ଡରାଉଛି ମହାବାତ୍ୟା ଅମ୍ପନ: ୧୯୯୯ ପରେ ବଙ୍ଗୋପସାଗରରେ ଦ୍ବିତୀୟ ସୁପରସାଇକ୍ଲୋନ

ଓଡ଼ିଶାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇଛି ଅମ୍ପନ। ସ୍ଥଳଭାଗ ଛୁଇଁବା ବେଳକୁ ଏହା ଅତି ଭୟଙ୍କର ଝଡ଼ବାତ୍ୟାରେ ପରିଣତ ହୋଇଥିବ। ସମୁଦ୍ର ଭିତରେ ଘଣ୍ଟାକୁ ୧୩ କିମି ବେଗରେ ଗତି କରୁଥିବା ଏହି ସୁପରସାଇକ୍ଲୋନ ଏହାର ବେଗ କମାଇ ୬ରୁ ୪ କିମି ବେଗରେ ଉତ୍ତର, ଉତ୍ତରପୂର୍ବ ମୁହାଁ ହୋଇ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଆଡ଼କୁ ମାଡ଼ିଆସୁଛି। ଅର୍ଥାତ ସମୁଦ୍ର ଭିତରେ ଏହା ଶକ୍ତି ଜୁଟାଇବାରେ ଲାଗିଛି। ସମୁଦ୍ର ଗର୍ଭରେ ଏହାର ଗତି ଯେତେ କମ ହେବ, ସ୍ଥଳଭାଗ ଛୁଇଁବା ବେଳକୁ ଏହା ସେତେ ଭୟଙ୍କର ହେବ। ଅମ୍ପନର ଆଖି ଏବେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ରହିଛି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇଛି। ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୩୦ କିମି ରହିପାରେ। ଏପରିକି ଏହା ସର୍ବାଧିକ ୨୬୫ କିମି ରହିପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ସ୍ଥଳଭାଗ ଛୁଇଁବା ବେଳକୁ ଓଡ଼ିଶାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଉପକୂଳରେ ପବନର ବେଗ ୭୫ କିମି ରହିଥିବ। ଧାମରା ଓ ଚାନ୍ଦବାଲି ପାଖ ଦେଇ ଅତିକ୍ରମ କରିବାର ସୂଚନା ରହିଛି। ଅମ୍ପନର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲାରେ ବର୍ଷା ପବନ ବହିବ। ତଳିଆ ଅଞ୍ଚଳର କଚାଘର, ବିଜୁଳି ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ମୋବାଇଲ ନେଟୱାର୍କ ଓ ଅଧିକ ପବନ ହେଲେ କୋଠାଘର ଗୁଡ଼ିକ ଉପରେ ବି ପ୍ରଭାବ ପଡ଼ିବ ବୋଲି କୁହାଯାଇଛି। ଝଡ଼ ଆସିବା ଆଗରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକ ଜିଲାବାସୀଙ୍କ ମନରେ ଛନକା ପଶିଛି। ଲୋକେ ସୋମବାର ନିଜ ନିଜ ଛାତ ଉପରେ ବାଲିବସ୍ତା ପକାଉଥିବା ଭଳି ଦ୍‌ଶ୍ୟ ଦେଖିବାକୁ ମିଳିଛି। ପୁରୀ ସମୁଦ୍ର କୂଳରେ ୨ ନମ୍ବର ବିପଦ ସଙ୍କେତ ଲାଗୁ ହୋଇଥିବା ବେଳେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକର ଲୋକେ ଘରର ଛାତ ଉପରେ ବାଲିବସ୍ତା ରଖୁଥିବା ବେଳେ ସମୁଦ୍ର କୂଳ ଅଞ୍ଚଳରୁ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି। ବାତ୍ୟାର ବଳୟ ବଢ଼ିବାରେ ଲାଗିଥିବାରୁ ପ୍ରଶାସନ ଓ ଉପକୂଳ ବାସିନ୍ଦାଙ୍କ ନିଦ ହଜିଯାଇଛି।

୧୧ ଲକ୍ଷଙ୍କୁ ସ୍ଥାନାନ୍ତରଣ

୨୩ ବର୍ଷ ପରେ ବଙ୍ଗୋପସାଗରରେ ସ୍‌ଷ୍ଟି ହୋଇଛି ଆଉ ଏକ ସୁପରସାଇକ୍ଲୋନ। ୧୯୯୯ରେ ହୋଇଥିବା ସୁପରସାଇକ୍ଲୋନରେ ୧୫ ହଜାରରୁ ଊର୍ଦ୍ଧ୍ବ ଜୀବନ ଯାଇଥିଲା। ଏବେ ଜିରୋ କାଜୁଆଲିଟିକୁ ଟାର୍ଗେଟ କରି ଓଡ଼ିଶା ପ୍ରସ୍ତୁତ କରିଛି ୧୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବାର ପ୍ରୟାସ। ୧୨ ଜିଲାରେ ମୋଟ ୮୦୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ରହିଛି। ସେଥିରୁ ୨୪୨ଟି କୋରୋନା ଭୂତାଣୁ ସଂକ୍ରମଣ ବ୍ୟାପିଥିବାରୁ ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମସି) ଭାବେ ବ୍ୟବହ୍‌ତ ହେଉଛି। ଅବଶିଷ୍ଟ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୭୦୯୨ କୋଠା ଘରକୁ ପ୍ରଶାସନ ଚିହ୍ନଟ କରିଛି। ୧୦ଟି ଏନଡିଆରଏଫ ଟିମକୁ ଏହି ୪ଟି ଜିଲା ଯଥା କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକରେ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ଗୋଟିଏ ଟିମରେ ୪୫ ଯବାନ ରହିଛନ୍ତି। ୧୦ଟି ଟିମରେ ୪୫୦ ଜଣ ଅଛନ୍ତି। ଏମାନେ ରବିବାର ସମ୍ଭାବ୍ୟ ପ୍ରଭାବିତ ଜିଲା ଗୁଡ଼ିକରେ ପହଞ୍ଚି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ନିରୀକ୍ଷଣ କରିବା ସହିତ ଜନଗଣଙ୍କୁ ସଚେତନ କରାଇଛନ୍ତି। ୬୪୯ଟି ଗାଁକୁ ଚିହ୍ନଟ କରାଯାଇଛି। ଏହିସବୁ ଗାଁ ପ୍ରତି ବିପଦ ଥିବା ପୂର୍ବାନୁମାନ କରାଯାଉଛି।

ରବିବାର ଦିନ ରାଜ୍ୟ ସରକାର ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କଥା କହିଥିଲେ। ଏମାନଙ୍କୁ ରଖାଯିବା ପାଇଁ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳ ଓ ୭୦୯୨ଟି ପକ୍କା ଘର ଚିହ୍ନଟ ହୋଇ ରହିଛି। ବାତ୍ୟାର ଗତିପଥ ଓ ଉଗ୍ରତା ସ୍ପଷ୍ଟ ନ ହେଲା ପରେ କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ସ୍ପଷ୍ଟ ହେବ। ୧୨ଟି ଜିଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲା ପ୍ରତି ବିଶେଷ ଦ୍‌ଷ୍ଟି ରଖାଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକର ସଫାସୁତୁରା, ବିଦ୍ୟୁତ, ପାଣି ବ୍ୟବସ୍ଥା, କେନ୍ଦ୍ରରେ ପହଞ୍ଚିବାର ରାସ୍ତାର ମରାମତି, ଶୌଚାଳୟ ବ୍ୟବସ୍ଥା, ଜେନେରେଟର ଓ ଅନ୍ୟାନ୍ୟ ସାମଗ୍ରୀମାନ ଯୋଗାଡ଼ରେ ପ୍ରଶାସନ ଲାଗିପଡ଼ିଛି। ଓଡ୍ରାଫ ଟିମ ଅଗ୍ନିଶମ ବିଭାଗର କର୍ମଚାରୀ, ରାଜସ୍ବ ଓ ପ୍ରାକ୍‌ତିକ ବିପର୍ଯ୍ୟୟ ପରିଚାଳନାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ନିୟୋଜିତ ଓ ସଜାଗ ଥିବା ସରକାର କହୁଛନ୍ତି। ଭୟଙ୍କର ସୁପରସାଇକ୍ଲୋନ ଅମ୍ପନ ସ୍ଥଳଭାଗ ଛୁଇଁବା ବେଳକୁ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଥିବା ବେଳେ କ୍ଷେତରେ ଓ ଖଳାରେ ପଡ଼ିଥିବା ଲକ୍ଷାଧିକ ହେକ୍ଟର ଜମିର ରବି ଧାନ ଫସଲ ନଷ୍ଟ ହେବାର ଚିନ୍ତା ଘାରିଛି। ଡାଲି ଓ ତୈଳବୀଜ ଫସଲ ସମେତ କାଜୁ, ଆମ୍ବ, ନଡ଼ିଆ ଓ ବିଭିନ୍ନ ପନିପରିବାକୁ ବାତ୍ୟା ଭୟ ମାଡ଼ିବସିଛି। ବାତ୍ୟା ପ୍ରଭାବରେ ଯଦି ଅଧିକ ବର୍ଷା ହୁଏ, ତେବେ କୋରୋନା ମାଡ଼ରୁ ବର୍ତ୍ତିଥିବା ଜୀବନ ଓ ଜୀବିକା ପୁଣିଥରେ ପ୍ରଭାବିତ ହେବ।

୧୮୯୧ରୁ ୨୦୧୯ ମଧ୍ୟରେ ଏପ୍ରିଲ-ମେ ମାସରେ ସଂଘଟିତ ହୋଇଥିବା ୧୫ଟି ଭୟଙ୍କର ସାମୁଦ୍ରିକ ଝଡ଼ ମଧ୍ୟରୁ ୨୦୦୮ରେ ମିଆଁମାରରେ ତାଣ୍ଡବ ରଚିଥିବା ନର୍ଗିସ ଓ ୨୦୧୯ରେ ଓଡ଼ିଶାରେ ବିପଦ ସ୍‌ଷ୍ଟି କରିଥିବା ଫନି ପରେ ଏବେ ଅମ୍ପନ ଭୀତି ସ୍‌ଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ