ଦାଉ ସାଧୁଛି ତାଲାବନ୍ଦ: ସରୁନି ପ୍ରବାସୀଙ୍କ ଘରବାହୁଡ଼ା ଦୁଃଖ


କୋରୋନା ଭୂତାଣୁ ସହ ଆଜି ସାରା ବିଶ୍ବ ଲଢ଼ୁଛି। ସଂକ୍ରମଣ ରୋକିବା ପାଇଁ ଦେଶରେ ତ୍‌ତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି। ଚତୁର୍ଥ ପର୍ଯ୍ୟାୟ ନୂଆ ରୂପରେ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇସାରିଛନ୍ତି। ଏଭଳି ସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟର ହଜାର ହଜାର ଲୋକ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ କାମ କରୁଥିବା କଳକାରଖାନା ବନ୍ଦ ହେବା ପରେ ସେମାନଙ୍କ ଅସଲ ଦୁର୍ଦ୍ଦଶା ଆରମ୍ଭ ହୋଇଛି। ଘରକୁ ଫେରିବା ପାଇଁ କାହା ପାଖରେ ଆବଶ୍ୟକୀୟ ଅର୍ଥ ନ ଥିବା ବେଳେ କିଏ ନିଜ ପୁତ୍ରକନ୍ୟା ଓ ପତ୍ନୀର ମ୍‌ତ୍ୟୁ ଖବର ଶୁଣି ଛାତିକୁ ପଥର କରି ପଡ଼ିରହିଛି। କିଏ ବଳଦ ସାଜି କାନ୍ଧରେ ଶଗଡ଼ ଗାଡ଼ିରେ ମା’ପିଲାଙ୍କୁ ଟାଣି ଟାଣି ଶହ ଶହ କିମି ଯାତ୍ରାପଥରେ ବାହାରିଛି ତ କିଏ ଘନ ଘୋର ଅନ୍ଧାର ରାତିରେ ଅଶାନ୍ତ ସମୁଦ୍ରରେ ଦେଶୀ ଡଙ୍ଗାରେ ଘରବାହୁଡ଼ା ରାସ୍ତାର ସମୟ ଗଣୁଛି। ଶତାଧିକ ଶ୍ରମିକ ଶହ ଶହ କିମି ରାସ୍ତାକୁ ପାଦରେ ଚାଲି ଚାଲି କିମ୍ବା ସାଇକେଲରେ ଯାତ୍ରା କରି ଗାଁମୁଣ୍ଡରେ ପହଞ୍ଚି ସାମାଜିକ ଦୂରତ୍ବ ନିୟମ ପାଇଁ ପରିବାର ଠାରୁ ପୁଣି ୧୪ ଦିନ ପ୍‌ଥକବାସରେ ରହୁଛନ୍ତି। ପ୍ରବାସୀଙ୍କ ଘରବାହୁଡ଼ାର କେତେକ ଛାତିଥରା ଘଟଣାକୁ ନେଇ ଆମର ଏ ଉପସ୍ଥାପନା।

୧୦ ଦିନରେ ୧୬୦୦ କିମିର ସାଇକେଲ ଯାତ୍ରା
ପୁରୀ ଜିଲା କଣାସ ଅଞ୍ଚଳର ୪ ଜଣ ଓ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକର ଦେଉଳଚ ପଞ୍ଚାୟତ ଡଙ୍ଗରପଡ଼ାର ମୋଟ ୫ ଜଣ ଓଡ଼ିଆ ସୁରତରେ କାମ କରୁଥିଲେ। କପଡ଼ା ମିଲ ବନ୍ଦ ଓ ଦରମା ମିଳି ନ ଥିବାର ଦୁଃଖ ସହିତ ସଂକ୍ରମଣର ଆଶଙ୍କାରେ ସେମାନେ ୧୬୦୦ କିମି ଯାତ୍ରାପଥ ସାଇକେଲରେ ଅତିକ୍ରମ କରି ବୁଧବାର ନିଜ ଗାଁରେ ପହଞ୍ଚିଛନ୍ତି।

କାଠ ଗାଡ଼ିରେ ୬୦୦ କିମି ପିଲାଛୁଆଙ୍କୁ ଟାଣିଲେ

କାଠ ତିଆରି ଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଦୁଇବର୍ଷର ଶିଶୁକୁ ବସାଇ ହାଇଦ୍ରାବାଦରୁ ମଧ୍ୟପ୍ରଦେଶର ପାଲଘାଟକୁ ଟାଣି ଟାଣି ଆଣିଛନ୍ତି ଜଣେ ପ୍ରବାସୀ ଶ୍ରମିକ। ଠିକାଦାର ଦ୍ବାରା ସାଇଟ ବନ୍ଦ ହୋଇଯିବାରୁ ରାମ ଘୋରମାର ନାମକ ଏହି ଯୁବକ ହାଇଦ୍ରାବାଦରେ ଫସି ରହିଥିଲେ। ସଞ୍ଚିତ ଟଙ୍କା ସରି ସରି ଆସୁଥିବା ବେଳେ ପାଖରେ ଗର୍ଭବତୀ ପତ୍ନୀଙ୍କ ପ୍ରସବ ସମୟ ମଧ୍ୟ ପାଖେଇ ଆସୁଥିଲା। ଶେଷରେ ନିରୁପାୟ ହୋଇ ସେ ଏକ କାଠ ତିଆରି ହାତଟଣା ଶଗଡ଼ ଗାଡ଼ିଟିଏ ତିଆରି କରି ସେଥିରେ ପିଲାଛୁଆଙ୍କୁ ବସାଇ ୬୦୦ କିମି ଦୂର ଟାଣି ଟାଣି ଆଣିଥିଲେ।

ବାଟରେ ପ୍ରସବ କରି ଦେଢ଼ଶହ କିମି ଚାଲିଲେ
ମଧ୍ୟ ପ୍ରଦେଶର ଶକୁନ୍ତଳା ନାମ୍ନୀ ଜଣେ ଗର୍ଭବତୀ ପ୍ରବାସୀ ମହିଳା ଶ୍ରମିକ ତାଙ୍କ ସ୍ବାମୀ ରାକେଶ କୌଲଙ୍କ ସହ ମହାରାଷ୍ଟ୍ରରୁ ନିଜ ରାଜ୍ୟର ସତନା ଅଭିମୁଖେ ପାଦରେ ଚାଲିଚାଲି ଫେରୁଥିଲେ। ଅନେକ ବାଟ ଆସିବା ପରେ ମହିଳା ଜଣକ ପ୍ରସବ ବେଦନା ଅନୁଭବ କରିଥିଲେ ଏବଂ ବିଜସନ ସୀମା ନିକଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁଇ ଘଣ୍ଟା ବିଶ୍ରାମ ପରେ ପ୍ରସୂତି ଜଣକ ପୁଣି ୧୫୦ କିମି ଯାତ୍ରାପଥ ପାଦରେ ଚାଲି ଚାଲି ଫେରିଥିଲେ। ତେଲେଙ୍ଗାନାରୁ ଛତିଶଗଡ଼ ଯାଉଥିବା ଅନ୍ୟଜଣେ ଗର୍ଭବତୀ ମଧ୍ୟ କିଛିଦିନ ତଳେ ରାସ୍ତାରେ ପ୍ରସବ କରିଥିଲେ। ଘରମୁହାଁ ହୋଇଥିବା ପ୍ରବାସୀ ମାନଙ୍କ କଷ୍ଟ ଦେଖିଲେ ସହିହେବନି। କାହାର ପାଦରୁ ରକ୍ତ ଝରୁଛି ତ ଆଉ କାହାର ଛାଲ ଛାଡ଼ିଯାଇଛି। ଏଭଳି ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ ନିଜ ଭିଟାମାଟିରେ ପହଞ୍ଚିବାର ମୋହ ହିଁ ସେମାନଙ୍କ ପାଇଁ ପ୍ରମୁଖ ଲକ୍ଷ୍ୟ ପାଲଟିଛି।

ସ୍ବତନ୍ତ୍ର ଏସି ଟ୍ରେନ ଦୌଡ଼ୁଛି, ସଡ଼କରେ ଶ୍ରମିକ ମରୁଛି
ଗୋଟିଏ ପଟରେ ସ୍ବତନ୍ତ୍ର ଏସି ଟ୍ରେନ ରେଳଧାରଣା ଉପରେ ଦୌଡ଼ୁଥିବା ବେଳେ ଏବଂ ବିଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ‘ବନ୍ଦେ ଭାରତ’ ଅଭିଯାନ ହାତକୁ ନିଆଯାଇଥିବା ବେଳେ ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରୁ ସଡ଼କ ପଥରେ ପାଦରେ ଚାଲି ଚାଲି ଘରମୁହାଁ ହେଉଥିବା ଶ୍ରମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହରାଉଛନ୍ତି। ଓଡ଼ିଶାର ମାଲକାନଗିରିକୁ ଫେରୁଥିବା ଜଣେ ଶ୍ରମିକ ଘର ନିକଟରେ ପହଞ୍ଚିବା ପୂର୍ବରୁ ଭଦ୍ରାଚଳମ ନିକଟରେ ଅଂଶୁଘାତରେ ମ୍‌ତ୍ୟୁବରଣ କରିଛନ୍ତି। ବିଗତ କିଛି ଘଣ୍ଟା ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ପଞ୍ଜାବରୁ ଚାଲି ଚାଲି ବିହାର ଆସୁଥିବା ୬ ଜଣ ଶ୍ରମିକଙ୍କୁ ଉତ୍ତର ପ୍ରଦେଶରେ ବସ ମାଡ଼ିଯାଇଛି। ବୁଧବାର ରାତିରେ ମଧ୍ୟ ପ୍ରଦେଶର ଗୁନା ଠାରେ ଏକ ସଡ଼କ ଦୁର୍ଘଟଣାରେ ମହାରାଷ୍ଟ୍ରର ୮ ଶ୍ରମିକଙ୍କ ଜୀବନ ଯାଇଛି। ଲକଡାଉନକୁ ୫୦ ଦିନ ପୂରିଛି। କାମଧନ୍ଦା ନାହିଁ କି ପାଖରେ ଟଙ୍କା ପଇସା ନାହିଁ। ଖାଇବା ପିଇବା ନେଇ ସଙ୍କଟ ଦେଖାଦେଇଛି। ପାଖରେ ଅଳ୍ପ ଯାହାକିଛି ଟଙ୍କା ଅଛି, ସେମାନେ ଏହାକୁ ଯୋଗାଡ଼ କରି ଘରମୁହାଁ ହେଉଛନ୍ତି। କିନ୍ତୁ ସମସ୍ତେ ଘରେ ପହଞ୍ଚି ପାରୁ ନାହାନ୍ତି। ଅଧାବାଟରେ ମ୍‌ତ୍ୟୁର ଶିକାର ହେଉଛନ୍ତି।

ବେଗୁସରାଇରେ ପୁଅର ମ୍‌ତ୍ୟୁ, ପିତା ୩ ଦିନ ୟୁପି ଗେଟରେ ଫସି ରହିଲେ
ଗାଁରେ ପୁଅର ମ୍‌ତ୍ୟୁ ଖବର ପାଇ ଗାଁକୁ ବାହାରିଥିବା ଜଣେ ପ୍ରବାସୀ ଶ୍ରମିକ ବିଗତ ୩ ଦିନ ଧରି ୟୁପି ଗେଟରେ ଫସିରହିଛନ୍ତି। ଗାଜିଆବାଦ ପୋଲିସ ତାଙ୍କୁ ୟୁପି ଗେଟ ପାର ହେବାକୁ ଦେଉନି। ବିହାର ବେଗୁସରାଇ ଜିଲାର ନିବାସୀ ରାମପୁକାର ପଣ୍ଡିତ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି। ଲକଡାଉନ କାରଣରୁ ତାଙ୍କର କାମ ବନ୍ଦ ହୋଇଗଲା। ପୁଅର ମ୍‌ତ୍ୟୁ ଖବର ଶୁଣି ସେ ପାଦରେ ଚାଲି ଚାଲି ଗାଁରେ ପହଞ୍ଚିବାର ସଂକଳ୍ପ ନେଇ ବାହାରିଥିଲେ। ଗାଜିପୁର ଫ୍ଲାଇଓଭର ତଳେ ତାଙ୍କର ଏବେ ଦିନ କଟୁଛି। ଇତିମଧ୍ୟରେ ସେ ବର୍ଡର ହେବାକୁ ପ୍ରୟାସ କରି ଅନେକ ଥର ପୋଲିସ ହାତରେ ଧରାପଡ଼ିଛନ୍ତି। ପୋଲିସ କିନ୍ତୁ ରାମ ପୁକାରଙ୍କ ଦୁଃଖକୁ କାହାଣୀ ଭାବୁଛି।

ଇଣ୍ଡିଆ ଲକଡାଉନ, ଶ୍ରମିକ ଚାଲୁଛି
ଲକଡାଉନ ମଧ୍ୟରେ ସବୁଠୁ ବେଶୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ପ୍ରବାସୀ ଶ୍ରମିକ। କୋଟି କୋଟି ଶ୍ରମିକ କାମଧନ୍ଦା ହରାଇ ସଡ଼କ ଉପରେ ଦିନ ଦିନ ଧରି ଚାଲୁଛନ୍ତି। ସାଇକେଲ, ଶଗଡ଼, ପାଦଚଲା ଆଦି ଯିଏ ଯେମିତି ପାରୁଛି ଗାଁ ଅଭିମୁଖେ ଧାଁଉଛନ୍ତି। ଏଥିପାଇଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚାଲୁଥିଲେ ହେଁ ସମସ୍ତ ଶ୍ରମିକଙ୍କୁ ଆଣିବାରେ ସକ୍ଷମ ହୋଇପାରୁ ନାହିଁ। ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ, ପଞ୍ଜାବ, ମଧ୍ୟ ପ୍ରଦେଶ ଓ ବିହାରରେ ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାପକ ହିଂସାକାଣ୍ଡ ଘଟାଇବା ଆରମ୍ଭ କରିଛନ୍ତି। ବିରୋଧୀ ରାଜନୀତିକ ଦଳଗୁଡ଼ିକ ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟମାନଙ୍କୁ ଫେରାଇ ଆଣନ୍ତୁ ବୋଲି ଦାବି କରୁଥିଲେ ହେଁ ଏ ଦିଗରେ ଯେଭଳି ସହାୟତା କରିବା କଥା ତାହା ସରକାର କରୁ ନାହାନ୍ତି।

ପକେଟରେ ୧୦ ଟଙ୍କା, ୧୦୦୦ କିମି ଯାତ୍ରା

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ନିର୍ମାଣ ସଂସ୍ଥାରେ କାମ କରୁଥିବା ୨୦ ବର୍ଷର ଯୁବକ ଓମପ୍ରକାଶ ନିଜ ଘରୋଇ ରାଜ୍ୟ ବିହାର ଯିବା ପାଇଁ ବାହାରିପଡ଼ିଲେ ସିନା, ହେଲେ ପାଖରେ ଥିଲା ମାତ୍ର ୪୧୦ ଟଙ୍କା। ୨୦୦ କିମି ଚାଲିଚାଲି ଆଗ୍ରାରେ ପହଞ୍ଚିବା ବେଳକୁ ଗୋଡ଼ ଫୋଟକା ହୋଇଗଲା। ସେଠାରୁ ୩୫୦ କିମି ଦୂର ଏକ ଟ୍ରକରେ ଆସିବା ପରେ ପୁଣି ଚାଲିଚାଲି ନିଜ ଗାଁରେ ପହଞ୍ଚିଲେ। ଆଗ୍ରରୁ ଲକ୍ଷ୍ନୌ ଆଣିବା ପାଇଁ ଟ୍ରକ ୪୦୦ ଟଙ୍କା ନେବା ପରେ ମାତ୍ର ୧୦ ଟଙ୍କା ଥିଲା ପକେଟରେ। ରାସ୍ତାକଡ଼ରୁ ପାଣି ପିଇ ପିଇ ସେ ଘରେ ପହଞ୍ଚିଥିଲେ। ଓମପ୍ରକାଶଙ୍କ ପରି ଭୋକିଲା ପେଟରେ ସଡ଼କ ଉପରେ ଚାଲୁଥିବା ଶ୍ରମିକଙ୍କ ଅନ୍ତ କେବେ ହେବ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ