ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟିର ଆଗୁଆ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ


କୋଲ୍‌କାତା:  ଅତି ଭୀଷଣ ବାତ୍ୟା ଅମ୍ପନ ଦ୍ୱାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବାତ୍ୟା ଅମ୍ପନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି।  ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅମ୍ପନଜନିତ ବିଭୀଷିକାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ଏଥିସହ ଖୁବ୍ ଶୀଘ୍ର କେନ୍ଦ୍ରର ଏକ ଟିମ୍ ରାଜ୍ୟକୁ ଆସି କ୍ଷୟକ୍ଷତିର ବିସ୍ତୃତ ସର୍ଭେ କରିବ ବୋଲି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହାପରେ ସବୁ ପ୍ରକାର ପୁନର୍ବସ୍ଥାନ ଏବଂ ପୁନର୍ନିମାଣ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ। ଆମେ ସମସ୍ତେ ଚାହୁଁ ପଶ୍ଚିମବଙ୍ଗ ଅଗ୍ରଗତି କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ବସିରହାଟରେ ଅବତରଣ କରିଥିଲେ। ବସିରହାଟ କଲେଜରେ ଆୟୋଜିତ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ସଙ୍କଟ ସମୟରେ କେନ୍ଦ୍ର ପଶ୍ଚିମବଙ୍ଗକୁ ସହାୟତା କରିବାକୁ ପ୍ରସ୍ତୁତ। ଯେତେବେଳେ ଦେଶରେ କୋରୋନା ସଙ୍କଟ ଦେଖାଦେଇଛି, ସେତେବେଳେ ଏହି ବାତ୍ୟା ଦ୍ୱାରା ଦେଶର ପୂର୍ବାଞ୍ଚଳ ପ୍ରଭାବିତ ହୋଇଛି। ମୋଦି କହିଛନ୍ତି ଯେ ଏହି ବାତ୍ୟା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିଲେ, କିନ୍ତୁ ଏହା ସତ୍ତ୍ୱେ ବି ଆମେ ୮୦ ଜଣଙ୍କୁ ହରାଇଛୁ। ଏହି ବାତ୍ୟା ଯୋଗୁ ବହୁ ସମ୍ପତ୍ତି ନଷ୍ଟ ହୋଇଛି, ଯେଉଁଥିରେ ଘର ଦ୍ୱାର ଓ  ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି।  ଉଭୟ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ବଙ୍ଗବାସୀଙ୍କ ସହ ଅଛନ୍ତି ବୋଲି ମୋଦି କହିଛନ୍ତି। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଜଗଦୀପ ଧନଖର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟ ସରକାରଙ୍କର ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ।

ଏଥିସହ ରାଜ୍ୟବାସୀଙ୍କ ପ୍ରତି ଦେଇଥିବା ସଂକ୍ଷିପ୍ତ ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ବାତ୍ୟା ବିଭୀଷିକାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ମେ ମାସରେ ଦେଶ ନିର୍ବାଚନରେ ବ୍ୟସ୍ତ ଥିବା ସମୟରେ ଓଡ଼ିଶାରେ ହୋଇଥିବା ବାତ୍ୟାଜନିତ କ୍ଷୟକ୍ଷତିର ମୁକାବିଲା କରିବାକୁ ପଡ଼ିଥିଲା। ପୁଣି ବର୍ଷେ ପରେ ଏ ବାତ୍ୟା ଆମର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିଛି। ଏଥିଯୋଗୁ ପଶ୍ଚିମବଙ୍ଗବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେ ସମସ୍ତେ ପଶ୍ଚିମବଙ୍ଗବାସୀଙ୍କ ଅଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ