ଚୀନର ଶେୟାର୍ ଉପରେ ରୋକ ଲଗାଇବାକୁ ଆମେରିକା ସିନେଟ୍‌ରେ ବିଧେୟକ ପାସ୍


ଗତ ବର୍ଷ ଶେଷ ଭାଗରେ ଚୀନର ଉହାନ୍ ସହରରେ ସର୍ବପ୍ରଥମେ ଘାତକ କୋରୋନା ଭୂତାଣୁ ଠାବ କରାଯାଇଥିଲା। ପରେ ଏହା ବିଶ୍ବର ୨୦୦ରୁ ଊର୍ଦ୍ଧ୍ବ ଦେଶକୁ ବ୍ୟାପିବା ଫଳରେ ଅଦ୍ୟାବଧି ଅଧ କୋଟି ଲୋକ ଆକ୍ରାନ୍ତ ସୂଚୀରେ ସାମିଲ୍ ହୋଇସାରିଛନ୍ତି। ଏହାଛଡ଼ା ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ମଧ୍ୟ ଏହି ଘାତକ ଭୂତାଣୁ ନେଇସାରିଲାଣି। ଏହି ଭୂତାଣୁ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ତେଣୁ ବିଶ୍ବର ଏକ ଦୁଃଖଦ ସ୍ଥିତି ପାଇଁ ଆମେରିକା ନିୟମିତ ଚୀନ ଉପରେ ଦୋଷ ଲଦିଆସୁଛି। ଏହି କ୍ରମରେ ବୁଧବାର ଆମେରିକା ସଂସଦର ସିନେଟରେ ଏକ ସ୍ବତନ୍ତ୍ର ବିଧେୟକକୁ ଅନୁମୋଦନ ମିଳିଛି। ଏହି ବିଧେୟକଟି ଆଇନରେ ପରିଣତ ହେଲେ, ଚୀନର କୌଣସି କମ୍ପାନୀ ସେମାନଙ୍କ ଶେୟାର୍ ଆମେରିକା ଏକ୍ସଚେଞ୍ଜରେ ଲିଷ୍ଟିଂ କରିପାରିବେ ନାହିଁ। ଚୀନ୍ କମ୍ପାନୀମାନେ ନିଜର ଶେୟାର୍ ଲିଷ୍ଟିଂ ପାଇଁ ଆମେରିକା ଦ୍ବାରା ଧାର୍ଯ୍ୟ କରାଯାଇଥିବା ନିୟମ ମାନିବାକୁ ପଡ଼ିବ ବୋଲି ଏହି ବିଧେୟକରେ ଉଲ୍ଲେଖ ରହିଛି।

ଚୀନ୍ କମ୍ପାନୀମାନଙ୍କର ଦବଦବା ହ୍ରାସ କରିବା ସକାଶେ ଏପରି ଏକ ବିଧେୟକ ସିନେଟରେ ରିପବ୍ଲିକ୍ ଦଳର ସାଂସଦ ଜନ୍ କେନେଡି ଓ ଡେମୋକ୍ରାଟିକ୍ ଦଳର ସାଂସଦ କ୍ରିସ୍ ଭାନ୍ ହୋଲେନ୍ ଉପସ୍ଥାପନ କରିଥିଲେ। ସିନେଟରେ ଏହା ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରିଛି। ତେବେ ଏହି ବିଧେୟକ ଆଇନରେ ପରିଣତ ହେବାକୁ ହେଲେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ମଧ୍ୟ ଏହାକୁ ଅନୁମୋଦନ ଦେବା ଦରକାର। ତା’ଛଡ଼ା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁମୋଦନ ପରେ ହିଁ ଏହି ବିଧେୟକ ଆଇନରେ ପରିଣତ ହୋଇପାରିବ। ‘ଦ ହୋଲ୍ଡିଂ ଫରେନ୍ କମ୍ପାନଜିତ୍ ଆକାଉଣ୍ଟେବଲ୍ ଆକ୍ଟ’ ନାମକ ଏହି ବିଧେୟକରେ ରଖାଯାଇଥିବା ସର୍ତ୍ତ ଅନୁସାରେ, ଆମେରିକାର ପବ୍ଲିକ୍ କମ୍ପାନୀ ଆକାଉଣ୍ଟିଂ ଓଭରସାଇଟ୍ ବୋର୍ଡ ଦ୍ବାରା କ୍ରମାଗତ ୩ ବର୍ଷ ଅଡିଟର ସମ୍ମୁଖୀନ ହେବା ପରେ ହିଁ କୌଣସି ବିଦେଶୀ କମ୍ପାନୀ ସେମାନଙ୍କ ଶେୟାର୍ ଆମେରିକା ଷ୍ଟକ୍ ଏକ୍ସଚେଞ୍ଜ ଲିଷ୍ଟିଂରେ ସାମିଲ୍ କରିପାରିବେ। ଏହାଛଡ଼ା ଉକ୍ତ ପବ୍ଲିକ୍ କମ୍ପାନୀଗୁଡ଼ିକ କୌଣସି ବିଦେଶୀ ସରକାର ଦ୍ବାରା ପରିଚାଳିତ ଅବା ମାଲିକାନରେ ରହିଛନ୍ତି କି ନାହିଁ, ସେଥିନେଇ ମଧ୍ୟ ଘୋଷଣନାମା ଦାଖଲ କରିବେ। ଏହି ବିଧେୟକ ଯଦିଓ ସବୁ ବିଦେଶୀ କମ୍ପାନୀଙ୍କୁ ଲକ୍ଷ୍ୟ ରଖି ଆଗତ କରାଯାଇଛି, କିନ୍ତୁ ଚୀନ କମ୍ପାନୀମାନଙ୍କ ଉପରେ କଟକଣା ଲଗାଇବା ଉପରେ ଏଥିରେ ଉଭୟ ରିପବ୍ଲିକ୍ ଓ ଓ ଡେମୋକ୍ରାଟିକ୍ ସାଂସଦମାନେ ଗୁରୁତ୍ବ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ