ଲକଡାଉନ ୪ ଆରମ୍ଭ: କଟକଣା କୋହଳ, ବଢ଼ୁଛନ୍ତି ସଂକ୍ରମିତ

ରାଜ୍ୟକୁ ମିଳିଲା କ୍ଷମତା, ନୀତିନିୟମର ସଠିକ ପାଳନ ପାଇଁ କେନ୍ଦ୍ରର ପରାମର୍ଶ

ମେ ୧୮ ତାରିଖ ଠାରୁ ଲକଡାଉନ-୪ ସାରା ଦେଶରେ ଲାଗୁ ହୋଇଛି। ଚାରୋଟି ପର୍ଯ୍ୟାୟରେ ଦେଶକୁ ମାର୍ଚ୍ଚ ୨୫ ଠାରୁ ତାଲାବନ୍ଦ ଅବସ୍ଥାରେ ରଖାଯାଇଥିବା ସତ୍ତ୍ବେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅପରପଟରେ କୋରୋନାର ଜ୍ବାଳା ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫,୨୪୨ରେ ପହଞ୍ଚି ଥିବା ବେଳେ ୧୫୭ ଜଣଙ୍କ ଜୀବନ ଯାଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ମଡେଲକୁ ଆପଣାଉଥିବା ବେଳେ ଦେଶରେ ଶ୍ରମିକଙ୍କ ଦୁର୍ଦ୍ଦଶା, ଅର୍ଥନୀତିରେ ମାନ୍ଦାବସ୍ଥା, ଜୀବିକାରେ ସଙ୍କଟ ଆଦି ଲକଡାଉନ ଗଳାରେ ଫାସ ହୋଇ ଝୁଲିଛି।

କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍‌ଷ୍ଟିରୁ ଆମ ଦେଶର ରାଜଧାନୀ ଦିଲ୍ଲୀ ପଛରେ ନାହିଁ। କେବଳ ଦିଲ୍ଲୀରେ ୧୦ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ବେଶୀଦିନ ତାଲାବନ୍ଦ ସପକ୍ଷରେ ନାହାନ୍ତି। ଆମେ ଧୀରେ ଧୀରେ ଅର୍ଥ ବ୍ୟବସ୍ଥାକୁ ଖୋଲିବା ଦିଗରେ ଆଗକୁ ବଢ଼ିବା ଉଚିତ ବୋଲି ସେ କହିଛନ୍ତି। ଦିଲ୍ଲୀରେ ସରକାରୀ ବସରେ ୨୦ ଜଣ ଯାତ୍ରୀ ବସି ଯାତାୟାତ କରିପାରିବେ। ଚାରିଚକିଆରେ ଡ୍ରାଇଭର ସମେତ ଦୁଇଜଣ ଯାତ୍ରୀ ଓ ବାଇକରେ କେବଳ ଚାକଳ ଯାତାୟାତ କରିପାରିବେ। ଅଟୋ, ଇ-ରିକ୍ସା, ଟାକ୍ସିରେ ଦୁଇଜଣ ଯାତ୍ରୀ ଯାତ୍ରା କରିବାର ପ୍ରାବଧାନ ଦିଲ୍ଲୀ ସରକାର ରଖିଛନ୍ତି। କିନ୍ତୁ ମଙ୍ଗଳବାର ଦିଲ୍ଲୀରେ ବାଇକରେ ଦୁଇଜଣ ଲେଖାଏଁ ବସି ଯାତ୍ରା କରୁଥିବା ବେଳେ ବଜାର ଗୁଡ଼ିକରେ ଲୋକଙ୍କ ଭିଡ଼ ସାମାଜିକ ଦୂରତ୍ବ ମାନୁ ନ ଥିବା ସାମ୍ନାକୁ ଆସିଛି।

ଦିଲ୍ଲୀରେ ରେସ୍ତୋରାଁ ଖୋଲିଛି। କେବଳ ହୋମ ଡେଲିଭରି ପାଇଁ ଅନୁମତି ରହିଛି। ଦୋକାନ ଗୁଡ଼ିକୁ ନମ୍ବର ଦିଆଯାଇଛି। ଅଧା ଦୋକାନ ଗୋଟିଏ ଦିନ ଓ ପରଦିନ ଅବଶିଷ୍ଟ ଅଧା ଦୋକାନ ଖୋଲିବାର ଅନୁମତି ରହିଛି। ଏ ରୁ ଏଲ ଅକ୍ଷର ଯାଏ ଥିବା ଉଦ୍ୟୋଗ ସକାଳ ୭.୩୦ରୁ ୫.୩୦ ଏବଂ ଏମ ରୁ ଜେଡ ଅକ୍ଷର ସକାଳ ୮.୩୦ରୁ ୬.୩୦ ଯାଏ ଖୋଲିବାର ନିୟମ କରିଛନ୍ତି ଦିଲ୍ଲୀ ସରକାର। ଘଣ୍ଟାଏ ବ୍ୟବଧାନ କିଛି ବି ପ୍ରଭାବ ପକାଉ ନ ଥିବା ପ୍ରଥମ ଦିନରୁ ଜଣାପଡ଼ିଛି। ସଡ଼କରେ ଏବେ କାରର ଭିଡ଼। ଟ୍ରାଫିକ ସ୍ଥିତି ଅସମ୍ଭାଳ। ତେଣୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନର ନାମ ଲକଡାଉନ ନ ଦେଇ ହାଫ ଖୋଲା ଦେଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଉଛି। ଦିଲ୍ଲୀରେ ୧୦ ଲକ୍ଷରୁ ଅଧିକ ଦୋକାନ ରହିଛି। ୧୦୦ରୁ ଅଧିକ ବଡ଼ ବଜାର ରହିଛି। ୮୫୦ରୁ ଅଧିକ ଛୋଟ ବଜାର ରହିଛି। ଲକ୍ଷାଧିକ ଲୋକ ରାତି ପାହିଲେ ଏସବୁ ଦୋକାନ ନିକଟକୁ ଆସିଥାନ୍ତି। ଏବେ ଏଗୁଡ଼ିକ ପ୍ରାୟତଃ ଖୋଲିଲାଣି। ତେଣୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନର କିଛି ଯେ କଟକଣା ଆଉ କାମ କରିବ ନାହିଁ ଏହା ସ୍ପଷ୍ଟ ହୋଇଛି।

କେନ୍ଦ୍ର ଗ୍‌ହ ମନ୍ତ୍ରାଳୟ ସୋମବାର ଦିନ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଲକଡାଉନର ନୀତିନିୟମକୁ ଯେଭଳି ସଠିକ ଭାବେ ପାଳନ କରାଯିବ, ସେନେଇ ଧ୍ୟାନ ଦେବାକୁ କହିଛନ୍ତି। ଯଦି ଆବଶ୍ୟକ ପଡ଼େ, ଏହାକୁ କଡ଼ାକଡ଼ି କରିବା କଥା ମଧ୍ୟ ସୂଚାଇଛନ୍ତି। ଗ୍‌ହ ମନ୍ତ୍ରାଳୟ ସଚିବ ଅଜୟ ଭଲ୍ଲା ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇ ନୂଆ ନିର୍ଦେଶାବଳୀ ମାନିବାକୁ କହିଛନ୍ତି। ରବିବାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୁଡ଼ିକରେ ରେଡ, ଗ୍ରୀନ, ଅରେଞ୍ଜ କଣ୍ଟେନମେଣ୍ଟ ଓ ବଫର ଜୋନ ଚିହ୍ନଟ ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶାବଳୀ ଆଧାରରେ କରିବାକୁ କହିଥିଲେ। କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ରୋକାଯାଇଛି। ଜୋନର ବର୍ଗୀକରଣ କ୍ଷମତା ରାଜ୍ୟଗୁଡ଼ିକୁ ମିଳୁ ବୋଲି ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ବେଳେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ଲକଡାଉନ ୪ ଆରମ୍ଭ ହେବା ପରେ ରାଜ୍ୟ ଗୁଡ଼ିକ ନିଜ ନିଜ ନିଷ୍ପତ୍ତି ଅନୁସାରେ ମନଇଚ୍ଛା ନୀତିନିୟମ ପ୍ରଣୟନ କରି ଅନ୍ୟ ରାଜ୍ୟ ଉପରେ ଚାପ ସ୍‌ଷ୍ଟି କରିଛନ୍ତି।

କର୍ଣ୍ଣାଟକ ସରକାର, ତାମିଲନାଡ଼ୁ, ଗୁଜରାଟ, କେରଳ ଓ ମହାରାଷ୍ଟ୍ରରୁ କୌଣସି ବସ ନିଜ ରାଜ୍ୟକୁ ଆସିପାରିବ ନାହିଁ କହିଥିବା ବେଳେ ଦିଲ୍ଳୀରେ ଅଡ ଇଭିନ ନମ୍ବର ଭଳି ବଜାର ଖୋଲିବା ବ୍ୟବସ୍ଥା କରାଯାଇଛି। ଉତ୍ତର ପ୍ରଦେଶ ସରକାର ବିରୋଧୀ ଦଳର ଚାପ ଆଗରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୧୦୦୦ ବସରେ ପ୍ରବାସୀ ଶ୍ରମିକଙ୍କୁ ଆଣିବାର ଅନୁମତି ଦେଇଛନ୍ତି। ବିହାର ସରକାର ରାଜ୍ୟର ପ୍ରତ୍ୟେକ ବ୍ଲକ ସଦର ଓ ଦିଲ୍ଲୀ ସରକାର ଦିଲ୍ଲୀ ସଦରକୁ ରେଡ ଜୋନ ଭାବେ ଘୋଷଣା କରିଛନ୍ତି। ହରିଦ୍ବାର, ରୁଦ୍ରପୁର, କାଶୀପୁରରେ ଅଡ ଇଭିନ ନମ୍ବର ବ୍ୟବସ୍ଥା ଜାରି କରିଛନ୍ତି ଉତ୍ତରାଖଣ୍ଡ ସରକାର। ବିହାର ସରକାର ଲୁଗା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏସବୁ ଆଳରେ ଯେ ଭିଡ଼ ସ୍‌ଷ୍ଟି ହେବ, ଏହା ସ୍ପଷ୍ଟ ଦେଖାଗଲାଣି। କେରଳ ସରକାର ରାଜ୍ୟ ଭିତରେ ବସ ଚଳପ୍ରଚଳ ନିର୍ଦେଶ ଦେଇଛନ୍ତି। ଗୋଟିଏ ଜିଲାକୁ ଛାଡ଼ି ସମସ୍ତ ସ୍ଥାନରେ ବସ ଚାଲିପାରିବ ବୋଲି କହିଛନ୍ତି। ପଶ୍ଚିମବଙ୍ଗରେ ହୋଟେଲ, ସେଲୁନ ଆଦି ଖୋଲିଛି, ବସ ଚାଲିଲାଣି। କର୍ଣ୍ଣାଟକରେ ପାର୍କ ଖୋଲିଛି, ପଞ୍ଜାବରେ ସେଲୁନ ଖୋଲିଲାଣି। ମହାରାଷ୍ଟ୍ରରେ ତିନି ଲକ୍ଷ ପାସ ଜାରି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ