ପଢ଼ିବାକୁ ବହୁତ ଭଲ ପାଉଥିଲେ। ତାଙ୍କ ପିତା ସବୁବେଳ ଚାହୁଥିଲେ ଝିଅ କଲେକ୍ଟର ହେଉ ବୋଲି। କିନ୍ତୁ ପରିସ୍ଥିତି ଦେଖି ସେ ମେଡିକାଲ କ୍ଷେତ୍ରରେ ନିଜ କ୍ୟାରିଅର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଲକ୍ଷ୍ନୌସ୍ଥିତ କିଙ୍ଗ ଜର୍ଜସ ୟୁନିଭସିର୍ଟିରୁ ଏମବିବିଏସ ଡିଗ୍ରୀ ହାସଲ କରି ସେ ଲକ୍ଷ୍ନୌରେ ହିଁ ପ୍ରାକ୍ଟିସ ଆରମ୍ଭ କରିଦେଲେ। ଏହି ସମୟରେ ତାଙ୍କ ସହିତ ଏପରି କିଛି ଘଟଣା ଘଟିଲା, ଯେଉଁଥି ପାଇଁ ସେ ଆଇଏଏସ୍ ଅଫିସର ହେବା ପାଇଁ ଅନୁପ୍ରାଣିତ ହୋଇଥିଲେ।

ଏହି ଘଟଣା ବଦଳାଇ ଦେଲା ଜୀବନ
ଲକ୍ଷ୍ନୌରେ ପ୍ରାକ୍ଟିସ କରିବା ସମୟରେ ଥରେ ପ୍ରିୟଙ୍କା ବସ୍ତି ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ସେ ଏଠାକାର ଲୋକଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ଦେବା ସହିତ ଔଷଧ ମଧ୍ୟ ଦେଉଥିଲେ। ଏହି ସମୟରେ ଜଣେ ମହିଳା ଅପରିଷ୍କାର ପାଣି ପିଉଥିବା ସେ ଦେଖିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ମହିଳା ଜଣକ ନିଜ ପିଲାକୁ ମଧ୍ୟ ସେହି ପାଣି ପିଆଉ ଥିଲେ। ଏହି ପାଣି ପିଇବାକୁ ପ୍ରିୟଙ୍କା ମନା କରିବାରୁ ଜବାବରେ ମହିଳା ଜଣକ କହିଥିଲେ, ତମେ କ’ଣ କଲେକ୍ଟର? ଏହି ଶବ୍ଦ ପ୍ରିୟଙ୍କାଙ୍କ ମନରେ ଘର କରି ଦେଇଥିଲା ଓ ସେ ଜଣେ କଲେକ୍ଟର ହେବାକୁ ନିଷ୍ପତ୍ତି ନେଇଥିଲେ।

ଦ୍ବିତୀୟ ଥରରେ ସଫଳତା

ସମାଜକୁ ସୁଧାରିବା ଓ ବସ୍ତିରେ ରହୁଥିବା ଲୋକଙ୍କ ସ୍ଥିତି ବଦଳାଇବା ଲକ୍ଷ୍ୟରେ ପ୍ରିୟଙ୍କା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତିରେ ପାଠ ପଢ଼ିବା ଆରମ୍ଭ କରିଦେଲେ। ହେଲେ ୟୁପିଏସସିର ଏହି ପରୀକ୍ଷାରେ ସେ ପ୍ରଥମ ଥର ସଫଳ ହୋଇ ନ ଥିଲେ। କିନ୍ତୁ ସେ ହାର୍ ମାନି ନ ଥିଲେ। ଦ୍ବିତୀୟ ଥର ପରୀକ୍ଷା ଦେଇ ଭଲ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ।

ମିଳିଛି ଅନେକ ପୁରସ୍କାର

ତାଙ୍କର ପ୍ରଶଂସନୀୟ ଚେଷ୍ଟା ପାଇଁ ଇତିମଧ୍ୟରେ ପ୍ରିୟଙ୍କାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ୨୦୧୧ ଜନଗଣନା ସମୟରେ ଉତ୍କୃଷ୍ଟ ସେବା ଯୋଗାଇ ଦେଇଥିବା ଯୋଗୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ତରଫରୁ ତାଙ୍କୁ ସେନସର ସିଲଭର ମେଡାଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେତିକି ନୁହେଁ, ସାକ୍ଷାରତା କ୍ଷେତ୍ରରେ ନିଜ ପ୍ରଶଂସନୀୟ ଚେଷ୍ଟା ପାଇଁ ତାଙ୍କୁ ରାଷ୍ଟ୍ରପତି ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

ସୋସାଲ ମିଡିଆରେ ଆକ୍ଟିଭ

ଛତିଶଗଡ଼ର ଆଇଏଏସ୍ ଅଫିସର ପ୍ରିୟଙ୍କା ଶୁକ୍ଳା ଏବେ ସୋସାଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି। ସେ ଆଜିକାଲି ଫିଲ୍ଡ ସହିତ ଟ୍ବିଟର ମାଧ୍ୟମରେ ମଧ୍ୟ କୋରୋନା ବିରୋଧରେ ଯେଉଁଭଳି ସଚେତନତା ସୃଷ୍ଟି କରୁଛନ୍ତି, ଲୋକେ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ଏବେ ସେ ଛତିଶଗଡ଼ର ଯଶପୁର ଜିଲାର ଡିଏମ ଭାବେ ନିଯୁକ୍ତ ଅଛନ୍ତି। ନିଜର କଠୋର ପରିଶ୍ରମ ଦ୍ବାରା ପ୍ରିୟଙ୍କା ଏହି ଜିଲାର ଛବି ବଦଳାଇ ଦେଇଛନ୍ତି। ସେ କେବଳ ତାଙ୍କ ସରକାରୀ ଦାୟିତ୍ବ ନିର୍ବାହ କରୁନାହାନ୍ତି, ବରଂ ଏହି ଜିଲାର ଲୋକଙ୍କ ଜୀବନକୁ ଉତ୍କୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି। ଖାସ ଏଥିପାଇଁ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ