ତାଲିବାନ୍ ନେତାଙ୍କୁ କୋରୋନା, ପାକିସ୍ତାନ ସାମରିକ ହସ୍ପିଟାଲରେ ଚିକିତ୍ସାଧୀନ


କାବୁଲ୍: ଆଫଗାନିସ୍ତାନରେ ପାଖାପାଖି ଦୁଇ ଦଶନ୍ଧି ଧରି ହିଂସାର ବାତାବରଣ ସ୍‌ଷ୍ଟି କରିଆସିଥିବା ତାଲିବାନ ଆତଙ୍କବାଦୀ ସଂଗଠନର ଜଣେ ପ୍ରମୁଖ ସଦସ୍ୟଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଛି। ସେ ହେଉଛନ୍ତି ତାଲିବାନର ଡେପୁଟି ଲିଡର୍ ତଥା ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ୍ ହକ୍କାନୀ। ତାଙ୍କ ଶରୀରରେ କୋରୋନା ଭୂତାଣୁ ଠାବ କରାଯିବା ପରେ ତାଙ୍କୁ ରାୱଲପିଣ୍ଡିସ୍ଥିତ ପାକିସ୍ତାନ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନିକଟରେ ସେ ଏକାଧିକ ତାଲିବାନୀ କମାଣ୍ଡରଙ୍କୁ ଭେଟିଥିବାରୁ ସେମାନଙ୍କୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଗତ ମେ’ ୧୬ ତାରିଖରେ ହକ୍କାନୀଙ୍କ ସାମ୍ପଲର ପରୀକ୍ଷା କରାଯାଇଥିଲା ଓ ତାଙ୍କଠାରେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ବୋଲି ଫାର୍ସୀ ନ୍ୟୁଜ ଚ୍ୟାନେଲ୍ ଇରାନିଇଣ୍ଟଲଟିଭିର ବରିଷ୍ଠ ସମ୍ବାଦକ ହାରୁନ୍ ନଜାଫିଜାଦା ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ପାକିସ୍ତାନ ନିୟମିତ ଭାବେ ତାଲିବାନ୍ ଓ ଏହାର ସହଯୋଗୀ ଆତଙ୍କୀ ସଂଗଠନଗୁଡ଼ିକୁ ସହଯୋଗ କରିଆସୁଛି ବୋଲି ନିକଟରେ ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ଏକ ତ୍ରୈମାସିକ ରିପୋର୍ଟରେ ଅଭିଯୋଗ କରାଯାଇଛି। ଏହି ସହଯୋଗୀ ଆତଙ୍କୀ ସଂଗଠନ ମଧ୍ୟରେ ହକ୍କାନୀ ନେଟୱର୍କର ନାମ ମଧ୍ୟ ଉଲ୍ଲେଖ ରହିଥିଲା। ଗତ ଫେବ୍ରୁଆରୀ ୨୯ ତାରିଖରେ ଶେଷ ଥର ପାଇଁ ଆମେରିକା ଓ ତାଲିବାନ ଆତଙ୍କୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲା। ଏହି ଶାନ୍ତି ଆଲୋଚନା ପରେ ପ୍ରଥମ ଥର ପାଇଁ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏପରି ରିପୋର୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ ପକ୍ଷରୁ ନିୟମିତ ସମର୍ଥନ ପାଇଆସୁଥିବା ହକ୍କାନୀ ନେଟୱର୍କ ନିକଟରେ କାବୁଲରେ ଘଟିଥିବା ଏକ ବିସ୍ଫୋରଣ ଘଟଣାରେ ଜଡ଼ିତ ଥିଲା। ରାଜଧାନୀ କାବୁଲରେ ହୋଇଥିବା ଏହି ଦ୍ବୈତ ବିସ୍ଫୋରଣ ଘଟଣାର ତଦନ୍ତ ଆଫଗାନିସ୍ତାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଜାରି ରହିଛି। କାବୁଲର ଏକ ହସ୍ପିଟାଲରେ ଏକାଧିକ ବନ୍ଧୁକଧାରୀ ପୋଲିସ୍ ପୋଷାକ ପିନ୍ଧି ପ୍ରବେଶ କରିବା ସହ ୨ ଜଣ ନବଜାତକଙ୍କ ସମେତ ୧୬ ଜଣଙ୍କୁ ହତ୍ୟା କରିଥିଲେ। ଦୁଇଟି ବିସ୍ଫୋରଣ ଘଟଣାରେ ସର୍ବମୋଟ ୪୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ