ରେପୋ ଓ ରିଭର୍ସ ରେପୋ ରେଟ୍ ହ୍ରାସ, ଅଗଷ୍ଟ ୩୧ ପର୍ଯ୍ୟନ୍ତ ଇଏମଆଇ କୋହଳ


ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ବ୍ୟାପକ କ୍ଷୟକ୍ଷତି ଘଟାଇସାରିଥିବା ବେଳେ ଦେଶର ଅର୍ଥନୀତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ପାଖାପାଖି ୭ ସପ୍ତାହ ଧରି ସମସ୍ତ ପ୍ରକାର ବ୍ୟବସାୟରେ ତାଲା ପଡ଼ିଯାଇଥିବାରୁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ ହ୍ରାସ କରିଛନ୍ତି। ଏହାଛଡ଼ା ବିଭିନ୍ନ ଋଣ ପ୍ରସଙ୍ଗରେ ଇଏମ୍ଆଇ ପଇଠ ଅବଧିକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କୋହଳ କରିଛନ୍ତି। ପୂର୍ବରୁ ଆରବିଆଇ ପକ୍ଷରୁ ଏହି ଅବଧି ମାର୍ଚ୍ଚରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ରେପୋ ରେଟ ୪୦ ବେସିସ୍ ପଏଣ୍ଟ୍ ହ୍ରାସ ପାଇ ୪.୪ ପ୍ରତିଶତରୁ ୪ ପ୍ରତିଶତକୁ ଖସିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୭୫ ପ୍ରତିଶତରୁ ୩.୩୫ ପ୍ରତିଶତକୁ ହ୍ରାସ କରାଯାଇଥିବା ଗଭର୍ଣ୍ଣର୍ କହିଛନ୍ତି।

ଏହି ଅବସରରେ ଶକ୍ତିକାନ୍ତ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଗତ ଏପ୍ରିଲ୍ ୧ଠାରୁ ଅଦ୍ୟାବଧି ଦେଶର ବୈଦେଶିକ ଏକ୍ସଚେଞ୍ଜ୍ ରିଜର୍ଭ ୯.୨ ବିଲିଅନକୁ ବଢ଼ିଛି। ଗତ ମେ’ ୧୫ ତାରିଖ ପର୍ଯ୍ୟନ୍ତ ବୈଦେଶିକ ଏକ୍ସଚେଞ୍ଜ୍ ରିଜର୍ଭ ପରିମାଣ ୪୮୭ ବିଲିଅନ୍ ଆମେରିକୀୟ ଡଲାର୍ ରହିଛି। ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବ୍‌ଦ୍ଧି ପରିଲକ୍ଷିତ ହୋଇଛି। ଦେଶରେ ଖାଦ୍ୟ ଉତ୍ପାଦନରେ ରେକର୍ଡ ୩.୭ ପ୍ରତିଶତ ବ୍‌ଦ୍ଧି ଘଟିଥିବାରୁ ଆଗାମୀ ଦିନରେ ଏହା ଦେଶର ଅର୍ଥନୀତିକୁ ପୁରୁଣା ଧାରାକୁ ଫେରାଇ ଆଣିବା ଦିଗରେ ସକ୍ଷମ ହେବ ବୋଲି ଶକ୍ତିକାନ୍ତ ଆଶା କରିଛନ୍ତି। ଆରବିଆଇ ଗଭର୍ଣ୍ଣର୍ ଏହି ଅବସରରେ କରିଥିବା ଘୋଷଣାକୁ ୪ଟି ବର୍ଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା ବଜାର ବ୍ୟବସ୍ଥାରେ ଉନ୍ନତି, ଆମଦାନି ଓ ରପ୍ତାନୀକୁ ସମର୍ଥନ, ଋଣଗ୍ରହୀତା ଓ ରାଜ୍ୟଗୁଡ଼ିକର ଆର୍ଥିକ ବୋଝ ହାଲକା କରିବା ଇତ୍ୟାଦି। ସେହିପରି ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ଅନୁମାନ କରାଯାଇଥିବା ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅବନତି ହେବା ନିଶ୍ଚିତ। କୋରୋନା ମହାମାରୀ କାରଣରୁ ଦେଶର ରପ୍ତାନୀ ହାର ୩୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଆସିଛି। ଏହାଛଡ଼ା ଖାଦ୍ୟ ମୁଦ୍ରାସ୍ଫୀତି ଏପ୍ରିଲ୍ ୨୦୨୦ରେ ୮.୬ ପ୍ରତିଶତକୁ ବଢ଼ିଥିବା ବେଳେ ଗତ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନରେ ୧୭ ପ୍ରତିଶତ ହ୍ରାସ ଘଟିଥିବା ଗଭର୍ଣ୍ଣର୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ